Unknown

 

 

 

 

 

 

 

 

 

 

ରାଣୀଶାସନର ମାନି

ଧୂର୍ଜଟି

ଶ୍ରୀମତୀ ନିଶାମଣି ଦେବୀ

 

ସୂଚନା

 

ଏଇ ଗଳ୍ପଟି ଲେଖା ହୋଇଥିଲା, ୧୯୬୭ ସାଲର ଅଗଷ୍ଟ ମାସର ଦଶ ତାରିଖରୁ ପନ୍ଦର ତାରିଖ ଯାକେ । ଫ୍ଳୁ ହୋଇଥାଏ । ଦେହସାରା ବେଦନା, ନାକରୁ ଆଖିରୁ ଅନବରତ ପାଣି ବୋହୁଥାଏ । ଏଇ ଅଶ୍ୱସ୍ତିକର ପରିସ୍ଥିତିରୁ ଉଦ୍ଧାର ପାଇବାକୁ, ଗୋଟାଏ ଖାତା ଟାଣିଆଣି ଆରମ୍ଭ କରିଦେଲି । କ୍ରମେ ସହଜ ହୋଇଗଲା । ପ୍ରତ୍ୟହ ପ୍ରାୟ ଚଉଦ ଘଣ୍ଟା କରି ପରିଶ୍ରମ କରିବାକୁ ପଡ଼ିଥିଲା ସେଇ ଛ ଦିନ । ଅଗଷ୍ଟ ପନ୍ଦରର ଉତ୍ସବରେ ଲାଲକିଲ୍ଲାରୁ ଭାଷଣ ଦେଉଥାନ୍ତି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଗଳ୍ପ ମଧ୍ୟ ଶେଷ ହୋଇ ଆସୁଥାଏ ।

ଏଇ ଗଳ୍ପର ନାୟିକା ମାନି ଭଳି ଗୋଟିଏ ଝିଅକୁ ଦେଖିବାକୁ ସୁଯୋଗ ମିଳିଥିଲା, କଟକ ଜିଲ୍ଲାର ଏକ ମେଳାରେ । ତା’ପରେ ସେଇ ହରିଣୀନୟନା ଝିଅଟି କୁଆଡ଼େ ହଜିଗଲା । କିନ୍ତୁ ତାର ପ୍ରଭାବ ମନ ଉପରେ ଅବ୍ୟାହତ ହୋଇ ରହିଥିଲା, ବୋଧହୁଏ, ରୂପାୟିତ ହେବାକୁ ଏ ଗଳ୍ପରେ ।

‘‘ରାଣୀଶାସନ ମାନି’’ କୁ ଲୋକଲୋଚନକୁ ଆଣିବାକୁ ଯେଉଁମାନେ ଅକୁଣ୍ଠ ସହାୟତା ଦେଖେଇଛନ୍ତି ସେମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଉଛି ।

ମୁଦ୍ରଣ ତ୍ରୁଟି ପାଇଁ ପାଠିକାଙ୍କ ନିକଟରେ କ୍ଷମାଭିକ୍ଷା କରି ରଖିଲି ।

ଗଳ୍ପର ଘଟଣା ତଥା ଚରିତ୍ର ସମ୍ପୂର୍ଣ୍ଣ ମାନସପ୍ରସୂତ, ଏକଥା କହିବା ନିଷ୍ପ୍ରୟୋଜନ ।

ମହାସପ୍ତମୀ, ଶନିବାର, ୨୮/୯/୬୮

–ଲେଖକ

 

 

 

 

 

 

 

 

 

 

 

 

ଶ୍ରୀମତି ନିଶାମଣି ଦେବୀ,

 

ସୁଚରିତାଷୁ ।

 

–ଏକ–

 

ମହାନଦୀ ପୋଲ ଉପରେ ନିଦ ଭାଙ୍ଗିଗଲା ଶଙ୍କରର । ଯା ଘଡ଼ଘଡ଼ ଶବ୍ଦ । ଉଠି ଆସି ଠିଆହେଲା ସେ କବାଟ ପାଖରେ । ପୂର୍ବ ଦିଗକୁ ଚାହିଁଲା– ଲାଲହୋଇ ଉଠୁଛି କ୍ରମଶଃ । ପାଖ ବାର୍ଥରୁ ଯାତ୍ରୀଜଣକ ଉଠି ବିଛଣା ବାନ୍ଧିବାରେ ଲାଗି ପଡ଼ିଛନ୍ତି । ଫେରି ଆସିଲା ଶଙ୍କର ନିଜ ବାର୍ଥକୁ । ହାଲୁକା ରାତ୍ରିବାସ ପାଲଟି ପିନ୍ଧିଲା ପୋଷାକ, ଯେଉଁ ପୋଷାକ ଗଲା ଦଶବର୍ଷ ଧରି ବରାବର ପିନ୍ଧୁଛି । ବିଛଣା ଗୁଡ଼େଇ ବକଲସ ଲଗେଇଲା ବେଳକୁ ଗତି ଧୀରହୋଇ ଗାଡ଼ି ଛିଡ଼ାହେଲା । ସେଇ କଟକ ଷ୍ଟେସନ । ଅନେକ ବଦଳିଯାଇଛି । ତଥାପି ଯେମିତି ବିଶେଷ କିଛି ବଦଳିନି ମନେହେଲା ତାର । ସେଇ ପୁରୁଣାଦିନର ଦୁର୍ଗନ୍ଧ ନାକକୁ ପୀଡ଼ା ଦେଲା ତାର । କିନ୍ତୁ ଖୁସିହୋଇ ଚାହିଁଲା ଶଙ୍କର । ବହୁତଲୋକ, ବେଶ୍‌ ଭିଡ଼ । ଲୁଗାପଟା ବେଶ୍‌ ଭଲ ଦିଶିଲା । ଚାହିଁଲା ସେ ପ୍ଳେଟ୍‌ଫର୍ମର ଯୁବଜନଙ୍କୁ । ତୁଳନାକଲା ମନେ ମନେ ଦଶବର୍ଷ ଆଗର ତା ସମୟର ଅବସ୍ଥାଟାକୁ । ତାର ସଂଗୀ ଓହ୍ଳେଇଗଲେ । ହଠାତ୍‌ ଗୋଟାଏ ଧକ୍‌କା ଖାଇଲା ସେ । ଗାଡ଼ିଟା କାଟି ସାଇଡ଼ିଂକୁ ନିଆଯାଉଛି । ଦୁଇ ହାତରେ ରେଲିଂ ଧରି ସେମିତି ଠିଆହୋଇ ରହିଲା ସେ । ସାଇଡ଼ିଂରେ ଆସି ଗାଡ଼ି ଅଟକିଲା । ବେଶ୍‌ ଫରଚାହୋଇ ଆସିଲାଣି । ଏଥର ଦୃଷ୍ଟି ତାର ପଶ୍ଚିମକୁ-। ଅଦୂରରେ ଗଛ ଅଗ ଟପି ଦିଶୁଛି ଲାଲକୋଠା । ରେଭେନ୍‌ସା କଲେଜ । ବହୁତ ଆଶାକରି ପଢ଼ିବାକୁ ଆସିଥିଲା ସେ ଏଠିକି, ପ୍ରଥମ ଯୌବନରେ ।

 

ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠ ଦଶଜଣଙ୍କ ଭିତରେ ଥିଲା ସେ । ପୁଅର ଆଶାତୀତ ସଫଳତାରେ ବାପାଙ୍କର ଆନନ୍ଦର ସୀମା ଥିଲା ନାହିଁ । ସ୍କୁଲମାଷ୍ଟର ବାପର ପ୍ରଥମ ସନ୍ତାନ ଶଙ୍କର-। ବାପା ଥିଲେ ନିର୍ବିରୋଧ ମଣିଷ । ପଣ୍ଡିତର ପୁଅ । ଜୀବନରେ କେତେଗୁଡ଼ାଏ ନୀତିକୁ ନେଇ ଘର କରିଥିଲେ ସେ । ଲୋଭ ଥିଲାନି, ଅପବ୍ୟୟ ଥିଲାନି ତାଙ୍କର । ଅଭାବ ବି ଥିଲାନି । ପିଲାଙ୍କୁ ଇଂରେଜୀ ପଢ଼ଉଥିଲେ ବାପା । ନେସଫିଲଡ଼ ବ୍ୟାକରଣ ତାଙ୍କର କଣ୍ଠସ୍ଥ । ଷ୍ଟେଟସମେନ ଛଡ଼ା ଅନ୍ୟ କାଗଜ ପଢ଼ୁ ନ ଥିଲେ ସେ । ତାଙ୍କୁ ଜୋରକରି ପଢ଼େଇଥିଲେ ସ୍ମାଇଲ୍‌ସ ସାହେବର ଗୋଟା ପଚିଶ ପ୍ରବନ୍ଧ । ସ୍କୁଲରେ ସେ ସାରିଥିଲା ଲେମ୍ବଙ୍କର ସେକ୍‌ସପିଅର ଗଳ୍ପ । ବସଉଏଲଙ୍କ ବହିରୁ ଅନେକ ଗପ ଜାଣିଥିଲା ସେ ଡକ୍‌ଟର ଜନଶନଙ୍କ ବିଷୟରେ ।

 

ବୟାଳିଶ ସାଲ । ଭୀଷଣ ଯୁଦ୍ଧ ଚାଲିଥାଏ ଉଇରୋପରେ । ଜାପାନ ମାଡ଼ି ଯାଉଥାଏ ଦକ୍ଷିଣ ପୂର୍ବ ଏସିଆରେ । ଭାରତ ସେତେବେଳେ ଜଳୁଥାଏ, ଯୁଦ୍ଧରେ ନୁହେଁ, ଅସନ୍ତୋଷରେ । କଟକରେ ଗୋରାଶାସନ ବେଶ୍‌ ଦୃଢ଼ ହୋଇଥାଏ ଲୁଇସ ସାହେବଙ୍କ ନେତୃତ୍ୱରେ । ସେ ଆସି ନାମ ଲେଖେଇଲା କଲେଜରେ । ରହିଲା ହଷ୍ଟେଲରେ । ଇଂରେଜୀ ମାଷ୍ଟରର ପିଲା– ପଢ଼ିଲା କିନ୍ତୁ ବିଜ୍ଞାନ । ବାପା ରାଜି ହୋଇଥିଲେ । ଭଲପିଲା ବୋଲି ଖ୍ୟାତି ବି ସେ ଅର୍ଜନ କରିଥିଲା ବନ୍ଧୁ ତଥା ଅଧ୍ୟାପକଙ୍କ ମଧ୍ୟରେ ।

 

କାଳୀପୂଜା ପରେ କଲେଜ ଖୋଲିଥାଏ । ହଠାତ୍‌ ଗୋଟାଏ ହୈଚୈହେଲା କଲେଜରେ-। ସୁଜାତା ଚାଟାର୍ଜୀ ବୋଲି ଗୋଟିଏ ଦ୍ୱିତୀୟ ବାର୍ଷିକ ଶ୍ରେଣୀର ଝିଅଯାଇ ଅଧ୍ୟକ୍ଷଙ୍କ ନିକଟକୁ ନାଲିଶ କଲା– ତା ଉପରକୁ କିଏ, ଛୁଚୁନ୍ଦ୍ରି ବାଣ ନିକ୍ଷେପ କରିବା ଫଳରେ ତାର ଶାଢ଼ି, ସାୟା ଓ ଡାହାଣ ଗୋଡ଼ର କେତେକାଂଶ ପୋଡ଼ିଯାଇଛି । ଉଗ୍ର ଅଧ୍ୟକ୍ଷ କ୍ଷିପ୍ତହୋଇ ଉଠିଲେ । ସୁଜାତା ଚାଟାର୍ଜୀର ବାପା ଉଚ୍ଚପଦସ୍ଥ କର୍ମଚାରୀ, ପୁଲିସ ବିଭାଗର । ଟେଲିଫୋନରେ ଖବରପାଇ ଝିଅକୁ ଦେଖିବାକୁ ଆସିଲେ । ଗାଡ଼ିରେ ଝିଅକୁ ଡାକ୍ତରଖାନା ପଠେଇ, ଅଧ୍ୟକ୍ଷଙ୍କୁ କହିଲେ– ‘‘ଏହାର ବିହିତ ପ୍ରତିକାର କର, ନଚେତ ମୁ ମକଦ୍ଦମା କରିବି ।’’ ଅପରାଧ ଆଇନରେ ଧୁରନ୍ଧର, ଏଇ ଦୁର୍ଦ୍ଦାନ୍ତ ପୁଲିସ ଅଫିସର, ଅଧ୍ୟକ୍ଷଙ୍କ ଆଗରେ ଏମିତି ଛବିଟିଏ ଆଙ୍କିଲେ, ଯେଉଁଥିରେ ଅଧ୍ୟକ୍ଷ ବିବ୍ରତ ହେଲେ । ଆରମ୍ଭ ହେଲା ଇନ୍‌କୁଆରି । ଶଙ୍କର ବିରୁଦ୍ଧରେ ଅଭିଯୋଗ ହେଲା ଯେ ସେଇ ଦୋଷୀ । ଶଙ୍କର ଶୁଣି ଆଶ୍ଚର୍ଯ୍ୟ ହେଲା ଓ ଘୋର ପ୍ରତିବାଦ କଲା । କିନ୍ତୁ ଦୁଇଜଣ ଅଧ୍ୟାପକ ଓ ଜଣେ ଛାତ୍ର, ପରିଷ୍କାର ସାକ୍ଷୀ ଦେଇଛନ୍ତି, ଘଟଣାବେଳେ କେବଳ ଶଙ୍କରକୁ ସେଠାରେ ଦେଖା ଯାଇଥିଲା । ଶଙ୍କର ପୁଣି ପ୍ରତିବାଦ କଲା । କିନ୍ତୁ ସାକ୍ଷୀ କାହିଁ ଶଙ୍କରର ? କେବଳ ତାର ହଷ୍ଟେଲ ସୁପରିନଟେଣ୍ଡେଣ୍ଟ କହିଥିଲେ– ‘‘ଶଙ୍କର ଭଳି ପିଲା ଏ କାମ କରି ନ ପାରେ’’ । ସଂସ୍କୃତ ଅଧ୍ୟାପକ, ବିଜ୍ଞାନ ଛାତ୍ରଙ୍କ ପ୍ରତି ଯାହାଙ୍କର ଜାତକ୍ରୋଧ, ସେ ମୁଣ୍ଡ ହଲେଇ କହିଲେ,’’କିଛି କହିହବନି ଆଜ୍ଞା । ଆଜିକାଲିକାର ପିଲା, ଅତି ଅଭଦ୍ର, ଅତି ଅଶ୍ଳୀଳ ତାଙ୍କ ବ୍ୟବହାର ।’’ ଇଂରେଜୀ ଅଧ୍ୟାପକ ଦୁଃଖ କଲେ ଶଙ୍କର ପାଇଁ । ଅଧ୍ୟୟ ରାୟ ଦେଲେ– ‘‘ଶଙ୍କର ଭଲ ପିଲା ହୋଇଥିବାରୁ, ଏଇ ପ୍ରଥମ ଦୋଷପାଇଁ, ତାର ସାରା ଜୀବନ ନଷ୍ଟ ନ ହେଉ, ଏଇକଥା ବିଚାରକରି, ତାକୁ ଅନ୍ୟତ୍ର ପଢ଼ିବାପାଇଁ ବାଧ୍ୟତାମୂଳକ ଟ୍ରାନ୍‌ସଫର ସାର୍ଟିଫିକେଟ୍‌ ଦିଆଗଲା ।’’

 

ବଜ୍ରାହତ ଶଙ୍କର, ଅଧ୍ୟକ୍ଷଙ୍କ ଅଫିସରୁ ବାହାରି ଆସିଲା ଅର୍ଦ୍ଧଚେତନ ଅବସ୍ଥାରେ । କାହାରିକି କିଛି ନକହି ଚୁପ୍‍ଚାପ୍‌ ଫେର ଆସିଲା ହଷ୍ଟେଲକୁ । ହଷ୍ଟେଲରେ କେହି ନାହିଁ । ମନେପଡ଼ିଲା ତାର ଅଧ୍ୟାପକ ଗନ୍ତାୟତଙ୍କୁ । ସେ ତ କଲିକତାରୁ ଫେରିଥିବେ ? ଗୋଟାଏ ଖାତାରୁ କାଗଜ ଛିଣ୍ଡେଇ କ’ଣ ଗୁଡ଼ାଏ ଲେଖିଲେ । ତାକୁ ଗୋଟାଏ ଲଫାପାରେ ପୁରେଇ ପକେଟରେ ରଖିଲେ । ତା’ପରେ ଚୁପ୍‌ଚାପ ବାହାରି ଯାଉଥିଲା ପଛ ତୋଟା ଦେଇ । ହଠାତ୍‌ ନଜର ପଡ଼ିଲା କେମିଷ୍ଟ୍ରି ଅଧ୍ୟାପକଙ୍କ ଘର ଉପରେ । ଅଧ୍ୟାପକ ବଗିଚାରେ ଗଛ ଲଗାଉଛନ୍ତି । ଭାରି ଭଲପା’ନ୍ତି ସେ ଶଙ୍କରକୁ ।’’କି ଖବର ଶଙ୍କର ?’’ ପାଟିକରି ଉଠିଲେ ଅଧ୍ୟାପକ ।

 

ଶଙ୍କର ଗେଟ୍‌ ଖୋଲି ପଶିଗଲା ଭିତରକୁ । ପାଖକୁ ଆସି କହିଲା– ‘‘ମୋର ଟିକିଏ କଥା ଥିଲା, ସାର ?’’

 

‘‘କୁହ ।’’

 

‘‘ଏଇଠି କହିବି ?’’ ପ୍ରଶ୍ନ କଲା ଶଙ୍କର ।’’

 

ଗଛ ପୋତିସାରି ଉଠି ଠିଆହେଲେ ଅଧ୍ୟାପକ । ଆଖି ପଡ଼ିଲା ତାଙ୍କର ଶଙ୍କର ମୁହଁ ଉପରେ ।

 

‘‘ତୁମ ଦେହ ଭଲନାହିଁ ?’’

 

‘‘ନା ସାର । ଦେହ ଭଲଅଛି ।’’ ହସିଲା ଶଙ୍କର, ଶୁଖିଲା ହସ ।

 

‘‘କଣ ହୋଇଛି ତୁମର ? ଆଜି କଲେଜ ଯାଇନ ?’’

 

‘‘କଲେଜରୁ ଆସୁଛି ସାର ।’’

 

‘‘ଆସ ।’’ ଅଧ୍ୟାପକଙ୍କୁ ଅନୁସରଣ କଲା ସେ ।

 

‘‘ଶୁଣୁଛ’’ ପାଟିକଲେ ଅଧ୍ୟାପକ, ଉଦ୍ଦେଶ୍ୟ ଗୃହିଣୀ । ‘‘ଶଙ୍କର ଆସିଛି, ଗରମ କିଛି ପଠେଇ ପାରିବ ?’’

 

ଭିତରୁ ଜବାବ ଆସିଲା–‘‘ପାରିବି’’ ।

 

‘‘ବସ, କଣ ଖବର କୁହ ତ ?’’

 

‘‘ମୋତେ କିଛି ଟଙ୍କା ଦେବେ ସାର ?’’

 

‘‘ଟଙ୍କା । କଣ କରିବ ? କେତେ ଟଙ୍କା ?’’

 

‘‘ଦୁଇଶ ଟଙ୍କା’’

 

‘‘ଏତେଟଙ୍କା କ’ଣ କରିବ ?’’

 

‘‘ମୁଁ ଆଜି କଟକ ଛାଡ଼ି ଯାଉଛି ସାର । ଆପଣ ଆଜି କଲିକତାରୁ ଫେରିଛନ୍ତି, କଲେଜ ଯାଇ ନାହାନ୍ତି । କାହିଁକି ଯେ ମୁଁ କଟକ ଛାଡ଼ି ଯିବାକୁ ବାଧ୍ୟ ହେଉଛି ତାର କାରଣ ଏଇ ଚିଠିରେ ଲେଖା ହୋଇଛି । କିନ୍ତୁ ମୋର ଟଙ୍କା ଦରକାର । ଦୁଇଶ ନହେଲେ ଦେଢ଼ଶ ହେଲେ ମଧ୍ୟ ଚଳିବ । କିନ୍ତୁ ଟଙ୍କାଟା ଦରକାର ଏବଂ ଏହିକ୍ଷଣି । ଏ ଟଙ୍କା ମୁଁ ଆପଣଙ୍କ ପାଖରୁ ଧାର ନେଉଛି ଏବଂ ସୁଝିବି । ଆପଣ ଯଦି ମୋତେ ବିଶ୍ୱାସ କରନ୍ତି ଏ ଟଙ୍କା ଦିଅନ୍ତୁ ।’’

 

ଏତେଗୁଡ଼ାଏ କଥା ଏକା ସାଙ୍ଗରେ କହିବାକୁ ଯାଇ ଭାବାବେଗରେ ନିର୍ବାକ ହୋଇଗଲା ଶଙ୍କର । ପକେଟରୁ ସେଇ ଲଫାପା କାଢ଼ି ଅଧ୍ୟାପକଙ୍କ ସାମନା ଟେବୁଲ ଉପରେ ରଖିଲା । ଅଧ୍ୟାପକ କଣ ବୁଝିଲେ କେଜାଣି ଉଠିଯାଇ ଦୁଇଶହ ଟଙ୍କା ଆଣି ଶଙ୍କରକୁ ଦେଲେ ।

 

‘‘ତୁମର ଦୁଇଶ ଦରକାର ଦୁଇଶ ନିଅ । ଆଉ ସୁଝିବା କଥା, ସୁବିଧା କରି ସୁଝିବା ଦବ-। କିନ୍ତୁ–’’

 

‘‘ମୋତେ କ୍ଷମା କରିବେ ସାର । ଆପଣଙ୍କର ପ୍ରଶ୍ନର ଉତ୍ତର ଏଇ ଚିଠିରେ ଅଛି । ଆପଣଙ୍କର ଏ ଅନୁଗ୍ରହ’’ ଆଉ ପାରିଲାନି ଶଙ୍କର । ଦୁଇ ଆଖିରୁ ତାର ଝରିଲା ନୀରବ ଅଶ୍ରୁ ଅଜସ୍ର ଧାରାରେ । ଅଧ୍ୟାପକ ନିର୍ବାକ ଦୃଷ୍ଟିରେ ଦେଖୁଥାନ୍ତି ଶଙ୍କରକୁ । କୈଶୋରର ଶେଷ ଓ ଯୌବନର ଆରମ୍ଭ ମାତ୍ର ହୋଇଛି ତାର । ଏଇ ବୁଦ୍ଧିମାନ ଚଟପଟ ପିଲାଟି, ଯାହାର ଇଂରେଜୀ ଉଚ୍ଚାରଣ ଯେ କୌଣସି କେମ୍‌ବ୍ରିଜର ପିଲା ଭଳି, ଯେ ପାଞ୍ଚମାସ ମାତ୍ର କଲେଜରେ ପଢ଼ି ତାଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି, ଯେ–

 

‘‘ମୁ ଆସୁଛି ସାର ।’’ ବିନୟାବନତ ଶଙ୍କର ବାହାରିଗଲା ଘରୁ । ଅଧ୍ୟାପକ ତାକୁ ଅଟକେଇ ପାରିଲେ ନାହିଁ । ଗୃହିଣୀ ଥାଳିଏ ଗରମ ସିଙ୍ଗଡ଼ା ଧରି ପଶି ଆସିଲା ବେଳକୁ ଅଧ୍ୟାପକ ଶଙ୍କରର ଚିଠିଟା ପଢ଼ୁଥାନ୍ତି ।

 

‘‘ତୁମେ ଯଉଁ କୋବି ଆଣିଥିଲ । ସେଥିରେ ସିଙ୍ଗଡ଼ା କରିଛି । କାହିଁ, ଶଙ୍କର କୁଆଡ଼େ ଗଲା ?’’

 

‘‘ଉଁ’’ ଚମକି ଉଠିଲେ ଅଧ୍ୟାପକ ଗନ୍ତାୟତ । କିଛି ଉତ୍ତର ନ ଦେଇ ସେଇ ଘରୁଆ ପୋଷାକରେ, ବାଡ଼ିଟା ଥାକରୁ ଟାଣି ଆଣି ଚାଲିଲେ ଅଧ୍ୟକ୍ଷଙ୍କୁ ଘରକୁ, ତଟକା ଭଜା ସିଙ୍ଗଡ଼ା ପଡ଼ି ରହିଲା ।

 

–ଦୁଇ–

 

କୁଲି ହାତରେ ତାର ବିଛଣା ବାକ୍‌ସ ଦେଇ ପାର୍ସଲ ଅଫିସକୁ ଗଲା ମାଲ ଛାଡ଼ କରିବାକୁ । ପେନ ଏମେରିକାନ କମ୍ପାନୀର ଛାପିଦେଖି ପାର୍ସଲବାବୁ ଆଗ ତା ଜିନିଷଟା ଦେଇଦେଲା । ଜିନିଷପତ୍ର ନେଇ ଆଗେଇ ଚାଲିଲା ଶଙ୍କର ବାସ ଆଡ଼୍‌ଡ଼ା ଆଡ଼କୁ । ଠିକ୍‌ ସେମିତି ଅଛି ଜାଗାଟା– ଟିକିଏ ପରିଷ୍କାର ପରିଚ୍ଛନ୍ନ ହୋଇଛି; କିନ୍ତୁ ଗାଡ଼ିଗୁଡ଼ା ସେଇ ପୁରୁଣା ଛୋଟ ଛୋଟ ପେଟ୍ରୋଲ ବାସ । ସେମିତି ଭିଡ଼ ଯାତ୍ରୀଙ୍କର । ବଢ଼ିଛି ବରଂ ଭିଡ଼ଟା । ଲୋକଗୁଡ଼ା କିନ୍ତୁ ବେଶ୍‌ ଭଦ୍ର ହୋଇଛନ୍ତି, ଲୁଗାପଟା ଦିଗରୁ ଅନ୍ତତ । ଅନେକେ ତାରି ପରି ପଶ୍ଚିମା ପୋଷାକ ପିନ୍ଧଛନ୍ତି । ଅନେକଙ୍କ ମୁହଁରେ ସିଗ୍ରେଟ । ଖୁସିହେଲା ଶଙ୍କର ।

 

ତାର ଚେହେରା ଏବଂ ବାକ୍‌ସ ଉପରେ ନାନାରଙ୍ଗର ଲେବେଲ ଦେଖି ବାସବାଲା ଟିକଟ ଗୋଟାଏ ଦେଲା ଆଗ ସିଟର । ବାସ ଛାଡ଼ିବାକୁ ଡେରି ଅଛି । କୁଲିକୁ ପଇସା ଦେଇ ଆଗେଇ ଗଲା ଶଙ୍କର । ଦଶବର୍ଷ ପରେ ସେ ଆଜି ପାଦ ଦେଲା କଟକରେ । କେତେ ପାଣି ବୋହି ଗଲାଣି ମହାନଦୀରେ । କେତେ ବଦଳି ଯାଇଥିବ କଟକ । ଫେରିବାଲାଠୁଁ ଓଡ଼ିଆ କାଗଜ କିଣିଲା । ସବୁ କାଗଜରୁ ଖଣ୍ଡେ ଖଣ୍ଡେ । ପଢ଼ିଲା ଶିରୋନାମାଗୁଡ଼ା । ହାତରେ ଓଜନ କରି ଅନୁମାନ କଲା । ରୂପରେ ନ ହେଉ ଓଜନରେ ବଢ଼ିଛି । ଛବିଗୁଡ଼ା କଳାହୋଇ ଯାଇନି, ବୁଝା ପଡ଼ୁଛି । ଫେରିଗଲା ବାସକୁ । ସମୟ ତ ହେଲା ଆସି ।

 

ବାସ ଚାଲିଲା । ଆଗ ସିଟରେ ସେ ଓ ଆଉ ଜଣେ ଭଦ୍ରଲୋକ । ସରକାରୀ କର୍ମଚାରୀ– ଗସ୍ତରେ ବାହାରିଛନ୍ତି । ଅନବରତ ସିଗ୍ରେଟ ଟାଣୁଛନ୍ତି ଏବଂ ପାନ ଚୋବଉଛନ୍ତି । ଗାଡ଼ି ଆଗେଇ ଚାଲିଛି ମନ୍ଥର ଗତିରେ । ସହରତଳି ଛାଡ଼ି ମଫସଲ ରାସ୍ତା ଧଇଲା । ଦୁଇ ପାଖରେ ଧାନବିଲରେ ପରିପକ୍ୱ ଶସ୍ୟ । କେତେ ଜାଗାରେ ଧାନକଟା ସରିଲାଣି ।

 

‘‘ଏ ବର୍ଷ ଧାନଟା ବେଶ ଭଲ ହୋଇଛି ।’’ ସରକାରୀ କର୍ମଚାରୀ କଥାବାର୍ତ୍ତାର ସୁତ୍ରପାତ କଲେ ।

 

ଶଙ୍କର ବାହାରକୁ ଅନେଇ ଅନ୍ୟମନସ୍କ ହୋଇ ବସିଥିଲା । କଥା ଶୁଣି ଘୂରି ବସିଲା ।

 

‘‘ମୋତେ କିଛି କହିଲେ ?

 

‘‘ହଁ କହୁଥିଲ, ଏଥର ଶସ୍ୟ ସମ୍ଭାବନା ଭଲ ।’’

 

‘‘ଏଁ ହଁ– ।’’

 

‘‘ଆପଣ କେତେଦୂର ଯିବେ ?’’ ପଚାରିଲେ କର୍ମଚାରୀ ।

 

‘‘ମୁଁ ଯିବି ରାଣୀଶାସନ ।’’

 

‘‘ଆପଣଙ୍କ ଘର ସେଇ ଗାଁରେ ?’’

 

‘‘ଏଁ, ହଁ ।’’

 

‘‘ରାଣୀଶାସନ ମୁଁ ଦେଖିଛି ବାହାରୁ । ଭିତରକୁ ଅବଶ୍ୟ କେବେ ଯାଇନି । ଶୁଣିଛି ବଡ଼ ବ୍ରାହ୍ମଣ ପଲ୍ଲି । ପୁରୁଣା ବସ୍ତି ।’’

 

ଶଙ୍କର ଚୁପ୍‍ କରି ଶୁଣିଗଲା ।

 

ବାଟରେ ଗୋଟାଏ ଜାଗାରେ ରହିଲା ଗାଡ଼ି । ଚାରିଆଡ଼େ ଅନେକ ଗୁଡ଼ାଏ ଦୋକାନ । ବଜାର ବସିଛି ପନିପରିବାର । ମନେ ପଡ଼ିଲା ଶଙ୍କରର । ଏଇ ଜାଗାଟା ନାଁ କନ୍ଦରପୁର । ଦଶବର୍ଷ ଆଗେ ଏ ଜାଗାଟା ଛୋଟ ଥିଲା । ଏତେ ଘରଦ୍ୱାରା ଦୋକାନପତ୍ର ନଥିଲା । ଛକ ଜାଗା, ଦିପଟେ ଦିଟା ସଡ଼କ । ଗୋଟାଏ ତାଙ୍କ ଗାଁ ଆଡ଼କୁ ଯାଇଛି, ଅନ୍ୟଟା ଯାଇଛି ପୁର୍ବଦିଗକୁ । ଗାଡ଼ିରୁ ସବୁଯାତ୍ରୀ ଓହ୍ଲେଇ ଗଲେ । ସେଇ ସରକାରୀ କର୍ମଚାରୀ ମଧ୍ୟ ଓହ୍ଲେଇବାକୁ ଲୋଡ଼ିଲେ । ବାଧ୍ୟ ହୋଇ ଶଙ୍କରକୁ ଓହ୍ଳେଇବାକୁ ପଡ଼ିଲା, ତାଙ୍କୁ ବାଟଦେବା ପାଇଁ । କର୍ମଚାରୀ ଭଦ୍ରଲୋକ ଏଥର ଭଲକରି ଶଙ୍କରକୁ ଦେଖିଲେ । ଦାମିକା ଗରମ ସୁଟ ପିନ୍ଧିଛି ସେ । କୋଟ ତଳେ ଅତି ସୁନ୍ଦର ସୁଏଟର ଗୋଟାଏ । ମୁଣ୍ଡରେ ଟୋପି । ଓଭାରକୋଟଟା ପଡ଼ିଛି କାନ୍ଧରେ । କର୍ମଚାରୀ ଭଦ୍ରଲୋକ କ’ଣ ଭାବିଲେ କେଜାଣି, ଡାକିଲେ,

 

‘‘ଆସନ୍ତୁ, ଚା ଖିଆଯାଉ, ।’’ କଥାଟା ଇଂରେଜୀରେ ।

 

ଟିକିଏ ଇତସ୍ତତ କଲା ଶଙ୍କର, ‘‘ଆଚ୍ଛା,ଚାଲନ୍ତୁ ।’’

 

ଗୋଟାଏ ଜଳଖିଆ ଦୋକାନ ଆଗକୁ ଆସି ବରାତ କଲେ କର୍ମଚାରୀ,

 

‘‘ଦିଟା ସ୍ପେଶାଲ ଚା ଦବ ।’’

 

ଶଙ୍କର ଆଡ଼କୁ ବୁଲି ପଚାରିଲେ, ‘‘ଆଉ କିଛି ଖାଇବେ ?’’

 

‘‘ନା, ନା, ଆଉ କିଛି ନା । ଧନ୍ୟବାଦ ।’’ ଶଙ୍କର କହିଲା ।

 

ଦୋକାନୀ ଏ ଦିଜଣକୁ ଦେଖି ଖୁବ୍‌ କୃତାର୍ଥ ହେଲାଭଳି ନିଜର ବସିଥିବା ଟିଣ ଚୌକିଟା ବଢ଼େଇ ଦେଲା । ତାକୁ ମନା କରି ମୁହଁ ବୁଲେଇଲା ଶଙ୍କର ରାସ୍ତା ଆଡ଼କୁ । ଦେଖିଲା ଜଣେ ବୁଢ଼ା ପତ୍ର ଠୁଙ୍ଗାରେ ଜଳଖିଆ ଖାଉଛି ଓ ତା’ ଆଡ଼କୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଛି । ଅବସ୍ଥାଟା ଅସ୍ୱସ୍ତିକର । ଶଙ୍କର ପୁଣି ମୁହଁ ଏ ପଟକୁ ବୁଲେଇଲା ବେଳକୁ ଧୂମାଇତ ଏକ ଚା ଗ୍ଳାସ ତା ଆଡ଼କୁ ବଢ଼େଇ ଦେଲେ ତାର ସଙ୍ଗୀ । ତାପରେ ସିଗ୍ରେଟ ପେକେଟ ମଧ୍ୟ ବଢ଼େଇ ଦେଲେ । ଶଙ୍କର ନିଜ ପକେଟରୁ କାଢ଼ିଲା ତାର ସିଗ୍ରେଟ । ଗୋଟିଏ ଚକଚକିଆ ଧାତବ ପେଡ଼ି । ଖୋଲା ହେବାରୁ ଦେଖାଗଲା ଗୋଟାଏ ପାଖରେ ଅନେକଗୁଡ଼ିଏ ସିଗ୍ରେଟ ସଜା ହୋଇଛି । ସରକାରୀ କର୍ମଚାରୀଙ୍କ କୁଣ୍ଠା ଦେଖି ଶଙ୍କର କହିଲା– ‘‘ନିଅନ୍ତୁ’’ । ତାପରେ ନିଜେ ଗୋଟାଏ ଟେକିନେଇ ମୁହଁରେ ଲଗେଇଲା । ବାହାରକଲା ଲାଇଟାର । ଦି ଜଣ ସିଗ୍ରେଟ ଲଗେଇ ଧୀରେ ଧୀରେ ଚା ଶୋଷଣ କଲେ । ଶଙ୍କର ଘୂରି ପଡ଼ିବାରୁ ଦେଖିଲା ସେହି ଲୋକଟା । ଏଥର ପାଖରେ ଆସି ଠିଆ ହୋଇ ତାକୁ ଆହୁରି ନିରୀକ୍ଷଣ କରୁଛି । ଅତି ସାଧାରଣ ଲୋକ । ଧୋତି ଉପରେ ସାଗୁଆ ରଙ୍ଗର ଚାଦରଟିଏ ଘୋଡ଼ି ହୋଇଅଛି । କାନ ଦିଟାକୁ ଢାଙ୍କିବାକୁ ବାନ୍ଧିଛି ଗୋଟାଏ ଗାମୁଛା ମୁଣ୍ଡରେ । କର୍ମଚାରୀ ଭଦ୍ରଲୋକ ପଚାରିଲେ– ‘‘କଣ କିହୋ,କଣ ଦେଖୁଛ ?’’ ‘‘ନାଇଁ ଆଜ୍ଞା, ଏହି ସାହାବଙ୍କୁ ଦେଖୁଥିଲି ।’’ ଏତିକି କହି ଲୋକଟା ଗଲା ଗୋଟାଏ ପାନ ଦୋକାନ ଆଡ଼କୁ ।

 

ଚା ଖାଇ ସାରିଲାବେଳକୁ ଦେଖାଗଲା, ସେମାନଙ୍କ ବାସର ଡ୍ରାଇଭର ଯାଇ ଗାଡ଼ିରେ ବସିଲାଣି । ଯାତ୍ରୀ ବି ଉଠିଲେଣି ଗାଡ଼ିରେ । ଏମାନେ ମଧ୍ୟ ଯାଇ ଗାଡ଼ିରେ ବସିଲେ । କର୍ମଚାରୀ ଜଣକ ପଚାରିଲେ,– ‘‘ଆପଣ କଣ ବିଦେଶରୁ ଆସୁଛନ୍ତି ?’’

 

ଅଳ୍ପ ଟିକିଏ ହସି ଶଙ୍କର ସମ୍ମତି ଜଣେଇଲା ।

 

ପୁଣି ବାସ ଚାଲିଲା । କୌତୁହଳୀ ସରକାରୀ କର୍ମଚାରୀ ମୁହେଁ ଧଆଁକାଢ଼ି ପୁଣି ପଚାରିଲେ,– ‘‘ଆପଣ ଯେ ରାଣୀଶାସନ ଯାଉଛନ୍ତି, ଏକଥା ଆଗରୁ କଣ ଜଣେଇ ନାହାନ୍ତି ?’’

 

‘‘ନାଁ’’

 

ବାସ ଚାଲିଥାଏ ଧୂଳି ଉଡ଼େଇ । କେନାଲ କୂଳେ କୂଳେ ସଡ଼କ । ଘାଟରେ ଲୋକେ ଗାଧୋଉଛନ୍ତି । ବାଟରେ ଚାଲିଛନ୍ତି ଲୋକେ ପାଦରେ, ସାଇକେଲରେ । ଦିଟା ମୋଟର ଟ୍ରକ ଏମାନଙ୍କୁ ପାରେଇ ଚାଲିଗଲା, ପଛରେ ବୋଝେଇ ହୋଇଛି ଝୋଟ । ଗୋଟାଏ ବଳଦଗାଡ଼ି ହଠାତ୍‌ ଚମକି ଚହଲିଗଲା କେନାଲ ବନ୍ଧ ଉପରକୁ । ବାସଯାକ ଯାତ୍ରୀ ହାଁ ହାଁ କରି ଉଠିଲେ ।

 

ବଦଳଗାଡ଼ିଟା ଆସ୍ତେ ଆସ୍ତେ ଓହ୍ଳେଇ ଆସିଲା ସଡ଼କକୁ ।

 

‘‘ଆପଣଙ୍କ ଘର ରାଣୀଶାସନ କହିଲେ ନା ?’’ କର୍ମଚାରୀ ପ୍ରଶ୍ନ କଲେ ।

 

‘‘ହଁ’’

 

‘‘କାହାଘର କୁହନ୍ତୁନା ?’’

 

‘‘ବାମଦେବ ଶତପଥୀ ।’’

 

‘‘ଓ,ହେଡ଼ମାଷ୍ଟର ଥିଲେ ସେ ? ସେ ଆପଣଙ୍କର କଣ ହୁଅନ୍ତି ?’’

 

‘‘ବାପା ।’’

 

ପଛରୁ ହଠାତ୍‌ ଗୋଟାଏ ଯାତ୍ରୀ ହାଉ ହାଉ କରି ଉଠିଲା– ‘‘ଏ ଡ୍ରାଇଭର ବାବୁ, ଗାଡ଼ି ବନ୍ଦକର, ବନ୍ଦକର ।’’ ସମସ୍ତେ ଉଦ୍‌ଗ୍ରୀବ ହୋଇ ଅନେଇଲେ ତା ଆଡ଼କୁ । ଠିକ ଶଙ୍କରର ପଛଆଡ଼ ସିଟରେ ବସିଛି ସେ ବୃଦ୍ଧ ଏବଂ ଚିତ୍‌କାର କରୁଛି, ‘‘ବନ୍ଦକର, ବନ୍ଦକର ।’’ ଡ୍ରାଇଭର ବିରକ୍ତ ହୋଇ ଗାଡ଼ି ବନ୍ଦ କଲା । ସେଇ ଲୋକଟି ଓହ୍ଲେଇ ଆସିଲା ଏବଂ ଶଙ୍କରର ବସିଥିବା ଜାଗାରେ ଦୁଆରଟା ଖୋଲି ପକେଇ ତାର ଆଣ୍ଠୁ ଦିଟା ଦି ହାତରେ ଭିଡ଼ିଧରି କହିଲା, ‘‘ବୁଢ଼ାବାବୁ । ତୁମେ ଠିକ୍‍ ବୁଢ଼ାବାବୁ । ମୁ ଜାଣିଥିଲି । କଟକରୁ ତୁମକୁ ନିଘା କରିଛି । ଦଶବର୍ଷ ପରେ ଫେରିଲ । ମତେ ଚିହ୍ନି ପାରୁନ ? ମୁ ସିଂଗ ।’’

 

ଗାଡ଼ିଯାକ ଲୋକ ତଟସ୍ଥ । କଥା କଣ ? କିଏ ଏ ? ଦଶବର୍ଷ ପରେ ଗାଁକୁ ଫେରୁଛନ୍ତି-। ଏ ଲୋକ ପୁଣି କିଏ ? ସମସ୍ତେ ଅନେଇଛନ୍ତି ଏମାନଙ୍କୁ । ଶଙ୍କର ଗାଡ଼ିରୁ ଓହ୍ଲେଇବାକୁ ଖୋଜିଲାରୁ ସିଂଗ ତାକୁ ଟେକିନେଇ ତଳେ ଠିଆ କରିଦେଲା । ଶଙ୍କର ବୁଝିଲା, ଏଇ ସେଇ ସିଂଗ, ଗାଁରେ ବାପାଙ୍କର ସବୁଠୁ ବିଶ୍ୱସ୍ତ ଚାକର ଥିଲା । କି ଅସମ୍ଭବ ଶକ୍ତି ଥିଲା ତାର ଯୌବନରେ-। ବିବ୍ରତ ହୋଇ ସିଂଗକୁ କହିଲା– ‘‘ଏ କଣ କରୁଛ ସିଂଗ, ବାଟରେ । ଗାଁକୁ ଚାଲ । ଯାଅ ବସ ଯାଇ ଗାଡ଼ିରେ । ମୁ ତ ଯାଉଛି ।’’ ସିଂଗ ଏଥର ଏକାବେଳକେ ଶାନ୍ତ । ହସ ହସ ମୁହଁରେ ଯାଇ ବସିଲା ନିଜ ଜାଗାରେ । ଶଙ୍କର ଆସି ବସିଲାରୁ ପୁଣି ଗାଡ଼ି ଚାଲିଲା ।

 

‘‘ଆପଣ ଦଶବର୍ଷ ବିଦେଶରେ ଥିଲେ ?’’ ପ୍ରଶ୍ନକଲେ ସରକାରୀ କର୍ମଚାରୀ ।

 

ମୁଣ୍ଡହଲେଇ ସମ୍ମତି ଜଣେଇଲା ଶଙ୍କର ।

 

‘‘କଉଠି ଥିଲେ, ଷ୍ଟେଟସରେ ?’’

 

ଏଥର ହସିଲା ଶଙ୍କର । ଷ୍ଟେଟସ । ଆମେରିକାକୁ ଆଜିକାଲି ଲୋକେ ଷ୍ଟେଟସ କହୁଛନ୍ତି ।

 

‘‘କଣ କରୁଥିଲେ ସେଠି । ଚାକିରି ?’’

 

‘‘ହଁ ।’’ ମୁହଁ ବୁଲେଇ ବାହାରକୁ ଚାହିଁଲା ଶଙ୍କର । ମୋଟରର ଘର୍ଘର ସତ୍ତ୍ୱେ ସେ ଶୁଣୁଥାଏ ପଛ ସିଟରେ ସିଂଗ ତାର ଘରଛାଡ଼ି ପଳାୟନ ଓ ଦଶବର୍ଷର ଅରୂପସ୍ଥିତି ନେଇ ସାଙ୍ଗ ଯାତ୍ରୀଙ୍କ କୌତୂହଳ ନିବୃତ୍ତ କରୁଛି ।

 

ଗାଡ଼ି ରାଣୀଶାସନ ପହଞ୍ଚିଲା । ଆଗ ଓହ୍ଲେଇଲା ସିଂଗ । ତା ଗୋଡ଼ ତଳେ ଲାଗୁ ନଥାଏ । ଶଙ୍କର ଓହ୍ଲେଇଲାରୁ ତା କାନ୍ଧରୁ ଓଭାରକୋଟଟା ନେଇ ନିଜ କାନ୍ଧରେ ପକେଇଲା ।

 

‘‘କଣ ମାଲ ଅଛି ?’’

 

ଶଙ୍କର ଅନେଇଲା ଉପରକୁ । ସାହାଯ୍ୟକାରୀ କର୍ମଚାରୀ ସେତେବେଳକୁ ଚଢ଼ି ସାରିଲାଣି ଗାଡ଼ି ଉପରକୁ । ସେ ବି ଶୁଣିଛି ଶଙ୍କରର ଗଳ୍ପ । ଏଇ ମାଲ ଗାଡ଼ି ଉପରେ ରଖିଲାବେଳୁ ସେ ବୁଝିଛି, ଏ ଜଣେ ବିଶିଷ୍ଟ ବ୍ୟକ୍ତି । ବଢ଼େଇ ଦେଲା ସେ ସିଂଗକୁ ଦିଟା ବଡ଼ ବଡ଼ ସୁଟକେଶ, ଗୋଟାଏ ବିଛଣା । ଗୋଟାଏ ଲମ୍ବା ଆଲୁମିନିୟମର ବାକ୍‌ସ ।

 

‘‘ବାକ୍‌ସଟା ଭାରି’’ କହିଲା ସେ ଉପରୁ,‘‘ସାବଧାନ, ବହୁତ ଓଜନ ।’’ ସିଂଗ ସମ୍ଭାଳି ପାରିବ ନ ପାରିବ, ଶଙ୍କର ଆଗେଇ ଆସିଲା ତାକୁ ସାହାଯ୍ୟ କରିବ ବୋଲି । ସିଂଗ ସେତେବେଳକୁ ଧରି ସାରିଲାଣି ଗୋଟାଏ ପାଖ ଓ ଅନୁମାନ କଲାଣି ଓଜନଟା । ଶଙ୍କରକୁ ଠେଲିଦେଲା ସେ ।

 

‘‘ମୁ ବୁଢ଼ାହୋଇ ଗଲିଣି ବୁଢ଼ାବାବୁ । ହେଲେ ଓହ୍ଲେଇ ପାରିବି ।’’ ଶଙ୍କର ହସି ଘୁଞ୍ଚିଗଲା-। ଧୀରେ ଧୀରେ ସମସ୍ତ ଶକ୍ତି ଖରଚ କରି ସିଂଗ ବାକ୍‌ସକୁ ତଳକୁ ଆଣିଲା । ତା ମୁହଁରେ ବିନ୍ଦୁ ବିନ୍ଦୁ ଝାଳ, ସେଇ ଡିସେମ୍ବରର ଶୀତରେ ।

 

‘‘କଣ ଅଛି ଏଥିରେ ବୁଢ଼ାବାବୁ ?’’

 

‘‘ସୁନା ।’’ ହସି ଉତ୍ତର ଦେଲା ଶଙ୍କର ।

 

‘‘ସତରେ ଭାରି ଓଜନ ବାଙ୍କୁସଟା ।’’

 

‘‘କଣ ଅଛି ଭିତରେ ।’’ ପଚାରିଲେ କର୍ମଚାରୀ । ସେ ବି ଓହ୍ଲେଇ ଆସିଛନ୍ତି ତଳକୁ ତା ପଛେ ପଛେ ।

 

‘‘ବହି ।’’ ପକେଟରୁ ଟଙ୍କା କାଢ଼ିଦେଲା । ସେଇ ବାସର କର୍ମଚାରୀଟିକୁ, ଯେ ତାର ମାଲ ଓହ୍ଲେଇ ଦେଲା । ସେ ନମସ୍କାର କଲା ।

 

‘‘ମୋ ନା ବ୍ରଜସୁନ୍ଦର ନାୟକ । ମୁ କୃଷି ବିଭାଗରେ କାମ କରେ । ଆଗରେ ତିନିମାଇଲ ଗଲେ ଗୋଟାଏ ବଙ୍ଗଳା ଅଛି । ସେଠି ରହିବି ଦୁଇ ତିନିଦିନ ।’’

 

‘‘ସମୟ କରି ଆସିବେ ।’’ ନିମନ୍ତ୍ରଣ ଜଣେଇଲା ଶଙ୍କର ।

 

ବାସ ଚାଲିବାର ଉପକ୍ରମ କଲା । ଜିନିଷପୁଡ଼ା ଦେଖିନେଲା ଶଙ୍କର । ସବୁ ଠିକ ଅଛି । ବାସ ଆଡ଼କୁ ଅନେଇଲା ସେ । ସବୁ ଯାତ୍ରୀଙ୍କ ପ୍ରଶଂସାମାନ ଦୃଷ୍ଟି ତା ଉପରେ । ନମସ୍କାର ଜଣେଇଲେ ବ୍ରଜସୁନ୍ଦର । ବାସ ଚାଲିଗଲା ।

 

–ତିନି–

 

ଗାଁ ଭିତରକୁ ଚାଲିଲା ଶଙ୍କର ଏକ ପଟୁଆରରେ । ଆଗରେ ସିଂଗ ଗୋଟାଏ ହାତରେ ଧରିଛି ଶଙ୍କରର ଭେଲିସେ, ଅନ୍ୟ ହାତରେ ତାର ନିଜର ଗୋଟାଏ କଳାମୁଣି । କାନ୍ଧରେ ପଡ଼ିଛି ଶଙ୍କରର ଓଭାରକୋଟ । ତା ପଛରେ ଚାରିଜଣ ବୋହିଛନ୍ତି ଶଙ୍କରର ଜିନିଷ । ସମସ୍ତଙ୍କ ପଛରେ ଶଙ୍କର । ପାଖ ବିଲରୁ ଧାନ କଟୁଥିବା ସ୍ତ୍ରୀ ପୁରୁଷ କାମ ବନ୍ଦକରି ଅନେଇ ରହିଲେ ଏହି ପଟୁଆର ଆଡ଼କୁ । ଗାଁମୁଣ୍ଡ ପୁଖୁରିରେ ଗାଧୋଉଥିଲେ ସ୍ତ୍ରୀ-ପୁରୁଷ-ପିଲା । ସେମାନଙ୍କ ଗାଧୁଆ ବନ୍ଦ ହୋଇଗଲା । ସ୍ତ୍ରୀ ଲୋକମାନେ ଲୁଗା ସଜାଡ଼ି ନେଲେ । ଦୁଇଜଣ ଗ୍ରାମବାସୀ ସିଂଗକୁ ଆଗରେ ଯାଉଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ସିଂହବିକ୍ରମରେ ଆଗେଇ ଚାଲିଛି । କିଏ ଜଣେ ସିଂଗକୁ କଣ ପଚାରିଲା । ସିଂଗ ଜବାବ ଦବାର ଆବଶ୍ୟକତା ଅନୁଭବ କଲାନାହିଁ ।

 

ଶଙ୍କରର ପଟୁଆର ଏଥର ଗାଁ ଦାଣ୍ଡରେ । ଅନେଇ ଦେଖିଲା ଶଙ୍କର । ଘରଗୁଢ଼ା ବେଶ୍‌ ଭଲ ଦିଶୁଛି । ଗୋଟେ ଦିଟା ପକ୍‌କା ହୋଇଛି । କାହାର ଟିଣ ଛପର । ତାଙ୍କ ଘର ପକ୍‌କା ହୋଇଛି । ବେଦୀଟା ଠିକ୍‌ ସେଇଠି ଅଛି । ତାର ଛପର କିନ୍ତୁ ଟିଣର । ଦାଣ୍ଡ ପିଣ୍ଡାଟା ଖୁବ ଓସାରିଆ । ବେଞ୍ଚ ପଡ଼ିଛି ଗୋଟାଏ, ଗୋଟାଏ କେନଭାସର ଚୌକି । କାଠଖଟ ବି ଗୋଟାଏ ।

 

ଦାଣ୍ଡ ଦୁଆରେ ପହଞ୍ଚି ଚିତ୍‌କାର କରି ଉଠିଲା ସିଂଗ– ‘‘ବାବୁ, ମା’ ଜଲଦି ଆସ । କିଏ ଆସିଛନ୍ତି ଦେଖ ?’’

 

ସେ ଚିତ୍‌କାର ଏତେ ଜୋରରେ କଲା ଯେ ପଡ଼ିଶାଘରୁ ଲୋକ ବାହାରି ଆସିଲେ । ତାଙ୍କ ଘରୁ ଗୋଟିଏ ପିଲା ବାହାରିଲା ଚାରି ପାଞ୍ଚ ବର୍ଷର । ସୁନ୍ଦର ପିଲାଟା । ଗୋଟାଏ ନୀଳ ପେଣ୍ଟ ଓ ଧଳା ସାର୍ଟ ପିନ୍ଧିଛି । ତା ଉପରେ ସୁଏଟର । ତାକୁ ଦେଖି ସିଂଗ ପୁଣି ପାଟିକଲା– ‘‘ଆରେ ଅଜା ଆଈଙ୍କୁ ଡାକ ।

 

‘‘ଅଜା ବିଲକୁ ଯାଇଛନ୍ତି । ଆଈ ରାନ୍ଧୁଛି ।’’ କହିଲା ପିଲାଟା । ତାପରେ ଦିଶିଲା ଏକ ନାରୀର ଛାୟାମୂର୍ତ୍ତି । ମୁଣ୍ଡରେ ଓଢ଼ଣା ଟାଣି କବାଟ କଣରେ ଆସି ଠିଆ ହେଲେ ।

 

‘‘ମା’’ ଗର୍ଜିଉଠିଲା ସିଂଗ । ପାଖରେ ଠିଆ ହୋଇଥିବା ଶଙ୍କରକୁ ଟାଣି ଆଣି ଆଗରେ ଠିଆକରି କହିଲା– ‘‘ଚିହ୍ନି ପାରୁଛ ?’’

 

ଚଟପଟ ମୁଣ୍ଡରୁ ଟୋପି ଓ ଗୋଡ଼ରୁ ଜୋତା ଖୋଲି ଆଗେଇଗଲା ଶଙ୍କର । ସାଷ୍ଟାଙ୍ଗ ପ୍ରଣିପାତ କଲା । ଠିଆହୋଇ କହିଲା– ‘‘ବୋଉ, ମୁଁ ବୁଢ଼ା ।’’

 

ଭଦ୍ରମହିଳା ବିଶ୍ୱାସ କଲେନାହିଁ । ଓଢ଼ଣା ଭିତରେ ଭଲକରି ଚାହିଁଲେ । ଏଇ ତାଙ୍କର ବୁଢ଼ା । ସତେଇଶ ବର୍ଷର ଦିବ୍ୟସୁନ୍ଦର ଯୁବକ । ସାହେବପରି ଚେହେରା, ବେଶ ପୋଷାକ । ମୁହଁରେ ଝକ ଝକ କରୁଛି ହସ, ଆଖିରୁ ଝରୁଛି ଦୁଇଧାର ଲୁହ । ‘‘ବୁଢ଼ା, ତୁ ବୁଢ଼ା । ବାପା ମୋର-।’’ ଆଗେଇ ଆସି କୁଣ୍ଡେଇ ପକେଇଲେ ପୁଅକୁ । ତାପରେ କି କାନ୍ଦ, କି କୋହ, କି ଅବଶୋଷ-। ଟାଣି ନେଇଗଲେ ଭିତରକୁ । ଅଗଣାରେ ଠିଆ କଲେ ଶଙ୍କରକୁ । ତା ଆଗରେ ଠିଆ ହୋଇ ଦେଖିଲେ ତାକୁ ଭଲକରି । ତା ମୁଣ୍ଡରେ, କପାଳରେ, ଗାଲରେ ହାତ ବୁଲେଇଲେ । ପୁଣି ଜାକି ଧରିଲେ ଛାତିରେ । ପୁଣି କାନ୍ଦଣା । ଅବିଶ୍ରାନ୍ତ ସେ ଅଶ୍ରୁ । ଅସଂଖ୍ୟ ଚୁମ୍ବନ ଆଙ୍କିଦେଲେ ପୁଅର ଗାଲରେ କପାଳରେ । ଘର ଭିତରକୁ ପଶିଯାଇ ଶଙ୍ଖ ଆଣି ଫୁଙ୍କିବାକୁ ଲାଗିଲେ । ଶଙ୍କରକୁ ଟାଣି ନେଇଗଲେ ଠାକୁରଘରକୁ । କହିଲେ– ‘‘ପ୍ରଣାମ କର ।’’ ସୁନା ପିଲାଟିପରି ଶଙ୍କର ଆଣ୍ଠୁମାଡ଼ି ବସି ପ୍ରଣାମ କଲା । ଉଠି ଠିଆହୋଇ ଦେଖିଲାବେଳକୁ ତାଙ୍କ ଘର ନାରୀ ଆଉ ଶିଶୁରେ ପରିପୂର୍ଣ୍ଣ-। ତା ବୋଉ ସିଂଗକୁ କହିଲେ– ‘‘ବାବୁ ବିଲକୁ ଯାଇଛନ୍ତି । ଶୀଘ୍ର ଖବର ଦିଅ ସିଂଗ ।’’ ସିଂଗ ଚାଲିଗଲା-। ଶଙ୍କର ତାର ମାଲବାହକମାନଙ୍କୁ ମଜୁରୀ ଦେଲା ।

 

ବୋଉ ଆସି ଟାଣିନେଇ ବସେଇଲେ ଗୋଟାଏ ଚୌକିରେ । ତାର କୋଟ ଖୋଲିଦେଲେ-ସୁଏଟାର ଖୋଲିବାକୁ ଯାଇ କହିଲେ– ‘‘ଏଥିରେ ବୋତାମ କାହିଁରେ ?’’

 

ଜିପ ଖୋଲି ଶଙ୍କର ସୁଏଟାର କାଢ଼ିଦେଲା । ଆଗେଇ ଆସିଲେ ନାରୀ ଓ ଶିଶୁର ଦଳ-। ସେଇ ପିଲାଟି, ଯାହାକୁ ସେ ପ୍ରଥମ ଦେଖିଥିଲା, ସେ ନିର୍ବାକ ହୋଇ ଚାହିଁଥାଏ ଶଙ୍କରକୁ-। ମୁଣ୍ଡର ବାଳଗୁଡ଼ା କହରିଆ, ଏଇ ଲୋକଟି କିଏ ଯାହାକୁ ଆଈ ଏତେ ଆଦର କରୁଛି । ଇୟେ କଣ ବଡ଼ମାମୁଁ ? ଯାହାଙ୍କ କଥା ଶୁଣିଛି ସେ ମା, ବାବା, ଅଜା, ଆଈ ସମସ୍ତଙ୍କ ପାଖରୁ । ଏଇ କଣ କାହାଣୀର ସେଇ ରଜାପୁଅ । ପକ୍ଷୀରାଜ ଘୋଡ଼ାରେ ଚଢ଼ି ଅଗନାଅଗନି ବନସ୍ତରେ ଯାଉଁ ଯାଉଁ ହଜି ଯାଇଥିଲେ ।

 

‘‘ଜେଠେଇଙ୍କୁ ନମସ୍କାର କର ବୁଢ଼ା । ଏ ଖୁଡ଼ି, ଏ ମାଉସୀ, ଏ ମାଇଁ ।’’ ସମସ୍ତଙ୍କୁ ନମସ୍କାର କଲା ଓ ସମସ୍ତେ ତାର ଚିବୁକ ଧରି ଆଶୀର୍ବାଦ କଲେ । ତଥାପି ରହିଗଲେ ଅନେକେ । କନ୍ୟା ଆଉ ବଧୂ । ସଲଜ୍ଜ ଓ ସପ୍ରଂଶସ ଦୃଷ୍ଟି ତାଙ୍କ ଆଖିରେ ସବୁ । ତାଙ୍କ ଆଖିରେ ବିସ୍ମୟ ଏବଂ କୌତୂହଳ । ଶଙ୍କରର ଯେମିତି ମନେ ହେଲା ଏଥି ଭିତରୁ ଗୋଟିଏ ଝିଅକୁ ସେ ଚିହ୍ନେ; କିନ୍ତୁ ୟେତ, କଣ ବିଧବା ? ଶାଢ଼ି ପିନ୍ଧିଛି କିନ୍ତୁ ଆଉ କିଛି ଆଭରଣ ନାହିଁ ।

 

ବାପା ଆସି ପହଞ୍ଚିଲେ । ନାରୀଦଳ ପଛେଇ ଗଲେ ବାପାଙ୍କୁ ଦେଖି । ସେଇ ସୌମ୍ୟଗମ୍ଭୀର ମୂର୍ତ୍ତି । ମୁଣ୍ଡର ବାଳ ପ୍ରାୟ ସବୁ ଧଳାହୋଇ ଯାଇଛି । ଦେହର ରଙ୍ଗ ଉଜ୍ଜଳ ତାମ୍ରବର୍ଣ୍ଣ । ଶଙ୍କର ଚୌକିରୁ ଉଠି ଆଗେଇ ଆସିଲା । ପ୍ରଣାମ କରିବାକୁ ନଇଁ ପଡ଼ୁଥିଲା । ଧରି ପକେଇଲେ ବାମଦେବ ଶତପଥୀ– ଦଶବର୍ଷ ହେଲା ନିରୁଦ୍ଦିଷ୍ଟ ପ୍ରଥମ ସନ୍ତାନକୁ । ଯାହାକୁ ମଣିଷପରି ମଣିଷ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ସତର-ବର୍ଷ ଧରି ।

 

‘‘ବୁଢ଼ା! ଶଙ୍କର !!’’ ଆନନ୍ଦର ଆତିଶଯ୍ୟରେ ଦୁଇ ଆଖିରୁ ବୋହିଲା ଅଶ୍ରୁ । ସାରା ଦେହରେ ତାଙ୍କର ଏକ ଅଭୂତପୂର୍ବ ଶିହରଣ । ଏ କଣ ସତ ?

 

‘‘ତୁ ଫେରି ଆସିଲୁ ବାପା ?’’ ଶଙ୍କରର ମୁହଁଟାକୁ ଦୁଇହାତରେ ଧରି ହସି ଉଠିଲେ ବାମଦେବ ।

 

‘‘ଦେଖୁଛ ବୁଢ଼ାବୋଉ ? ବୁଢ଼ା ଫେରି ଆସିଛି । ତୁମେ ବିଶ୍ୱାସ କରୁ ନଥିଲ । ନ ଆସି ଯିବ କୁଆଡ଼େ ?’’

 

ଏଥର ଶଙ୍କର ଆଉ ସମ୍ଭାଳି ପାରିଲାନି । ବାପାଙ୍କ କାନ୍ଧରେ ମୁଣ୍ଡରଖି କାନ୍ଦି ପକାଇଲା-

 

‘‘ମୋତେ କ୍ଷମା କରନ୍ତୁ ବାପା । ଯେ ଶାସ୍ତି ଦେବେ ଦିଅନ୍ତୁ ?’’

 

ଶାସ୍ତି ! ଅଶ୍ରୁସଜଳ କଂଠରେ କହିଲେ ବାପା । ‘‘ଆହୁରି ଶାସ୍ତି ?’’ କୋହ ସମ୍ଭାଳିନେଲେ ସଂଯମୀ ବାମଦେବ । ସ୍ୱାଭାବିକ ଗଳାରେ କହିଲେ– ‘‘ତୁମେ ସବୁ ଠିଆହୋଇ ରହିବ ନା, ପୁଅ ଏତେଦିନ ପରେ ଘରକୁ ଫେରିଲା– ତାର ଖିଆଦିଆ, ସୁବିଧା, ଅସୁବିଧା– ‘‘ମରିଯାଏଁ ମୁଁ । ମୁଁ ଯାଉଛି’’ କହି ବୋଉ ତାର ଆଖି ପୋଛି ପୋଛି ଚାଲିଲେ ହାଣ୍ଡିଶାଳ ଆଡ଼କୁ । ସେ ବାପାଙ୍କ ସାଙ୍ଗରେ ପଶିଲା ତାଙ୍କ ଶୋଇବା ଘରକୁ ।

 

–ଚାରି–

 

ଆସ୍ତେ ଆସ୍ତେ ନିଦ ଭାଙ୍ଗୁଛି ଶଙ୍କରର । ମନେହେଲା ବହୁଦୂରରୁ ବହୁକଣ୍ଠର ଗୁଞ୍ଜନ ଆସୁଛି । ଆଳସ୍ୟରେ କଡ଼ ଲେଉଟାଇଲା ସେ । ଆଖି ପତାଗୁଡ଼ା ନିଦରେ ଭାରି ହୋଇ ରହିଛି । ତକିଆ ଉପରେ କାନରଖି ଶୋଇ ରହିଲା ସେ । ଅର୍ଦ୍ଧଚେତନ ମନଟାକୁ ନେଇ ସେ ଖେଳିଲା । ଲସ୍‌ ଏଞ୍ଜେଲେସରୁ ହନଲୁଲୁ । ହନଲୁଲୁରୁ ଟୋକିଓ । ତାପରେ ହଂକଂ, ବେଂକକ, ରେଙ୍ଗୁନ, କଲିକତା । ଗୋଟା ପ୍ରଶାନ୍ତ ମହାସାଗରଟା ତା ଆଖି ଆଗରେ ଭାସି ଉଠିଲା ଉଦବେଳ ହୋଇ । ତାର ଇନ୍ଦ୍ରନୀଳ ଦେହରେ ଫୁଟି ଉଠୁଥାଏ ଅସଂଖ୍ୟ ତାରା, ସୂର୍ଯ୍ୟରଶ୍ମିରେ, ଚନ୍ଦ୍ରକିରଣରେ ମଧ୍ୟ ।

 

ହଠାତ୍‌ ସେ ବୁଝି ପାରିଲା ଯେ ଗାଁରେ ତାଙ୍କ ଘରେ ସେ ଶୋଇଛି । ଦଶବର୍ଷର ପ୍ରବାସୀ ପୁତ୍ର ଆଜି ପିତା ମାତା ବନ୍ଧୁ କୁଟୁମ୍ବ ସମସ୍ତଙ୍କ ଭିତରକୁ ଫେରି ଆସିଛି । ସେ ନିଜେ ଯେମିତି ଅନୁଭବ କଲା ସେ ଅନନ୍ୟ । ତାର ପୁନରାଗମନରେ ସମସ୍ତେ ଖୁସି । ସେମାନଙ୍କୁ ସେ ଆହୁରି ଆନନ୍ଦ ଦବ । ସେମାନଙ୍କ ମନରେ ସଞ୍ଚାର ବରିବ ନବଜୀବନର ଆଶା ।

 

ବିଛଣା ଛାଡ଼ି ଉଠି ବସିଲା ଶଙ୍କର । ଦେହରେ ତାର ଗେଞ୍ଜି ଓ ଧୋତି, ବାପାଙ୍କର । ତାର ବାପା, ଚିରକାଳ କଡ଼ାଲୋକ ବୋଲି ଯାହାଙ୍କର ଖ୍ୟାତି ଥିଲା, ଯାହାଙ୍କୁ ପିଲାବେଳେ ସେ ଭୀଷଣ ଡରୁଥିଲା, ସେ ଆଜି ତାର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନରେ ଶିଶୁପରି କାନ୍ଦିଲେ । ତାର ବୋଉ ଯେ କି ସବୁବେଳେ ବାପାଙ୍କ ଶାସନରୁ ତାକୁ ସ୍ନେହଦେଇ ଢାଙ୍କି ରଖିଥିଲେ, ସେ ବିହ୍ୱଳ ହୋଇଗଲେ । ଅଥଚ ଏକ ଗ୍ଲାନିକର ପରିସ୍ଥିତି ଭିତରେ, ଦଶବର୍ଷ ଆଗେ, ସେ ଯେତେବେଳେ କଟକ ଛାଡ଼ିଥିଲା– ଗୋଟାଏ ଆତଙ୍କ ତାକୁ ପ୍ରାୟ ଦୁଇବର୍ଷ ଅତିଷ୍ଠ କରିଛି, ବାପା ବୋଉ କଣ ଭାବିଥିବେ ? ତକିଆଟାକୁ ସଜାଡ଼ିବାକୁ ଯାଇ ତାର ହାତ ବାଜିଲା ସିଗ୍ରେଟ– କେସରେ । ପାଖରେ ଲାଇଟରଟି ମଧ୍ୟ ଥୁଆ ହୋଇଛି । କିଏ ରଖିଲା ? ବୋଉ । ସିଗ୍ରେଟ କାଢ଼ି ଲଗେଇଲା ଓ ଧୀରେ ଧୀରେ ଟାଣିବାକୁ ଲାଗିଲା । ପରିବର୍ତ୍ତିତ ପରିବେଶକୁ ଖାପ ଖୁଆଇବାକୁ ହେବ । ଦଶବର୍ଷର ଅଭ୍ୟାସ ଛାଡ଼ିବାକୁ ହେବ । ଆଜି ସେ ଭାତ ଖାଇ ପାରିଲାନି । ଅଥଚ ତା ବୋଉ କେତେ ଯତ୍ନରେ ତରକାରୀ ସବୁ ରାନ୍ଧିଥିଲେ । ବୋଉ ତାର ଯେମିତି, କଣ ସେ ଠାକୁରାଣୀଙ୍କ ନାଁ, ଅନ୍ନପୂର୍ଣ୍ଣା । ଘଣ୍ଟା ଦୁଇ ଭିତରେ ଏତେ ଆୟୋଜନ କେମିତି ଯେ ସମ୍ଭବ ହେଲା, ସେ ବୁଝିପାରିଲା ନାହିଁ । ଅଥଚ ସେ ଯାହା ଖାଇଲା, ସେଥିରେ ବୋଉ କ୍ଷୁଣ୍ଣ ହେଲେ । ବାପା କିନ୍ତୁ ବୁଝିଲେ । ‘‘ଏ ଖାଦ୍ୟ ସେ ଅନେକ ଦିନୁ ଖାଇନି ବୁଢ଼ାବୋଉ, ତାର ଅସୁବିଧା ହବତ ?’’ ବୋଉ ଦୁଃଖ କରି କହିଲେ– ‘‘ସେ କଣ ଯେ ଖାଉଥିଲା, ତାକୁ କଣ ମୁଁ ରାନ୍ଧି ପାରିବି ?’’

 

ଏଥର ହସି ଉଠିଲେ ବାପ ପୁଅ । ଶଙ୍କର କୁଣ୍ଠିତ କଣ୍ଠରେ କହିଲା– ‘‘ତୁ ବ୍ୟସ୍ତ ହ’ନି ବୋଉ । ଏ ଅମୃତ ମୋର ସ୍ୱପ୍ନ । କିନ୍ତୁ ଜିଭଟା ଏମିତି ଅମାନିଆ ହୋଇଛି ଯେ ତୋ ହାତରନ୍ଧା ଭାତ ତିଅଣ ଖାଇବାକୁ ତାକୁ ମଣ କରିବାକୁ ହେବ । ତୁ ଦେଖ, ମୁ ତାକୁ ଦିନେ ଦୁଇଦିନ ଭିତରେ ବାଟକୁ ନେଇ ଆସିବି ।’’

 

ଖୁସି ହୋଇ ବୋଉ ଆହୁରି ଦିଖଣ୍ଡ ମାଛଭଜା ତାକୁ ଜୋର କରି ଖୁଏଇଲେ ।

 

ଉଠି ଠିଆ ହେଲା ଶଙ୍କର । ଗୋଡ଼ତଳେ କଣ ଗୋଟାଏ ନରମ ଜିନିଷ । ଚାହିଁ ଦେଖିଲା– ଯୋଡ଼ାଏ ଫୋମ ରବରର ଚଟି । ବାଃ, ଏକୁ କିଏ ଆଣି ଏଠି ରଖିଲା । ବୁଝି ପାରିଲା ସେ । ବ୍ରାହ୍ମଣ ଘର । ଦେବତା ଅଛନ୍ତି ଘରେ । ଚମଡ଼ା ଜୋତା ଏଠି ଅଚଳ । ଜୋତାରେ ଅଭ୍ୟସ୍ତ ସେ ଚାଲିବ କେମିତି ? ସୁତରାଂ ଚଟିର ବ୍ୟବସ୍ଥା । କୃତଜ୍ଞତାରେ ସେ ଗଦଗଦ ହେଲା ।

 

ସେଇ ବଦ୍ଧ ଘରର ଆବଛା ଆଲୁଅରେ ସେ ଦେଖିଲା, ତାର ସମସ୍ତ ଜିନିଷପତ୍ର ଏଇଘରେ ସଜଡ଼ା ହୋଇ ରଖା ହୋଇଛି । ତାର କୋଟ, ଓଭାରକୋଟ ଟଙ୍ଗାହୋଇଛି ହେଙ୍ଗାରରେ । ପେଣ୍ଟଟି ପରିପାଟି କରି ଭାଙ୍ଗ ହୋଇ ଥୁଆ ହୋଇଛି । ସାର୍ଟଟା ଝୁଲୁଛି ମଶୁରି ବାଡ଼ାରୁ । ଜୋତା ଯୋଡ଼ାକ ରଖା ହୋଇଛି ଖଟତଳେ, ଗୋଡ଼ ଆଡ଼କୁ । ମୋଜା ଗୁଡ଼ା ତା ଭିତରେ । ସିଗ୍ରେଟ ଓ ଲାଇଟାରକୁ ତକିଆ ତଳେ ରଖିବାକୁ ଯାଇ, ହାତରେ କଣ ଗୋଟାଏ ବାଜିଲା । ତକିଆ ଉଠେଇ ଦେଖେ ତାର ଉଆଲେଟ । ଏଇ ପରିପାଟି ତାକୁ ବିସ୍ମିତ କଲା । କିନ୍ତୁ ଏକୁ ସବୁ କଲା କିଏ ? ବୋଉ ? ବିଶ୍ୱାସ କଲାନି ଶଙ୍କର । ତାହେଲେ ? କିଛି ବୁଝି ପାରିଲାନି ସେ । ଆଗେଇ ଗଲା କବାଟ ଖୋଲିବାକୁ । ଟାଣିଲା । ବାହାରପଟୁ ବନ୍ଦ । ହଠାତ୍‌ ଜଞ୍ଜିର ଖୋଲିଗଲା । ଠିଆ ହୋଇଛନ୍ତି ତା ବୋଉ । ଦେହରେ ଅତି ସୁନ୍ଦର ତନ୍ତବୁଣା ଶାଢ଼ି ଓ ବ୍ଲାଉସ । ମୁଣ୍ଡରେ ସିନ୍ଦୁର ଜଳଜଳ କରୁଛି । ଆଖିରେ ପୁତ୍ର ସ୍ନେହର ଲଳିତ ଛାୟା ।

 

‘‘ନିଦ ଭାଙ୍ଗିଲା ବାପା ?’’ ପଚାରିଲେ ବୋଉ । ‘‘କିଏ କାଳେ ଗୋଳମାଳ କରିବ ବୋଲି ବାହାରପଟୁ କିଳି ନେଇଥିଲି କବାଟ ।’’

 

ହଠାତ କିଏ ଗୋଟାଏ ଆସି ମୁଣ୍ଡିଆ ମାଇଲା । ଚାହିଁ ଦେଖିଲା ଶଙ୍କର, ବର୍ଷ ପନ୍ଦର ଷୋହଳର ପିଲାଟିଏ ।

 

‘‘ମତେ ଚିହ୍ନି ପାରୁନ ଭାଇନା, ମୁଁ ଶମ୍ଭୁ ।’’

 

ଛାତି ଉପରକୁ ଭିଡ଼ି ଆଣିଲା ଶଙ୍କର ତାକୁ । ‘‘ଶମ୍ଭୁ, ମାନେ ବଣି ? କିନ୍ତୁ ତୁ ଥିଲୁ କଉଠି-?’’

 

‘‘ସେ ମାମୁ ଘରକୁ ଯାଇଥିଲା । ଏଇ ଘଣ୍ଟାଏ ହବ ଆସିଛି । ତୋ ମାମୁ ବି ଆସିଛି, ଉମା ଆସିଛି, ଜୋଇଁ ଆସିଛନ୍ତି । ସେମାନେ ତୋ ବାପାଙ୍କ ପାଖରେ ବସିଛନ୍ତି । ଚାଲ ସେଠିକି ?’’

 

ଆଗେଇ ଚାଲିଲେ ସମସ୍ତେ ବାପାଙ୍କ ଶୋଇବାଘର ଆଡ଼କୁ । ଉମା ଆସି ପ୍ରଣାମ କଲା । ତାର ସ୍ୱାମୀ ଚନ୍ଦ୍ରଶେଖର ମୁଚକି ହସି ହାତ ବଢ଼େଇଲା । ଶଙ୍କର ଗୋଟାଏ ହାତରେ ଉମାକୁ ଓ ଅନ୍ୟ ହାତରେ ଚନ୍ଦ୍ରଶେଖରକୁ ଟାଣି ଆଣିଲା ନିଜ ପାଖକୁ । ପୁଣି ସେମାନେ ଆଗେଇ ଚାଲିଲେ । ସମସ୍ତଙ୍କ ମୁହଁରେ ହସ । ସମସ୍ତଙ୍କ ଆଖିରେ ଲୁହ । ଏ ଏକ ଅଭିନବ ଅଭିଜ୍ଞତା । ମାମୁଁ ତ ଜାକି ଧଇଲେ ତାକୁ ଛାତିରେ । ଏଇ ଗୋଟିଏ ମାମୁଁ ତାର । କଟକରେ ଡାକ୍ତରୀ ପାଶ କରି ଗାଁରେ ଜନସେବାରେ ଜୀବନ କାଟିଛନ୍ତି । ଅତି ଅମାୟିକ ଲୋକ । ଅତି ଉଦାର ତାଙ୍କ ମତବାଦ । ବାପାଙ୍କ ସାଙ୍ଗରେ ମାମୁଙ୍କର ଚରିତ୍ରଗତ ଅସାମଞ୍ଜସ୍ୟ ବିରାଟ– ଅଥଚ ଦୁହେଁ ଅଭିନ୍ନହୃଦୟ ବନ୍ଧୁ ।

 

ତାର ଶୋଇବା ଘର ସେ ପାଖକୁ ଗୋଟାଏ ମେଲା । ବେଶୀ ଲୋକବାକ ହେଲେ ଖିଆଦିଆ କରିବାକୁ ସେଟା ବ୍ୟବହାର କରାଯାଏ । ଶମ୍ଭୁ ଗୋଟାଏ ଛୋଟ ଟେବୁଲ ଓ କେତେ ଖଣ୍ଡ ଚୌକି ନେଇ ସେଠି ପକେଇଲା । ତା ପରେ ସମସ୍ତଙ୍କୁ ନେଇ ବସେଇଲା ସେଠି । ବୋଉ, ମାମୁ, ଭାଇନା, ଭିଣେଇ, ନାନୀ–

 

‘‘ବାପା କାହାନ୍ତି ?’’ ପଚାରିଲା ଶଙ୍କର ।

 

‘‘ଏଇତ ଉଠିଗଲେ କୁଆଡ଼େ ?’’ ବୋଉ କହିଲେ ।

 

‘‘ଟିକିଏ ସାଗୁଆତିର ବ୍ୟବସ୍ଥା କରିବାକୁ ।’’ ମାମୁ କହିଲେ ।

 

‘‘ସେଟା ପୁଣି କଣ ?’’ ଶଙ୍କରର ପ୍ରଶ୍ନ ।

 

‘‘ମାଂସ ।’’ ଉମା କହିଲା ମାମୁ ‘‘କୁର୍ମା ରାନ୍ଧିବେ । ବାପା ଗଲେ ଯୋଗାଡ଼ କରିବାକୁ ସିଂଗକୁ ନେଇ ।’’ ବୁଝେଇ ଦେଲା ଉମା ।

 

‘‘ଆଚ୍ଛା ଭାଇନା । ଓଡ଼ିଆ ମନେ ଅଛିନା ?’’ ପଚାରିଲା ଶମ୍ଭୁ ।

 

‘‘ତା ମାନେ– ତୁ ମୋତେ କଣ ଭାବିଛୁ କିରେ ବଣି ?’’ ଶଙ୍କର ହସି ଉଠି ତାକୁ ଟାଣି ଆଣିଲା ପାଖକୁ ।’’ଏଇ ବଣି ଚିଁ ଚିଁ କରୁଥିଲା । ଖାଇବ ଖାଇବ ବୋଲି ବୋଉକୁ ରଖି ଥୋଇ ଦଉ ନ ଥିଲା ।’’

 

‘‘କହନି ବାପା ସେ କଥା । କମ ଜଳେଇ ପୋଡ଼େଇ ମାରିଛ ସମସ୍ତେ ମିଶି ମତେ । ଅନନ୍ତ ଥିଲା ବୋଲି ବଞ୍ଚିଲା ।’’

 

‘‘ନେପ୍ରୀଇଟିସ । ବଡ଼ ପାଜିରୋଗ ।’’ ଟିପ୍‌ପଣି କାଟିଲେ ଅନନ୍ତ ଅର୍ଥାତ୍‌ ମାମୁ ।

 

‘‘ଉମା’’– ଚାପାକଣ୍ଠରେ କିଏ ଅନ୍ତରାଳରୁ ଡାକିଲା । ଉମା ‘‘ଯାଉଛି’’ କହି ଉଠିଗଲା । ବୋଉ ବି ଗଲେ ତା ପଛେ ପଛେ ।

 

‘‘ତାପରେ, କଣ ପଢ଼ୁଛୁରେ ବଣି ?’’ ପ୍ରଶ୍ନକଲା ଶଙ୍କର ।

 

‘‘ସାଏନ୍‌ସ’’ । ବଣିର ନିର୍ବିକାର ଉତ୍ତର ।

 

ହସିଉଠିଲେ ସମସ୍ତେ । ଶମ୍ଭୁ ଲଜ୍ଜିତ ହେଲା । ଭୁଲ କହିଦେଲା କି ? ଅନେଇଲା ଏମାନଙ୍କ ମୁହଁକୁ । ପୁଣି କହିଲା– ‘‘ଫିଜିକସ, କେମିଷ୍ଟ୍ରି, ଗଣିତ ।’’

 

‘‘ଆଚ୍ଛା ।’’ ଶଙ୍କର ମୁଣ୍ଡ ହଲେଇଲା ।

 

‘‘ତୁମେ କଣ ପଢ଼ିଲ ଭାଇନା ? କଉଠି ଥିଲ ଏତେଦିନ ?’’

 

‘‘ମୁ ବି ସାଏନସ ପଢ଼ିଛିରେ ବଣି ।’’ ହାସ୍ୟରୋଳ ଭିତରେ କହିଲା ଶଙ୍କର ।

 

ଗୋଟାଏ ଟ୍ରେରେ ଜଳଖିଆ ନେଇ ଆସିଲା ଉମା । ପଛରେ ତା ବୋଉ, ଗୋଟିଏ ଥାଳିରେ ବସେଇଛନ୍ତି କେତୋଟି ସ୍ୱଚ୍ଛ କାଚଗିଲାସରେ ପାଣି । ପ୍ରତ୍ୟେକଙ୍କ ପାଖରେ ଗୋଟିଏ ଲେଖା ପ୍ଲେଟ ରଖିଲା ଉମା । ଶମ୍ଭୁ ବୋଉ ହାତରୁ ଗିଲାସଗୁଡ଼ା ନେଇ ସଜେଇ ଦେଲା । ଅବସ୍ଥା ଦେଖି ଶଙ୍କର ଚମକିଲା,– ‘‘ଏ କଣ କରିଛୁ ବୋଉ ? ମୁ କଣ ରାକ୍ଷସ ?’’

 

‘‘ମୁ ସେକଥା ଜାଣେନି ବାପା । ତୋ ଭଉଣୀକୁ ପଚାର । ତୋ ବାପାଙ୍କ ତାର ପାଇ ଦିପହରବେଳେ ପହଞ୍ଚିଲା । ତାପରେ ତୋର ଖାଇବାର ଅସୁବିଧା ହେଉଛି ଶୁଣି ସେ ଏଇ ବ୍ୟବସ୍ଥା କରିଛି ।’’

‘‘ଆହୁରି ଅଛି ଭାଇନା । ଗାଁରେ ତ ଭଲ ମିଠା ମିଳିବନି । ମୁ ଆସିଲା ବେଳେ କିଛି ମିଠା ଆଣିଛି ସାଙ୍ଗରେ । ତୁମେ ଏକୁ ସବୁ ଖାଇସାର ଦେବି । ଉତ୍ସାହରେ କହିଲା ଉମା । ସେ କଦର ଜାଣେ । ତା ସ୍ୱାମୀ ଏନଜିନିୟର, ବିଲାତଫେରନ୍ତା ମଧ୍ୟ ।

ଜଳଖିଆ ଖାଉ ଖାଉ ଶଙ୍କର ପଚାରିଲା– ‘‘ଏକୁ ସବୁ କଲା କିଏ ? ତୁ ?’’ହଁ । ସେ ଆଉ ମାନି ।’’ ବୋଉ କହିଲେ । ‘‘ଦିପହରସାରା ଏଇୟା କରିଛନ୍ତି ।’’

‘‘ମାନି, ମାନେ ସଙ୍ଗାତ ମାଉସୀଙ୍କ ଝିଅ ?’’

‘‘ହଁ ।

‘‘ନୋଲକ ପିନ୍ଧୁଥିଲା ଯେ ?’’ ହସି ପଚାରିଲା ଶଙ୍କର ।

ପାଟିରେ ଆଙ୍ଗୁଳି ଦେଲା ଉମା । ‘‘ଏଇଠି ଅଛି ସେ ।’’

ସେଠୁ ଚାଲି ଆସିଲା ଉମା । ଆସି ଦେଖେ ହାଣ୍ଡିଶାଳ କବାଟକୁ ଧରି ଠିଆ ହୋଇଛି ମାନି । ତାର ଦୃଷ୍ଟି ଯେ ଉମା ଉପରେ ପଡ଼ିଲା ନାହିଁ ସେ ବୁଝିପାରିଲା । ହତଭାଗିନୀ ଏଇ ସାଙ୍ଗଟି ପାଇଁ ତାର ସହାନୁଭୂତିର ଅନ୍ତ ନାହିଁ । କିନ୍ତୁ ସେ କଣ କରିପାରେ ।

 

‘‘ମାନି ।’’ ଧୀରେ ହାତ ରଖିଲା ଉମା ତା କାନ୍ଧରେ । ଚମକି ଉଠି ଟିକିଏ ହସିଲା ମାନି-

 

‘‘ଆଉ କଣ ଲାଗିବ ?’’ ପ୍ରଶ୍ନ କଲା ମାନି ।

 

‘‘ନା ଆଉ କିଛି ନା । ତୁ ଚା ପାଣି ବସା ଚୁଲିରେ ।’’

 

ଡିନାର ପାଇଁ ବିରିଆନି ଆଉ ମାଂସର କୁର୍ମା– ମାମୁଁ ରାନ୍ଧିଛନ୍ତି । ପାୟସ କଲା ଉମା । ମହୋତ୍ସାହରେ ଖାଇସାରି ଘଡ଼ି ଦେଖିଲାବେଳକୁ ରାତି ଏଗାରଟା । ବାମଦେବ ଅସନ୍ତୁଷ୍ଟ ହେଲେ ।

 

‘‘ତୋ ମାମୁର କାରବାର । ଏଠିକା ଖାସି ହବନି, ସୁନ୍ଦରଗାଁକୁ ଚିଠିଗଲା ଛୋଟ ଖାସି ପାଇଁ । ସେଥିଲାଗି ଡେରି ହେଲା । ଏଥର ସମସ୍ତେ ଶୋଇପଡ଼, ରାତି ଦିପହର ହେଲାଣି ।’’

 

ମାମୁ ସେଇ ଅଧରାତିରେ ଫେରିଯିବେ ବୋଲି ବାହାରିଥିଲେ । ତାଙ୍କ ଗାଁ ମୋଟେ ତିନି ମାଇଲ । ସାଇକଲରେ ଚାଲିଯିବେ, ଶୁକ୍ଳପକ୍ଷ । ଶଙ୍କର ମନା କଲା । କଥାହେଲା କାଲି ସକାଳୁ ଚନ୍ଦ୍ରଶେଖର ଗାଡ଼ିରେ ନେଇ ତାଙ୍କୁ ଛାଡ଼ି ଦେଇ ଆସିବ । ବାଧ୍ୟ ହୋଇ ମାମୁଁ ରାଜିହେଲେ ।

 

ଶଙ୍କର ତା ଶୋଇବା ଘରକୁ ଆସି ସିଗ୍ରେଟ କାଢ଼ିଲା ବେଳକୁ, ତକିଆ ତଳୁ ବାହାରିଲା ସେଇ ଉଆଲେଟ । ଉଠେଇ ଆଣିଲା ସେଟା । ବୋଉକୁ ଦେଇ କହିଲା– ‘‘ଏଟା ତୁ ରଖ ବୋଉ-?’’

 

‘‘କଣ ବାପା ସେଟା ?’’ ହାତରେ ନେଇ ପଚାରିଲେ ମାତା ।

‘‘ଟଙ୍କା ମୁଣି ବୋଉ ।’’ ପାଖରେ ଠିଆ ହୋଇଥିଲା ଉମା, ସେଇ କହିଲା । ବୋଉ ତାକୁ ଆଲମାରି ଭିତରେ ରଖିଦେଲେ ।

ନିଜ ଘରକୁ ଫେରି ସିଗ୍ରେଟ ଲଗେଇ ଧୀରେ ଧୀରେ ଟାଣିବାକୁ ଲାଗିଲା ଶଙ୍କର । କିଛି ସମୟ ପରେ କବାଟ ଶବ୍ଦରେ ଦେଖିଲା, ଉମା ।

‘‘ତୁମେ ଶୋଇନ ଭାଇନା ?’’

‘‘ଏଁ, ହଁ, ଏଇଯେ ଭଉଣୀ, ଶୋଉଛି ।’’ ସିଗ୍ରେଟଟା ପାଉଁଶ ଦାନିରେ ଦଳି ଦେଇ ଲମ୍ବା ହୋଇ ଶୋଇଲା ଶଙ୍କର । ଉମା ଗୋଡ଼ ଆଡୁ ତାର ଫୁଲପରି ନରମ କମ୍ବଳଟା ତେ ଦେହରେ ଘୋଡ଼େଇ ଦେଲା, ଠିକ ତା ବୋଉ ଯେମିତି କରୁଥିଲେ ପିଲାବେଳେ ।

‘‘ଶୋଇପଡ଼ । ଅନେକ ରାତି ହେଲାଣି । କବାଟଟା ଆଉଜେଇ ନେବି ? ଭାରି ଶୀତ-।’’

‘‘ନେ ।’’

ଶଙ୍କର ଏତେବେଳେ ବୁଝିଲା, ଦିପହରବେଳେ, ସେ ଯେତେବେଳେ ଶୋଇ ପଡ଼ିଥିଲା, ତାର ଘର, ଜିନିସପତ୍ର ସଜେଇଛି ଏଇ ଉମା । ଧୀରେ ଧୀରେ ଆଖିବୁଜି ଆସିଲା ତାର । ମନେହେଲା ସବୁ କେଡ଼େ ସୁନ୍ଦର, କେତେ ମଧୁର । ଯେମିତି ସ୍ୱପ୍ନ ।

 

–ପାଞ୍ଚ–

 

ସକାଳୁ ନିଦ ଭାଙ୍ଗିଲାରୁ ଶଙ୍କର ନଜର କଲା ଦୁଇଟା ବଡ଼ ବଡ଼ ଉଜ୍ଜଳ ଆଖି ତାକୁ ଲକ୍ଷ୍ୟ କରୁଛି । ଅନେଇଲା ସେ ଆଖି ଦିଟାକୁ । ଗୋଟାଏ ଟୁଲ ଉପରେ ବସିଛି ତାର ଭଣଜା, ଉମାର ପୁଅ ରାଜା । ଗୋଡ଼ରୁ ମୁଣ୍ଡପର୍ଯ୍ୟନ୍ତ ଘୋଡ଼େଇ ହୋଇଛି ସେ– ଜୋତା, ମୋଜା, ସ୍ଳେକସ,ସାର୍ଟ, ସୁଏଟାର, କୋଟ । ମୁଣ୍ଡରେ ତାର ଗୁଡ଼ା ହୋଇଛି ମାଫଲାର । ନହସି ରହି ପାରିଲାନି ଶଙ୍କର । ତକିଆ ତଳୁ ହାତ ବଢ଼େଇ କାଢ଼ିଲା ସିଗ୍ରେଟ । ରାଜା ହଠାତ ଟୁଲରୁ ଓହ୍ଲେଇପଡ଼ି ଯିବାକୁ ଉଦ୍ୟତ ।

 

‘‘କି ଖବର ରାଜାସାହେବ ?’’

 

‘‘ମୁ ଯାଏ, ମାକୁ କହିବି ।’’ ମା ତାର ଉମା । ଚନ୍ଦ୍ରଶେଖର ଉତ୍ତର ଓଡ଼ିଶାର ଲୋକ ।

 

‘‘କଣ କହିବୁ ମାକୁ ?’’ ଉଠି ବସିଲା ଶଙ୍କର ବିଛଣାରେ ।

 

‘‘କହିବି ଯେ– ସାହେବମାମୁ ଉଠିଲେଣି । ଚା ନେଇ ଯା ।’’

 

‘‘ଆଇ ସି, ଯାଅ ଯାଅ ରାଜାସାହେବ । ମାକୁ କହି ଆସିବ । ଗପ କହିବି ।’’

 

‘‘ଆଚ୍ଛା ।’’ ଦଉଡ଼ି ବାହାରିଗଲା ରାଜା । ମିନିଟିଏ ଭିତରେ ଫେରିଆସି ସେଇ ଟୁଲରେ ବସିଲା ।

 

ସିଂଗ ପଶିଆସିଲା ଘରକୁ ।

 

‘‘ପାଣି ଗରମ କରିଛି । ମୁହଁ ଧୋଇ ଚା ଖାଇବ ଉଠ ।’’

 

ଉଠିଲା ଶଙ୍କର । ବାଃ ବେଶ ଶୀତ । ସୁଏଟାର ଆଣି ପିନ୍ଧିଲା । ବାହାରି ଆସିଲା ପିଣ୍ଡାକୁ ରାଜାକୁ କୋଡ଼ରେ ନେଇ । ଦେଖିଲା ଅଦୂରରେ ତାର ବୋଉ ବସି ଠାକୁରଘର ଆଗ ଅଗଣାଟାକୁ ଲିପୁଛନ୍ତି । ଦେହରେ ଖଣ୍ଡେ ମଠାଶାଢ଼ି । ମୁଣ୍ଡର କେଶଗୁଚ୍ଛ ଶୀକ୍ତ ଓ ଉନମୁକ୍ତ । ଏଇ ଡିସେମ୍ବରର ଶୀତରେ ଭୋରୁ ଗାଧୋଇ ତାର ଜନନୀ ଦେବାର୍ଚ୍ଚନାରେ ବ୍ୟସ୍ତ । ତାପାଇଁ କିନ୍ତୁ ଚା’ର ବ୍ୟବସ୍ଥା ହୋଇଛି ।

 

‘‘ଉଠିଲୁ ବାପା ? ମୁହଁ ଧୋଇନେ । ଗରମପାଣି ହୋଇଛି । ତାପରେ ଚା ଖାଇବୁ । ଉମା କରୁଛି ।’’

 

ସେ ମୁହଁ ଧୋଇ ଠିଆହେଲା ମାତ୍ରେ, ଗୋଟାଏ ଧଳା ଟାରକିଶ ତଉଲିଆ ବଢ଼େଇ ଦେଲା ଶମ୍ଭୁ । ମୁହଁ ପୋଛୁ ପୋଛୁ ଦେଖିଲା ଉମା ଆସୁଛି ଗୋଟାଏ ଟ୍ରେ ଧରି । କି ବ୍ୟାପାର ! ଏମାନେ ତାକୁ ଭାବୁଛନ୍ତି କଣ ? ଟିକିଏ କୁଣ୍ଠିତ ହେଲା ସେ ।

 

‘‘ଏଠି ଦେବି ନା ଘର ଭିତରେ ଖାଇବ ?’’ ଉମା ପଚାରିଲା, ମାତୃତ୍ୱର ମମତା ଦେଇ ।

 

ଆଶ୍ଚର୍ଯ୍ୟ ହେଲା ଶଙ୍କର । ଏମାନେ ସବୁ ମା । ଭାରତରେ ନାରୀତ୍ୱର ସୁମହାନ ଚେହେରା ହେଉଛି ମାତୃତ୍ୱର । ଏମିତି ଗୋଟାଏ ଚେହେରା ସେ ଗଲା ଦଶବର୍ଷ ଭିତରେ ଦେଖିନି, ବାର୍ଲିନରୁ ଲସ ଏଞ୍ଜେଲେସ ଯାକେ, କେଉଁଠି । ସେଇଠି ତଳେ ବସି ପଡ଼ିଲା ଶଙ୍କର ।

 

‘‘ତୁମେ ସବୁ କଣ ଭାବୁଛ, ମୁ ପ୍ରେସିଡେଣ୍ଟ ଆଇଜେନହାଓଆର ? ମୁ ଶଙ୍କର ଶତପଥୀ, ମୋ ବୋଉର ବଡ଼ ପୁଅ, ତୋର ଆଉ ଶମ୍ଭୁର ଭାଇନା–’’

 

‘‘ଆଉ ରାଜାର ?’’ ହସି ପଚାରିଲା ଉମା ।

 

‘‘ଆରେ ସତତ । ସେ ବି ଗୋଟାଏ ସମ୍ବନ୍ଧ ଅଛି । ‘‘ମୁ ତୁମର କଣ, ରାଜାସାହେବ ?

 

‘‘ସାହେବମାମୁ ।’’ ରାଜାର ଉତ୍ତର ।

 

‘‘ଗୁଡ଼ବୟ ।’’ କହିଲା ଶଙ୍କର ତା ମା ଆଡ଼କୁ ଅନେଇ, କହିଲା– ‘‘ଦେ ଏଇଠି ଦେ । ଏଇ ଖରାରେ ବସି ମୁ ଚା ଖାଇବି ।’’

 

‘‘ଠିଆ ହେଇଛୁ କଣ ବୋକା ? ଆସନ ଆଣିଦେ, ଭାଇନା ବସିବେ ।’’ ହୁକୁମ କଲା ଉମା ଶମ୍ଭୁକୁ ।

 

‘‘କିଛି ଦରକାର ନାହିଁ । ପିଲାବେଳେ ପଢ଼ିଥିଲି, କିଏ ଜଣେ ରାଜା, ମାଟିକୁ ସବୁଠୁଁ ବଡ଼ ଆସନ ବୋଲି କହିଥିଲେ ।’’

 

‘‘ଅଶୋକ ।’’ ଚଟ କରି କହିଦେଇ ଶମ୍ଭୁ ଆସନ ଆଣିବାକୁ ଦଉଡ଼ିଗଲା । ସେତେବଳକୁ ଶଙ୍କର ତଳେ ବସି ସାରିଛି ।

 

‘‘ପକା ସେଟା ସେଠି ।’’ ଜାଗା ଦେଖେଇ ଦେଲା ଶଙ୍କର, ତା ସାମନାରେ । ଶମ୍ଭୁ ପକେଇଲା ଆସନ ।

 

‘‘ତୁ ବସ ସେଠି ।’’ ଶମ୍ଭୁକୁ ନିର୍ଦ୍ଦେଶ ଦେଲା ଶଙ୍କର ।’’ରାଜା କାହିଁ ?’’ କଉ ଗୋଟାଏ କଣରୁ ବାହାରି ଆସିଲା ରାଜା । ତାକୁ ଆଣି ବସେଇଲା କୋଡ଼ରେ । ଉମା ହାତରୁ ନେଲା ଟ୍ରେ ।

 

କଦଳୀ ଓ ବିସକୁଟ ଦେଲା ରାଜାକୁ ଆଉ ଶମ୍ଭୁକୁ । ଉଠେଇ ନେଲା ଚା କପ୍‌ଟା ।

 

‘‘ତୁ ତ ସବୁ ଦେଇ ଦେଲୁ ବୁଢ଼ା ?’’ ବୋଉ ଅନୁଯୋଗ କଲେ ।

 

‘‘କିଛି ଖାଇଲନି ତ ? ହଉ ମୁ ବ୍ରେକଫାଷ୍ଟ ଠିକ କରୁଛି । କାମ ସାରିନିଅ । ଖୁରବାକ୍‌ସରେ ଆଣି ଦେବି ?’’ ଉମା ପଚାରିଲା ।

 

ଚା ଖିଆ ସରିଥାଏ । ଟ୍ରେରେ ପିଆଲାଟା ଥୋଇ ଦେଇ କହିଲା ଶଙ୍କର, ‘‘ମୁଁ କିଛି ଜିନିଷ କାଢ଼ିନି । କାଲିଠୁଁ ବାପାଙ୍କ ଲୁଗା ପିନ୍ଧିଛି ।’’ ଉଠିବାକୁ ଇଚ୍ଛା କଲା ସେ, କୋଡ଼ରେ ରାଜା । ବିସକୁଟ ଖାଇସାରି କଦଳୀଟା ଖାଉଛି ।

 

‘‘ବଣି ପାରିବୁ ମୋର ଭେଲିସେ ଆଣି ? ସବା ଉପରେ ଅଛି ।’’ ଶମ୍ଭୁ ବୁଝି ପାରିଲାନି । ଉମା ଯାଇ ଆଣିଦେଲା । ଏଟାରେ ଚାବି ନାହିଁ । ଜିପଟା ଟାଣି ଖୋଲିଦେଲା ଶଙ୍କର ଗୋଟାଏ ପାଖ । ବାହାର କଲା ଶୋଇବା ପୋଷାକ, ଗେଞ୍ଜି, ତଉଲିଆ । ବୁଲେଇ ଦେଇ ଆଉ ଗୋଟାଏ ପାଖ ଖୋଲିଲା । ଏଥର ବାହାରିଲା ଖୁରବାକ୍‌ସ, ଦାନ୍ତଘଷା ସରଞ୍ଜାମ, ଆରିଶି, ପାନିଆ, ବୁରୁଶ, କ୍ରିମ, ଲୋଶନ, ଅଡ଼ିକୋଲନ୍‌, ଆହୁରି କେତେ କଣ, ତା ବୋଉ, ଉମା, ଶମ୍ଭୁ, ରାଜା, ସିଂଗ ସମ୍ମୋହିତ ହୋଇ ଦେଖୁଥାନ୍ତି, ଏଇ ଛୋଟ ବାକ୍‌ସଟା ଭିତରେ, ଏତେ ଜିନିଷ କଉଠି ଥିଲା । ଭେଲିସେଟାକୁ ଉମା ହାତକୁ ବଢ଼େଇ ଦେଇ କହିଲା– ‘‘ଏଟାକୁ ଝାଡ଼ି ଝୁଡ଼ି ସଫା କରିଦେ ତ ଭଉଣୀ । ଏଟା ବଡ଼ ଦରକାରୀ ଜିନିଷ’’ ।

 

ଆଗେ ଖିଅର ହୋଇ ନେଲା ଶଙ୍କର । ତା ପରେ ଦାନ୍ତକୁ ନେଲା ବୁରୁଶ । ଗାଧୁଆ ଘରକୁ ଗଲା ସେ । ତାର ଗୋଟାଏ ଧୋତି ଓ ତଉଲିଆ ଦରକାର । ଉମା ଗଲା ସେଇ ତଦାରଖରେ । ଚନ୍ଦ୍ରଶେଖର ସକାଳୁ ମାମୁଙ୍କୁ ନେଇ ଯାଇଛି । ସେ ରୋଗୀ ଦେଖି ସାରିଲେ ତାଙ୍କୁ ସାଙ୍ଗରେ ନେଇ ଫେରିବ । ବାପା ଯାଇଛନ୍ତି ଗାଁ ଭିତରକୁ ପରିବା ଆଣିବାକୁ ।

 

ଉମା ଗଲା ଶଙ୍କରର ଶୋଇବା ଘରକୁ । ଗୋଟାଏ ଛୋଟ ପଲଙ୍କରେ ବିଛଣା ହୋଇଛି– ଶଙ୍କରର ବିଛଣା । ବସିଲା ସେଥିରେ । ଗଦିଟା କି ନରମ । ତକିଆ ଗୁଡ଼ା କି ହାଲୁକା । କମ୍ବଳଟା ତ ଅପୂର୍ବ । ଚନ୍ଦ୍ରଶେଖରର ଏମିତି କମ୍ବଳ ନାହିଁ । ଦେଖିଲା ପୁଣି ଜିନିଷ ପତ୍ର । ଦୁଇଟା କେବିନ ଟ୍ରାଙ୍କ । ଗୋଟାଏ ବିରାଟ ଏଲୁମିନିୟମ ବାକ୍‌ସ । ହାତଦେଇ ସ୍ପର୍ଶ କଲା ଉମା । ଦୁଇଟା ଯାକ ଟ୍ରାଙ୍କ ଭର୍ତ୍ତି । କିନ୍ତୁ ଉପରର ଫାଇବାର କି ନରମ, କି ମସୃଣ । ଏଲୁମିନିୟମ ବାକ୍‌ସଟା ଖୁବ ଭାରି । ଭାଇନାର ବିଛଣାଟା ଖରାରେ ଦବା ଦରକାର ।

 

ପ୍ରବେଶ କଲା ଶଙ୍କର । ଗାଧୋଇ ଆସିଛି ସେ । ଧୋତି ପିନ୍ଧିଛି । ତଉଲିଆଟା ପକେଇଛି କାନ୍ଧରେ । ମୁଣ୍ଡ କୁଣ୍ଡଉ କୁଣ୍ଡଉ ପଚାରିଲା– ‘‘କିରେ କଣ ଭାବୁଛୁ ?’’

 

‘‘ବିଛଣାଟା ଖରାରେ ପଡ଼ିବା ଦରକାର ।’’

 

‘‘ଖୁବ ଦରକାର । ମୋର ଲୁଗାପଟା ଗୁଡ଼ା କାଢ଼ିବା ଦରକାର । ବୋଉ ପାଖରେ ଚାବି ଅଛି, ଆଣି ପାରିବୁ ?’’

 

ଉମା ବାହାରି ଗଲା ଘରୁ । ବୋଉକୁ ଚାବି ମାଗିଲା । ବୋଉ କାବା ।

 

‘‘କାହିଁ ? ଚାବି ତ ମୋତେ ଦେଇନି ବୁଢ଼ା । ଦେଖନା ତା ଟଙ୍କାମୁଣି । ତା ଭିତରେ ଯଦି ଥିବ ?’’

 

ବୋଉ ଆଲମାରି ଖୋଲି ବାହାର କଲେ ଉଆଲେଟ । ତାର ଗର୍ଭ ବି ପୂର୍ଣ୍ଣ, ଅନୁଭବ କଲା ଉମା ।

 

ବୋଉ ପାଖରୁ ଫେରି ଦେଖେ, ଭାଇନା ପିଣ୍ଡାକୁ କାଢ଼ି ଆଣିଛି ସେଇ ସାଗୁଆ କେବିନ ଟ୍ରାଙ୍କ । ଉମା ହାତରୁ ଉଆଲେଟଟା ନେଇ ଜିପ ଖୋଲିଲା ଶଙ୍କର । ଉମା ଦେଖିଲା ଏଇ ଜିପ ନାମକ ପଦାର୍ଥଟିର କେତେ ପ୍ରକାର ଉପଯୋଗିତା । ଦିଟା ଚେପ୍‌ଟା ଚେପ୍‌ଟା ଚାବି ବାହାର କଲା ଶଙ୍କର । ସେମିତି ଖୋଲା ଉଆଲେଟଟା ଫେରି ଆସିଲା ଉମା ହାତକୁ । ଶଙ୍କର ଚାବି ଖୋଲାରେ ବ୍ୟସ୍ତ ।

 

ଉମା ପଚାରିଲା– ‘‘ବହୁତ ଟଙ୍କା ରଖିଛ ଭାଇନା ଏଥିରେ ।’’

 

‘‘ତୁ କେମିତି ଜାଣିଲୁ ?’’

 

‘‘ଏତେ ମୋଟା ଯେ ।’’

 

‘‘କହିଲୁ, କେତେ ଟଙ୍କା ଅଛି ?’’ ଶଙ୍କରର ଆଖିରେ କୌତୁକ ।

 

‘‘ମୁ କେମିତି ଜାଣିବି ? ବାରେ ।’’ ଅନୁଯୋଗ କଲା ଉମା ।

 

‘‘ଅନୁମାନ କର ?’’ ତଳକୁ ମୁହଁ କରି ଚାବି ଖୋଲୁଛି ଶଙ୍କର । ଚାରିଟା ତାଲା, ଉପର ତଳ ।

 

‘‘ଦଶହଜାର ଟଙ୍କା ।’’

 

ହସି ଉଠିଲା ଶଙ୍କର । ‘‘ତୋ ଭାଇନା ଦଶ ବର୍ଷ ବିଦେଶରେ ରହି ମୋଟେ ଦଶହଜାର ଟଙ୍କା ଆଣିଛି ? ହାୟ ହାୟ– ତୁ ମୋତେ ଏଡ଼େ ଅପଦାର୍ଥ ଭାବିଛୁ ଉମି ।’’

 

ବାକ୍‌ସ ଖୋଲିଗଲା । ବାହାର କଲା ଗେଞ୍ଜି, ଶାର୍ଟ, ସୁଏଟାର, ନାନା ପ୍ରକାରର ଗରମ, ଥଣ୍ଡା ସୁଟ । ଆହୁରି ନାନାପ୍ରକାର ପୁରୁଷ ପୋଷାକ ସ୍ତୁପ କଲା ପିଣ୍ଡାରେ ।

 

‘‘ଏ ଗୁଡ଼ା ପନ୍ଦର ଦିନ ହେବ ଖୋଲା ହୋଇନି । ଖରାରେ ଦବା ଦରକାର । ବୁଝିଲୁ ?’’ ଉଠି ଠିଆହେଲା ଶଙ୍କର । ଚାବି ଗୁଡ଼ା ଫେରେଇ ଦେଲା ଭଉଣୀକୁ । ତା ମୁହଁକୁ ଚାହିଁ ପଚାରିଲା, ‘‘କିରେ, କଥା କହୁନୁ ଯେ ଉମି ?’’

 

‘‘ନାଇଁ ଭାଇନା, ମୁ ତୁମର ଦାମ କଳନା କରିନି ଟଙ୍କାରୁ’’, ମୁହଁ ଶୁଖେଇଛି ଉମା ।

 

‘‘କି ମୁସ୍‌କିଲ’’ । ହୋ ହୋ କରି ହସି ଉଠିଲା ଶଙ୍କର । ଅଦଭୂତ ହସ । ଉମା ବୁଝିଲା, ଏମିତି ହସ ଆମ ଦେଶରେ କେହି ହସନ୍ତିନି । ଏ ହସ ସେ ଦେଶର । ଭାଇନାଟା ତାର ଅଧେ ମାର୍କିନ ହୋଇ ଯାଇଛି ।

 

‘‘ସତରେ କୁହନା, କେତେ ଟଙ୍କା ଅଛି ଏ ଥଳିରେ ?’’

 

‘‘ଗଣି ଦେଖ ?’’

 

‘‘ତୁମେ କଣ ମନେ ରଖିନ, କେତେ ଟଙ୍କା ଏଥିରେ ଅଛି ?’’

 

‘‘ଏଁ ହଁ– ପାଞ୍ଚ, ଦଶ, ଏପାଖ ସେ ପାଖ ହୋଇପାରେ ।’’

 

ସେଇଠି ତାରି ଆଗରେ କାଢ଼ିଲା ଉମା । ଗୁଡ଼ାଏ ସାଗୁଆ ସାଗୁଆ ଡଲାର ବିଲ । ଆଉ ଗୁଡ଼େ କଣ କାଗଜ । ବେଙ୍କ ଚେକ୍‌ ବୋଧହୁଏ ? ଆଉ ଗୁଡ଼େ ଭାରତୀୟ ନୋଟ– ଖାଲି ଶହେ ଟଙ୍କାର ।

 

‘‘ନୋ ମାଡ଼ାମ’’ ଆପତ୍ତି କଲା ଶଙ୍କର । ‘‘ସେ କାମ ପଛେ ହବ । ଟଙ୍କା କିଏ ପଦାରେ ଗଣେ । ବୋଉ ତୋ ଝିଅର ବୁଦ୍ଧି ଦେଖ ।’’ ଇତି ମଧ୍ୟରେ ଶଙ୍କର ପିନ୍ଧି ନେଇଛି ଗେଞ୍ଜି, ସୁଏଟାର ଏବଂ ତା ଉପରେ ଗାଉନ ।

 

‘‘ଇହିହିହି, କଣ ହୋଇଛି ସେ ଗାଉନ ? ଗୋଟା ଦେହ ଦାଗ ।’’ ଶଙ୍କରର ପାଖକୁ ଆସି ଶୁଙ୍ଘିଲା ସେ ଗାଉନକୁ ଏବଂ ପାଟି କରି ଉଠିଲା ।

 

‘‘ଖୋଲ, ଖୋଲ । ଏକୁ ଖରାରେ ଦେଲେ ବି ହବନି । ଧୋଇବା ଦରକାର ।’’

 

‘‘କିନ୍ତୁ ।’’ କୁଣ୍ଠିତ ହେଲା ଶଙ୍କର । ‘‘ଆଉ ଗରମ ଗାଉନ ତ ମୁ ଆଣିନି ।’’

 

‘‘ଆଣିନ ତ ଚାଦର ଘୋଡ଼ିହୁଅ ।’’ ଉମା ତ ସ୍କାର୍ଫ ଖୋଲିବାକୁ ଉଦ୍ୟତ ହେଲା ।

 

‘‘ଦୂର । ଆଚ୍ଛା ରହ । ମୋର ଗୋଟାଏ ପ୍ରିନ୍‌ସ କୋଟ ଅଛି କାଢ଼େଁ । ବାର୍ଲିନରେ ତିଆରି କରିଥିଲି ।’’

 

କାଢ଼ିଲା ସେଇ ସ୍ତୁପ ଭିତରୁ କୋଟ । ଗାଢ଼ନୀଳ ସାର୍ଟର ଗଳାବନ୍ଧା କୋଟ । ଶଙ୍କର ପିନ୍ଧିଲାରୁ ଉମା ଥଟ୍ଟା କଲା– ‘‘ପ୍ରିନ୍‌ସ ରକମ ଦିଶୁଛି ଏକା ।’’

 

ଉଆଲେଟଟା ବଢ଼େଇ ଦେଲା ଶଙ୍କର ହାତକୁ ଉମା– ‘‘ନିଅ ବାବା ତୁମ ଟଙ୍କା ।’’

 

‘‘କାହିଁକିରେ, ଗଣିବୁ ଯେ ?’’ ଶଙ୍କର ହସି ପଚାରିଲା ।

 

‘‘ନା ବାବା, କଉଠି ଯଦି ନ ମିଳିବ ।’’

 

‘‘ମିଳିବ ନିଶ୍ଚୟ । ତୁ ଗଣ ?’’

 

‘‘ଗଣି ମୋର ଲାଭ ?’’

 

‘‘ଲାଭ ଅଛି । ଭାଗ ପାଇବୁ ।’’

 

‘‘ଯାଃ, ତୁମ ଟଙ୍କା ମୁ ଭାଗ ନେବି କାହିଁକି ?’’

 

‘‘ତୁ ମୋର ଭଉଣୀ ।’’

 

‘‘ଶମ୍ଭୁର ଭାଗ ଅଛି ?’’

 

‘‘ଅଛି ।’’

 

‘‘ରାଜାର ?’’

 

‘‘ରାଜାର ଅଛି, ଆଉ ତା ବାପ ମଂତ୍ରୀର ବି ଅଛି ।’’

 

‘‘ତା ମାନେ, ସମସ୍ତଙ୍କୁ ଟଂକା ଦବ ତୁମେ ?’’

 

‘‘ସେ କଥା ତ ମୁ କହିନି । ମୁ କହିଲି, ମୋ ରୋଜଗାରରେ ସମସ୍ତଙ୍କର ଭାଗ ଅଛି ।

 

ବୋଉ କେତେବେଳୁ ଆସି ଭାଇ ଭଉଣୀଙ୍କ କୌତୁକ ଶୁଣୁଥିଲେ ।

 

‘‘ସେ ଠିକ୍‌ କହିଛି ମା । ତା ରୋଜଗାରରେ ତୋର ଭାଗ ଅଛି ।’’

 

ବୋଉ ହାତକୁ ବଢ଼ାଇ ଦେଲା ଉମା ଉଆଲେଟ । ସିଂଗକୁ ଡାକି କହିଲା ଗୋଟାଏ ଖଟ ପଦାକୁ କାଢ଼ିବାକୁ । ଲୁଗା ବିଛଣା ଖରାରେ ଦିଆଯିବ ।

 

ତାପରେ ଶଙ୍କରକୁ ପଚାରିଲା– ‘‘ଏଇଠି ଦେବି ଭାଇନା, ବ୍ରେକ୍‌ଫାଷ୍ଟ ?’’ ଶଙ୍କର ହସିଲା ତାର ବ୍ରେକ୍‌ଫାଷ୍ଟ କଥାଟାରେ । କହିଲା– ‘‘ଦେ ।’’

 

ଗୋଟାଏ ଛୋଟ ଟେବୁଲ ଓ ଦୁଇଟା ଚେୟାର ଆଣି ପକେଇଲା ସିଂଗ । ଶଙ୍କର ଗୋଟାକରେ ବସି ଆରଟାରେ ରାଜାକୁ ବସେଇଲା । ଅଳ୍ପ ଟିକିଏ କାମୁଡ଼ିଲା ଏଣୁ ତେଣୁ । ଚା ଖାଇଲା ଦୁଇକାପ । ସେ କଣ ଭାବୁଛି । ମଝିରେ ମଝିରେ ‘‘ନେ’’ ‘‘ଦେ’’ ଛଡ଼ା କଥା ନାହିଁ ।

 

ବୋଉ ଖରାକୁ ପିଠିକରି କୁଲାରେ ଚାଉଳ ବାଛୁଛନ୍ତି । ମାର୍ଗଶୀର ମାସ ଗୁରୁବାର । ବଡ଼ ପୁଅ, ହଜି ଯାଇଥିବା ପୁଅ, ଦଶବର୍ଷ ପରେ ଫେରିଛି । ଆଜି ଲକ୍ଷ୍ମୀନାରାୟଣଙ୍କର ବିଶେଷ ପୂଜା । ପୁରୋହିତ ଆସିବେ ଘଣ୍ଟାକ ପରେ ।

 

ବାପା ଫେରିଲେ । ପଛରେ ଗୋଟାଏ ମୂଲିଆ ଧରିଛି ପାଛିଆଟାଏ । ଠିଆହୋଇ ପଡ଼ିଲା ଶଙ୍କର ଅଭ୍ୟାସବଶତ । ‘‘ତୁ ବସ ଖା’’ କହି ବାପା ଚାଲିଗଲେ ହାଣ୍ଡିଶାଳ ମେଲାକୁ ।

 

ବାକ୍‌ସରେ ଆହୁରି ଲୁଗାପଟା ଥିଲା । ତାକୁ କାଢ଼ିବାକୁ ଯାଇ ବାହାରିଲା ଗୁଡ଼ାଏ ଛବି ବହି । ମିକି ମାଉସ, ଡୋନାଲ୍‌ଡ଼ ଡାକ୍‌ର ଗପ ବହି । ଏଲିସ ଇନ୍‌ ଉଆଣ୍ଡାରଲେଣ୍ଡ । ନାନା ଜୀବଜନ୍ତୁର ଛବି ବହି । ହାତ ବଢ଼େଇ ସେଗୁଡ଼ାକ ନେଲା ଶଙ୍କର ଉମା ପାଖରୁ । ‘‘ଏଗୁଡ଼ା ରାଜାର’’ । ରାଜାକୁ ଦେଲା ସେ ।

 

ଆହୁରି ବାହାରିଲା ନାନା ରଙ୍ଗର ଛବିବହି, ଏଲବାମ, ନାନାପ୍ରକାର ଖେଳନା, ପେରିସକୋପ, ଆହୁରି ମଧ୍ୟ କେତେ କ’ଣ ।

 

‘‘ଏତେ ଖେଳନା କାହାର ଭାଇନା ?’’

 

‘‘ରାଜାର ।’’

 

‘‘ରାଜା କଥା ତୁମେ କେମିତି ଜାଣିଲ ଯେ ?’’

 

‘‘ସେଥିଲାଗି ତ ଅନେକଗୁଡ଼ାଏ ଆଣିବାକୁ ହେଲା । ମୁ ଭାବିଲି ମୋର ଗୋଟିଏ ଭଉଣୀ ଥିଲା । ସେ ତ ଇତି ମଧ୍ୟରେ ନିଶ୍ଚୟ ବାହା ହୋଇ ଯାଇଥିବ । ଆଉ ତାର ପିଲା ହୋଇଥିବେ ଅନେକଗୁଡ଼ିଏ–

 

‘‘ଯାଃ ।’’ ଲାଜରେ ଲାଲ ପଡ଼ିଲା ଉମା ।

 

ରାଜା ସେତେବେଳକୁ ମାମୁ କୋଡ଼କୁ ଆଉଜି ଛବି ବହି ଦେଖୁଛି । ଦୁଇ ହାତ ତାର ଖେଳନାରେ ଭର୍ତ୍ତି । ବାକିତକ ତଳେ ଜମା ହୋଇଛି ।

 

ଶମ୍ଭୁକୁ ଦେଖି ପାଟିକରି ଉଠିଲା ରାଜା । ‘‘ଦେଖୁଛ ମାମୁ, କେତେ ଖେଳନା ଆଣିଛନ୍ତି ସାହେବମାମୁ, ମୋ ପାଇଁ ।’’

 

ଶମ୍ଭୁ ପାଖକୁ ଆସିଲା । ଓଲଟ ପାଲଟ କଲା ନାନା ଜିନିଷ । ଗୋଟାଏ ଏଲବାମ ବାହାର କଲା– ଏମେରିକାର ନାନା ସ୍ଥାନର ରଂଗିନ ଛବିରେ ଭର୍ତ୍ତି ।

 

‘‘ସେଟା ତୋର ।’’ ଶମ୍ଭୁକୁ ଦେଲା ଶଙ୍କର ।

 

ଉମା ସେତେବେଳକୁ ଶଙ୍କରର ଲୁଗାପଟା ଖରାରେ ଦଉଥାଏ । ଉଃ, କେତେ ଲୁଗାପଟା ଭାଇନାର । ଭର୍ତ୍ତି ହୋଇଗଲା ଖଟ, ଟେବୁଲ ।

 

ବାପା ଆସି ଠିଆ ହେଲେ– ‘‘ଟିକିଏ ଗାଁ ଆଡ଼େ ବୁଲି ଯିବୁନି ବୁଢ଼ା ? ବଡ଼ବାପା ଦଦେଇ ଏମାନଙ୍କ ସାଙ୍ଗରେ ଦେଖା କରି ଆସିବୁ ।’’

 

‘‘ଏଇଖିଣି ଯିବି ବାପେ ?’’

 

‘‘ଚାଲ ।’’

 

ବାପପୁଅ ବାହାରି ଗଲେ ଘରୁ ।

 

–ଛଅ–

 

ଘର ସାମନା ସାମ୍‍ନି ବଡ଼ବାପାଙ୍କ ଘର । ବଡ଼ବାପା ଅର୍ଥାତ୍‌ ବାମଦେବଙ୍କ ଦଦେଇ ପୁଅ ଭାଇ ରାୟବାହାଦୂର ପଞ୍ଚାନନ ଶତପଥୀ, ଜିଲ୍ଲା ଜଜ୍‍ ଥିଲେ । ପେନସନ ନେଇ ଘରେ ଅଛନ୍ତି-। ବାମଦେବଙ୍କଠାରୁ ଆଠ ଦଶ ବର୍ଷ ବଡ଼ । ଭାରି କୃପଣ । ବିରାଟ କୋଠାଘର କରିଛନ୍ତି ଗାଁରେ-। କଟକରେ କୋଠା, ପୁରୀରେ ମଧ୍ୟ । ଭଡ଼ା ଲାଗିଛି । ପିଲାମାନଙ୍କୁ କିନ୍ତୁ ବେଶୀ ପାଠ ପଢ଼େଇ ନାହାନ୍ତି । ବଡ଼ ପୁଅ ରେଭିନିଉ ଇନ୍‌ସପେକ୍ଟର । ସାନ ପୁଅ ସବଡ଼େପୁଟି । ସେମାନେ ତାଙ୍କ ପିଲାପିଲି ନେଇ କର୍ମସ୍ଥଳରେ ଥାନ୍ତି । ଗାଁରେ ଥାନ୍ତି ବୁଢ଼ା, ବୁଢ଼ୀ ଏବଂ ଗୋଟିଏ ବିଧବା ଝିଅ ଓ ତାର ଦିଓଟି ପିଲା । ଅନ୍ୟ ଝିଅମାନେ ଶଶୁର ଘରେ । କଦାଚିତ ବାପ ଘରକୁ ଆସନ୍ତି-। ବଡ଼ ଝିଅଟି ହିଁ ବିଧବା । ଶଙ୍କରଠୁ ସେ ପ୍ରାୟ ଦଶବର୍ଷ ବଡ଼– ସୁନାନାନୀ ।

ବଡ଼ବାପା ଦାଣ୍ଡଘରେ ବସି ଗୋଟାଏ ଖାତାରେ କଣ ଟିପୁଥାନ୍ତି । ଦାଣ୍ଡଘରେ ପଡ଼ିଛି ଗୋଟାଏ ଟେବୁଲ, ଦି ଖଣ୍ଡ ଚୌକି, ଗୋଟାଏ କାଠ ଖଟ । ସେଥିରେ ଖଣ୍ଡେ ମସିଣା ପଡ଼ିଛି । ଆସବାବ ଗୁଡ଼ା ଏତେ ପୁରୁଣା ଯେ ମଳି ଜମି ଜମି କଳା ହୋଇଗଲାଣି । ଗୋଟା, ଚୌକିର ଗୋଟାଏ ହାତ ଭଙ୍ଗା । ଅନ୍ୟଟାର ଆଉଜିବା ପଟାଟା ଖସି ଯାଇଛି । କାନ୍ଥ ଆଲମାରିରେ ସ୍ତୁପାକାର ହୋଇ ଥୁଆ ହୋଇଛି ପୁରୁଣା ଖବର କାଗଜ ଓ ଛିଣ୍ଡା ବହି । ଘରଟା ସେଇ ଯେ ତିଆରି ବେଳେ ଧୁଲେଇ ହୋଇଥିଲା, ତା ପରେ ଆଉ ରଙ୍ଗ ଦିଆ ହୋଇନି । କୋଣ ଗୁଡ଼ା ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ।

ଘର ଭିତରକୁ ପଶିଗଲେ ସପୁତ୍ର ବାମଦେବ । ତରତରରେ ଉଠିବାକୁ ଯାଇ ବୃଦ୍ଧ ପଞ୍ଚାନନ ବସି ପଡ଼ିଲେ । ଦେହରେ ବାତ, ଗୋଡ଼ ଯଥେଚ୍ଛା ଚଳେ ନାହିଁ ।

 

‘‘ଆ, ଆ, ବାମ । ଏ କିଏ ବୁଢ଼ା ?’’

‘‘ହଁ,’’ ବାମଦେବ ଜବାବ ଦେଲେ । ଶଙ୍କର ପ୍ରଣାମ କଲା ।

‘‘ବୁଢ଼ାଟିଏ ହୋଇଥା ।’’ ଆଶୀର୍ବାଦ କଲେ ପଞ୍ଚାନନ ।’’ତା ପରେ, ରହିବୁ ତ ଏଇଖିଣି ଗାଁରେ ?”

‘‘ହଁ– ଚାରି ପାଞ୍ଚ ଦିନ ଅଛି ।”

‘‘କଉଠି ଥିଲୁ ବାପା ଏଇ ଦଶ ବର୍ଷ ? ଦଶବର୍ଷ ହବ ନାହିଁରେ ବାମ ?’’

‘‘ଦଶବର୍ଷରୁ ବେଶୀ ।’’ ବାମଦେବ କହିଲେ ।

‘‘ହାଁ ବହୁତ ଦିନୁ ତ ସେ ନାହିଁ । ମୁଁ ପେନସନ ନେଇ ନ ଥାଏଁ । ଯାହାହଉ, ବେଶ ସୁନ୍ଦର ଚେହେରା ହୋଇଛି ବୁଢାର । ବାଃ । କାଲି ଯେତେବେଳେ ସେ ଗାଁକୁ ଆସିଲା, ମୁଁ ଭାବିଲି କିଏ ଗୋଟାଏ ଇଉରୋପିୟନ । ତା ପରେ ଅବଶ୍ୟ– ହେଁ ହେଁ ହେଁ ।’’

ଦୁଆର ମୁହଁରେ ଦେଖାଦେଲେ ପଞ୍ଚାନନ-ଗୃହିଣୀ । ବିରାଟ ମୂର୍ତ୍ତି ଏତେ ମୋଟା ଯେ ମଣିଷ ହୋଇପାରେ, ଶଙ୍କର ଏଇ ପ୍ରଥମ ଦେଖିଲା । ଚାରିଆଡ଼େ ମାଂସ ଓହଳି ପଡ଼ିଛି । ପ୍ରତି ପଦକ୍ଷେପରେ ଢଳି ପଡ଼ୁଥାନ୍ତି । ଥକିଯାଇ କବାଟକୁ ଆଉଜି ଠିଆ ହେଲେ ।

 

ଶଙ୍କରକୁ ପୁଣି ପ୍ରଣାମ କରିବାକୁ ପଡ଼ିଲା ।

 

‘‘ବୁଢ଼ା ନା ? ଏତେଦିନକେ ପରା ମନେ ପଡ଼ିଲା ଆମକୁ । ବସ୍ ବସ୍ । ତା ପରେ ବାମ କଣ କରୁଛନ୍ତି । ଏତେ କାଳ ପରେ ପୁଅ ଫେରିଲା ଘରକୁ । କାହିଁ ଭୋଜି ଭାତ, ଚାନ୍ଦ୍ରାୟଣି, ପ୍ରାୟଶ୍ଚିତ୍ତ–

 

‘‘ପ୍ରାୟଶ୍ଚିତ୍ତ ! କାହିଁକି ବଡ଼ ମା ? ମୁ ତ କିଛି ପାପ କରିନି ।”

 

‘‘ନାଁଇରେ, ପାପ କଲେ କଣ କେବଳ ପ୍ରାୟଶ୍ଚିତ୍ତ କରିବାକୁ ହୁଏ ? ତୁ ବିଦେଶରେ ଥିଲୁ । କୁଖାଦ୍ୟ, ଅଖାଦ୍ୟ ଖାଇଛୁ । ବ୍ରାହ୍ମଣ ପିଲା । ପ୍ରାୟଶ୍ଚିତ୍ତ କରିବା ନିୟମ ।’’

 

ଏତେଗୁଡ଼ା କଥା ଏକା ସାଙ୍ଗରେ କହିବାକୁ ଯାଇ ବେଦମ ହୋଇପଡ଼ିଲେ ରାୟବାହାଦୂର । ନିଶ୍ୱାସ ନେଲେ ।

 

‘‘ଶିରୋମଣିକୁ ପଚାରି କଣ କଣ କରିବାକୁ ହବ– ସେ ସବୁ ତୋ ବାପ କରିବ । ତୋର କିଛି ନାହିଁ ଯେ ।”

 

ବାମଦେବ ନିର୍ବାକ ହୋଇ ବସିଥାନ୍ତି । ଏ କି କଥା ଏ ଯୁଗରେ । ସେ ପଞ୍ଚାନନକୁ ଜାଣନ୍ତି । ଭାରି ଦୁଷ୍ଟବୁଦ୍ଧି କୂଟବୁଦ୍ଧି ତାଙ୍କର । ସେ ପୁଣି ଗାଁ । ସମାଜର ବଡ଼ପଣ୍ଡା ।

 

‘‘କଉଠି ଥିଲୁ ବାପା ଏତେ ବର୍ଷ ? ପଚାରିଲେ ବଡ଼ମା ।’’

 

‘‘ଇଉରୋପ ଆଉ ଆମେରିକା ।” ଶଙ୍କର ଜବାବ ଦେଲା ।

 

‘‘ଆଚ୍ଛା ।’’ ଅବିଶ୍ୱାସର ହସ ହସିଲେ ରାୟବାହାଦୂର । ‘‘ପଢ଼ୁଥିଲୁ ନା ଚାକିରି କରିଥିଲୁ-?”

 

‘‘ଦୁଇଟା ଯାକ କରିଛି ।’’

 

‘‘ଡିଗ୍ରୀ ଫିଗ୍ରି କିଛି ଆଣିଛୁ ନା ?’’

 

‘‘ହଁ ।” ଶଙ୍କରର ଉତ୍ତର ଏକାବେଳକେ କ୍ଳିଷ୍ଟ ।

 

‘‘ଆମେରିକାର ଡିଗ୍ରୀ ଆମ ଦେଶରେ ଚଳିବ ତ ? ଏବେ ଚଳୁଥିବ । ଦେଶ ସ୍ଵାଧୀନ ହୋଇଛି, ଇଂରେଜ ଅମଳରେ ସିନା ବିଲାତି ଡିଗ୍ରୀର କଦର ଥିଲା ।’’

 

ସୁନାନାନୀ ଆସି ଠିଆ ହେଲା ଦୁଆର ମୁହଁରେ– ତା ମା ଦେହକୁ ଲାଗି । ଚମକି ପଡ଼ିଲା ଶଙ୍କର । ଏଇ ସୁନାନାମୀ, ଯାହାର ରଙ୍ଗ ଥିଲା ତପ୍ତକାଞ୍ଚନ ବର୍ଣ୍ଣ । ଯାହାର ଚେହେରା ଦେଖି ପ୍ରାୟ ବିନାପଣରେ ସେ ବାହାହୋଇ ଯାଇଥିଲା ଜଣେ ମୁନସିଫକୁ । କଣ ହୋଇଛି ସେ ? ଶୀର୍ଣ୍ଣ, ଜୀର୍ଣ୍ଣ ଚେହେରା । ସ୍ତନଗୁଡ଼ା ଓହଳି ପଡ଼ିଛି । ହାତ ଶୀରା ଗୁଡ଼ା ଦିଶୁଛି କଳା କଳା ହୋଇ । ମୁହଁରେ ଗୋଟାଏ ବିରାଟ ଅବସାଦର ଛାୟା । ଦେହରେ ଖଣ୍ଡେ ମାମୁଲି ପିନ୍ଧା । ଲୁଗାଟାର ଦେହସାରା ଦାଗ ।

 

‘‘ବୁଢ଼ା ଆସିଲୁ ବୋଲି ଗାଁରେ ତ ଚହଳ ପଡ଼ି ଯାଇଛି । କାଲି ସକାଳୁ ଶଙ୍ଖ ବାଜିବା ଶୁଣି ମୁଁ ଟିକିଏ କାବା ହୋଇଗଲି । କଣ ହେଲାକି ସାନ ଖୁଡ଼ୀ ଘରେ ? ପରେ ଶୁଣିଲି ତୁ ଆସିଛୁ । ବାଃ, ଖାସା ଚେହେରା ହୋଇଛି ବୁଢ଼ାର, ନୁହେଁ ବୋଉ ?’’

 

‘‘ହବନି । ସାଇବ ଦେଶରେ ଥିଲା, ଦଶବର୍ଷ ।’’ ତା ପରେ ବାମଦେବଙ୍କ ପ୍ରତି ବାକ୍ୟ-କ୍ଷେପଣ କଲେ, “ସେ ଯାହାହଉ, କିଛି ଗୋଟାଏ କରିବ ବାମ । ସମାଜଟା ତ ପୁଣି ଅଛି ।’’

 

‘‘ହଁ, ହଁ,’’ ସମର୍ଥନ କଲେ ରାୟବାହାଦୂର । ‘‘ଶିରୋମଣିଙ୍କ ପାଖକୁ ଯାଉ । ସେ ଗୋଟାଏ କିଛି ବାଟ କାଢ଼ିବେନି ?’’

 

ଚେୟାର ଛାଡ଼ି ଉଠିଲା ଶଙ୍କର । ଏଇ ଜୀର୍ଣ୍ଣ, ଜରାଗ୍ରସ୍ତ, କୁସଂସ୍କାରପୂର୍ଣ୍ଣ ପରିବେଶ ତାର ଯେମିତି ଅସହ୍ୟ ହେଲା ।

 

‘‘ମୁ ତ ଅଛି ବଡ଼ମା । ଆସିବି ପୁଣି କେତେବେଳେ ।’’

 

‘‘ଆଲୋ ଲୋ ସୁନା, ପାନ ଦିଖଣ୍ଡ ଦେଲୁନି । ଦେଖିଲୁ, ପୁଅଟା ଆସିଥିଲା ଏତେ ଦିନକେ ?’’

 

‘‘ଥାଉ, ପାନ ସେ ଖାଏନି । ମୁ ତ ଖାଏନି ଜାଣ ।’’

 

ବାପ ପୁଅ ବାହାରି ଆସିଲେ । ଦୁଇଜଣଙ୍କ ମୁହ ଗମ୍ଭୀର । ଆରପାଖ ଘର ଦଦେଇଙ୍କର । ଶିବ ଦଦେଇ ଡି. ଏସ. ପି ଥିଲେ । ଲମ୍ବା ଚଉଡ଼ା ଚେହେରା, ପ୍ରକାଣ୍ଡ ମୂର୍ତ୍ତି, ଦାଣ୍ଡ ପିଣ୍ଡାରେ ବସି ଖବର କାଗଜ ପଢ଼ୁଥିଲେ । ଏମାନଙ୍କୁ ଦେଖି, ସାହି କମ୍ପେଇ ଆମନ୍ତ୍ରଣ କଲେ– ‘‘ଆରେ ଏ କି ଅପୂର୍ବ । ବୁଢ଼ା ଆସିଛି ।’’

 

ଶଙ୍କର ପ୍ରଣାମ କଲାରୁ ଠିଆ ହୋଇ ପଡ଼ିଲେ । ତାକୁ ଦେଖିଲେ ଭଲକରି, ଗୋଡ଼ଠୁଁ ମୁଣ୍ଡ ପର୍ଯ୍ୟନ୍ତ । ତା ପରେ କୁଣ୍ଢେଇ ପକେଇଲେ । ଆଖିରୁ ଦୁଇଧାର ଅଶ୍ରୁ ବୋହିଗଲା । ଏଇ ଶିବ ଦଦେଇଙ୍କର ଗୋଟିଏ ପୁଅ ଥିଲା ତାରି ବୟସର । ପୁଲିସର ପୁଅ ଅମନୁଷ୍ୟ ହୋଇଯାନ୍ତି ବୋଲି, ଦଦେଇ ତାକୁ ଭାରି ଯତ୍ନରେ ବଢ଼େଇ ଥିଲେ । ସେଇ ପୁଅ, ପ୍ରମଥନାଥ, ତେର ବର୍ଷ ବୟସରେ ମରିଗଲା ଟାଇଫଏଡ଼ରେ । ପୁତ୍ର ଶୋକରେ ଜ୍ଞାନଶୂନ୍ୟା ଜେଠେଇ ସର୍ପିଣୀର ବିଷାକ୍ତ ଦଂଶନ କଲେ– “ମୋ ପୁଅ ମଲା, ବାପର ପାପ ପାଇଁ ।’’ ଶିବ ଦଦେଇ ସେତେବେଳେ ଦୁର୍ଦ୍ଦାନ୍ତ ପୁଲିସ ଇନସପେକ୍ଟର । ଧର୍ମାଧର୍ମ ମାନନ୍ତି ନାହିଁ । ଯାହା ଖୁସି କରନ୍ତି, ଯାହା ଖୁସି ଖାନ୍ତି । ଜେଠେଇ ଅଲଗା ହୋଇଗଲେ ଠାକୁରଙ୍କୁ ନେଇ । ଦେବସେବାରେ ଦିନ ରାତି କଟିଲା । ଶିବ ଦଦେଇଙ୍କର ରହିଲା, ଗୋଟିଏ ସିଂଘାଣୀନାକୀ ଝିଅ ଟୁନା ଏବଂ ଚାକିରି । ଏକା ଘରେ ରହି ମଧ୍ୟ ସ୍ଵାମୀ ସ୍ତ୍ରୀର କ୍ୱଚିତ କଥାବାର୍ତ୍ତା ହେଉଥିଲା । ଶିବ ଦଦେଇ ପୁତ୍ର ଶୋକରୁ ନିସ୍ତାର ପାଇଁ ଧଇଲେ ମଦ । ମୁଣ୍ଡ ଖରାପ ହୋଇଗଲା । ଚିକତ୍ସା ପାଇଁ ଗଲେ କାକେ । ସେଠୁ ଫେରି ଆସିଲେ ଏକାବେଳକେ ଅନ୍ୟ ମନୁଷ୍ୟ ହୋଇ । ପୁଲିସ ସାହେବ ତାଙ୍କ ଦୁଃଖ ବୁଝିଲେ । ତାଙ୍କୁ ଅଫିସରେ ଅବସ୍ଥାପନ କଲେ । ଦଦେଇ ମଧ୍ୟ ବଂଚିଗଲେ । ଦଶଟା ପାଞ୍ଚଟା ଅଫିସ କରନ୍ତି, କଡ଼ା କଡ଼ା ଇଂରେଜୀରେ ରିପୋର୍ଟ ଲେଖନ୍ତି ଓ ଘରକୁ ଆସି ଯୋଗାସନରେ ବସନ୍ତି । ଇତି ମଧ୍ୟରେ ସେଇ ଟୁନା ପାଠପଢ଼ି ବି. ଏ. ପାଶ କଲା । ତାକୁ ଗୋଟିଏ ଦରିଦ୍ର ଅଥଚ ସଚ୍ଚରିତ୍ର କଲେଜ ଶିକ୍ଷକଙ୍କୁ ବାହା କରିଦେଲେ ।

 

‘‘ପଞ୍ଚୁ ଭାଇନା କହୁଛନ୍ତି, ବୁଢ଼ା ଦଶବର୍ଷ ବିଦେଶରେ ଥିଲା, ପ୍ରାୟଶ୍ଚିତ୍ତ କରୁ ।’’ ସପରେ ବସୁ ବସୁ ବାମଦେବ ଅନୁଯୋଗ କଲେ ।

 

“କଣ ହେଲା, ପ୍ରାୟଶ୍ଚିତ୍ତ ? କାହିଁକି ? ଆଜିକାଲି କିଏ ସେ କଥା କରେ ? ଏ ଭାଇନାର ଫିସାଦି ।’’ ଟିପଣି କାଟିଲେ ଶିବ ଶତପଥୀ ।

 

ଶଙ୍କର ସେଇଠି ପିଣ୍ଡାରେ ବସିବାକୁ ଯାଉଥିଲା । ତାକୁ ଘର ଭିତରକୁ ଟାଣି ନେଇଗଲେ ଦଦେଇ । ଡାକଦେଲେ, “କିଏ ଆସିଛି ଦେଖ ।’’

 

ତପସ୍ୟାରେ ଶୀର୍ଣ୍ଣ ହୋଇଛନ୍ତି ଜେଠେଇ । ଆଖିର ଦୃଷ୍ଟି କି ଉଜ୍ଜଳ ! ଶଙ୍କର ପ୍ରଣାମ କଲାରୁ ତାର ଶିରଶ୍ଚୁମ୍ୱନ କରି ଆଉଜେଇ ନେଲେ ତାକୁ ନିଜ ଛାତିକୁ । ତା ପରେ ନୀରବରେ ବୋହିଲା ଅଶ୍ରୁ । ତାର ଯେମିତି ଶେଷ ନାହିଁ । ବାୟୁମଣ୍ଡଳଟା ବିଷାଦତାରେ ଭରି ଗଲା । ସେଇ ପୁରୁଣାଦିନର ସ୍ମୃତି । ପ୍ରମଥନାଥ । ସମସ୍ତଙ୍କ ଆଖି ଶୀକ୍ତ । ସେ କେବଳ ତାର ଭାଇ ଥିଲାନି, ସାଥି ବି ଥିଲା । ଶଙ୍କରର ମନେ ଅଛି ସ୍କୁଲର ତଳ କ୍ଲାସରେ ପଢ଼ୁଥାଏ । ହଠାତ୍ ଦିନେ ପ୍ରମଥନାଥ, ତାର ଡାକ ନାମ ଥିଲା ଟିକି, ଗୋଟାଏ ଝରକଲମ ଆଣିଲା କ୍ଲାସକୁ । ସରୁ କଲମଟା, ବ୍ଳେକବାର୍ଡ଼ । ଶଙ୍କରର ଈର୍ଷ୍ୟା ହୋଇଥିଲା ସେଦିନ ଟିକିର ସୌଭାଗ୍ୟରେ । ଗଳା ସଫାକରି ଦଦେଇ ପାଟି କଲେ, ‘‘ତୁମେ ତାକୁ ଧରି କାନ୍ଦିବ ନା ଏତେଦିନେ ପରେ ପୁଅ ଘରକୁ ଫେରିଲା, ତାକୁ ଆଦର ଯତ୍ନ କରିବ ।”

 

ଜେଠେଇ ଆଖି ପୋଛି ଶଙ୍କରକୁ ନେଇ ବସେଇଲେ ଗୋଟାଏ ଖଟରେ ।

 

‘‘ବସ୍ ବାପା, ମୁଁ ଆସୁଛି ।”

 

ବାପା ଆଉ ଦଦେଇ ବାହାର ପିଣ୍ଡାରେ ବସି ସେଇ ପ୍ରାୟଶ୍ଚିତ୍ତ କଥା ଆଲୋଚନା କରୁଥାନ୍ତି । ଜେଠେଇ ଆସିଲେ । ଧରିଛନ୍ତି ଗୋଟିଏ ମାର୍ବଲ ଥାଳିଆରେ ଚାରୋଟି ନଡ଼ିଆ କୋରା ଏବଂ ଗିନାରେ ଗିନାଏ ଦୁଧ ସର । ଅନ୍ୟ ହାତରେ କଂସା ଗିଲାସରେ ପାଣି ।

 

‘‘ଏତେଗୁଡ଼େ ଖାଇ ପାରିବିନି ଜେଠେଇ ।’’ ସଂକୁଚିତ ହେଲା ଶଙ୍କର ।

 

‘‘ଖାଇବାକୁ ହୁଏ ଯେ ବାପା ଜେଠେଇ ପାଖରେ । କଣ ବା ଦେଇଛି ?’’

 

ଗୋଟାଏ କୋରା ଉଠେଇ ଶଙ୍କର ପାଟିରେ ଗୁଞ୍ଜି ଦେଲେ । ବେଶ ଭଲ ଲାଗିଲା ଶଙ୍କରକୁ । ଅନେକ ଦିନର ପୁରୁଣା ସ୍ଵାଦ । ଭୁଲି ଯାଇଥିଲା ସେ । ପାଣି ପିଇବାକୁ ହାତ ବଢ଼େଇଲା ।

 

‘‘ନା ବାପା, ସେ କଥା ହବନି । ସରତକ ଖାଇ ଦେ ।’’ ପୁଣି ଧଇଲେ ଜେଠେଇ ଗିନାଟା ଶଙ୍କରର ପାଟିରେ– ଛୋଟ ପିଲାଙ୍କୁ ଖୋଇଦେଲା ଭଳି । ଆସ୍ତେ ଆସ୍ତେ ଶୋଷି ନେଲା ଶଙ୍କର ଲୁବ୍‍ଧ ହୋଇ । କି ସ୍ଵାଦ,କି ଅପୂର୍ବ ବାସ୍ନା, ଦୁଧସରର ।

 

ପାଣି ପିଇସାରି ଠିଆ ହେଲା ଶଙ୍କର । ଜେଠେଇ ଗୋଟାଏ ଅଳେଇଚ ଦେଲେ ପାଟିରେ ପକେଇବାକୁ ।

 

“ମୁ ଆସିବି ଜେଠେଇ । ଅଛି ତ ଏଠି ଏଇଖିଣି ।’’

 

‘‘ଆସିବୁ ବାପା । ନ ହେଲେ ତୋ ବୋଉ ସାଙ୍ଗରେ କଥାବାର୍ତ୍ତା । ବନ୍ଦ ।”

 

ଦଦେଇଙ୍କ ଘରୁ ବାହାରିଲାରୁ ଦଦେଇ ସାଙ୍ଗ ହେଲେ । ଆହୁରି ଦୁଇ ତିନି ଜାଗା ଯିବାକୁ ପଡ଼ିଲା । ସେଇ ପୁରୁଣା ମଣିଷ ସବୁ । କିଏ ଜରାଜୀର୍ଣ୍ଣ, କିଏ ବାତରେ ପଙ୍ଗୁ । କିନ୍ତୁ ସବୁଠି ପାଇଲା ଶଙ୍କର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ନାରଣ ମାମୁ, ହରିହର ମଉସା, ବନମାଳୀ ଦଦେଇ ସମସ୍ତେ ବଂଚିଛନ୍ତି । ସମସ୍ତେ ଖୁସି ହେଲେ । ବାମଦେବଙ୍କ ଭାଗ୍ୟକୁ ପ୍ରଶଂସା କଲେ । ଶଙ୍କର ଦେଖିଲା ତା ସାଙ୍ଗର କେହି ଘରେ ନାହାନ୍ତି । ସମସ୍ତେ ପ୍ରାୟ ବିଦେଶରେ ଚାକିରି ବାକିରି କରି ରହିଛନ୍ତି । ସୁବିଧା କରି ଗାଁକୁ ଆସନ୍ତି । ପରିଚିତ ବାହାରିଲେ କେତେଜଣ କିନ୍ତୁ ଏମାନଙ୍କ ସାଙ୍ଗରେ ତାର ଘନିଷ୍ଠତା ନ ଥିଲା । ପିଲାଦିନୁ ତ ସେ ବୁଲିଛି ଇସ୍କୁଲରୁ ଇସ୍କୁଲକୁ, ବାପାଙ୍କ ସାଙ୍ଗରେ । ଗାଁକୁ ଆସିଛି ଯାହା ଛୁଟିରେ ।

 

–ସାତ–

 

ଦାଣ୍ଡ ଦୁଆରେ ଦେଖା ହେଲା ଉମା ସାଙ୍ଗରେ । ବାପାଙ୍କୁ ବାଟ ଛାଡ଼ି ଦବାକୁ କଡ଼େଇ ଗଲା ଉମା । ବାପା ଭିତରକୁ ଚାଲିଗଲେ ।

 

‘‘କିରେ କି ଖବର ?’’ ପଚାରିଲା ଶଙ୍କର ।

 

‘‘ଆଇଁଷ ନ ହେଲେ ତୁମେ ଖାଇପାରିବନି ଭାଇନା ?’’ ଶଙ୍କର ପଛେ ପଛେ ଘର ଭିତରକୁ ପଶୁ ପଶୁ ଉମା ପଚାରିଲା ।

 

‘‘କିଏ କହିଲା ?’’ ଆଗେଇ ଗଲା ଶଙ୍କର ଅଗଣାକୁ । ଶୁଖା ହେଉଥିବା ଲୁଗାପଟା ପାଖରେ ଚୌକି ପକେଇ ବସିଛନ୍ତି ମାମୁ ଓ ଚନ୍ଦ୍ରଶେଖର । ମାମୁଙ୍କ ହାତରେ କଫି କାପ । ଧୂଆଁ ଉଠୁଛି । ବାସନାରୁ ବୁଝିପାରିଲା ଶଙ୍କର । ମନଟା ଖୁସି ହୋଇଗଲା । ତା ଆଡ଼କୁ ଚୌକିଟା ବଢ଼େଇ ଦେଇ ଠିଆ ହେଲା ଚନ୍ଦ୍ରଶେଖର । ତା ହାତରେ କିନ୍ତୁ ଚା । ଶମ୍ଭୁ ଆଣି ଦେଲା ଆଉ ଗୋଟାଏ ଚୌକି । ସମସ୍ତେ ବସିଲେ ।

 

‘‘କଫି ଖାଇବ ଭାଇନା ?’’ ହାଣ୍ଡିଶାଳରୁ ପାଟି କଲା ଉମା ।

 

‘‘ନିଶ୍ଚୟ । କାହିଁ ଦେ ।’’

 

‘‘ଏଇ ଯେ’’ କହି ଗୋଟାଏ ଧୂମାୟିତ କଫିକାପ ଧରି ଆଗେଇ ଆସିଲା ଉମା । ଶଙ୍କର ହାତକୁ ବଢ଼େଇ ଦେଇ କହିଲା– ‘‘ୟାଙ୍କିମାନେ କଫିକୁ ବେଶୀ ପସନ୍ଦ କରନ୍ତି ।’’

 

‘‘ତୁ କେମିତି ଜାଣିଲୁ ?’’ ପଚାରିଲା ଶଙ୍କର ହସଟାଣି ମୁହଁରେ ।

 

‘‘ତୁମର ସେଇ ବଂଧୁଙ୍କୁ ପଚାର ? ବିଲାତରୁ ଫେରିଲାବେଳେ ଗୋଟାଏ ମାର୍କିନ ଜାହାଜରେ ଆସିଥିଲେ । ବାଟସାରା ଖାଇଛନ୍ତି କେବଳ କଫି । ତିନି ଚାରିଦିନ କ୍ରମାଗତ କଫି ଖାଇବାରୁ ପେଟର ଅବସ୍ଥା ଏମିତି ହେଲା ଯେ, ଡାକ୍ତର ତାଙ୍କୁ, କଣଟି ସେ ଶବ୍ଦଟା ମାମୁ ?’’

 

“କୁଆରେନଟାଇନ’’

 

‘‘ହଁ ସେଇଠି ରହିବାକୁ ବ୍ୟବସ୍ଥା କରିଦେଲା ।”

 

ସମସ୍ତେ ହସି ଉଠିଲେ । କଫି ଖିଆ ସାଙ୍ଗରେ ଚାଲିଲା ଗପ, ନାନା କଥା । ଶମ୍ଭୁ ଉସଖୁସ କରୁଥାଏ, କିନ୍ତୁ ସାହସ ପାଉ ନ ଥାଏ ଭାଇନାକୁ କିଛି କହିବାକୁ ।

 

ଏଇ ସମୟରେ ରାଜା କଉଠୁ ଆସି ପହଞ୍ଚିଲା । ହାତରେ ଗୋଟାଏ ବଡ଼ ନଟୁ । ଚାବି ଦେଇ ଛାଡ଼ିଦେଲେ ଘୂରୁଛି ଏବଂ ବୋଁ ବୋଁ ଶବ୍ଦ କରୁଛି । ସମସ୍ତଙ୍କର ନଜର ନଟୁବାଲା ଉପରେ । ନଟୁଟା ବୁଲି ସାରିବା ପରେ ତାକୁ ଆଣି ଠିଆଁ ହେଲା ରାଜା ସାହେବମାମୁ ପାଖରେ ।

 

‘‘ଦେଖି ରାଜା ସାହେବ ?’’ ଶଙ୍କର ନେଲା ନଟୁଟା ଏବଂ ସେଥିରେ କଣ ଗୋଟାଏ ଟାଣି ଦେଇ ପୁଣି ଚାବି ଦେଇ ଛାଡ଼ି ଦେଲାରୁ ନଟୁରୁ ବାହାରିଲା ଟୁଂ ଟାଂ, ଟୁଂ ଟିଂ– ନାନା ପ୍ରକାରର ମିଠା ଶବ୍ଦ । ରାଜାର ଧୈର୍ଯ୍ୟ ରହିଲା ନାହିଁ । ବୁଲି ସାରିବା ଆଗରୁ ନଟୁଟା ଉଠେଇ ନେଇ ମାମୁକୁ ପଚାରିଲା– ‘‘କାହିଁ ମୁ ତ କଲାବେଳେ ଏମିତି ହଉ ନ ଥିଲା ?’’

 

‘‘ଏଥର ହବ । ତୁମେ ବୁଲାଅ ।’’

 

ଆସ୍ତେ ଆସ୍ତେ ଚାବି ଦେଇ ଛାଡ଼ିଦେଲା ରାଜା । ଫେର ସେଇ ଚାଇମିଂ । ଖୁସି ହୋଇ ନଟୁକୁ ଉଠେଇ ନେଇ ଦଉଡ଼ିଲା ରାଜା ହାଣ୍ଡିଶାଳକୁ, ମା ପାଖକୁ ।

 

ବୋଉ ଆସି ଠିଆ ହେଲେ ପିଣ୍ଡାରେ । ‘‘ଆଜି ଗୁରୁବାର ! ଲକ୍ଷ୍ମୀପୂଜା । ଆଇଁଷ ହୋଇନି । ଖାଇ ପାରିବୁନି ବୁଢ଼ା ?’’

 

‘‘ନିଶ୍ଚୟ ଖାଇ ପାରିବି ବୋଉ । ତୁ ଜାଣିନ୍ତୁ, ଖାଲି ପରିବା ଝୋଳ ଆଉ ପାଉଁରୁଟି ଖାଇ ମୁଁ ବର୍ଷଟାଏ ବଂଚିଛି, ଜାରମେନିର ସେଇ ଶୀତରେ ।’’

 

ବୋଉ ଖୁସି ହୋଇ ଚାଲିଗଲେ । ପଛରୁ ଡାକି ଶଙ୍କର କହିଲା– ‘‘ଟିକିଏ ଡେରିରେ ଖାଇବା ବୋଉ । ଗିନାଏ ଦୁଧସର ଜେଠେଇ ଗିଳେଇଛନ୍ତି ।’’

 

ହସିଲେ ବୋଉ । “ହଉ, ମୋ କାମ ତ ସରିନି । ଘଣ୍ଟାଏ ଖଣ୍ଡେ ଡେରି ହବ–’’

 

ମାମୁ କହିଲେ– ‘‘ସବୁ ତ ହେଲା, କିନ୍ତୁ ତୋର ଏଡ଼୍ ଭେନଚାରର ଗପଟା ଅଶୁଣା ରହିଲା ଯେ, କେତେବେଳେ ଶୁଣିବା ?

 

‘‘ଆପଣ କହନ୍ତୁ କେତେବେଳେ ଶୁଣିବେ ?’’

 

‘‘ଆଜି ରାତିରେ, ଖିଆଦିଆ ପରେ ।’’ ଚନ୍ଦ୍ରଶେଖର ପ୍ରସ୍ତାବ କଲା ।

 

‘‘ବେଶ ।” ଶଙ୍କର ରାଜି ହେଲା ।

 

ଗୋଟାଏ ସିଗ୍ରେଟ ଲଗେଇବା ଦରକାର । ଘର ଭିତରକୁ ଉଠିଗଲା ସେ ।

 

ଇତି ମଧ୍ୟରେ ତାର ଉପହାରଗୁଡ଼ା ଦୁଇ ହାତରେ ଧରି ଆସିଲା ରାଜା । ତା ପଛରେ ଉମା । ଦିହାତ ଖେଳନାରେ ଭର୍ତ୍ତି । ମାମୁ ଆଉ ସ୍ୱାମୀ ପାଖରେ ଠୁଳ କଲା । ‘‘ଭାଇନା ଆଣିଛନ୍ତି ରାଜା ପାଇଁ ।’’

 

“ରାଜା ପାଇଁ ଏତେ ଖେଳନା ।’’ ଉଠେଇ ନେଲା ଚନ୍ଦ୍ରଶେଖର ଗୋଟାଏ ଛବି ବହି । ମାମୁ ଉଠେଇଲେ ପେରିସକୋପ । ଶମ୍ଭୁ ଆଣି ଦେଖେଇଲା ତାର ଏଲବାମ ।

 

ଘର ଭିତରୁ ଡାକିଲା ଶଙ୍କର, ‘‘ବଣି ତୋର ପେଣ୍ଡୋରାସ ବକ୍‍ସ ଏଇଠି ଅଛି ।’’ ଶମ୍ଭୁ ଦଉଡ଼ିଗଲା ଭିତରକୁ । ଦୁଇ ଭାଇ ବାହାରି ଆସିଲେ । ଶମ୍ଭୁ ହାତରେ ଗୋଟାଏ କେବିନ ଟ୍ରାଙ୍କ, ସେଇ ସକାଳ ଭଳି । କିନ୍ତୁ ଅନ୍ୟ ରଙ୍ଗର । ଡାକରା ପଡ଼ିଲା ଉମାକୁ । ‘‘ଚାବି ଆଣ ଉମି ।’’

 

ବୋଉ ପାଖରୁ ଏଥର କେବଳ ଚାବି ଦିଟା ଆସିଲା । ଉଆଲେଟଟା ଉମା ଇଚ୍ଛା କରି ରଖି ଦେଇ ଆସିଲା । ନମ୍ବର ଦେଖି ଚାବିଟା ଦେଲା ଶଙ୍କର ଶମ୍ଭୁକୁ– ‘‘ଖୋଲ ବାକ୍‍ସଟା ।’’

 

ଶମ୍ଭୁ ସକାଳେ ବାକ୍‍ସ ଖୋଲା ଦେଖିଥିଲା– କିନ୍ତୁ ବୁଝିପାରି ନ ଥିଲା । ଉମା ତା ହାତରୁ ଚାବି ନେଇ ଖୋଲି ବସିଲା ବାକ୍‍ସ । ଶଙ୍କର ବତେଇ ଦେଲା ।

 

ଡାଲା ଖୋଲିବାରୁ ଦେଖା ଗଲା ଲୁଗାପଟାରେ ଭର୍ତ୍ତି ହୋଇଛି ।

 

ଉତ୍ସାହରେ ଠିଆ ହୋଇ ପଡ଼ିଲା ଉମା ।

 

‘‘କାଢ଼ ବି ଭାଇନା ଜିନିଷ ଗୁଡ଼ା ?’’

 

‘‘କାଢ଼ । ଆଣିଲା ତ ସେଇଥିଲାଗି ।”

 

କଢ଼ା ହେଲା ଜିନିଷ । ହରେକ ରକମ କନାର, ହରେକ କିସମର ସାର୍ଟ, ପୋଷାକ ପାଇଁ ଥାନ, ସରୁ ମୋଟା, ସାର୍ଜ ଆଉ ଟୁଇଡ଼, ପାମିରା ଆଉ ଟ୍ରପିକେଲ । ତା ତଳକୁ ଗୋଟାଏ ଛୋଟ ଟ୍ରାନସିସଟାର ରେଡ଼ିଓ, ଟେପ ରେକର୍ଡ଼ାର । ତା ପାଖକୁ ଥାକକୁ ଥାକ ସଜା ହୋଇଛି ନାଇଲନ ଆଉ ଉଲର ମୋଜା– ନାନା ରଙ୍ଗର । ତା ତଳକୁ ସ୍କାର୍ଫ, ଟୋପି, ଗୋଟାଏ ଲାଲ ରଙ୍ଗର କୋଟ– ବେକରେ ହାତରେ ନରମ ଲୋମ, ସିଲ୍‍କ ଛିଟ ଏମିତି କେତେ କଣ ? ଜମା ହୋଇଗଲା ଲୁଗାପଟା । ଶଙ୍କର ଦେଖିଲା ତା ଚାରିପାଖ ଘେରି ଠିଆ ହୋଇଛନ୍ତି, ଶମ୍ଭୁ, ବୋଉ, ରଜା, ସିଂଗ ଆଉ ସେଇ ଝିଅଟି, ତ୍ରସ୍ତା ହରିଣୀ ପରି ଯାର ଆଖି । ଶଙ୍କର ଆଖିରେ ଆଖି ପଡ଼ିବାରୁ ସେ ମୁହଁ ତଳକୁ କରି ମୁଣ୍ଡର ଲୁଗାଟା ଟାଣିଦେଲା କପାଳ ଉପରକୁ । ବିସ୍ମୃତିର ଅତଳ ଗହ୍ୱରରୁ ଏ ଆଖିର ପରିଚୟ ଖୋଜି ବୁଲିଲା ଶଙ୍କର ।

 

‘‘ଏ ଗୁଡ଼ା କଣ ସବୁ ତୁମର ? ପଚାରିଲା ଉମା । ଆଖି ଦିଟା ତାର ଆନନ୍ଦରେ ଉଜ୍ୱଳ-।’’

 

‘‘ନା ତ । ଏଗୁଡ଼ା ମୋର କାହିଁକି ହବ ?’’

 

‘‘ତାହେଲେ, କାହାର ?’’ ପ୍ରଶ୍ନ କଲା ଉମା ଗମ୍ଭୀର ହୋଇ ।

 

“ତୁମର ସମସ୍ତଙ୍କର ।’’

 

‘‘ଯାଃ,ଥଟ୍ଟା କରୁଛ ।” ଅବିଶ୍ୱାସର ହସ ଉମା ମୁହଁରେ ।

 

ସେଇ ଲାଲ ଫାରକୋର୍ଟଟା ଉଠେଇ ନେଇ ଠିଆ ହେଲା ଶଙ୍କର । ଉମାକୁ କହିଲା ଠିଆ ହବାକୁ । ପଛ ଆଡ଼ୁ ପିନ୍ଧେଇ ଦେଲା ସେ ଉମାକୁ । ରାଜା ହାତ ତାଳିଦେଇ କହିଲା, “କି ସୁନ୍ଦର ଦିଶୁଛି ମା ତୁମକୁ ।’’ ଲାଜରେ ଲାଲ ହୋଇ ଉମା ଚାହିଁଲା ଚନ୍ଦ୍ରଶେଖରକୁ । ତା ମୁହଁରେ ଅନୁରାଗର ହସ । ଆହୁରି ଲଜ୍ଜିତ ହୋଇ କୋଟଟାକୁ ଖୋଲିଦବାକୁ ଗଲାରୁ ଶଙ୍କର ବାଧା ଦେଲା, ‘‘ସେ କଥା ହବନି । ତୋ କୋଟ ତୁ ପିନ୍ଧିବୁ ।’’

 

ଭାଗ ହେଲା । ବଡ଼ ସାର୍ଟ ଗୁଡ଼ା ନେଲା ଚନ୍ଦ୍ରଶେଖର । ସାନଗୁଡ଼ା ନେଲା ଶମ୍ଭୁ । ଗରମ କନା ଦିଟା ବାଛିଦେଲା ବାପାଙ୍କ ପାଇଁ ଆଉ ମାମୁଙ୍କ ପାଇଁ । ଅନ୍ୟଗୁଡ଼ା ବାଣ୍ଟିଦେଲା ଭିଣେଇ ଓ ସାନଭାଇକୁ । ଗୋଟାଏ ମୋଟା ଟୁଇଡ଼ କନା ପାଇଲା ସିଂଗ ।

 

‘‘ମୁଁ ଏକୁ ନେଇ କଣ କରିବି, ଚଦର ।’’

 

‘‘ନାଇଁ ମ କୋଟ କରି ପିନ୍ଧିବୁ ।’’ ଶମ୍ଭୁ କହିଲା ।

 

‘‘କୋଟ ବନେଇବ କିଏ ?’’

 

‘‘ଦରଜି ।’’

 

‘‘ଇଲୋ ବାପାଲୋ । ପଇସା କାହିଁ ?’’

 

“ସେ କଥା ଯେ ଆଣିଛି ସେ ବୁଝିବ ।’’ ସିଂଗର କନାଟା ବୋଉ ନେଲେ, କୋଟ ତିଆରି କରିଦେବେ ।

 

ସୁଏଟାର ବାହାରିଲା । ବାପାଙ୍କର, ମାମୁଙ୍କର, ଶମ୍ଭୁର । ସିଂଗ ବି ପାଇଲା ଗୋଟାଏ । ହାତକୁ ନେଇ ପିନ୍ଧିଲା ବୁଢ଼ା । କହିଲା, “ହଁ ଏଇଟା ହେଲା । ତାତି ଉଠୁଛି ଜାମାରୁ ।’’ ହସ ହେଲା । ଗୋଟାଏ ମାଫଲାର ମଧ୍ୟ ମିଳିଲା ସିଂଗକୁ ! ବୁଢ଼ା ଖୁସି ହୋଇ କହିଲା, ‘‘କେତେ ନୁଗା ମୋ ପେଇଁ ଆଣିଛ ବୁଢ଼ା ବାବୁ ।’’

 

ସ୍କାର୍ଫ ତିନିଟା । ନାନା ରଙ୍ଗର ନାନା ପ୍ରକାର ସିଲକର ଛିଟ–ଛଟା । ଗୋଟାଏ ମୋଟା ସିଲ୍‍କର ଥାନରେ ସିଲେଇ ହୋଇଛି ଗାଢ଼ ଲାଲ ରଙ୍ଗର ସାଟିନର ଧଡ଼ି । ଉଠେଇ ନେଲା ଶଙ୍କର, ‘‘ଏଟା ବୋଉର ।’’

 

‘‘କିପର ଉମି, ଛିଟ ଚଳିବ ତ ତୋର । ସେଠିତ ଶାଢ଼ି ମିଳେନି ।’’

 

ବିମୁଗ୍‍ଧ କୃତଜ୍ଞ ଚିତ୍ତରେ ଚାହିଁଲା ଉମା ଭାଇନାକୁ । ଛଟା ଛିଟରୁ ଗୋଟାଏ ରଖି ବାକି ଗୁଡ଼ା ଉମାକୁ ଦେଇଦେଲା ଶଙ୍କର । “ଏଗୁଡ଼ା ତୋର ।’’

 

‘‘ଆଉ ସେଟା ?’’

 

‘‘ସ୍କାର୍ଫରୁ ଗୋଟାଏ ବୋଉର, ଗୋଟାଏ ଉମିର ।’’

 

‘‘ଆରଟା ?’’ ପୁଣି ପଚାରିଲା ଉମା ।

 

ସେଇ ସ୍କାର୍ଫ ଆଉ ଶାଢ଼ିକୁ ଆଣ୍ଠୁ ଉପରୁ ଉଠେଇ ନେଇ ବୋଉ ହାତରେ ଦେଇ ଶଙ୍କର କହିଲା, “ସଙ୍ଗାତ ମାଉସୀଙ୍କ ଝିଅ, କଣଟି ତା ନା, ତାକୁ ଦବୁ ଏଦିଟା ।’’

 

‘‘ମାନିର ଶାଢ଼ି କଣ ହବ ?’’

 

ହଠାତ ଶଙ୍କର ଅନୁଭବ କଲା, ବୋଉ ପଛରେ ଯେଉଁ ଝିଅଟି ଠିଆ ହୋଇଥିଲା, ସେ ତ୍ରସ୍ତପଦରେ ପଳେଇଲା ।

 

‘‘ତୁ ଜାଣିନୁ ବୁଢ଼ା’’ ଇଂରେଜୀରେ ମାମୁ କହିଲେ, “ସେ ବିଧବା ।’’

 

‘‘ବିଧବା !” ପ୍ରତିଧ୍ୱନି କରି ଉଠିଲା ଶଙ୍କର । ମୁହଁଟା ତାର ଏକ ମୁହୂର୍ତ୍ତ ପାଇଁ ବିବର୍ଣ୍ଣ ହୋଇଗଲା । ତା ପରେ ସମ୍ଭାଳି ନେଇ, ରାଜା ଆଡ଼କୁ ଘୂରି ବସି କହିଲା, ‘‘ମଜା ସରିନି ରାଜା ସାହେବ ।’’

 

ଡାଲାର ଜିପ ଟାଣି ଦେଲା ଶଙ୍କର ଏ ମୁଣ୍ଡରୁ ସେ ମୁଣ୍ତଯାକେ । ଖସି ପଡ଼ିଲା କାଉବୟ ପୋଷାକ, ଟୋପି, ପେଣ୍ଟ, ଯୋତା, ପେଟି, ପିସ୍ତଲ, ଛୋରା ଇତ୍ୟାଦି । ଟୋପିଟା ନେଇ ଲଗେଇ ଦେଲା ରାଜା ମୁଣ୍ଡରେ । ଧରେଇ ଦେଲା ପିସ୍ତଲ ଓ ଛୋରା ତାର ଦିହାତରେ । ସବୁ ଖେଳନା । ମନେ ହେଉଥାଏ ଯେମିତି ସତ । ଉମାର ଖୁସି ଆଉ ସୀମା ଭିତରେ ରହିଲା ନାହିଁ । ସେ ପୁଅକୁ ସଜେଇବାକୁ ବସିଗଲା ।

 

‘‘କାଉବୟ । କହ ରାଜା, କାଉବୟ ।’’

 

‘‘କାଉ ତ କାଉ, ଆଉ କଣ ମା, ବୟ, ପିଲା । ଯାଃ, କାଉ ପିଲା କଣ ମ ?’’ ନାପସନ୍ଦ କଲା କଥାଟାକୁ ରାଜା ।

 

ଏଇ ସମୟରେ ବାପା ଆସି ପହଞ୍ଚିଲେ । ‘‘କଣ ହଉଛି ଏଠି ?’’

 

ବୋଉ ଲୁଗାପଟା ସଜାଡ଼ୁ ସଜାଡ଼ୁ କହିଲେ, ‘‘ବୁଢ଼ା ଲୁଗାପଟା ଆଣିଛି ସମସ୍ତଙ୍କ ପାଇଁ । ଦେଖୁଥିଲେ ।’’

 

‘‘ତୁମର ଆସିଛି ତ ?’’ ହସି ପଚାରିଲେ ହେଡ଼ମାଷ୍ଟର ।

 

‘‘ହଁ ମୋ ପାଇଁ ଆସିଛି, ତୁମ ପାଇଁ ଆସିଛି, ସମସ୍ତଙ୍କ ପାଇଁ ଆଣିଛି ।’’

 

“ବେଶ ତ । ରଖି ଦିଅ, ପରେ ଦେଖିବା । ବେଳ କେତେ ହେଲାଣି, ଖିଆଲ ଅଛି ନା-?’’

 

‘‘ମୁଁ ଯାଉଛି ।’’

 

ହଠାତ ମା ପାଖରୁ ରାଜା ପାଟିକରି ଉଠିଲା, ‘‘ଅଜା ସାବଧାନ, ମୁଁ କାଉ ଆଉ କଣ ମା-?’’

 

‘‘ବୟ ।’’

 

‘‘ହଁ, ହଁ,– ମୁଁ କାଉବୟ । ଦେଖୁଛି ମୋର ଛୋରା । ମୋର ପିସ୍ତଲ ।’’ ତା ପରେ କଣ ଭାବି କହିଲା, ‘‘ସାହେବମାମୁ ପିସ୍ତଲର ଗୁଳି କାହିଁ ? “ଅଛି ପାଇବ ।’’

 

ଅଜା ତାକୁ କୋଡ଼କୁ ଟେକି ନେଲେ । ତାର ପିସ୍ତଲ ଆଉ ଛୋରା ଦେଖୁ ଦେଖୁ ଆଗେଇ ଗଲେ ଶୋଇବା ଘରକୁ ।

 

–ଆଠ–

 

ବଦହଜମର ହିକୁଟି ଡରରେ ସାଢ଼େ ଚାରିଟା ବେଳକୁ ବୁଲି ବାହାରିଲା ଶଙ୍କର । ପିନ୍ଧିଲା ଧୋତି, ପଞ୍ଜାବୀ, ସୁଏଟାର । ଗୋଡ଼ରେ ମୋକାସିନ । ଚନ୍ଦ୍ରଶେଖରକୁ ଡକେଇ ପଠେଇଲା ରାଜା ହାତରେ ।

 

‘‘ବୁଲିଯିବ ?’’ ପଚାରିଲା ଚନ୍ଦ୍ରଶେଖରକୁ ।

 

‘‘ଯିବି । ମିନିଟକ ଭିତରେ ଆସୁଛି ।’’

 

ଆଗେଇ ଚାଲିଲେ ଦିଜଣ ସୁନାଲି ଖରା ଭିତରେ, ନଈଆଡ଼େ, ନିର୍ଜନକୁ । ଗାଁରୁ ବାହାରି ଆସି ସିଗ୍ରେଟ କାଢ଼ିଲା ଶଙ୍କର– ସେଇ ଲମ୍ବା ଲମ୍ବା ପିପରମିଣ୍ଟ ସିଗ୍ରେଟ । ଗୋଟାଏ ଭିଣେଇକୁ ଦେଲା । ଅଗ୍ନି ସଂଯୋଗ କଲେ ଦିଜଣ । ସେଇ ଗାଁ ଆମ୍ବତୋଟା, କଇଁପୁଖୁରି । ଗଣେଶ ପୂଜାରେ କଇଁ ତୋଳିଛି ସେ କେତେଥର ଏଠି ଛାତିଏ ପାଣିକୁ ଯାଇ । ଥରେ ବୁଡ଼ି ଯାଉଥିଲା– ତାକୁ ଟାଣି ଆଣିଥିଲା ସିଂଗ । ବୋଉଠୁଁ ଗାଳି ଖାଇଥିଲା । ସେଇ ଉଞ୍ଚ ମାଟିସ୍ତୂପଟା । ସେଠିପରା ଗୋଟାଏ ମନ୍ଦିର ଥିଲା– ପୋତି ହୋଇ ଯାଇଛି । ପାରେଇଗଲେ ସେମାନେ ସେଇ ସ୍ତୂପଟା । ଏଣୁ ତେଣୁ ଗଛରେ ସ୍ତୂପଟା ଭର୍ତ୍ତି । ଦେଖିଲା ଶଙ୍କର–ଦୂରରେ ଶମ୍ଭୁ ଓ ତାର ସାଙ୍ଗ ବସିଛନ୍ତି ଗୋଟାଏ ପଡ଼ିଯାଇଥିବା ନଡ଼ିଆ ଗଛ ଉପରେ । ଶମ୍ଭୁ ତାର ନୂଆ ପୋଷାକ ପିନ୍ଧିଛି । କାନ୍ଧରୁ ଝୁଲୁଛି ସେଇ ଟ୍ରାନରିସଟାରଟା, ସେଥିରୁ ସଂଗୀତ ବାହାରୁଛି ।

 

ନଈକୂଳରେ ପହଞ୍ଚିଗଲେ । କାଠଯୋଡ଼ି । ଦୁର୍ଦ୍ଦାନ୍ତ କନ୍ୟା ଏ ମହାନଦୀର– କହିଲା ଚନ୍ଦ୍ରଶେଖର । ସେ ସେଚକ ବିଭାଗର ଏନଜିନିୟର । ବନ୍ୟାବେଳେ କାମ କରିଛି, ଜୀବନକୁ ହାତମୁଠାରେ ଧରି । ଟିକିଏ ଆଗେଇ ଯାଇ ଦେଖିଲେ, ଗୁଡ଼ାଏ ପଥର ଜମା ହୋଇଛି । ବୋଧହୁଏ ପୂର୍ତ୍ତବିଭାଗର । ପଥର ଉପରେ ବସିଲେ ଦିଜଣ । ସୂର୍ଯ୍ୟାସ୍ତ ହୋଇ ଆସୁଛି । ପଶ୍ଚିମ ଆକାଶଟା କି ଭୀଷଣ ଲାଲ । ମୁଗ୍‍ଧ ହୋଇ ଦେଖୁଥାଏ ଶଙ୍କର ।

 

‘‘ତୁମେ କଣ ମାନି କଥା ଜାଣି ନ ଥିଲ ?’’ ହଠାତ୍ ପ୍ରଶ୍ନ କଲା ଚନ୍ଦ୍ରଶେଖର ।

 

ପୃଥିବୀକୁ ଫେରି ଆସିଲା ଶଙ୍କର– ‘‘ଉଁ କଣ କହିଲ ?’’

 

‘‘ମାନି କଥା, ତୁମେ କଣ ଜାଣି ନ ଥିଲ ?’’

 

‘‘ନା, କାହାରି ସାଙ୍ଗରେ ମୋର ସଂପର୍କ ନ ଥିଲା । ସେ କଥା ତ ତୁମେ ଜାଣ ? ତୁମେ ତ ଶୁଣିବ ସବୁ କଥା ଆଜି ।’’

 

‘‘ନା, ମୁଁ ସେ କଥା କହୁନି । ମାନିର କଥା, ମାନେ ବଡ଼ ଦୁର୍ଭାଗ୍ୟ ଝିଅଟାର । ତାର ଆଉ ଉମାର ବାହାଘର ଏକାଦିନେ ହୋଇଥିଲା ।’’

 

‘‘ହୁଁ ।’’ ଶଙ୍କର କଣ୍ଠଶବ୍ଦ କଲା ।

 

‘‘ବାହାଘର ପରେ ମୁଁ ଚାଲିଗଲି ବାର୍ମିଂହାମ । ଦି’ ବର୍ଷ ପରେ ଫେରିଆସି ଶୁଣିଲି, ଝିଅଟା ବିଧବା ହୋଇଛି ।’’

 

‘‘କେମିତି ?’’ ପ୍ରଶ୍ନ କଲା ଶଙ୍କର ।

 

‘‘ମାନି ବାହା ହୋଇଥିଲା କଉଁ ଗାଁର ଗୋଟାଏ ପିଲାକୁ । ସେଇ ବର୍ଷ ମେଟ୍ରିକ ପାଶ କରି ଏନଜିନିୟରିଂ ସ୍କୁଲରେ ନାମ ଲେଖାଇଥାଏ । ତାକୁ ସେତେବେଳେ ଷୋଳ, ସତର ବର୍ଷ । ମାନିକୁ ସେତେବେଳେ କେତେ ହେବ ? ଉମା ବୟସୀ ତ ସେ, ଧର ତେର ବର୍ଷ । ଦୁଇମାସ ପରେ ଖବର ଆସିଲା, ଆନିକଟ ତଳେ ଗାଧୋଇବାକୁ ଯାଇ ସେ ପିଲାଟା ବୁଡ଼ି ଯାଇଛି । ଅନେକ ଖୋଜାଖୋଜି ହେଲା । ତାର ଶବ ପର୍ଯ୍ୟନ୍ତ ମିଳିଲା ନାହିଁ ।

 

‘‘ଏ ଖବର ତୁମେ କଉଠୁ ଜାଣିଲ ?’’

 

‘‘ଉମାଠୁ ।’’

 

‘‘ହୁଁ ।’’

 

‘‘ଉମା କହୁଥିଲା–’’

 

“କଣ କହୁଥିଲା ?’’ ତଳୁ ଗୋଟାଏ ଘାସ ଛିଣ୍ଡେଇ ଆଣି ଦାନ୍ତରେ କାଟୁ କାଟୁ ପଚାରିଲା ଶଙ୍କର ।

 

‘‘ମାନିର ବୋଉ ଆଉ ତୁମ ବୋଉ ଏକା ଗାଁର ଝିଅ । ମାନି ବୋଉଙ୍କର ସ୍ୱପ୍ନ ଥିଲା ତାଙ୍କର ଏକମାତ୍ର ସନ୍ତାନକୁ ତୁମ ବୋଉ ବୋହୂ କରି ଆଣିବେ ।’’

 

‘‘ତୁମେ କେମିତି ଜାଣିଲ ?’’ ପୁଣି ସେଇ ପ୍ରଶ୍ନ ଶଙ୍କର ମୁହଁରେ ।

 

‘‘ଉମାଠୁଁ ଶୁଣିଛି । ଆହୁରି ଶୁଣିଛି–

 

‘‘କୁହ’’

 

‘‘ତୁମ ବୋଉ ସଂଙ୍ଗାତଙ୍କ ଏଇ ଆଶାକୁ ଉତ୍ସାହ ଦଉଥିଲେ ।’’

 

‘‘କାହା ମନରେ କି ଆଶା ଆକାଂକ୍ଷା ଥିଲା, କିଏ କଣ ସ୍ୱପ୍ନ ଦେଖୁଥିଲା, ତାକୁ ଫଳବତୀ କରିବାକୁ ମୁ ଏଠି ନ ଥିଲି ଚନ୍ଦ୍ରଶେଖର । ତୁମେ ଯେଉଁ ସମୟଟା କହୁଛ, ମୁ ସେତେବେଳେ ଷ୍ଟକହୋମରେ ।’’

 

‘‘ମାନି ସାଙ୍ଗରେ ତୁମର ଦେଖା ହେଲାଣି ?’’

 

‘‘ନା ।’’

 

‘‘ସେ ତ ତୁମ ଘରେ ପ୍ରାୟ ସବୁବେଳେ ରହୁଛି । ଉମା ଆଉ ସେ–’’

 

‘‘ଓହୋ ସେଇ ଝିଅଟି ତାହେଲେ ?’’ ଶଙ୍କର ଏତେବେଳେ ଧରି ପାରିଲା । ସେଇ ହରିଣୀନୟନା ତାହେଲେ ମାନି ।

 

“ହଁ ରନ୍ଧା ବଢ଼ାରେ ସେଇ ତ ଉମାକୁ ସାହାଯ୍ୟ କରୁଛି । ତାକୁ ଦେଖିଲେ ଭାରି ଦୁଃଖ ଲାଗେ ।’’

 

‘‘ଦେଖ ଚନ୍ଦ୍ରଶେଖର । ମୁଁ କଟକରେ ପଢ଼ୁଥିବାବେଳେ ଜଣେ ଭଦ୍ରଲୋକଙ୍କର ସଂସ୍ପର୍ଶରେ ଆସିଥିଲି । ଏଭଳି ଝିଅମାନଙ୍କୁ ସେ କହୁଥିଲେ, ବିବରା । ଏମିତି ଅବସ୍ଥାରେ ଅନେକ ଝିଅଙ୍କୁ ସେ ବାହାକରି ଦେଇଥିଲେ । ତଥାପି ମାନି କାହିଁକି ବାହା ହୋଇ ପାରିଲାନି ଆଉଥରେ ?’’

 

‘‘ହୁଏତ, ସାମାଜିକ ବାଧା ।’’

 

ଚନ୍ଦ୍ରଶେଖରର ମୁହଁକୁ ଚାହିଁଲା ଶଙ୍କର– ‘‘ଏଇ ସମାଜକୁ ତୁମେ ସମାଜ କହୁଛ ।’’

 

‘‘ମୁ କହିବା ନ କହିବା ସାଙ୍ଗରେ କିଛି ଯାଏ ଆସେ ନି ।’’

 

‘‘ଆଜି ବଡ଼ବାପା ମୋତେ ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।’’

 

‘‘ଖୁବ୍‍ ସ୍ଵାଭାବିକ ।’’

 

‘‘ତୁମେ ଏକୁ ସମର୍ଥନ କର ?’’

 

‘‘ନା ।’’

 

‘‘ତାହେଲେ ।’’ ମୁହଁରୁ ଅନର୍ଗଳ ଇଂରାଜୀ ବାହାରିଲା ଶଙ୍କରର ।’’

 

‘‘ମରିବାକୁ ଆଉ ଛ ମାସ କି ବର୍ଷେ ଅଛି । ବାତରେ ଚଳତଶକ୍ତି ରହିତ । ସାଇଲକଠାରୁ ଆହୁରି କୃପଣ ଏଇ ଅଥର୍ବ ବୃଦ୍ଧ, ନିଜର ସୁନାର ପ୍ରତିମା ଝିଅକୁ ପେତ୍ନୀକରି ରଖିଛି, ଚନ୍ଦ୍ରଶେଖର । ତାର ଅନ୍ୟାୟ ହୁକୁମ ଆଉ ଯିଏ ମାନୁ, ଶଙ୍କର ଶତପଥୀ ମାନିବ ନାହିଁ । ଉଠ, ଆଲୁଅ କମି ଆସୁଛି ।’’

 

ଗାଁ ମୁଣ୍ଡରେ ମାମୁଙ୍କ ସାଙ୍ଗରେ ଦେଖାହେଲା । ହାତରେ ଡାକ୍ତରୀ ବେଗ୍ ।

 

‘‘କଣ ହେଲାକି ? କୁଆଡ଼େ ଯାଇଥିଲେ ମାମୁ ?’’ ଶଙ୍କର ପଚାରିଲା ।

 

‘‘ଏଇ ସାହି ଭିତରକୁ । ରାମ ତରେଇର ପିଲାଟାର ଟାଇଫଏଡ଼ । ଏକ ମୂର୍ଖ ତାକୁ କୁଇନିନ ଗିଳଉଛି ।’’

 

‘‘କେମିତି ଦେଖିଲେ ? ଚନ୍ଦ୍ରଶେଖର ପଚାରିଲା ।’’

 

‘‘କଟକ ନେଇ ଯିବାକୁ କହି ଆସିଲି । ଗୋଳମାଳିଆ କେଶ । ଏଇ ଅପରିଷ୍କାର ପରିବେଶରେ ତାର କି ଚିକିତ୍ସା ହେବ ? ତା ବାପଟା ବି ଗରିବ । ଗାଡ଼ିବାଲାକୁ ପଇସା ଦବାର ସମ୍ବଳ ନାହିଁ ।’’

 

“ତାହେଲେ ସେ କଟକ ଯିବ କେମିତି ?’’

 

“ଭଡ଼ାଟା ଦବକୁ ହେଲା ।’’

 

ହସି ଉଠିଲେ ଶଙ୍କର ଓ ଚନ୍ଦ୍ରଶେଖର । ଭଲ ଡାକ୍ତରୀ କରୁଛନ୍ତି ମାମୁ !

 

‘‘ଏଇଆ ତ କରିଛି ଜୀବନସାରା ।’’ ମାମୁ ବି ହସିଲେ ।

 

ଘରେ ପହଞ୍ଚିଲା ବେଳକୁ ଶଙ୍ଖନାଦ ହେଉଛି । ଶଙ୍କର ଦେଖିଲା କାନିଟାକୁ ଗଳଲଗ୍ନ କରି ଉମା ଚଉରା ପାଖରେ ଦୀପ ଦଉଛି । ଅଦୂରରେ ଠିଆ ହୋଇ ଶଙ୍ଖ ଫୁଙ୍କୁଛି ମାନି । ଶଙ୍କର ଆଖିରେ ଆଖି ପଡ଼ିବାରୁ ମାନି ଟିକିଏ ହସି ସେ ସ୍ଥାନ ତ୍ୟାଗକଲା । ଉମା ପ୍ରଣାମ କରି ଉଠି ମାନିର ଚାଲିଯିବାଟାକୁ ଲକ୍ଷ୍ୟକରି ମୁହଁ ବୁଲେଇ ଦେଖିଲା ତା ଭାଇନା ପିଣ୍ଡାରେ ଠିଆ ହୋଇଛି ।

 

‘‘କଣ ଭାଇନା ?’’

 

‘‘ସେ କିଏ ?’’

 

‘‘ଚିହ୍ନି ପାରିଲନି ? ମାନି ।’’ ହସି କହିଲା ଉମା ।

 

ଫେରି ଆସିଲା ଶଙ୍କର ଦାଣ୍ଡ ଘରକୁ । ମାମୁ ଓ ଚନ୍ଦ୍ରଶେଖର ବସି ଗପ କରୁଛନ୍ତି ଜନସ୍ୱାସ୍ଥ୍ୟ ବିଷୟରେ । ଶଙ୍କରର ସେଥିରେ ଭାଗ ନବାର କିଛି ନାହିଁ । ସେ ଫେରି ଆସିଲା ତା ଘରକୁ । ଯୋତା ଖୋଲି ଚଟିରେ ଗୋଡ଼ ଗଳେଇ ଫଟର ଫଟର କରି ଚାଲିଲି ସେ ହାଣ୍ଡିଶାଳକୁ । ଦେଖିଲା ଉମା ଗୋଟାଏ ଡିବା ଖୋଲୁଛି ।

 

‘‘କିରେ ଉମି, କଫି ମିଳିବ ?’’

 

‘‘ନିଶ୍ଚୟ ମିଳିବ ! ପାଣି ବସେଇଲେ ହେଲା ।’’

 

‘‘ସବୁ କଫି କରିବୁନି– ତୋର ମିଷ୍ଟାର ତ ଚା ଭକ୍ତ ।’’

 

ଗୋଟାଏ ପିଢ଼ା ଟାଣି ସେଇଠି ଉମା ପାଖରେ ବସି ପଡ଼ିଲା ଶଙ୍କର ।

 

‘‘ବୋଉ କାହିଁରେ ଉମି ?’’

 

‘‘ଠାକୁର ଘରେ ।’’

 

‘‘ତୁ ଏକା ପାରିବୁ ତ, ନା ମୁ ସାହାଯ୍ୟ କରିବି ।’’

 

‘‘ତୁମେ ମୋତେ ସାହାଯ୍ୟ କରିବ, କଫି କରିବାକୁ ?’’ ବଡ଼ ବଡ଼ ଆଖି କରି ତା ଆଡ଼କୁ ଅନେଇଲା ଉମା । କି କଥା କହୁଛି ଭାଇନା !

 

‘‘ସତରେ ମୁ ଖୁବ ଭଲ କଫି କରିପାରେଁ । ଜାଣୁ– ?’’

 

‘‘ଥାଉ, ତୁମେ ନିଶ୍ଚୟ ପାରୁଥିବ । ତୁମେ ଉଠିଲ ସେଠୁ । ତୁମ ଘରକୁ ଯାଅ । ଠିକ୍ ସମୟରେ କଫି ପହଞ୍ଚିବ ତୁମ ହାତ ପାଖରେ ।’’

 

‘‘ତୁ ମୋତେ ତଡ଼ୁଛୁ, କାହିଁକିରେ ?’’ ହସିଲା ଶଙ୍କର ।

 

‘‘ତଡ଼ିବି କାହିଁକି ? କହୁଥିଲି ସେ ବିଚାରି କବାଟ କଣରେ ଲୁଚିଛି ।’’

 

‘‘କିଏ ?’’ ପଚାରିଲା ଶଙ୍କର । ସ୍ୱଳ୍ପା ଲୋକରେ ଦେଖିଲା ଗୋଟାଏ ଶାଢ଼ିର କେତେକାଂଶ ହାଣ୍ଡିଶାଳରୁ ଦିଶୁଛି ।

 

‘‘ମାନି ।’’ ହସି ଉତ୍ତର ଦେଲା ଉମା ।

 

‘‘ଓ: ତା ସେ କଣ କଫି କରି ଜାଣେ ?’’

 

‘‘ନା, ମୁ କରିବି ।’’

 

‘‘ଠିକ କରି ପାରିବୁ ତ ?’’

 

“ଦେଖନା ।’’

 

ଉଠି ଠିଆ ହେଲା ଶଙ୍କର ।

 

‘‘ଆଉ କଣ ଖାଇବ କୁହ ? ଟୋଷ୍ଟ ?’’

 

ଅବିଶ୍ୱାସର ଦୃଷ୍ଟି ଶଙ୍କର ଆଖିରେ ।

 

‘‘ପରିଜ ?’’ ଉମା ସେମିତି ହସୁଥାଏ ।

Unknown

 

‘‘ଥଟ୍ଟା କରୁଛୁ ?’’

 

‘‘ବିଶ୍ୱାସ ହଉନି ଭାଇନା ।’’ ପଛ ଆଡ଼ର ଜାଲ ଆଲମାରି ଖୋଲିଲା ଉମା । କାଢ଼ି ଆଣିଲା ଟିଣ ପରେ ଟିଣ– କଫି, ଚା, ଦୁଧ, ଲହୁଣୀ, ଓଟ୍, ପାଉଁରୁଟି ମଧ୍ୟ ବାହାରିଲା ଦିଟା ।

 

‘‘କିଏ ଆଣିଲା ?’’ ଖୁସି ହୋଇ ପଚାରିଲା ଶଙ୍କର ।

 

‘‘ଆଉ କିଏ । ସ୍ଵୟଂ ଡ୍ରାଇଭର ।’’ ହସିଲା ଉମା । କହିବା ନିଷ୍ପ୍ରୟୋଜନ ଏଇ ଡ୍ରାଇଭରଟି ଚନ୍ଦ୍ରଶେଖର ।

 

ଚଟିରେ ଗୋଡ଼ ଗଳଉ ଗଳଉ କହିଲା ଶଙ୍କର– ‘‘ତୁମେ ସବୁ ମୋତେ ଗୋଟାଏ ଅଦଭୁତ ଜୀବ ବୋଲି ଭାବୁଛ, ନାରେ ?’’

 

‘‘ଉହୁଁ– ତୁମେ ତ ୟାଙ୍କି ।’’

 

ହସି ଉଠିଲେ ଭାଇ ଭଉଣୀ । ଶଙ୍କରର ସେଇ ଘରଫଟା ହସ ।

 

‘‘କାଲି ବ୍ରେକଫାଷ୍ଟ ପୁରା ବିଲାତି ଢଙ୍ଗରେ ।’’

 

‘‘ଥେଙ୍କ ଇଉ’’ ।

 

ଚୁଟି ଫଟର ଫାଟର କରି ଫେରି ଆସିଲା ଶଙ୍କର ଦାଣ୍ଡ ଘରକୁ ।

 

–ନଅ–

 

ଶଙ୍କରର ଗଳ୍ପ ଶୁଣିବାକୁ ଜଲଦି ଖିଆପିଆ ସାରି ସମସ୍ତେ ଆସି ଯୁଟିଲେ ବାପାଙ୍କ ଶୋଇବା ଘରେ । ବାପା ଶୋଇଲେ ଘୋଡିଘାଡ଼ି ହୋଇ । ଶମ୍ଭୁ ବସିଲା ତାଙ୍କ ଗୋଡ଼ ପାଖରେ, ଖଟ ଉପରେ । ଉମା ଶୋଇଲା ତା ପୁଅକୁ ନେଇ ବୋଉ ଖଟରେ । ତଳେ ଗୋଟିଏ ବଡ଼ ସତରଞ୍ଜି ପକାଇ ବସିଲେ ମାମୁ ଚନ୍ଦ୍ରଶେଖର ଆଉ ଶଙ୍କର । ତା ବୋଉ ବସିଲେ ଶଙ୍କର ପାଖକୁ । ପାନବଟା ଆଣି ପାନଭାଙ୍ଗି ବସିଲେ ।

 

‘‘ତୁମେ ତ ସବୁ ଜାଣ ମୋତେ କଲେଜରୁ କାହିଁକି ବାହାର କରିଦିଆଗଲା ?’’ ଆରମ୍ଭ କଲା ଶଙ୍କର ।

 

‘‘ଭୁଲରେ ।’’ ବାପା କହିଲେ ।

 

‘‘ଭୁଲରେ ?’’ ବିସ୍ମୟରେ ପାଟିକରି ଉଠିଲା ଶଙ୍କର ।

 

‘‘ହଁ ଭୁଲରେ ।’’ ବାପା କହିଲେ । ‘‘ଯଉଁ ପିଲ ବାଣ ମାରିଥିଲା, ସେ ଆଉଜଣେ, ତୁ ନୋହୁଁ । ତୋ ଉପର କ୍ଲାସର ପିଲା, ଡ଼େ ସ୍କୁଲର । ଚେହେରାଟା କିନ୍ତୁ ଅନେକଟା ତୋରି ପରି । ସେଥିଲାଗି ଭୁଲଟା ହେଲା । କିନ୍ତୁ ଭୁଲର ସଂଶୋଧନ ହୋଇ ପାରିଲାନି । ତୁ ସେତେବେଳକୁ ନିରୁଦ୍ଦିଷ୍ଟ ।’’

 

‘‘କେମିତି ଜାଣିଲେ ବାପା ?’’

 

‘‘ମୁଁ ଯାଇ ଡି: ପି: ଆଇଙ୍କୁ ଦେଖାକଲି । ତୋର ସେଇ କେମିଷ୍ଟ୍ରି-ପ୍ରଫେସର ଗନ୍ତାୟତ, ଭାରି ଟାଣୁଆ ଲୋକ । ସେ ଥିଲେ ସାଙ୍ଗରେ । ଡି: ପି: ଆଇ: ସବୁ ଶୁଣିଲେ । ପୁଣି ଅନୁସନ୍ଧାନ ହେଲା । ଏଥର ପୁଲିସ୍ କଲା । ପ୍ରକୃତ ଦୋଷୀ ଧରା ପଡ଼ିଲା । ସେ ପିଲାଟି ଗୋଟିଏ ମୁସଲମାନ ପିଲା– କଟକ ସହରର । କିନ୍ତୁ ତା ବିରୁଦ୍ଧରେ ଆଉ କିଛି କରିବାର ଉପାୟ ନ ଥିଲା ।’’

 

ଗୋଟାଏ ଢୋକ ଗିଳିଲା ଶଙ୍କର । ପୁଣି ଆରମ୍ଭ, କଲା– (...) “କଲେଜରୁ ପଳେଇ ଆସି ପହଞ୍ଚିଲି ଷ୍ଟେସନରେ । ଗୋଟାଏ କଣ ଗାଡ଼ି ଆସୁଛି, ଘଣ୍ଟା ପଡ଼ିଲା । ପଚାରିଲି କି ଗାଡ଼ି ? କିଏ ଜଣେ କହିଲା କଲିକତା ପେସେଞ୍ଜର । ଟିକଟ କଉଠି ମିଳିବ ? ଦଉଡ଼ିଲି ଟିକିଟ ପାଇଁ । ବହୁ କଷ୍ଟରେ ଟିକଟ ମିଳିଲା । ଗାଡ଼ି ଚଢ଼ିଲି । ଥାର୍ଡ କ୍ଲାସ । ଯୁଦ୍ଧ ବେଳର ଗାଡ଼ି । ଅନୁମାନ କର କି ଅବସ୍ଥା । ଭଦ୍ରକ ବୋଧହୁଏ ଷ୍ଟେସନଟା– ତା ପରେ ଅନ୍ଧାର ହୋଇଗଲା । ଗାଡ଼ିରେ ଆଲୁଅ ନ ଥାଏ ।’’

 

‘‘ମୋ ପାଖରେ ଯେଉଁ ଲୋକଟା ବସିଥାଏ– ସେ ଭୀଷଣ ମଦ ଖାଇଥାଏ । ତାର ସାଗୁଆ ପୋଷାକରୁ ବୁଝିଲି ସେ ସୈନ୍ୟ ବିଭାଗର ଲୋକ । କୁଆଡ଼େ ଯିବ କି ବାବୁ ? ପଚାରିଲା ଲୋକଟା । ଦକ୍ଷିଣର ଲୋକ । ତ୍ରିପଣ୍ତ କଳା, ନିଶଗୁଡ଼ାକ ମୋଟା ମୋଟା, ଆଖି ଦିଟା ଲାଲ । କହିଲି କଲିକତା ଯାଉଛି । ପୁଣି ପ୍ରଶ୍ନ ହେଲା, ଥାଅ କଉଠି ? କଣ କର ସେଠି ? ଇତ୍ୟାଦି । କଲିକତା ବିଷୟରେ ମୋର ଜ୍ଞାନ ସୀମାବଦ୍ଧ । ଖାଲି ଜାଣିଥାଏ ଓଡ଼ିଆମାନେ ବଉବଜାର ଆଉ ନେବୁତଲାରେ ଥାନ୍ତି । କହିଲି ନେବୁତଲାରେ ।’’

 

‘‘ବାଲେଶ୍ୱର ଷ୍ଟେସନରେ ଗୋଟାଏ ମିଠେଇବାଲାକୁ ଡାକିଲା ସେଇ ସୈନିକ । କିଣିଲା ପୁରି, ତରକାରି, ମିଠା । ମୋତେ କିଛି ଦେଲା । ତା ପରେ କହିଲା ପଇସା ଦେଇ ଦିଅ । ମୋର କୁଣ୍ଠା ଦେଖି ଧମକ ଦେଲା– ପଇସା କାଢ଼ ହେ । ଦିଅ ତାକୁ । ବାଧ୍ୟ ହୋଇ ଦେଲି । ଖାଇସାରି ବସିଲୁ ସେଇ ଅନ୍ଧାରରେ । ଦଳେ ଯାତ୍ରୀ ଚିଲମ କାଢ଼ିଲେ । ଚାଲିଲା ଖଞ୍ଜଣି । ତା ଭିତରେ ମୋର କେତେବେଳେ ନିଦ ହୋଇ ଯାଇଛି ସେମିତି ବସି ବସି । ହଠାତ୍ ଖିଆଲ ହେଲା, ମୋ ପକେଟରେ କିଏ ହାତ ଗଳଉଛି । ନିଦ ଭାଙ୍ଗିଗଲା, ଅନେଇ ଦେଖେଁ ସେଇ ଲୋକଟା । ସେ ମୁହଁ ବୁଲେଇ ନେଲା । ପକେଟରେ ହାତ ମାରି ଦେଖିଲି ପଇସା ନେଇ ଯାଇଛି । ଅଣ୍ଟିରେ ରଖିଥିଲି ଟଙ୍କା ଓ ଟିକଟ । ଦେଖିଲି ଠିକ୍ ଅଛି । କାହାରିକି କିଛି ନ କହି ସାବଧାନ ହୋଇ ବସି ରହିଲି । ରାତି ପ୍ରାୟ ସାଢ଼େ ତିନିଟାବେଳକୁ ଗାଡ଼ି ହାଓଡ଼ା ଷ୍ଟେସନରେ ପହଞ୍ଚିଲା । ଉଃ, କେତେ ଲୋକ । ଯୁଦ୍ଧ ଯୋଗୁ ଷ୍ଟେସନ ଅନ୍ଧାର । ମଝିରେ ମଝିରେ ଗୋଟାଏ ଗୋଟାଏ ଆଲୁଅ । ଟିକଟ ଦେଇ ବାହାରକୁ ଆସିଲି । ବିରାଟ ଷ୍ଟେସନ । ଲୋକ ଘୋ ଘୋ କରୁଛନ୍ତି । ଗୋଟାଏ କାନ୍ଥରେ ତୀର ଚିହ୍ନ ଦେଇ ଲେଖା ହୋଇଥାଏ, ତୃତୀୟ ଶ୍ରେଣୀର ବିଶ୍ରାମଗାର । ସେ ପଟେ ଚାଲିଲି, ବସିଲି ଯାଇ ଗୋଟାଏ ବେଞ୍ଚରେ ।

 

‘‘ସକାଳ ହେଲାରୁ ବାହାରି ପଡ଼ିଲି ରାସ୍ତାକୁ । ସାମନାରେ ହୁଗୁଳି ନଦୀ । ପୋଲଟା ଦୈତ୍ୟ ଭଳି ମନେ ହେଲା । ଅନେକ ବାସ ଠିଆ ହୋଇଛି ଧାଡ଼ି ଧାଡ଼ି ହୋଇ । ଗାଡ଼ି ସବୁ ଆସୁଛି, ଏପଟୁ ସେପଟୁ । କଣ କରିବି ଭାବୁଛି । ଜଣେ ଭଦ୍ରଲୋକ ମୋତେ ଦେଖି ସନ୍ଦେହ କଲେ ବୋଧହୁଏ । ପାଖକୁ ଆସି ପଚାରିଲେ, କଲିକତାକୁ ନୂଆ ଆସିଛ କି ବାବୁ ? ଓଡ଼ିଆରେ ପ୍ରଶ୍ନ । ଆଶାନ୍ୱିତ ହେଲି । କହିଲି ହଁ ।

 

କୁଆଡ଼େ ଯିବ ।

 

ଜାଣେନି ।

 

ଘରୁ ପଳେଇ ଆସିଛ ?

 

ଏଁ, ନା, ହଁ ।

 

ଘର କଉଠି ?

 

କଟକ ଜିଲ୍ଲା ।

 

ନାଁ କଣ ?

 

କହିଲି

 

ଆଚ୍ଛା ଆସ ମୋ ସାଙ୍ଗରେ । ଯୁଦ୍ଧବେଳ । କଲିକତା ସହର । ଏଠି ତଣ୍ଟି କାଟିବାକୁ ହଜାର ହଜାର ଲୋକ ବୁଲୁଛନ୍ତି । ପଇସାପତ୍ର କିଛି ଅଛି ? ମୁଣ୍ତହଲେଇ ମନାକଲି ।

 

‘‘ଦିଜଣ ଯାଇ ବସିଲୁ ଗୋଟାଏ ବାସରେ । ପୋଲ ଉପରେ ପଡ଼ିଲା ବାସ । ଟ୍ରାମ ଦେଖିଲି । ତା ପରେ ସହର ଭିତରକୁ ପଶିଲା ବାସ । ଦି ପାଖରେ ବିରାଟ ବିରାଟ କୋଠା । କିଛି ଦୂର ଯିବାପରେ ଆମେ ଦିଜଣ ଓହ୍ଲେଇ ଗଲୁ । ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଥାଏଁ ।

 

‘‘ଗୋଟାଏ ଦୋତାଲା ଘର ଆଗରେ ମୋତେ ଠିଆ କରିଦେଇ ସେ ପଶିଲେ ଘରକୁ । କିଛି ସମୟପରେ ବାହାରି ଆସି କହିଲେ– ଆସ । ବାବୁ ଡାକୁଛନ୍ତି । କିଏ ବାବୁ, କାହିଁକି ଡାକୁଛନ୍ତି, କିଛି ଠିକ୍ କରି ନ, ପାରି ଚାଲିଲି ସାଙ୍ଗରେ । ସିଡ଼ି ଚଢ଼ି ଦୋତାଲାକୁ ଗଲୁଁ ଦିଜଣ । ଗୋଟାଏ ବଡ଼ ଘରେ ଗଦି ପଡ଼ିଛି । ଜଣେ ବୁଢ଼ା ବସି ହୁକ୍‍କା ଟାଣୁଛନ୍ତି । ମୋତେ ଦେଖି ଓଡ଼ିଆରେ, ପଚାରି ବୁଝିଲେ ସବୁ କଥା । ଶେଷରେ କହିଲେ, ନକୁଳ ଏଇ ପିଲାକୁ ଜେଟିରେ କାମ ଦେ । କଣ୍ଡରିଆ ଚୋରି କରୁଛି । ତାକୁ ସେଠୁ କାଢ଼ିଦେ । ସକାଳ ସନ୍ଧ୍ୟାରେ ହାଜିରା ନବ ଆଉ ପେଟି ଗଣିବ । ତୋରି ପାଖରେ ଏଇଖିଣି ଥାଉ । ହପ୍ତାକୁ ମଜୁରୀ ପନ୍ଦର ଟଙ୍କା ।

 

‘‘ଗୋଟାଏ ଅବଲମ୍ବନ ମିଳିଲା । ଚାଲିଲି ନକୁଳ ସାଙ୍ଗରେ ତା ବସକୁ । ଏକ ବସ୍ତି ଭିତରେ ନକୁଳର ବସା । ଟିଣ ଘର । ଗୋଦାମ ଥିଲା ବୋଧହୁଏ । ବାଉଁଶର ଭାଡ଼ି ସବୁ କରାଯାଇଛି । ଅନେକଗୁଡ଼ାଏ ଓଡ଼ିଆ ସେଠି ଥାନ୍ତି । ରାତିରେ ସେଇ ଭାଡ଼ିରେ ଶୁଅନ୍ତି । ସକାଳୁ କାମକୁ ଯାନ୍ତି । ସନ୍ଧ୍ୟାବେଳେ କାମରୁ ଫେରି ଗଞ୍ଜେଇ ଖାନ୍ତି, ତ୍ରିନାଥ ମେଳା କରନ୍ତି ଆଉ ଖଞ୍ଜଣି ପିଟି ସଂଗୀତ ବୋଲନ୍ତି ।

 

‘‘ବଡ଼ି ଭୋରରୁ କାମକୁ ଯିବାକୁ ପଡ଼େ । ଆଗେ ହାଜିରା । ପ୍ରାୟ ତିନିଶ ମୁଲିଆ । ଜାହାଜରୁ ମାଲ ଚଢ଼ା ଉତ୍ତରା କାମ । ମୁଲିଆ ହାଜିରା ସାରି ଚାଲିଗଲେ କାମକୁ । ଖାତାପତ୍ର ଧରି ମୁଁ ବି ତାଙ୍କ ପଛେ ପଛେ ଗଲି ପେଟି ଗଣିବାକୁ । ମଝିରେ ଘଣ୍ଟାଏ ଛୁଟି ଖାଇବାକୁ । ତା ପରେ ପୁଣି କାମ ।

 

‘‘ଏଇଠି ରାମଏକବଲ ଚୌବେ ସାଙ୍ଗରେ ପରିଚୟ ହେଲା । କଉ ଗୋଟାଏ ଜାହାଜରେ ମେଟ ଚୌବେଜୀ । ଆରା ଜିଲ୍ଲାର ଲୋକ । ଭୋରୁ ଗଂଗାସ୍ନାନ କରି ତୁଳସୀ ଦାସ ଆଉଡଉ ଆଉଡ଼ଉ ଜାହାଜକୁ ଫେରିଯାଏ । ଜାହାଜ ନୁହେଁ ତ ଗୋଟାଏ ବଡ଼ ବାର୍ଜ । ଚୌବେଜୀ କହିଲା ସେଇ ବାର୍ଜରେ ବାଲି ଏବଂ ଲୁହା ପଥର ବୋଝେଇ ହଉଛି । ବୋଝେଇ ସରିଲେ ଚାଲିବ ସମୁଦ୍ରକୁ । ତାପରେ ଅନେକ ଦେଶ ପାର ହୋଇ ଗୋଟାଏ ଦେଶରେ ପହଞ୍ଚିବ, ସେଠି ଖାଲି ‘ପାନି ଅଉର ପଥ୍‍ଥର’ । ଏଇ ବାଲି ଏବଂ ଲୁହାପଥର ସେଠାକାର କଉ ଗୋଟାଏ କାରଖାନାରେ ଦରକାର ।

 

‘‘ଦିନେ ଚୌବେଜୀକୁ କହିଲି, ମୋତେ ତୁମ ଜାହଜରେ ଗୋଟାଏ ନୌକରି କରିଦିଅ । ମୁ ଯିବାକୁ ଚାହେଁ ନାନାଦେଶ, ନାନାଲୋକ ଦେଖିବାକୁ । କହିଲା କୋଶିଶ କରିବ । ବୁଢ଼ା ସାଙ୍ଗରେ ନିତି ଦେଖା କରେଁ । ଦିନେ ଦିନେ ତା ସାଙ୍ଗରେ ସେଇ ବାର୍ଜକୁ ଯାଏଁ । ସଂଧ୍ୟାବେଳେ ଚୌବେଜୀ ରାମଚରିତମାନସ ଧରି ବସେ– ‘‘ବନଚଲେ ରାମ ରଘୁରାୟି, ସଂଗେ ଜାନକୀ ମାଈ ।’’

 

‘‘ସେଦିନ ସନ୍ଧ୍ୟାବେଳେ କାମସାରି ବସାକୁ ଫେରୁଛି । ଗୋଟାଏ ଗଳି ଭିତରେ ଆସିବାକୁ ହୁଏ ବସାକୁ । ହଠାତ୍ ପଛରୁ କିଏ ବେଶ ଜୋରରେ ଧକ୍‍କାଟାଏ ମାଇଲା । ଗୋଟାଏ କାନ୍ଥ ଧରି ସମ୍ଭାଳି ଗଲି ମୁ । ତାପରେ ବୃଷ୍ଟି ହେଲା ବିଧା, ଚାପୁଡ଼ା ଆଉ ଅଶ୍ରାବ୍ୟ ଗାଳି । ମାଡ଼ ଖାଇଲି କଣ୍ଡୁରିଆଠୁଁ, ଯାହା ଜାଗାରେ କାମ କରୁଛି ମୁ । ଶୋଇ ଶୋଇ ଠିକ୍ କଲି– ନା ଆଉ ଏଠି ରହି ହବନି । ତହିଁ ଆରଦିନ ମାଲିକ ସାଙ୍ଗରେ ଦେଖା କରି ଚାକିରି ଛାଡ଼ି ଦେଲି । ଦିନସାରା ଏଣେତେଣେ କୁଲି ସଂଧ୍ୟାବେଳେ ଚୌବେଜୀ ପାଖରେ ପହଞ୍ଚିଲି । ତାକୁ ସବୁ କଥା କହିଲି । ସେ କହିଲା– ଚାଲିଆ ଏଠିକି । ଜାହଜରେ ନୌକରି ମିଳିବ । ସେଇଦିନ ରାତିରେ ଯାଇ ରହିଲି ଚୌବେଜୀ ପାଖରେ ।

 

‘‘ସକାଳୁ ଉଠି ଦଣ୍ଡ ବୈଠକ କରେ ଚୌବେଜୀ । ମୋତେ ବି କରିବାକୁ ପଡ଼ିଲା । ତାପରେ ଗଂଗାସ୍ନାନ । ଛତୁଆ ଜଳଖିଆ । ଦିପହରବେଳେ ରୋଟି, ଡାଲ ଅଉର ସାଗ । ପୁରାପୁରି ସାକରେଦ ହୋଇଗଲି ଚୌବେଜୀର ।

 

‘‘ଚାରିଦିନ ସେଠି ରହିବାପରେ ଜାହାଜ ଛାଡ଼ିବାର ବ୍ୟବସ୍ଥା ହେଲା । ମାଲ ବୋଝେଇ ସରିଗଲା । କର୍ମଚାରୀ ସବୁ ଫେରିଲେ ଜାହାଜକୁ । କଳକବଜା ଦେଖି ନିଆଗଲା । ଚୌବେଜୀ ମୋତେ ନେଇଗଲା କପ୍ତାନ ପାଖକୁ । ମୁ ଚାକିରି ପାଇଲି । ଦୈନିକ ମଜୁରୀ ତିନିଟଙ୍କା । ଜାହାଜ ଛାଡ଼ିବା ଆଗଦିନ ଚୌବେଜୀ ସାଙ୍ଗରେ ଗଲି ବଜାରକୁ । ଅଟା, ଡାଲି, ଘିଅ କିଣିଲୁ । ମୋ ପାଇଁ କିଣା ହେଲା କମ୍ବଳ ଓ କିଛି ଲୁଗାପଟା । ଶୀତ ଦେଶକୁ ଯାଉଛୁ ।

 

“ମୋର ଚାକିରି ଏନଜିନ ରୁମରେ । ମେକାନିକ ରଜାକ, ତାର ମେଟ ମୁ । ରଜାକ ପୂର୍ବ ବଙ୍ଗଳାର ଲୋକ, ଗୁଣ୍ଡା ଓ ମଦ୍ୟପ । ପ୍ରଥମ ଦିନ ମୋତେ ମାଇଲା ‘ଉଡ଼େ' ବୋଲି ଗାଳି ଦେଇ । ଚୌବେଜୀକୁ କହିଲି, ସେ କହିଲା, ‘ଦଣ୍ଡ ବୈଠକ କାହିଁକି କରୁଛୁ ? ସେ ଯଦି ମାଇଲା ତୁ ମାଇଲୁ ନି ?’’ ତହିଁଆରଦିନ ‘ଶାଲା ଉଡ଼େ’ କହି ମିଛଟାରେ ମୋ ମୁଣ୍ଡରେ ଗୋଟାଏ ଚଟକଣି ମାଇଲା । ମୁ ମୋର ସବୁ ଶକ୍ତି ଦେଇ ତା ନାକ ଉପରେ ବସେଇଲି ଏକ ମୁଥ । ତିନିଚାରି ପାହୁଣ୍ଡ ପଛେଇ ଗଲା ସେ । ମାଡ଼ଟା ଖାଲି ଅପ୍ରତ୍ୟାଶିତ ନୁହେଁ, ବେଶ ଜୋର ମଧ୍ୟ । ନାକରୁ ତାର ରକ୍ତ ପଡ଼ିଲା । ଅନ୍ୟମାନେ ଆସି ଆମ ଦିଜଣକୁ ଧରି ଅଲଗା କରିଦେଲେ । ତାପରେ ରଜାକ ଆଉ ମୋ ସାଙ୍ଗରେ ଲାଗିନି । ଚୌବେଜୀ ଶୁଣ ଖୁସି ହୋଇ କହିଲା– ସାବାସ ବେଟା ।

 

‘‘ଜାହାଜ ଚାଲିଲା ହୁଗୁଳି ନଦୀରେ ଧୀରେ ଧୀରେ । ତୃତୀୟ ଦିନ ସକାଳୁ ଆମେ ସମୁଦ୍ରରେ ପଡ଼ିଲୁଁ । ନଭେମ୍ବରର ସମୁଦ୍ର ଶାନ୍ତ । ଜାହାଜ ଚାଲିଛି । ଦୁଇ ତିନି ଦିନ ଅନ୍ତରରେ ଲାଗୁଥାଏ ବନ୍ଦରରେ । ଜାହାଜ ଯେତେବେଳେ ସିଂଗାପୁରରେ ପହଞ୍ଚିଲା– ଜାପାନ ସେତେବେଳକୁ ପେସିଫିକ ଦ୍ୱୀପଗୁଡ଼ାକୁ ଅଧିକାର କରି ସାରିଛି । ସିଂଗାପୁରରେ ଆମେ ଅଟକିଗଲେ ଚାରିଦିନ । ଚାରିଆଡ଼େ ରଣ ଦୁନ୍ଦୁଭି । ଆକାଶରୁ ପଡ଼ୁଛି ବୋମା । ପାଣିରେ ମାଇନ ଆଉ ସାବମେରିନର ଡେପ୍‍ଥ ଚାର୍ଜ । ଆମ କପ୍ତାନ ଏକ ବୁଦ୍ଧି କଲେ । ଗୋଟାଏ ବିରାଟ ଧଳା ପତାକା ଉଡ଼େଇ ଦେଲେ । ତୁଚ୍ଛାକୁ ବାର୍ଜଟାଏ, ସେଥିରେ ଧଳା ପତାକା । ତାପରେ ଆଉ ବିଶେଷ ଅସୁବିଧା ହୋଇନି । ମଝିରେ ତିନି ଚାରି ଥର ଚେକ୍ ହୋଇଥିଲା । ଷ୍ଟକହୋମକୁ ଯାଉଛି ଲୁହା ପଥର । ଆପତ୍ତି କରିବାର କିଛି ନାହିଁ । ସୁଇଡେନ ଗଲା ଯୁଦ୍ଧରେ ନିରପେକ୍ଷ ଥିଲା ।

 

‘‘ଷ୍ଟକହୋମ ବନ୍ଦରରେ ଜାହାଜ ଲାଗିଲା କଲିକତା ଛାଡ଼ିବାର ଶହେ ଛ' ଦିନ ପରେ । ଜାହାଜ ନଙ୍ଗର କଲାରୁ ସମସ୍ତେ ସ୍ଵସ୍ତିର ନିଶ୍ୱାସ ପକେଇଲେ । ଇତି ମଧ୍ୟରେ ମୋର ଚାକିରିର ଉନ୍ନତି ହୋଇଥାଏ । ମୁ ଯେ ପାଠ ପଢ଼ିଛି ଏକଥା ମିସ୍ତ୍ରିମେଟ ସମସ୍ତେ ଜାଣିଥିଲେ । ଚିଠିର ଠିକଣା ଓ ମନିଅର୍ଡର ଲେଖେଇବାକୁ ମୋ ପାଖକୁ ଆସୁଥିଲେ । ସିଂଗାପୁର ବନ୍ଦରରେ ଆମେ ଥାଉଁ, କପ୍ତାନ ମୋତେ ଡାକି ପଠେଇଲେ । ତାଙ୍କର ଜଣେ ଲୋକ ଦରକାର, ଲେଖାପଢ଼ାରେ ସାହାଯ୍ୟ କରିବ । ମିଲଟାରି ପୁଲିସର ହଜାରେ ପ୍ରଶ୍ନ, ଉତ୍ତର ଦେବାକୁ ହବ । ହଜାରେ ପ୍ରକାର ଫର୍ମ ପୂରଣ କରିବାକୁ ହେବ । ମୁ ତାଙ୍କର ସାହାଯ୍ୟକାରୀ ହୋଇ ଉପରକୁ ଉଠିଲି । ଦରମା ମାସକୁ ଦେଢ଼ଶ ଟଙ୍କା ।

 

‘‘ମୁଁ କିନ୍ତୁ ରହିଲି ଚୌବେଜୀ ପାଖରେ । ସକାଳୁ ଦଣ୍ଡ ବୈଠକ ମାରେ । ରୋଟି ଡାଲ ଖାଏଁ ଏବଂ ଅବସର ହେଲେ ତୁଳସୀଦାସ ଶୁଣେ । ତାଙ୍କରି ପାଖରେ ଶୁଏଁ । ସେ ମୋତେ ପୁଅପରି ସ୍ନେହ କରୁଥିଲେ । ଦିନେ କପ୍ତାନ ମୋତେ ପଚାରିଲେ, ମୁ ଏ କାମକୁ ଆସିଲି କାହିଁକି ? ତାଙ୍କୁ କହିଲି ମୁଁ ଇଉରୋପରେ ପଢ଼ିବାକୁ ଚାହେଁ । ବିଶେଷତଃ ଜାରମେନିର ହାଇଡେଲବାର୍ଗ ବିଶ୍ୱବିଦ୍ୟାଳୟରେ । କପ୍ତାନ ଆଶ୍ଚର୍ଯ୍ୟ ହେଲେ ମୋର ଦୁଃସାହସ ଦେଖି, ସେଇ ପ୍ରଚଣ୍ଡ ଯୁଦ୍ଧ ଭିତରେ ଗୋଟାଏ ବାର୍ଜରେ ମୁ ସୁଇଡେନକୁ ଆସୁଛି ଦୁଇ ଦୁଇଟା ମହାସମୁଦ୍ର ପାର ହୋଇ, କଣ ନା ପାଠ ପଢ଼ିବାକୁ! ସାବାସ ଦେଲେ ଏବଂ ଷ୍ଟକହୋମର ସେଲଭେଶନ ଆର୍ମିର କମାଣ୍ଡରଙ୍କୁ ଖଣ୍ଡେ ଚିଠି ଦେଲେ ମୋର ପରିଚୟ ଦେଇ । ଯଦି ସେ କିଛି ସାହାଯ୍ୟ କରିପାରନ୍ତି, ତାହେଲେ ଏ ଭାରତୀୟ ଛାତ୍ରଟି କୃତଜ୍ଞ ହୁଅନ୍ତା ।

 

‘‘ଷ୍ଟକହୋମରେ ମୁ ଚୌବେଜୀଙ୍କ ପାଖରୁ ଅନୁମତି ନେଇ ଗଲି କୂଳକୁ । ବାଟସାରା କୌଣସି ବନ୍ଦରରେ ମୋତେ ସେ କୂଳକୁ ଆସିବାକୁ ଦେଇ ନ ଥିଲେ । ହଂକଂରେ କିଛି ଗରମ ଲୁଗାପଟା କିଣିବାକୁ ଆସିଲାବେଳେ ସେ ସାଙ୍ଗରେ ଆସିଥିଲେ । ଶୀଘ୍ର ଫେରି ଆସିବାର ପ୍ରତିଶ୍ରୁତି ଦେଇ ଚାଲିଲି ଷ୍ଟକହୋମ ସହର ଭିତରକୁ । ଫେବୃୟାରୀ ମାସରେ ସେଠି ପ୍ରଚଣ୍ଡ ଶୀତ । ମୋର ଲୁଗାପଟା ସେ ଶୀତକୁ ସମ୍ଭାଳି ପାରୁ ନ ଥାଏ । ଷ୍ଟକହୋମରେ ବହୁତ କେନାଲ ଓ ପାଣି ଭିତରେ ବିରାଟ ବିରାଟ କୋଠା । ଷ୍ଟକହୋମକୁ ଉତ୍ତର ଇଉରୋପର ଭେନିସ ବୋଲି କହନ୍ତି ।

 

‘‘ସଂଧ୍ୟା ପୂର୍ବରୁ ବାର୍ଜକୁ ଫେରିଲି । ଦେଖିଲି ଚୌବେଜୀ ଘୋଡ଼ିଘାଡ଼ି ହୋଇ ଶୋଇଛନ୍ତି-। ବୁଝିଲି ବୁଖାର ହୋଇଛି । କପ୍ତାନଙ୍କୁ ଯାଇ କହିଲି । ଡାକ୍ତର ଆସି ଦେଖି ଔଷଧ ଦେଇ ଚାଲିଗଲେ । ଅବସାଦ ଓ ଥଣ୍ଡା ପାଇଁ ଜର । ବଟିକା ଖାଇ ଚୌବେଜୀ ଶୋଇଲେ । କଣ ଖାଇବି ଭାବୁଛି, କମ୍ବଳ ଭିତରୁ ଚୌବେଜୀ କହିଲେ ରୁଟି, ଡାଲି ଅଛି, କଦଳୀ ଅଛି । ଶାଗ ସେ କରିପାରି ନାହାନ୍ତି । ମୁ ଯେମିତି ଖାଇ ନିଏଁ ।

 

–ଦଶ–

 

‘‘ତହିଁଆରଦିନ ସକାଳେ ଗଲି ସେଲଭେଶନ ଆର୍ମିର କମାଣ୍ଡରଙ୍କ ପାଖକୁ । ଷ୍ଟକହୋମର ଭାଷା ସୁଇଡ଼ିସ, ଲୋକଗୁଡ଼ା ଗଥିକ, ଡେଙ୍ଗା ଡେଙ୍ଗା । ମୋର କିନ୍ତୁ ଅସୁବିଧା ହେଲାନି । ସେଲଭେଶନ ଆର୍ମି କଥାଟା ସେଠିକା ଲୋକେ ବୁଝିଲେ । ପ୍ରାୟ ଦଶଟା ବେଳକୁ ଡାକରା ପଡ଼ିଲା କମାଣ୍ଡରଙ୍କ ପାଖକୁ ଯିବାକୁ । କମାଣ୍ଡାର ଜାରମେନ, କିନ୍ତୁ ଅଳ୍ପ ଅଳ୍ପ ଇଂରେଜୀ ବୁଝନ୍ତି । ଯେତେବେଳେ ଶୁଣିଲେ ମୁ ଓଡ଼ିଶାର ଲୋକ, ସେ ଖୁସି ହୋଇଗଲେ । ସେ ଥିଲେ ଓଡ଼ିଶାରେ ତିନି ବର୍ଷ । ସୁନ୍ଦରଗଡ଼ ଜିଲ୍ଲାରେ ଏକ ଲୁଥାରାନ ଚାର୍ଚରେ ପାଦ୍ରୀହୋଇ । ଦି ଚାରିଟା ଓଡ଼ିଆ ଶବ୍ଦ ବି କହିଲେ । ମୁ ଆସ୍ତେ ଆସ୍ତେ ଓଡ଼ିଆ ଶବ୍ଦ ଉଚ୍ଚାରଣ କଲାରୁ ବୁଝିପାରିଲେ । ମୋର ଅବସ୍ଥାର ଗୋଟାଏ ଛବି ନେଲେ । ଫୋନ ଉଠେଇ କାହା ସାଙ୍ଗରେ କଣ କଥାବାର୍ତ୍ତା କଲେ । ତାପରେ ହସି କହିଲେ, ‘‘ରହିବାର ବ୍ୟବସ୍ଥା ହୋଇଗଲା । ବାକି ପଢ଼ିବାର’’ । ପୁଣି ଉଠେଇଲେ ଫୋନ । କଣ ଅଳ୍ପ କଥାବାର୍ତ୍ତା ହୋଇ ରଖିଦେଲେ । ଲେଖି ବସିଲେ । ତାପରେ ଫୋନ ଉଠେଇ କାହା ସାଙ୍ଗରେ ଅନେକ ସମୟଧରି କଥାବାର୍ତ୍ତା ହେଲେ । ତାପରେ ଘଣ୍ଟା ଟିପିଲେ । ବାଇଶ ତେଇଶ ବର୍ଷର ଝିଅଟିଏ ଆସି ଠିଆହେଲା । ତାକୁ ଚିଠିଦିଟା ଦେଇ କଣ କହିଲେ । ମୋତେ କହିଲେ ତା ସାଙ୍ଗରେ ଯିବାକୁ । ମୁ ଠିଆ ହେଲାରୁ ହାତ ବଢ଼େଇ ମୋ ହାତଟା ଧରି ହସି କହିଲେ– ଆହ–ସି–ବ ।

 

‘‘ସେଇ ଝିଅଟିର ପଛେ ପଛେ ଚାଲିଲି । ସେ ମୋତେ ପଚାରିଲା, ‘‘ଇନଜାନ’’ ? ମୁ ମୁଣ୍ଡ ଟୁଙ୍ଗାରି ହଁ କଲି । ପ୍ରଥମେ ଗଲୁ ଗୋଟାଏ ସ୍କୁଲର ପ୍ରିନସିପାଲଙ୍କ ପାଖକୁ । ସେ ଆମ ପାଇଁ ଅପେକ୍ଷା କରୁଥିଲେ । ଝିଅଟି ଚିଠିଦେଲା । ପଢ଼ିଲେ । ମୋର କଣ କାଗଜପତ୍ର ଅଛି ପଚାରିଲେ । ମେଟ୍ରିକ ସାର୍ଟିଫିକେଟ ଓ ରେଭେନସା କଲେଜର ଆଇଡେନଟିଟି କାର୍ଡ଼ ଦେଖାଇଲି । ତାଙ୍କର ବିଶ୍ୱାସ ହେଲା ମୁ ପଢ଼ିବି । ସ୍କୁଲରେ ନାମ ଲେଖା ହେଲା– ପଇସା ପଡ଼ିଲାନି ।

 

‘‘ପ୍ରିନସିପାଲଙ୍କ ପାଖରୁ ବିଦାୟ ନେଇ ଚାଲିଲୁ ଆଉ ଗୋଟାକୁ ଜାଗାକୁ । ସେଇ ଝିଅଟି ଆଗେଇ ଚାଲିଥାଏ, ତା ପଛରେ ମୁ । ଗୋଟାଏ ପ୍ରକାଣ୍ଡ ବଙ୍ଗଳାର ଫାଟକ ଖୋଲି ସେ ଭିତରକୁ ପଶିଲା । ଦୋତାଲା ବଂଗଳା ! ଆଗରେ ବଡ଼ ଘାସ ପଡ଼ିଆ, ଫୁଲ ବଗିଚା । ସବୁଥିରେ ଯତ୍ନର ଅଭାବ ଦେଖିଲି । ସେଇ ଝିଅଟି ଘଣ୍ଟା ବଜେଇଲା । ବାହାରି ଆସିଲା ଗୋଟିଏ ମଧ୍ୟବୟସୀ ସ୍ତ୍ରୀ ଲୋକ । ଆମକୁ ଡାକି ନେଇ ବସେଇଲା । କିଛି ସମୟ ପରେ ଗୋଟାଏ ହୁଇଲ ଚେୟାରରେ ଆସିଲେ ଜଣେ ପୌଢ଼ା । ଆମେ ଉଠି ଠିଆ ହେଲୁଁ । ହସି ହାତ ହଲେଇ ଆମକୁ ବସିବାକୁ ନିର୍ଦ୍ଦେଶ ଦେଲେ । ପ୍ରଥମେ ସେଇ ଝିଅଟିକୁ କଣ ପଚାରିଲେ । ସେ ଚିଠିଟା ଦେଲା, ପଢ଼ିଲେ । ତାପରେ ପରିଷ୍କାର ଇଂରେଜୀରେ ମୋ ନାଁ, ଘର କେଉଁଠି, କଣ ପଢ଼ିବି, ଏଇ ଅଳ୍ପ ବୟସରେ ଏବଂ ଏହି ଯୁଦ୍ଧ ସମୟରେ ମୁ କାହିଁକି ଇଉରୋପ ଆସିଲି, ସବୁ ଖବର ବୁଝିଲେ । ଶେଷରେ କହିଲେ, ତୁମେ ମୋ ଘରେ ରହିବ, ପଢ଼ିବ । କାମ ହେଲା ମୋର ଦୁଇଓଳି ତାଙ୍କୁ ହୁଇଲ ଚେୟାର ଠେଲି ଠେଲି ବୁଲେଇବା, ରବିବାର ଦିନ ତାଙ୍କ ସାଙ୍ଗରେ ଗୀର୍ଜାକୁ ଯିବା ଓ ଇଂରେଜୀ ବହି ପଢ଼ି ଶୁଣେଇବା ।

 

‘‘ଆଶ୍ରୟ ମିଳିଲା । ପଢ଼ିବାର ବ୍ୟବସ୍ଥା ହେଲା । ଆଉ କଣ ? ସେଇ ଝିଅଟିକୁ ଧନ୍ୟବାଦ ଦେଇ ଫେରିଲି ବାର୍ଜକୁ । ଚୌବେଜୀଙ୍କୁ ସବୁ କହିଲି ! ବୁଢ଼ା ଭାରି ଖୁସି ହେଲେ । ମୋର ଯାହା ଅଳ୍ପ ଲୁଗାପଟା ଥିଲା ତାକୁ ଖବରକାଗଜରେ ଗୁଡ଼େଇ ନେଲି । ବିଛଣା ଆଉ କମ୍ବଳ ଚୌବେଜୀଙ୍କୁ ଦେଲ । ଆସିଲାବେଳେ ତାଙ୍କ ଆଖି ଛଳ ଛଳ ହୋଇଗଲା । କହିଲେ ହୁସିଆର ହୋଇ ଚଳିବୁ ବେଟା । ଚାରିଆଡ଼େ ଲଢ଼ାଇ । ଶେଷଥର ପାଇଁ ରୋଟି ଅଉର ଡାଲ ଏକାଠି ବସି ଖାଇଲେ ।’’

 

‘‘ମୋର ଆଶ୍ରୟଦାତ୍ରୀ ଥିଲେ ରାଜକନ୍ୟା । ଅଷ୍ଟ୍ରିଆର ରାଜବଂଶରେ ତାଙ୍କ ଜନ୍ମ । ସେ ବାହା ହୋଇଥିଲେ ସୁଇଡ଼େନର ରାଜା ପଞ୍ଚମ ଗୁଷ୍ଟେଭଙ୍କ ତୃତୀୟ ପୁତ୍ର ଚାର୍ଲସଙ୍କୁ । ରାଜକୁମାରୀ କାଟାଲିନାଙ୍କୁ ପିଲାଦିନେ ଗଭର୍ନେଶ ରଖି ଇଂରେଜୀ ଓ ଫରାସୀ ଭାଷା ଶିକ୍ଷା ଦିଆଯାଇଥିଲା । ତାପରେ ଚାର୍ଲସ ଯେତେବେଳେ ପଞ୍ଚମ ଜର୍ଜଙ୍କ ଦରବାରକୁ ସୁଇଡେନରେ ରାଷ୍ଟ୍ରଦୂତ ହୋଇଗଲେ,– ସେତେବେଳେ ରାଜକୁମାରୀ ଲଣ୍ଡନରେ ଥିଲେ ପାଞ୍ଚବର୍ଷ । ତାପରେ ଉଆଶିଂଟନରେ ଥିଲେ ତିନିବର୍ଷ । ରୋମରେ ଥିଲାବେଳେ, ୧୯୩୯ରେ ଏକ ଆତତାୟୀର ଗୁଳିରେ ତାଙ୍କୁ ପ୍ରାଣ ଦବାକୁ ପଡ଼ିଥିଲା । ତାଙ୍କର ଗୋଟିଏ ପୁଅ, ସେ କର୍ଣେଲ । ବର୍ତ୍ତମାନ ହେଲେଶିଙ୍କିରେ ।

 

“ଏଇ ପ୍ରକାଣ୍ଡ ଘରେ ସେ ଏକା । ପୁଅ ବାହା ହୋଇନି । ପ୍ରାୟ ବର୍ଷେ ହେବ ବାଥରୁମରେ ଗୋଡ଼ ଖସଡ଼ି ପଡ଼ି ହାଡ଼ ଭାଙ୍ଗିଯିବା ଫଳରେ ସେ ଚାଲବୁଲ କରି ପାରନ୍ତିନି । ଯୁଦ୍ଧ ଯୋଗୁ ପୁରୁଷ ଚାକରର ଅଭାବ । ଘରେ ଗୋଟାଏ ପୁରୁଷ ମଣିଷ ନାହିଁ । ଅଦ୍‍ଭୂତ ପରିସ୍ଥିତି । ସେଥିଲାଗି ମୋର ଆବଶ୍ୟକତା । ତାଙ୍କର ବିଶ୍ୱାସ, ଏଠି ମୋର କିଛି ଅସୁବିଧା ହବନି । ତାଙ୍କ ଲାଇବ୍ରେରୀର ସଦୁପଯୋଗ ମୁ କରିବି । ମୋର ସୁଇଡ଼ିଶ ଶିଖିବା ଦରକାର । ମୋତେ କେତେଖଣ୍ଡ ପ୍ରାଇମାର ଦେଲେ ।

 

‘‘ଷ୍ଟକହୋମରେ ବିଶ୍ୱବିଦ୍ୟାଳୟ ନାହିଁ । ଆପସାଲା ବୋଲି ଗୋଟିଏ ସହର ଅଛି ତିରିଶ ମାଇଲ ଦୂରରେ । ସେଠି ବିଶ୍ୱବିଦ୍ୟାଳୟ । ଏଇ ବିଶ୍ୱବିଦ୍ୟାଳୟ ଖୁବ୍ ପୁରୁଣା,– ପ୍ରାୟ ପାଞ୍ଚଶ ବର୍ଷର । ଷ୍ଟକହୋମରେ କିନ୍ତୁ ଅନେକ କଲେଜ । ଲୁଥାରାନ ଚାର୍ଚଦ୍ୱାରା ପରିଚାଳିତ ଗୋଟାଏ କଲେଜରେ ପଢ଼ିବାର ବ୍ୟବସ୍ଥା କରିଦେଲେ ରାଜକନ୍ୟା । ପାଞ୍ଚଟା ସେମେଷ୍ଟାରରେ ପଢ଼ାସାରି ବିଜ୍ଞାନରେ ଡିଗ୍ରୀ ପାଇଲି ଓ ତା ସାଙ୍ଗରେ ଗୋଟାଏ ସୁନା ପଦକ ।’’

 

‘‘ଇତିମଧ୍ୟରେ ରାଜକନ୍ୟାଙ୍କ ପୁଅ କର୍ଣ୍ଣେଲ ଏଡ଼ାଲଫାସ ତିନିଥର ଆସି ମାଙ୍କ ପାଖରେ ରହି ଗଲେଣି । ଯୁଦ୍ଧ ବି ସରିବା ଉପରେ । ହିଟଲାର ଯେ କେତେବେଳେ ପରାଜୟ ଘୋଷଣା କରିବେ ତାର ଅପେକ୍ଷା ସମସ୍ତେ କରୁଥାନ୍ତି । ଜାରମେନମାନେ ଷ୍ଟକହୋମ ଛାଡ଼ି ଚାଲି ଯାଉଥାନ୍ତି । ମହାଯୁଦ୍ଧର ଧ୍ୱଂସ ଓ ସ୍ତୂପରୁ ମାନବାତ୍ମାର ଆର୍ତ୍ତନାଦ ସେତେବେଳେ ଇଉରୋପର ଆକାଶକୁ ପ୍ରକମ୍ପିତ କରୁଥାଏ ।’’

 

‘‘ରାଜକନ୍ୟାଙ୍କୁ ମୁ ମା ବୋଲି ଡାକୁଥାଏଁ । ବୁଢ଼ା ଏଥିରେ ଖୁବ୍ ଖୁସି ହେଲେ ଏବଂ ମା ଡାକିବା ଦିନରୁ ମୋ ସୁବିଧା ଅସୁବିଧା ପ୍ରତି ଟିକିଏ ବେଶୀ ନଜର ଦେଲେ । ଦୁଇଟା ବଡ଼ଦିନରେ ଦୁଇଟା ସୁଟ, ଗୋଟାଏ ଓଭାରକୋଟ, ଘଡ଼ି, ବହି ଅନେକ ଜିନିଷ ଉପହାର ଦେଲେ । ହାତ ଖରଚ ପାଇଁ ଯାହା ଦେଉଥିଲେ ସେଥିରେ ମୋର ବେଶ ଚଳି ଯାଉଥିଲା ।’’

 

‘‘କର୍ଣ୍ଣଲ ଏଡ଼ାଲଫାସ ଦିନେ ଫେରି ଆସିଲେ ଘରକୁ । ମୁହଁ ଗମ୍ଭୀର । ଦେହରେ ସୈନିକସୁଲଭ ପୋଷାକ ଅଛି କିନ୍ତୁ ପଦମର୍ଯ୍ୟାଦାର ଚିହ୍ନ ନାହିଁ । କଣ ଗୋଟାଏ ଗୋଳମାଳ ହୋଇଛି । ଗ୍ଳାନି ଓ ଅପମାନବୋଧରେ ଦୁଇଦିନ ଭଦ୍ରଲୋକ ଘରୁ ବାହାରିଲେ ନାହିଁ । ମା’ଙ୍କର ମନ ବି ଖରାପ । ତା’ପରେ ଦିନେ ଗୋଟାଏ ପ୍ରକାଣ୍ଡ ଗାଡ଼ିରେ କିଏ ଜଣେ ରାଜପୁରୁଷ ଆସିଲେ ଓ ମା ପୁଅ ଦିହେଁ ତାଙ୍କ ସାଙ୍ଗରେ ଚାଲିଗଲେ ।

 

‘‘ତା ପରଦିନ ଅଗଷ୍ଟ ୧୪ ତାରିଖ, ୧୯୪୫ ସାଲ । ହଠାତ୍ ମନେହେଲା ଷ୍ଟକହୋମର ଲୋକଗୁଡ଼ା ପାଗଳ ହୋଇ ଯାଇଛନ୍ତି । ରାସ୍ତାରେ ଦଳଦଳ ସ୍ତ୍ରୀ ପୁରୁଷ ଚାଲିଛନ୍ତି ପଟୁଆର କରି– ନାତସିବାଦର ଧ୍ୱଂସ ହେଉ । ଶାନ୍ତି ଦୀର୍ଘଜୀବୀ ହେଉ । ସଂଧ୍ୟାରେ ଆଲୁଅ ଜଳି ଉଠିଲା ଘରେ ଘରେ । ରାଜପ୍ରାସାଦ, ପାର୍ଲାମେଣ୍ଟ, ନେଶନେଲ ବେଙ୍କ ପ୍ରଭୃତି ବଡ଼ ବଡ଼ କୋଠାସବୁ ଆଲୋକରେ ଉଦ୍‍ଭାସିତ ହୋଇ ଉଠିଲା । ଦୋକାନ ବଜାରରେ ଦେଖାଗଲା ନୂଆ ନୂଆ ଆଲୋକ ସଜ୍ଜା ।’’

 

‘‘ଆମ ରାଜକନ୍ୟା ଓ ତାଙ୍କ ପୁଅ କିନ୍ତୁ ଫେରିଲେ ନାହିଁ । ପନ୍ଦର ତାରିଖ ସକାଳ ଆଠଟା ବେଳକୁ ଆସିଲା ସେଇ ବଡ଼ ଗାଡ଼ିଟା । ଗାଡ଼ିରୁ ଓହ୍ଲେଇଲେ ମା ପୁଅ । ଏଥର ପୁଅର ପଦମର୍ଯ୍ୟାଦା ସ୍ୱୀକୃତ । ଗୋଟାଏ ତରବାରୀ ଝୁଲୁଛି କଟିରୁ ।’’

 

‘‘ଏଇ ମଉକା ମୋତେ ନବାକୁ ହେବ । ଯୁଦ୍ଧ ବନ୍ଦ ହବାର ଦଶ-ବାର ଦିନ ପରେ ଯାଇ କହିଲି ବୁଢ଼ୀଙ୍କୁ । ମେଜାଜ ଭଲ ଥାଏ । କହିଲି,–ମୁଁ ଜାରମେନି ଯିବି । ସେଠି ହାଇଡେଲବାର୍ଗ ବିଦ୍ୟାଳୟରେ କେମିଷ୍ଟ୍ରିରେ ରିସାର୍ଚ୍ଚ କରିବି । ବୁଢ଼ୀ ଶୁଣି ଖୁସି ହେଲେ ଏବଂ ପୁଅ ସାଙ୍ଗରେ କଥାବାର୍ତ୍ତା ହେଲେ । ତହିଁଆର ଦିନ ସକାଳେ ତାଙ୍କୁ ବୁଲେଇ ନେଲାବେଳେ ଖବର ପାଇଲି, ଷ୍ଟକହୋମରୁ ମେନହାଇମ ସହରକୁ କିଛି ଯୁଦ୍ଧବନ୍ଦୀ ନେଇ ଗୋଟାଏ ପ୍ଳେନ ଯିବ । ଯଦି ସେଥିରେ ଜାଗା ଥାଏ ମୁଁ ଯାଇ ପାରିବି ।’’

 

‘‘ଖୁସିରେ ପ୍ରାୟ ରୁଦ୍ଧନିଶ୍ଵାସ ହେଲି ମୁ । ଲଞ୍ଚ ଖାଇବାବେଳେ ଖବର ପାଇଲି ସିଟ ମିଳିବ । କାଲି ସକାଳ ଆଠଟାରେ ପ୍ଲେନ ଛାଡ଼ିବ । ମୁ ଯେମିତି ତିଆରି ହୋଇଥାଏଁ । ରାତିସାରା ଶୋଇ ପାରିଲିନି । ମୋର ଯାହା ଅଳ୍ପ ଜିନିଷ ପତ୍ର ଥିଲା, ତାକୁ ଗୋଟାଏ ସୁଟକେଶରେ ପୂରେଇଲି । ସକାଳ ସାତଟା ବେଳକୁ ଡାକରା ଆସିଲା । ଗୋଟିଏ ସୈନ୍ୟବିଭାଗ ଗାଡ଼ି ଥୁଆ ହୋଇଥାଏ । ବୁଢ଼ୀଙ୍କଠୁ ବିଦାୟ ନବାଟା ମର୍ମାନ୍ତିକ ହେଲା । କର୍ଣ୍ଣେଲ ଗୋଟାଏ ପରିଚୟ ପତ୍ର ଦେଲେ ।

 

‘‘ପ୍ଲେନ ପ୍ରାୟ ସାଢ଼େ ନ’ ଟାରେ ମେନହାଇମରେ ଓହ୍ଲେଇଲା । ଯୁଦ୍ଧବନ୍ଦୀଙ୍କୁ ନେଇ ଚାଲିଗଲେ ମାର୍କିନ ସୈନ୍ୟ ତାଙ୍କ ଗାଡ଼ିରେ । ଜଣେ ଲେଫଟେନେଣ୍ଟ ମୋର ପରିଚୟ ମାଗିଲା । ପାଇଲଟ କହିଲା,–ମୁ ଜଣେ ଭାରତୀୟ ଛାତ୍ର । ଏଇ ପ୍ଲେନରେ ମୋତେ କର୍ଣ୍ଣେଲ ଏଡ଼ାଲଫାସ ପଠାଇଛନ୍ତି । ଚିଠିଟା ଦେଖାଇଲି । ଦାନ୍ତରେ ଦାନ୍ତ ଘଷି ଲେଫଟେନେଣ୍ଟ ଯାଇ ଗାଡ଼ିରେ ବସିଲା । ମୋତେ ପଚାରିଲା, ‘ସହରକୁ ଯିବ ?’

 

‘‘ଭାରି ଉପକୃତ ହୁଅନ୍ତି–’’

 

‘‘ଚଢ଼ିଯାଅ’’ । କହି ଜିପ ଷ୍ଟାର୍ଟ କଲା ।

 

‘‘ମେନହାଇମର ରାସ୍ତାର ଦୁଇପାଖରେ ସ୍ତୂପାକାର ଜମା ହୋଇଛି ମଲା ମଣିଷ, ଭଙ୍ଗାଗାଡ଼ି । ଭଙ୍ଗାଘର ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛନ୍ତି । ଯୁଦ୍ଧ ଯେ କି ଧ୍ୱଂସ ଆଣେ ଓ ମଣିଷକୁ ପଶୁତ୍ୱର କେତେ ତଳକୁ ନେଇ ଯାଇପାରେ,–ଆକାଶରୁ ତ ଦେଖିଥିଲି- ଏଥର ମୁହାଁମୁହିଁ ଠିଆ ହେବାକୁ ହେଲା ତା ଆଗରେ । ମେନହାଇମ ଜାରମେନିର ଗୋଟିଏ ପ୍ରସିଦ୍ଧ ସହର, ଶିଳ୍ପ ବାଣିଜ୍ୟର ସମୃଦ୍ଧ, ଶିକ୍ଷା ସଭ୍ୟତାର ବିଚକ୍ଷଣ । ତାର ଅବସ୍ଥା ଦେଖି ଆଖିରୁ ପାଣି ବୋହିଲା ମୋର । ପାଖରେ ବସିଥିବା ମାର୍କିନ ଅଫିସାରଟି ମୋ ଆଡ଼କୁ ଚାହିଁ ପଚାରିଲା– କାନ୍ଦୁଛ କାହିଁକି-?’’

 

ଗଳାଟା ସଫା କରିନେଇ କହିଲି– ଯୁଦ୍ଧର ଧ୍ୱଂସଲୀଳା ଦେଖି ।

 

– ତୁମେ ଭାରତୀୟ ଗୁଡ଼ା ଭାରି ଭାବପ୍ରବଣ ।

 

ମୁ ଜବାବ ଦେଲିନି ।

 

–ତୁମେ କଣ ନାତସିବାଦକୁ ସମର୍ଥନ କର ?

 

ମନେ ମନେ ଚିଡ଼ିଗଲି । କହିଲି, ଯେଉଁବାଦ ପୃଥିବୀ ଉପରକୁ ଧ୍ୱଂସ ଆଣେ ତାକୁ କେହି ସମର୍ଥନ କରିବେ ନାହିଁ ।

 

–ଆମେ କିନ୍ତୁ ବିଜୟୀ । ଜିପଟାକୁ ଗୋଟାଏ ଭଙ୍ଗାଘର ଆଗରେ ଠିଆକଲା ସେ ।

 

–ଚାଲ ଟିକିଏ କିଛି ଖିଆଯାଉ ।

 

‘‘ଦୁଇଜଣ ପଶିଲୁ ଗୋଟାଏ କାଫେରେ । ପ୍ରକାଣ୍ଡ ହଲ । ଟେବୁଲ, ଚେୟାର ସଜ ହୋଇଛି, କିନ୍ତୁ ଗରାଖ ନାହିଁ । ଆମକୁ ପଶିବାର ଦେଖି ଜଣେ ମହିଳା ଆଗେଇ ଆସିଲା । ପଚାରିଲେ, କେମିତି ସେବା କରିବି ? ବରାତ କଲା ଅଫିସାର, ସେଣ୍ଡଉଇଚ ଓ ଗରମ କଫି । ମାର୍କିନମାନେ ବହୁତ ଖାନ୍ତି । ମୁ ଗୋଟାଏ ସାରିଲାବେଳକୁ ଦେଖେଁ ସେ ଦୁଇଟା ସାରିଲାଣି । ମୋ କଫିରେ ଦୁଧ ଦେଲା । ସେ ନେଲାନି ।

 

‘‘କାଫେରୁ ବାହାରି ମୋତେ ପଚାରିଲା । ମୁ କୁଆଡ଼େ ଯିବି । ସେ ଫେରିବ ତା ପୋଷ୍ଟକୁ । ବହୁତ ଧନ୍ୟବାଦ ଦେଇ ମୋର ସୁଟକେଶ ଖଣ୍ଡକ ନେଇ ମୁ ଆଗେଇ ଚାଲିଲି । ଯେଉଁଠି ଦେଖେଁ ମାର୍କିନ ସୈନ୍ୟ । ଏମିତି ପ୍ରାୟ ଅଧଘଣ୍ଟାଏ ଚାଲିଲା ପରେ ଗୋଟାଏ ବଡ଼ ରାସ୍ତାରେ ପଡ଼ିଲି । ଅଳ୍ପକିଛି ଲୋକ ଏ ରାସ୍ତାରେ ଯା ଆସ କରୁଛନ୍ତି । ରାସ୍ତାର ଆରପଟେ ଗୋଟାଏ ବଡ଼ ପାର୍କ । ଦଳେ ମାର୍କିନ ସୈନ୍ୟ ସେଠି ଜମାହୋଇ ବିଆର ପିଉଛନ୍ତି ଓ ହୋ ହୋ କରୁଛନ୍ତି । ଦେଖିଲି, ଦୂରରେ ଜଣେ ଲମ୍ବା ଭଦ୍ରଲୋକ ବାଡ଼ି ହଲେଇ ହଲେଇ ଆସୁଛନ୍ତି । ମନେହେଲା ମାର୍କିନ । ଆଗେଇ ଗଲି ମୁ ।’’

 

–କିଛି ଯଦି ମନେ ନ କରନ୍ତି, ଆରମ୍ଭ କଲି ମୁ ।

 

–କୁହ ।

 

–ମୁ ଜଣେ ଭାରତୀୟ ଛାତ୍ର । ହାଇଡ଼େଲବାର୍ଗ ବିଶ୍ୱବିଦ୍ୟାଳୟକୁ ଯିବି । କେମିତି ଏବଂ କେଉଁବାଟେ ?

 

ପରିଷ୍କାର ଇଂରେଜୀରେ ପଚାରିଲେ– ତୁମେ ସେଠି ପଢ଼ ?

 

–ପଢ଼ିବି ବୋଲି ଆସିଛି ।

 

ଚଷମାର ମୋଟା କାଚ ଭିତରୁ ଅନେଇଲେ ମୋତେ ଭଦ୍ରଲୋକ ଗୋଡ଼ରୁ ମୁଣ୍ତଯାକେ-

 

–ପନ୍ଦର ଦିନ ହେଲା ଯୁଦ୍ଧ ସରିଛି । ତୁମେ ଗୋଟିଏ ଭାରତୀୟ ପିଲା ଆସି ମେନହାଇମର ସଡ଼କରେ ମୋତେ ପଚାରୁଛ ହାଇଡେଲବାର୍ଗକୁ ବାଟ କୁଆଡ଼େ ? ମୁ ହାଇଡେଲବାର୍ଗ ଯିବି । ତୁମେ ମୋ ସାଙ୍ଗରେ ଆସିପାର । ମୋ ଗାଡ଼ିଟା ଏଇ ଆଗରେ ଅଛି ।

 

ଦୁଇଜଣ ଯାଇଁ ଗାଡ଼ିରେ ବସିଲୁ । ବିରାଟ ପେକାର୍ଡ଼, ମାର୍କିନ ଗାଡ଼ି ।

 

–ତୁମର ବୟସ କେତେ ? ଗାଡ଼ି ଚଲଇ ଚଲଉ ପଚାରିଲେ ସେ ।

 

–କୋଡ଼ିଏ ବର୍ଷ ।

 

–ଭାରତରୁ କେବେ ଆସିଲ ?

 

–ତିନିବର୍ଷ ଆଗେ ।

 

ମୋ ମୁହଁକୁ ଚାହିଁଲେ ସେ—ସେଇ ଘୋର ଯୁଦ୍ଧବେଳେ ?

 

–ଆଜ୍ଞା ହଁ ।

 

—ପ୍ଲେନରେ ଆସିଲ ?

 

–ନା ।

 

କେମିତି ଆସିଲି, ଷ୍ଟକହୋମରେ କେମିତି ପଢ଼ିଲି, ସବୁ କହିଲି । ତା ସାଙ୍ଗେ ସାଙ୍ଗେ କହିଲି ଅଟୋ ଉଇସମାନଙ୍କ ଛାତ୍ର ହେବାର ବିରାଟ ଲୋଭ ନେଇ ମୁ ଶେଷରେ ଆସି ହାଇଡେଲବାର୍ଗରେ ପହଞ୍ଚିଛି ।

 

–ଉଇସମାନ ତ ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ନାହାନ୍ତି ।

 

–କୁଆଡ଼େ ଗଲେ ସେ ? ଡରି ଡରି ପଚାରିଲି, ମରିଗଲେ କି ?

 

–ସେ ଯୁଦ୍ଧବନ୍ଦୀ ।

 

ମୁ ଚୁପ କଲି ।

 

‘‘ପୁଣି ଚାଲିଲା ପ୍ରଶ୍ନବାଣ । ’’

 

–ତୁମ ବାପା ଅଛନ୍ତି ?

 

–ହଁ ।

 

–ସେ ତୁମର ଖର୍ଚ୍ଚ ଦିଅନ୍ତି ?

 

–ନା ।

 

–ତାହେଲେ ଷ୍ଟକହୋମରେ ପଢ଼ିଲ କେମିତି ?

 

–ଜଣେ ରାଜକନ୍ୟାଙ୍କ ଅନୁଗ୍ରହରେ ।

 

–କିଏ ସେ ?

 

–କାଟାଲିନା ।

 

‘‘ହାମ୍ପ’’ ଶବ୍ଦ କଲେ ଭଦ୍ରଲୋକ ।

 

–କାଟାଲିନା କେମିତି ଅଛନ୍ତି ?

 

–ଗୋଡ଼ ଭାଙ୍ଗିଯିବା ଫଳରେ ଚାଲବୁଲ କରି ପାରନ୍ତି ନି ।

 

–ତୁମେ ଯେ କାଟାଲିନାଙ୍କ ଅନୁଗ୍ରହରେ ପଢ଼ୁଥିଲ ପ୍ରମାଣ ଦେଖାଇ ପାରିବ ?

 

–କଣ ଦରକାର ?

 

–ଦରକାର ଅଛି । ହୁଏତ ହାଇଡୋଲବାର୍ଗରେ ତୁମର ନାମ ଲେଖାଇବାକୁ ସୁବିଧା ହେବ ।

 

–ମୋ ପାଖରେ ତାଙ୍କର ଉପହାର ବହି ଅଛି, ଏବଂ ସେଥିରେ ସେ ଦସ୍କତ କରିଛନ୍ତି । ତାଙ୍କ ପୁଅ କର୍ଣ୍ଣେଲ ଏଡାଲଫାସଙ୍କର ପରିଚୟ ପତ୍ର ଅଛି ।

 

‘‘ଗାଡ଼ି ପଶିଲା ଗୋଟାଏ ଗେଟ ଭିତରେ । ’’

 

‘‘ଅମେ ହାଇଡେଲବାର୍ଗ ବିଶ୍ୱବିଦ୍ୟାଳୟକୁ ପଶୁଛୁ– କହିଲେ ସେ ।’’

 

ମୁ ଚଂଚଳ ହୋଇ ଉଠିଲି । ଗୋଟାଏ ବେଶ ଚଉଡ଼ା ରାସ୍ତା ଲମ୍ୱି ଯାଇଛି । ଦୁଇ କଡ଼ରେ ପ୍ରକାଣ୍ଡ ପ୍ରକାଣ୍ଡ ଗଛ । ତା ମଝିରେ ମଝିରେ ଉଙ୍କି ମାରୁଥାଏ କୋଠାସବୁ । ଜନମାନବ ଶୂନ୍ୟ । ଚଢ଼େଇର ସୁଦ୍ଧା ଶବ୍ଦ ନାହିଁ ।

 

–ଦେଖୁଛ ମିଷ୍ଟାର, କଣ ତୁମ ନାମ ?

 

–ଶଙ୍କର ।

 

–ହଁ । ଶ୍ୟାଙ୍କାର । ଶିଭା । ଧ୍ୱଂସର ଦେବତା । ତୁମକୁ ପାଖରେ ବସେଇଛି ମୁ । ଦେଖତ ଭାଗ୍ୟର ବିପର୍ଯ୍ୟୟ । ହସିଲେ ସେ ।

 

–ମୁ ମଣିଷ ଏବଂ ଧ୍ୱଂସ ମୋ ଦ୍ୱାରା ସମ୍ଭବ ନୁହେଁ ।

 

–ତୁମେ ହିନ୍ଦୁମାନେ ଭାରି ନମ୍ର । କହିଲେ ସେ । କଣ ବା ଜବାବ ଦେବି ?

 

–କଣ କରିବ ଏଠି ? ପଚାରିଲେ ।

 

–କେମିଷ୍ଟ୍ରିରେ ରିସାର୍ଚ ।

 

–ଓ ସେଥିଲାଗି ଉଇସମାନଙ୍କ କଥା କହୁଥିଲ ?

 

–ଆଜ୍ଞା ହଁ ।

 

–ଉଇସମାନଙ୍କ ଜାଗାରେ ମୁ ଆସିଛି ଆଇଓଆରୁ । ମୋ ନା– ବ୍ରାଣ୍ଟ, ଜେମସ ବ୍ରାଣ୍ଟ ।

 

ପ୍ରଖ୍ୟାତ ରସାୟନବିଦ୍ ଜେମସ ବ୍ରାଣ୍ଟ । କୃତକୃତ୍ୟ ହେଲି । ଦୁଇହାତ ଟେକି ନମସ୍କାର କରି ପକେଇଲି । ସେ ହସିଲେ ।

 

–ଉଇସମାନ ଛାଡ଼ି ନ ପାଇବାଯାକେ ମୋତେ ଏଠି ରହିବାକୁ ହବ । ସେ ଆସିଲେ ମୁ ଆଇଓଆକୁ ଫେରିଯିବି । ଆମେ ଖୁବ ଶୀଘ୍ର ମରାମତ କରିଦେବାକୁ ଚାହୁଁ । ଜର୍ମାନମାନେ ପୃଥିବୀର ଏକ ନାମଜାଦା ଜାତି, ଭାରି ଅହଂକାର ସେମାନଙ୍କର । ବିଜ୍ଞାନ ତାଙ୍କୁ ଏମିତି ଉଦ୍ଧତ କଲା ଯେ, ଜୀବନ ଦର୍ଶନ ସେମାନଙ୍କୁ ଆକୃଷ୍ଟକରି ପାରିଲାନି । ଫଳରେ ଦୁଇ ଦୁଇଥର ବିଶ୍ୱଯୁଦ୍ଧର ମୂଳହେଲା ଜାରମେନି । ଆଗଥର ରକ୍ଷା ଥିଲା । ସିଭେଲରିର କଦର ଥିଲା ଗଲା ଯୁଦ୍ଧରେ । ଏଥର ପତନଟା ଯେମିତି ଅତଳ, ଧ୍ୱଂସଟା ବି ସେମିତି ସର୍ବବ୍ୟାପୀ ।

 

ଗାଡ଼ିଟା ଆସ୍ତେ ହୋଇଯାଇ ଠିଆ ହୋଇଗଲା ଗୋଟାଏ ବଙ୍ଗଳା ସାମନାରେ । ଡାକିଲେ ଆସ ଚା ଖାଇବା ।

 

ପ୍ରାୟ ବର୍ଷେ ପରେ ଅଧ୍ୟାପକ ଉଇସମାନ ଫେରିଲେ ବିଶ୍ୱବିଦ୍ୟାଳୟକୁ । ବେଶୀ କଥା କହନ୍ତିନି । କାହାରି ସାଙ୍ଗରେ ବେଶୀ ମିଶନ୍ତିନି । ବ୍ରାଣ୍ଟଙ୍କ ସାଙ୍ଗରେ କେବଳ ତାଙ୍କର ଘନିଷ୍ଠତା । ବ୍ରାଣ୍ଟଙ୍କୁ ରହିବାକୁ ହେଲା । ଉଇସମାନ ଏସୋସିଏଟ ହେଲେ ନିଜ ଇଚ୍ଛାରେ । ଦରମା କମେଇ ଦେଲେ ଅଧାକୁ । କଣ ହବ ଏତେ ଟଙ୍କା ? ତାଙ୍କର ନିଜର ବୋଲି କେହି ଜଣେ ହେଲେ ଜୀବିତ ନାହିଁ ।

 

ଇତି ମଧ୍ୟରେ ଭାରତ ସ୍ୱାଧୀନ ହେଲା । ବାରଲିନର ଭାରତୀୟ ଦୂତାବାସରେ ଏଇ ଉତ୍ସବ ପାଇଁ ସବୁ ଭାରତୀୟ ପିଲାଙ୍କୁ ନିମନ୍ତ୍ରଣ ମିଳିଥିଲା । ମୁ ବି ଯାଇଥିଲି । ସେଇଠି ତିଆରି କରିଥିଲି ପ୍ରିନ୍‍ସ କୋଟଟା ।

 

ଥିସିସ ଗୃହୀତ ହେବା ପରେ ପରେ ଦିନେ ପ୍ରଫେସାର ବ୍ରାଣ୍ଟ ପଚାରିଲେ– ୟାପରେ କଣ କରିବ ଶଙ୍କର ?

 

–ଏମେରିକା ଯିବି ସାର ।

 

–ଏମେରିକା ? କାହିଁକି ?

 

କହିଲି ତାଙ୍କୁ ମନ କଥା । ଆଶ୍ଚର୍ଯ୍ୟ ଜାତି ଏଇ ଏମେରିକାନ । ତାର ବିଦ୍ୟା ଅପୂର୍ବ । ତାର କ୍ଷମତା ସୀମାହୀନ । ତାର ଐଶ୍ୱର୍ଯ୍ୟର ତୁଳନା ନାହିଁ । ଏ ଜାତିକୁ ପାଖରୁ ଦେଖିବାକୁ ହବ । ଶିଖିବାକୁ ହବ ତାର କୌଶଳ ।

 

ହାଇଡେଲବାର୍ଗରେ ଅଧ୍ୟାପକ ବ୍ରାଣ୍ଟ ରବରର ଗୋଟାଏ ବିଶେଷ ଉପଯୋଗିତା ଉପରେ ଗବେଷଣା କରୁଥାନ୍ତି । ମୁ ସେଥିରେ ତାଙ୍କୁ ବେଳେବେଳେ ସାହାଯ୍ୟ କରୁଥାଏଁ । ସେ ତାଙ୍କର ଆବିଷ୍କାରକୁ ପେଟେଣ୍ଟ କଲେ ଏମେରିକାରେ । ମୋତେ ମିଳିଲା ସେଥିରୁ ହଜାରେ ଡଲାର-। ଘର ଭିତରକୁ ଯାଇ ଚେକ୍‍ଟା ଆଣି ମୋତେ ଦେଲେ ।

 

–ଏତିକି ଟଙ୍କାରେ ତୁମେ ଏମେରିକା ଯାଇ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ପାରିବ । ଅପ୍ରତ୍ୟାଶିତ ଅନୁଗ୍ରହ ପାଇଁ କୃତଜ୍ଞତା ଜଣେଇଲି । ଅଧ୍ୟାପକ ସବୁ ବ୍ୟବସ୍ଥା କରିଦେଲେ । ପାସପୋର୍ଟ, ଭିସା, ସବୁ, ହେଲା ।

 

‘‘ତାପରେ ଦିନେ ବିଦାୟ ନବାକୁ ଗଲି । ଉଇସମାନ ଖଣ୍ଡେ ପରିଚୟ ପତ୍ର ଦେଲେ ଯାର ଦାମ ମୋର ଡିଗ୍ରୀଠାରୁ ବେଶୀ । ବ୍ରାଣ୍ଟ ପରିଚୟ ପତ୍ର ତ ଦେଲେ, ଚିଠି ବି ଲେଖିଲେ ତାଙ୍କ ବିଶ୍ୱବିଦ୍ୟାଳୟକୁ ମୋ ବିଷୟରେ । ଦିନେ ସମସ୍ତଙ୍କୁଠୁଁ ବିଦାୟ ନେଇ ବାହାରି ପଡ଼ିଲି । ପାରିସରେ ବୁଲିଲି ଗୋଟାଏ ସପ୍ତାହ । ତାପରେ ଲଣ୍ଡନ । ଏଠି ରହିଲି ଦଶଦିନ । ବହୁ ଭାରତୀୟ ତଥା ଓଡ଼ିଆ ଛାତ୍ରଙ୍କ ସାଙ୍ଗରେ ଦେଖାହେଲା । ମୋର ପରିଚିତ କାହାକୁ ଦେଖିଲିନି । ତାପରେ ଦିନେ ଉଡ଼ିଲି ଏମେରିକାର ଆକାଶ ଆଡ଼କୁ ।’’

 

‘‘ଆଇଓଆରେ ମୁ ପହଞ୍ଚିଲାବେଳକୁ ସବୁ ବ୍ୟବସ୍ଥା ହୋଇ ରହିଛି । ରକଫେଲାର ଫାଉଣ୍ଡେସନରୁ ବୃତ୍ତି ପର୍ଯ୍ୟନ୍ତ । ଦୁଇ ବର୍ଷରେ ଥିସିସ ଗୃହିତ ହେଲା । ତାପରେ ଚାକିରି ଏକ ପ୍ରସିଦ୍ଧ ରସାୟନ କମ୍ପାନୀରେ I ଦୁଇବର୍ଷ କାମକଲା ପରେ କମ୍ପାନୀ ଠିକ୍ କଲେ ଭାରତରେ ତାଙ୍କ ଜିନିଷ ଚଳେଇବେ । ମୋତେ ବଛାଗଲା ସେ କାମ ପାଇଁ ।

 

‘‘ତାପରେ ତ ଘରେ । ହସିଲା ଶଙ୍କର । ତୁମ ଆଗରେ ବସି ଗପ ମାରୁଛି ।’’

 

ବୋଉ ପାନ ଭାଙ୍ଗୁଥିଲେ । ବଟାରୁ ଗୋଟାଏ ପାନଆଣି ଚୋବେଇବାକୁ ଲାଗିଲା ଶଙ୍କର । ଅନେକବେଳୁ ସିଗ୍ରେଟ ଖାଇନି ସେ ।

 

‘‘ତୁମେ ତାହେଲେ କଉଠି ରହିବ ଭାଇନା ?’’ ଉମା ପଚାରିଲା ।

 

‘‘କଲିକତାରେ ।’’

 

‘‘ରକ୍ଷା । ପାଖ ହବ । ଯିବା ଆସିବା କରି ହବ ।’’

 

‘‘ତୋର ଯେତେବେଳେ କଲିକତା ଯିବାକୁ ମନ ହବ, ମୋତେ ଲେଖି ଦବୁ । ମୁ ଗାଡ଼ି ନେଇ ତତେ ଷ୍ଟେସନରୁ ଘରକୁ ନେଇଯିବି ।’’

 

‘‘ମୁ କଣ କଲିକତା ଦେଖିଲିଣି ?’’

 

ହସି ଉଠିଲେ ସମସ୍ତେ ।

 

‘‘ଏଥର ସଭା ଭଙ୍ଗ ହଉ ।" ମାମୁ ପ୍ରସ୍ତାବ କଲେ । ଶଙ୍କରର ପିଠିରେ ଗୋଟାଏ ହାଲୁକା ଚାପୁଡ଼ା ମାରି କହିଲେ– ‘‘ବିଚିତ୍ର ତୋର କାହାଣୀ, ଅଦଭୁତ ତୋ ଅଭିଜ୍ଞତା । ବାଃ ।’’

 

ଶଙ୍କର ଦେଖିଲା– ବାପା ବୋଉ ଦିଜଣଙ୍କ ଆଖି ଚିକଚିକ କରୁଛି ।

 

ଶୋଇବାକୁ ଗଲାବେଳେ ଚନ୍ଦ୍ରଶେଖର ଏକାନ୍ତରେ ଟିପଣୀ କାଟିଲା– ‘‘ଅନେକ ବ୍ଲେଙ୍କ ରହିଗଲା ।’’

 

‘‘ଅନେକ ।’’ ସ୍ୱୀକାର କଲା ଶଙ୍କର ।’’ସେ ଘଟଣାଗୁଡ଼ା ଅନୁଭୂତିର ରସରେ ଶୀକ୍ତ । ଖୁବ୍ ସୀମିତ ସମାଜ ଛଡ଼ା ଅନ୍ୟତ୍ର ସେଗୁଡ଼ା ଚଳିବନି । ଏଠି ତ ପ୍ରଶ୍ନ ଉଠେନି ।’’

 

ହସିଲେ ଦିଜଣ । ଶଙ୍କରକୁ ତା ଘର ଦୁଆର ମୁହଁରେ ଶୁଭରାତ୍ରି ଜଣେଇ ଆଗେଇ ଗଲା ଚନ୍ଦ୍ରଶେଖର ତା ଶୋଇବା ଘରକୁ ।

 

–ଏଗାର–

 

ନିଦ ଭାଙ୍ଗିଲା ଶଙ୍କରର । ବାହାରେ ନାନାପ୍ରକାର ଚଢ଼େଇର ଶବ୍ଦ । ରାତି ତାହେଲେ ପାହିଲାଣି । ଝରକାଟା ଖୋଲି ଦେଖିଲା ପୂର୍ବ ଆକାଶଟା ସଫା ହୋଇ ଆସୁଛି । ପଲ୍ଲୀର ଏଇ ସକାଳ ତାକୁ ଆକର୍ଷଣ କଲା । ଚଟପଟ ପୋଷାକ ପିନ୍ଧି ବାହାରି ଆଇଲା ଘରୁ । କେହି ବିଛଣା ଛାଡ଼ି ନାହାନ୍ତି । ଆଗେଇ ଗଲା ପୂର୍ବଦିଗକୁ । ମାଟିର ସଡ଼କ ଗୋଟିଏ ଅଙ୍କା ବଙ୍କା ହୋଇ ଚାଲିଯାଇଛି । ଦୁଇପାଖରେ ଧାନ ବିଲ । ଦୂରରେ ଗୋଟାଏ ଗାଁ । ଗଛପତ୍ର ଦିଶୁଛି । ଏଟା ବୋଧହୁଏ– ସାହାଡ଼ା । ଗଉଡ଼ ବସ୍ତୀ । ଆଗେ ଏଠି ଦୁଧ ଘିଅ ଛେନାର କାରବାର ହେଉଥିଲା ।

 

ଗତିବେଗ ବଢ଼େଇ ଦେଲା ଶଙ୍କର । ଦେହର ଜଡ଼ତା ନାଶ ହବ । ଜଣେ ଦି ଜଣ ଲୋକଙ୍କୁ ଭେଟିଲା ସେ । ସେମାନେ ତାକୁ ବାଟ ଛାଡ଼ିଦେଇ କଡ଼େଇ ଗଲେ । ପ୍ରାୟ ଅଧ ଘଣ୍ଟାଏ ଚାଲିବା ପରେ ଶଙ୍କରର ମନେ ହେଲା– ଗାଁ ଟା ତଥାପି ଦୂରରେ ଦିଶୁଛି । ଘଡ଼ି ଦେଖିଲା, ଛଟା ଦଶ । ସୂର୍ଯ୍ୟ ଉଠୁଥାନ୍ତି ଆସ୍ତେ ଆସ୍ତେ । ଡିସେମ୍ବରର ସୂର୍ଯ୍ୟ, ରୁକ୍ଷତା ନାହିଁ । ବରଂ ମନୋରମ । ଠିଆ ହୋଇ ଗୋଟାଏ ସିଗ୍ରେଟ ଲଗେଇଲା । ତାପରେ ଫେରିଲା ଆସ୍ତେ ଆସ୍ତେ; ଚାରିଆଡ଼କୁ ଅନେଇ ଅନେଇ । ଗୋଟାଏ କବିତା ମନେପଡ଼ିଲା ତାର– ‘‘ସକାଳ ସୂର୍ଯ୍ୟର ଉତ୍ତାପ ପରି ତୁମେ ମନୋରମ । ହେ ମୋର ସଖୀ, ମୁ ତୁମକୁ ଭଲ ପାଏଁ ନିଜ ସ୍ୱାର୍ଥରେ । ତୁମର ଦେହଲତା ମୋ ଦେହ ଯେ ବାରମ୍ବାର କାମନା କରେ– ତାର କାରଣ ତୁମେ ମୋତେ ଲୁବ୍‍ଧ କର ।’’

 

କେଉଁ ଏକ ଅଖ୍ୟାତ ମାର୍କିନ କବିର ଲେଖା କବିତାରୁ ପଦେ । ତାକୁ ଶୁଣେଇଥିଲା ରାଲଫ୍ । ଚାଲିଗଲା ସେ ନିଉଇୟର୍କକୁ । ବ୍ରଡଉଏର ଏକ ଅଭିଜାତ ଥିଏଟାରରୁ ବାହାରୁଛନ୍ତି ଦି ଜଣ । ରାତି ସାଢ଼େ ନଅଟା । ରାସ୍ତା ତାଙ୍କୁ ହାତଠାରି ଡାକୁଛି । ଶନିବାରର ସଂଧ୍ୟା । ଆଜି ସବୁଠି ଉତ୍ସବ ।

 

‘‘କୁଆଡ଼େ ଯିବୁ ?’’ ପଚାରିଲା ରାଲଫ । ତା ରକ୍ତକୁ ହୁଇସ୍କି ଚଞ୍ଚଳ କରୁଥାଏ । ଏକ ମଦିର ଚାହାଣି ଦେଇ ଦେଖିଲା ଶଙ୍କର ଠିଆ ହୋଇ । ଆମୋଦ ପ୍ରମୋଦର ସୁଅ ଛୁଟିଛି ଏଇ ଅଞ୍ଚଳଟିରେ । ମାର୍କିନ ଐଶ୍ୱର୍ଯ୍ୟ ଏବଂ ସେ ଐଶ୍ୱର୍ଯ୍ୟ ପୃଥିବୀର ଅଦ୍ୱିତୀୟ, ଯାହା କିଣିପାରେ, ସବୁ ଏଠି ମିଳେ । ଏଠିକାର ରାତ୍ରୀ ଅନବଗୁଣ୍ଠିତା । ନିଅନ ଆଲୁଅ ଛାଇରେ ଯେତିକି ଢାଙ୍କି ହବ ସେତିକି ।

 

–‘‘କଣ, କୁଆଡ଼େ ଯିବା ?’’ ପୁଣି ପଚାରିଲା ରାଲଫ ।

 

–‘‘ତୋର ଯୁଆଡ଼େ ଇଚ୍ଛା ।’’

 

–‘‘ଠିକ୍ ତ ?’’ ପୁଣି ଥରେ ବୁଝି ରଖିଲା ରାଲଫ୍ । ଶଙ୍କରଟା ହିନ୍ଦୁ । ମଦ ଖାଇବ ନାହିଁ, ଅମୁକ କରିବ ନାହିଁ ତମୁକ କରିବ ନାହିଁ । ସବୁଥିରେ ଥାଇ ମଧ୍ୟ ନ ଥିବା ଭଳି ।

 

ରାଲଫର ଗାଡ଼ିରେ ବସିଲେ ଦି ଜଣ । ଦଶ ମିନିଟ ପରେ ରାଲଫ ଠିଆ କଲା ଗୋଟାଏ ପ୍ରାସାଦ ପାଖରେ । ବାହାରୁ ବୁଝିପାରିଲା ନାହିଁ ଶଙ୍କର କଣ ଏଟା । ଭିତରକୁ ପଶିଗଲେ ଦିଜଣ । ଗୋଟାଏ ବାର । କେତେଜଣ ସ୍ତ୍ରୀ ପୁରୁଷ ବସି ମଦ୍ୟପାନ କରୁଛନ୍ତି । ରାଲଫ ଆଉ ଶଙ୍କର ଗୋଟାଏ ଟେବୁଲରେ ବସିଲେ । ରାଲଫ ବରାତ କଲା ହୁଇସ୍କି । ଶଙ୍କର ପାଇଁ ଆସିଲା ଥଣ୍ଡା ପାନୀୟ । ଉଏଟାରକୁ ଡାକିଲା ରାଲଫ ।

 

“ଦିଟା ଟିକଟ ଦରକାର ।’’

 

‘‘ଦେଖୁଛି ସାର କେତେ କଣ ଅଛି ।’’

 

ରାଲଫ ବଢ଼େଇ ଦେଲା ଗୋଟାଏ ଶହେ ଡଲାର ବିଲ୍‍ ତା ହାତକୁ । ଚାଲିଗଲା । ଉଏଟାର । ପାଞ୍ଚମିନିଟ ପରେ ଫେରି ଆସିଲା । ଟିକଟ ଦିଟା ଦେଲା ବାକି ଟଙ୍କା ଫେରେଇ ଦଉଥିଲା ରାଲଫକୁ । ହାତ ହଲେଇ ମନା କଲା ରାଲଫ । ଉଠି ପଡ଼ିଲା ସେ– ‘‘ଆୟ ।’’

 

ରାଲଫ ପଛେ ପଛେ ଆଉ ଗୋଟାଏ ଘରକୁ ପଶିଲା ସେ । ସିଡ଼ି ଚଢ଼ି ଉପରକୁ ଉଠିଗଲେ ଦୁଇ ବଂଧୁ । ଗୋଟାଏ ପ୍ରକାଣ୍ଡ ହଲ, ଲୋକରେ ଭର୍ତ୍ତି । ତାର ଗୋଟାଏ ପଟେ ଷ୍ଟେଜ । ଷ୍ଟେଜର ପର୍ଦା ଉପରେ ନାନା ରଙ୍ଗର ଆଲୁଅର ଖେଳ ଚାଲଛି । ବସିଲେ ଦିଜଣ ନିଜ ନିଜ ଜାଗାରେ ।

 

ଧୀରେ ଧୀରେ ପର୍ଦାଟା ଦୁଇଭାଗ ହୋଇଗଲା । ଗୋଟାଏ ବିରାଟ ସାମୁକ । ଆସ୍ତେ ଆସ୍ତେ ଖୋଲି ଯାଉଛି ମୁହଁଟା । ବାହାରି ଆସିଲା ଏକ କନକାଙ୍ଗୀ ଯୁବତୀ । ତାର ସାରା ଦେହରେ ସୁବର୍ଣ୍ଣର ଦ୍ୟୁତି । ତା ପଛକୁ ଆଉ ତିନିଜଣ ଆସିଲେ । ଏମାନେ ରଜତଶୁଭ୍ର । ନୃତ୍ୟ ଆରମ୍ଭ ହେଲା । ହଠାତ୍ ଦିଶିଲା ଶଙ୍କରକୁ, ଏମାନଙ୍କର ପୋଷାକ କୁଆଡ଼େ ଉଭେଇ ଯାଇଛି ! ନୃତ୍ୟଟା ଅତି ମାତ୍ରାରେ ଆଦିରସାତ୍ମକ-ବିଶେଷକରି ଶେଷ ଆଡ଼କୁ । ନାଚ ସଇଲା ବେଳକୁ ପର୍ଦା ଫେର ଯୋଡ଼ି ହୋଇଗଲା । ରାଲଫ ଶଙ୍କରର ହାତରେ ଚାପ ଦେଲା ।

 

ଦ୍ୱିତୀୟ ଦୃଶ୍ୟ । ଗ୍ରୀକ ଦେବୀ ଏଫ୍ରୋଡାଇଟଙ୍କ ପ୍ରେମାଭିସାର, ମିଳନ । ବେଲେ । କି ଅପୂର୍ବ ଭଙ୍ଗୀ ଏମାନଙ୍କର । ଅଙ୍ଗ ସୁଷମାରେ ମାର୍କିନ ନାରୀ ବୋଧହୁଏ ପୃଥିବୀରେ ଶ୍ରେଷ୍ଠ । ଏ ନୃତ୍ୟ ସରିଲାବେଳକୁ ଶଙ୍କରର ଦେହ ଗରମ ହୋଇ ଉଠିଛି ।

 

ତୃତୀୟ ଦୃଶ୍ୟ, ବାଇବ୍ଲର ଗପ । ଇଉେନ ଉଦ୍ୟାନରେ ଇଭଙ୍କ ନିଷିଦ୍ଧ ଫଳ ଭକ୍ଷଣର ଉପାଖ୍ୟାନ । ଆଦିମ ପୁରୁଷ ଓ ଆଦିମ ନାରୀର ରମଣ ରୂପାୟିତ ହୋଇଛି ବେଲେରେ । ଉସ୍‍ଖୁସ୍ କରି ଉଠିଲେ ପ୍ରେକ୍ଷା ଗୃହର ଦର୍ଶକ । ପର୍ଦା ପଡ଼ିଲା ।

 

ଅବସର । ଉଠି ଠିଆହେଲା ରାଲଫ । ପଦାକୁ ଆସିଲାରୁ ଶଙ୍କର ଦେଖିଲା, ରାଲଫର ମୁହଁଟା ଲାଲ– ଆଖି ଗୁଡ଼ାରେ ଏକ ଅସ୍ଵାଭାବିକ ଦୃଷ୍ଟି ।

 

‘‘ଦେଖ ଶଙ୍କର, ମଉଜଟା ନଷ୍ଟ କରିବୁନି ତ କହ ।’’

 

‘‘କଣ କରିବୁ ?’’ ପଚାରିଲା ଶଙ୍କର ।

 

‘‘ମୁଁ ଯାହା କରେଁ ତୋତେ ଭାଗ ଦେବି । ଏଠି ଠିଆ ହୋଇଥା, ମୁ ଆସୁଛି ।’’ କୁଆଡ଼େ ଚାଲିଗଲା ରାଲଫ କରିଡ଼ରରେ । ଫେରି ଆସିଲା, ତାର ଦୁଇ କାନ୍ଧରେ ଦୁଇଟି ତରୁଣୀ ଭାରଦେଇ ହସି ହସି ଆସୁଛନ୍ତି । ଶଙ୍କର ପାଖକୁ ଆସି ଜଣକୁ ତା ପାଖକୁ ଯିବାକୁ କହିଲା । ଗୋଟିଏ ତରୁଣୀ ଶଙ୍କରର ହାତଟାକୁ ଧରି ତା ଗାଲରେ ଏକ ସଶବ୍ଦ ଚୁମ୍ବନ କଲା । ଗାଡ଼ିରେ ବସିଲେ ଯାଇ ଦୁଇବଂଧୁ, ରାଲଫ ତାର ସଙ୍ଗିନୀଟିକୁ ନେଇ ଆଗରେ, ଏମାନେ ପଛରେ । ରାଲଫ ଗାଡ଼ି ଛାଡ଼ିଦେଲା । ଶଙ୍କର ତାର ସଙ୍ଗିନୀଟିକୁ ଚାହିଁଲା, ସେ ତା କୋଡ଼ରେ ଶୋଇ ପଡ଼ି ହସୁଛି– ତାର ଦେହରେ କୌଣସି ଆବରଣ ନାହିଁ ।

 

ଫେରି ଆସିଲା ଶଙ୍କର ବର୍ତ୍ତମାନକୁ । ସେ ଗାଁ ଭିତରେ ହେଲାଣି । ଘଡ଼ି ଦେଖିଲାପୁଣି– ସାତଟା । ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ଅନେଇଲା ସେ ଚାରିଆଡ଼କୁ । ପ୍ରଥମ ଘରଟାହିଁ ତାର ମନେ ହେଲା ଚିହ୍ନା । ଓହୋ, ସଂଗାତ ମାଉସୀଙ୍କ ଘର, ମାନିର । ପଶିଗଲା ଶଙ୍କର । ସଂଗାତ ମାଉସୀ ବାସନ ମାଜୁଥିଲେ । ଗୋଟାଏ ସାହେବକୁ ଅଗଣା ଭିତରକୁ ପଶି ଆସିବାର ଦେଖି ଠିଆହୋଇ ପଡ଼ିଲେ । ଟୋପିଟା ଖୋଲି ଶଙ୍କର କହିଲା– “ସଙ୍ଗାତମାଉସୀ, ମୁ ଶଙ୍କର ।’’ ନମସ୍କାର କଲା ସେ-। ହାତଧୋଇ ଗୋଟାଏ ସତରଞ୍ଜି ଆଣି ପିଣ୍ଡାରେ ପକାଇଲେ ମାଉସୀ । ଓଢ଼ଣା ସେମିତି ଅଛି-

 

‘‘ବସ ।’’ ମୃଦୁକଣ୍ଠରେ ଅନୁରୋଧ କଲେ ।

 

“ମୁଁ ଦୁଇଦିନ ହେଲା ଆସିଲିଣି ।’’ ବସି ପଡ଼ି କହିଲା ଶଙ୍କର ।

 

‘‘ମାନି କହୁଥିଲା ।’’

 

‘‘ମାନି କାହିଁ ?’’

 

“ନଈକି ଯାଇଛି ।’’

 

‘‘ନଈକୁ, ଏତେ ବାଟ ?’’

 

‘‘ନା, ପାଖରେ ଗୋଟାଏ ଘାଟ ଅଛି ।’’

 

‘‘ମଉସା ?’’

 

‘‘ସେ କଟକ ଯାଇଛନ୍ତି ଚାରିଦିନ ହେଲା ।’’

 

ପଶି ଆସିଲା ମାନି । ନୀଳ ଧଡ଼ିର ସାଦାଶାଢ଼ି ଖଣ୍ଡେ ପିନ୍ଧିଛି । ଗାଧୋଇ ଆସିଛି ସେ । ଓଦା ଲୁଗାଟା ତା ଦେହରେ ଲାଗି ଲାଗି ଯାଇଛି । ତାର ଶରୀରର ପ୍ରତ୍ୟେକଟି ଭାଙ୍ଗ ପରିଷ୍କାର ଦିଶୁଛି । ମୁଣ୍ଡରେ ଲୁଗା ନାହିଁ । କାଖରେ ଗୋଟାଏ ପିତଳ ଗରା । ଗରାଟା ଓହ୍ଲେଇବାକୁ ଯାଇ ନଜର ପଡ଼ିଲା ତାର ଶଙ୍କର ଉପରେ । ତା ଆଖିରେ ବିମୁଗ୍‍ଧ ଦୃଷ୍ଟି । କଣ କରିବ ତାକୁ ବୁଦ୍ଧି ଦିଶିଲାନି । ଗରାଟା କଚାଡ଼ି ଦେଇ ଦଉଡ଼ି ଯାଇ ପଶିଗଲା ମାନି ଗୋଟାଏ ଘର ଭିତରେ ।

 

ସ୍ତବ୍‍ଧ ହୋଇ ବସିଲା ଶଙ୍କର ମିନିଟିଏ । ତା ପରେ ଫେରି ପାଇଲା ନିଜକୁ । ହୋ ହୋ କରି ହସି ଉଠି କହିଲା, “ମାନି ମୋତେ ଚିହ୍ନିପାରିଲାନି ମାଉସୀ’’ ।

 

ମାନିଥିବା ଘରକୁ ଶୁଖିଲା ଲୁଗା ବଢ଼େଇ ଦେଇ, ପାନବଟା ନେଇ ଆସି ବସିଲେ ମାଉସୀ । ବେଶ ଯତ୍ନକରି, ନାନା ପ୍ରକାର ମସଲା ଦେଇ ଚାରିଖଣ୍ଡ ପାନ ଭାଙ୍ଗି ଗୋଟାଏ ଥାଳିଆରେ ବଢ଼େଇ ଦେଲେ । ଘର ଭିତରୁ କୃଦ୍ଧ ସ୍ଵରରେ ଶବ୍ଦ ଶୁଭିଲା– ‘‘ବୋଉ ।’’

 

ଉଠିଗଲେ ମାଉସୀ, ସେଇ ଘର ଦୁଆରକୁ ।

 

“ସେ କଣ ପାନ ଖାଆନ୍ତି ?’’

 

‘‘ତାହେଲେ ଚା କରି ଦେ ?’’

 

‘‘ଏଇ ଚା ସେ ଖାଇବେ ?’’

 

ହସି ହସି କହିଲା ଶଙ୍କର । ଏଠି ଚା ମିଳିବ ମାଉସୀ ? ମୁ ସକାଳୁ ଆଜି ଚା ପାଇନି । ଉମା ଉଠିବା ଆଗରୁ ମୁ ବାହାରି ପଡ଼ିଛି ।’’

 

‘‘ଉମା ଯେ ସେଠି ଅନେଇ ବସିଥିବ ବାପା ?’’

 

‘‘ମାନି ମୋତେ ଚା କପେ ଦବନି, ଏଇ କଥା ତ ? ମୋ ଉପରେ ଭୀଷଣ ରାଗିଛି । ଦଶବର୍ଷ ହେଲା କେଉଁଠି ଥିଲା ଏ ଦୁର୍ବୃତ୍ତ । ଏହାପ୍ରତି ଆମର କିଛି କର୍ତ୍ତବ୍ୟ ନାହିଁ ।’’ ନାଟକୀୟ ଭଙ୍ଗୀରେ କହିଲା ଶଙ୍କର । ଉଠି ଠିଆ ହେଲା । ଥାଳିଆରେ ଥିବା ଗୋଟାଏ ପାନକୁ ପାଟିରେ ପୂରେଇ ଚୋବେଇବାକୁ ଲାଗିଲା । ବିଲେଇ ଛୁଆଟାକୁ ଉଠେଇ ନେଇ ଗେହ୍ଲା କଲା । ଦେଖିଲା, ଲୁଗା ବଦଳେଇ ମାନି ହାଣ୍ଡିଶାଳକୁ ପଶିଲା । ପୁଣି ବସି ପଡ଼ିଲା ଶଙ୍କର ।

 

‘‘ରହିବ ତ ବାପା ଏଇଖିଣି କିଛିଦିନ ବାପା ବୋଉ ପାଖରେ ?’’

 

ମାଉସୀ ପଚାରିଲେ ।

 

‘‘ମନ ହଉଛି ତ ଏ ଗାଁ ଛାଡ଼ି ଯିବିନି । କିନ୍ତୁ ତା କଣ ହବ । ମାନି କହିବ, ଏ ରହିଲେ ବରାବର ଆସି ପାନ ଖାଇବ । ବଡ଼ବାପା କହିବେ, ଗୋଟାଏ ମ୍ଳେଚ୍ଛ ଏ ଗାଁରେ ବୁଲୁଛି । ତାକୁ କାଢ଼ିଦିଅ ଗାଁରୁ ।’’ ହସିଲା ସେ ।

 

“ତାହେଲେ ମାଉସୀ—’’ ଉଠି ଠିଆହେଲା ଶଙ୍କର । ‘‘ମୁଁ ଚାଲିଲି । ମୁ ଏଇଖିଣି ଅଛି କିଛିଦିନ ।’’

 

ପୁଣି ସେଇ ଚାପାସ୍ୱର ଶୁଭିଲା ହାଣ୍ଡିଶାଳରୁ – ‘‘ବୋଉ ଚା ହେଲାଣି ।’’

 

‘‘ଟିକିଏ ସେ ବାପା ।’’ ବୋଉ ଉଠିଗଲେ ଝିଅ ପାଖକୁ । ତାପରେ ଗୋଟିଏ ପରିଷ୍କାର କାପରେ ଚା ଆଣି ତା ହାତରେ ଦେଲେ । ଶଙ୍କର ଚାଖି ଚାଖି ଖାଇଲା, ଆସ୍ତେ ଆସ୍ତେ, ସମୟ ନେଇ । ଯେମିତି ଭାରି ଉପଭୋଗ କରୁଛି । ଚା ଖାଇସାରି, କାପଟା ରଖି, ବାକି ପାନଗୁଡ଼ାକୁ ଗୋଟାଏ ପରେ ଗୋଟାଏ ପାଟିରେ ପୁରେଇ ଚୋବେଇବାକୁ ଲାଗିଲା । ମାଉସୀଙ୍କୁ ନିମନ୍ତ୍ରଣ କଲା ତାଙ୍କ ଘରକୁ । ଚା ପାଇଁ ମାନିକୁ ଧନ୍ୟବାଦ ଦେଲା । ପାନ ରାଗରେ ସୁସୁ କରି ବାହାରି ଗଲା ।

 

ମାନି ଲଡ଼ୁକେଶ ଷଡ଼ଙ୍ଗୀଙ୍କର ଏକମାତ୍ର କନ୍ୟା । ଲଡ଼ୁକେଶ ବାହା ହୋଇଥିଲେ ତା ମାମୁଘର ଗାଁରେ । ଏଇ ମାଉସୀ ତା ବୋଉର ପିଲାବେଳର ସାଙ୍ଗ ଓ ସଙ୍ଗାତ । ମାଇନର ପାଶ କରି କିଛିଦିନ ହାଇସ୍କୁଲରେ ପଢ଼ିଥିଲେ ସଙ୍ଗାତମଉସା । ଦାରିଦ୍ର୍ୟ ହେତୁ ପଢ଼ାଛାଡ଼ି କଉଠୁ ଗୋଟାଏ ଟ୍ରେନିଂ ନେଇ ଆସି ଗାଁରେ ପ୍ରାଥମିକ ସ୍କୁଲର ହେଲେ ହେଡ଼ପଣ୍ଡିତ । ଷଡ଼ଙ୍ଗୀମଉସା କିନ୍ତୁ ସାହିତ୍ୟିକ । କବିତା ଲେଖନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ବଡ଼ ଭକ୍ତ । କଟକରେ ଅନେକ ସାହିତ୍ୟିକଙ୍କ ସାଙ୍ଗରେ ତାଙ୍କର ପରିଚୟ । ତାଙ୍କ କବିତା ଛାପାହୁଏ ପ୍ରାୟ ସବୁ ପତ୍ରପତ୍ରିକାରେ ।

 

ଏଭଳି ଯେଉଁ ଷଡ଼ଙ୍ଗୀମଉସା ତାଙ୍କର ଏକମାତ୍ର ସନ୍ତାନ ଏଇ ମାନି, ଭଲ ନାମ ମାନସୀ । କବି ପିତାର ମାନସୀକନ୍ୟା । ବଡ଼ ଆଦରର ଝିଅ ଥିଲା ଏଇ ମାନି । ଅଳ୍ପ ଆୟ ସତ୍ତ୍ୱେ ଝିଅକୁ ସବୁରକମର ସୁବିଧା ଦବାକୁ ମଉସା ବରାବର ଯତ୍ନଶୀଳ ଥିଲେ । ନିଜେ ତାକୁ ପାଠ ପଢ଼େଇଥିଲେ, ଯେତେଦୂର ସମ୍ଭବ ।

 

ମାନି ପିଲାବେଳୁ ଅତି ସୁନ୍ଦର । ଉଜ୍ଜ୍ୱଳ ଗୋରାରଙ୍ଗ, କପାଳଟି ସାନ, ମୁଣ୍ଡରେ ଚୂର୍ଣ୍ଣକୁନ୍ତଳ, ନାକଟି ସିଧା, ପାଟିଟି ଛୋଟ, ଦାନ୍ତଗୁଡ଼ିକ ମୁକ୍ତାପରି ସଜା ହୋଇଛି । ମାନି ଚେହେରାର ସବୁଠୁଁ ବଡ଼ ଆକର୍ଷଣୀୟ ହେଲା ତାର ଆଖିଦିଟା । ବନହରିଣୀର ଚାହାଣି ତାର ।

 

ମାନି ଆଉ ଉମା ସମବୟସୀ । ପିଲାବେଳୁ ସେମାନେ ଅଭିନ୍ନହୃଦୟ ବଂଧୁ । ମାନି ପ୍ରାୟ ଯାଇ ରହୁଥିଲା ଶଙ୍କର ଘରେ । ଏଇ ଅତି ସୁନ୍ଦର ଝିଅଟିକୁ ଭବିଷ୍ୟତରେ ବୋହୂ କରିବାର ଗୋଟାଏ ପ୍ରଚ୍ଛନ୍ନ ଅଭିଳାଷ ଶଙ୍କରର ବୋଉଙ୍କର ନଥିଲା, ଏକଥା କହି ହବବାହିଁ । ତାପରେ ସେ ପଳେଇଲା ଦେଶ ତ୍ୟାଗକରି । ୟା ଭିତରେ ମାନି ବାହାହେଲା ଏବଂ ବିଧବା ହେଲା । ଆଜି ଦଶବର୍ଷର ବ୍ୟବଧାନ ପରେ ଶଙ୍କର ଯେତେବେଳେ ମାନିକୁ ଦେଖିଲା, ସେ ସ୍ତବ୍‍ଧ ହୋଇଗଲା । ଯୌବନ ଯେମିତି ଫାଟି ପଡ଼ୁଛି ଏଇ ଗ୍ରାମ୍ୟ ଯୁବତୀର ନାନାଅଙ୍ଗରେ । କି ଉଜ୍ଜ୍ୱଳ ତାର ବର୍ଣ୍ଣ, କି ଦୁର୍ଦ୍ଦାନ୍ତ ସ୍ୱାସ୍ଥ୍ୟ ତାର । ଏତେ ସୁନ୍ଦର ହୋଇପାରେ ଗୋଟିଏ ନାରୀ ! ଶଙ୍କରକୁ ସେ ମୁଗ୍‍ଧ କରିଛି, ବିହ୍ୱଳ କରିଛି ।

 

ଫେରିଗଲା ଶଙ୍କର ପୁଣି ପଛକୁ । ଆଇଓଆର ଡରୋଥି କର୍ଡ଼, ଲସ୍ଏଞ୍ଜେଲେସର କ୍ଳଡେଟ ସ୍ମିଥ, ଲଣ୍ଡନର ଖ୍ରୀଷ୍ଟିନା ରେମଣ୍ଡ, ହାଇଡେଲବାର୍ଗର-କେଥେରିନ ଗୁସବାର୍ଗ, ଷ୍ଟକହୋମର ରୀନା ହେବାର । ଆଖି ଆଗରେ ଭାସି ଉଠିଲା ଶ୍ଵେତାଙ୍ଗନାଙ୍କର ପେରେଡ଼ । ନା, କେହି ମାନିପରି ଏତେ ସୁନ୍ଦର ନୁହନ୍ତି । ରୀନା ହେବାର, ସେହି ଫିନଦେଶୀୟ ଝିଅଟା, କେଉଁ ଏକ ପୂର୍ବ ଇଉରୋପୀୟ ରାଜବଂଶର ନୀଳରକ୍ତର ଧାରା ତା ଦେହରେ, ଆଶ୍ଚର୍ଯ୍ୟ ଚଂଚଳ । ମମତାରେ ଆଖିଗୁଡ଼ା ତାର ଢୁଳୁଢୁଳୁ । ଶଙ୍କରର ପ୍ରଥମ ପ୍ରଣୟିନୀ । ତାରି ସାଙ୍ଗରେ ପଢ଼ୁଥିଲା ସେ ଷ୍ଟକହୋମରେ । ଦିନେ କଲେଜ କରିଡ଼ରରେ ତାକୁ ଏକା ପାଇ ଥଟ୍ଟା କଲା– ଭାରତୀୟଗୁଡ଼ାଙ୍କ ରକ୍ତରେ ଉଷ୍ଣତା ନାହିଁ ବୋଲି । ସେ ରୀନା, ଯାହାକୁ ସେ ପ୍ରାଣଦେଇ ଭଲ ପାଇଥିଲା, ଯେ ତାର ଷ୍ଟକହୋମରେ ଦିନଗୁଡ଼ା ସୁମଧୁର କରି ରଖିଥିଲା, ସେ ବି ମାନି ପାଖରେ ଆଜି ମ୍ଳାନ ହୋଇଗଲା-

 

–ବାର–

 

ନିଜ ଚିନ୍ତାରେ ବିଭୋର ଶଙ୍କର କେତେବେଳେ ଯେ ଆସି ଘର ଆଗରେ ହେଲାଣି, ତାର ଖିଆଲ ନାହିଁ । ହଠାତ୍ ରାଜାର ପାଟି ଶୁଣି ତାର ଚିନ୍ତାର ଖିଅ ଛିଣ୍ଡିଗଲା ।

 

‘‘ସାହେବମାମୁ, ତୁମେ କୁଆଡ଼େ ଯାଇଥିଲ ? ମା ଖୋଜି ଖୋଜି ଥକିଲାଣି ।’’

 

ଭଣଜାର ହାତଧରି ପଶିଲା ଶଙ୍କର ଘରକୁ, ଘଡ଼ିରେ ଆଠଟା ।

 

ବୋଉ ପଚାରିଲେ, ‘‘କୁଆଡ଼େ ଯାଇଥିଲୁ କି ବାପା ?’’

 

‘‘ବୁଲି ଯାଇଥିଲି ବୋଉ ଡେରି ହୋଇଗଲା ନା ?’’ କୁଣ୍ଠିତ ହେଲା ସେ । ତା ଶୋଇବା ଘର ଭିତରକୁ ପଶି ଗରମ ପେଷାକଟା ଖୋଲି ପକେଇଲା । ଇତିମଧ୍ୟରେ ଉମା ଆସି ଠିଆ ହୋଇଛି କେତେବେଳେ ? ମୁହାମୁହିଁ ହେବାରୁ ଟିକିଏ ହସିଲା ଶଙ୍କର । ଅପରାଧ କରିଛି ଯେମିତି-

 

‘‘ଟିକିଏ ଡେରି ହେଇଗଲାରେ ଉମି । ବୁଲୁ ବୁଲୁ ଚାଲିଗଲି ଅନେକ ବାଟ । ଭାରି ଭୋକ କଲାଣି । କିଛି ଦବୁ ଖାଇବାକୁ ?’’

 

“ତୁମେ ତ ଖାଇ ଆସିଛ ।’’ କପଟ ଗାମ୍ଭୀର୍ଯ୍ୟ ଉମା ମୁହଁରେ ।

 

‘‘ଖାଇ ଆସିଛି ? ମୁ ? ? କଉଠି ???’’

 

‘‘ମାନି ଘରେ ।’’

 

ହୋ ହୋ କରି ହସି ଉଠିଲା ଶଙ୍କର “ତୋତେ କିଏ କହିଲା ?’’

 

‘‘ଯେ କହୁ । ମିଛ ?’’

 

‘‘ନା ସତ । ଖାଇଛି କାପେ ଚା ଆଉ ଚାରିଖଣ୍ଡ ପାନ । କିନ୍ତୁ କଳରେ ଚୂନ ଲାଗି ଗଲାରେ ଉମି । କେମିତି ଲାଗୁଛି ପାଟିଟା ।’’ ମୁହଁ ଶୁଖେଇ କହିଲା ଶଙ୍କର ।

 

‘‘ଚା ଖାଇସାରି ସାଙ୍ଗେ ସାଙ୍ଗେ ଏତେଗୁଡ଼ାଏ ପାନ ଚୋବେଇଲେ, କଳ ଖାଇ ଯିବ ତ-? କିନ୍ତୁ ତୁମକୁ ପାନ ଖାଇବାକୁ କିଏ କହିଲା ? ତୁମେ କଣ ପାନ ଖାଅ ?’’

 

‘‘ନା,’’ ସୁନାପିଲା ପରି ଉତ୍ତର ଦେଲା ଶଙ୍କର ।

 

‘‘ତୁମେ ଆସ, ମୁ ବ୍ୟବସ୍ଥା କରୁଛି ।’’

 

ତରତର ହୋଇ ଚାଲିଗଲା ଉମା । ଶଙ୍କର ଲୁଗା ବଦଳେଇ ଆସି ବସିଲା ମେଲାରେ । ଦେଖିଲା ଉମା ଆସୁଛି । ଗୋଟାଏ ହାତରେ ତାର କାଚବାଟି ଅନ୍ୟ ହାତରେ ଲୋଟା । ଲୋଟାଟା ତଳେରଖି କହିଲା, “ଉଠିଆସ ଏଠିକି ।’’

 

ପିଣ୍ଡାକଡ଼କୁ ଆଣି ଶଙ୍କରକୁ ଦେଲା ବାଟିଟା । ଏଥିରେ ସୋରିଷ ତେଲ ଓ ଲୁଣର ଗୋଟାଏ ପେଷ୍ଟ କରାହୋଇଛି । ଉମା କହିଲା, ‘‘ଗାଲରେ ଘଷିଦିଅ, ଚୂନ ଉଠିଯିବ ।’’ ବତେଇ ଦେଲା କେମିତି କରିବାକୁ ହବ । କେମିଷ୍ଟ୍ରିରେ ଦି ଦିଟା ଡକ୍ଟରେଟ– ବାଲା ଶଙ୍କର ଦେଖିଲା, ଉମାର ବୁଦ୍ଧିଟା ପ୍ରାକଟିକେଲ । ଗୁଡ଼ାଏ ଲାଳ ବୋହିଗଲା ତା ପାଟିରୁ । ପାଟିଟା କ୍ରମଶଃ ପରିଷ୍କାର ହୋଇଗଲା । ଗରମ ପାଣିରେ କୁଳିକରି ସେ ଯାଇ ନିଜ ଜାଗାରେ ବସିଲା । ଉମା ଲୋଟା ଆଉ ବାଟି ନେଇ ଚାଲିଗଲା । ସେ ବସିଥାଏ, ଉମା ଫେରିଲା ଟ୍ରେ ନେଇ । ଟ୍ରେ ଟା ଭାଇନା ସାମନାରେ ରଖି କହିଲା, ‘‘ଖାଅ’’ ।

 

ଉଠେଇ ନେଲା ଶଙ୍କର ପରିଜ । କିସ୍‍ମିସ୍‍ ପକେଇଛି ଉମା । ଦି ଚାମୁଚ ପାଟିରେ ଦେଲା । ତାପରେ ଶୀଘ୍ର ଶୀଘ୍ର ଖାଇନେଲା । କଦଳୀର ଚୋପା ଛଡ଼ଉ ଛଡ଼ଉ କହିଲା,

 

‘‘ଜାଣିଛୁ ଉମି । ଆଜି ସଙ୍ଗାତ ମାଉସୀଙ୍କ ଘରକୁ ଯାଇଥିଲି ତ ? ମାନିକୁ ଦେଖିଲି ସେଠି । ମୋତେ ଦେଖି ଲୁଚିଲା ଘର ଭିତରେ । ମାଉସୀ କହିଲେ ଚା ଟିକିଏ ଦବାକୁ । ମାନି ନାରାଜ । ଶେଷରେ ଅବଶ୍ୟ ଦେଲା । ଚା ଟା କରିଥିଲା ବି ଭାରି ସୁନ୍ଦର ।’’

 

କଫି କାପ ଉଠେଇ ନେଇ ଧୀରେ ଧୀରେ ଶୋଷିଲା ସେ ।

 

“ହୁଁ, ତାପରେ କଣ ହେଲା ?’’ ଉମା ପଚାରିଲା । ଆଖିରେ ତାର କୌତୁକ ।

 

‘‘ତାପରେ ଆଉ କଣ ? ଆରେ, ଚନ୍ଦ୍ରଶେଖର କାହିଁ ?’’

 

“ସେ କଟକ ଗଲେଣି । କାମ ସାରି ଦିପହରକୁ ଫେରିବେ ।’’

 

‘‘ଖାଇବେ ତ ଏଠି ?’’

 

‘‘ହଁ ।’’

 

‘‘ମାମୁ ?’’

 

‘‘ସେ ଫେରିଗଲେ ଗାଁକୁ ।’’

 

ଏଇ ସମୟରେ ବାପ ଫେରିଲେ । ପଛରେ ସିଂଗ । ତା ହାତରେ ସେର ଚାରିର ଗୋଟାଏ ରୋହୀ । ଲାଲ ଦିଶୁଛି । ଉତ୍‍ଫୁଲ୍ଲ ହୋଇ ଉଠିଲା ଉମା ।

 

‘‘ବାଃ, କି ସୁନ୍ଦର ମାଛ । କଉଠୁ ଆଣିଲେ ବାପା ?’’

 

‘‘ନଈ ମାଛରେ । ଦିନା ତରେଇକୁ କହିଥିଲି । ସେ ଧରିଛି କାଳିମୁହିଁ ଗଣ୍ଡରୁ ।’’

 

ସିଂଗ ମାଛଟାକୁ ଅଗଣାରେ ରଖିଲା । ଗୋଟାଏ ସ୍ତ୍ରୀ ଲୋକ ଆସି ପନିକି ପକେଇ କାତି ଛଡ଼େଇବାକୁ ଲାଗିଲା ।

 

‘‘ତୋ ବୋଉ କାହିଁକିରେ ବୁଢ଼ୀ ?’’ ଉମାକୁ ପଚାରିଲେ ବାପା ।

 

‘‘ବାଡ଼ିରେ ।’’

 

ବୋଉ ଫେରିଲେ ପାଛିଏ ପାଳଙ୍ଗ ଏବଂ କୋଶଳା ଶାଗ ନେଇ । ତାଙ୍କ ପଛରେ ରାଜା-। ମାଛ ଦେଖି ଖୁସି ହେଲେ । ସ୍ଵାମୀଙ୍କୁ କହିଲେ– “ତୁମକୁ ଭାଇନା ଡାକି ପଠେଇଥିଲେ-। ଦେଉଳରେ ଅଛନ୍ତି ।’’ ବାପା ବାହାରିଗଲେ ।

 

ଶଙ୍କର ସେଠି ବସି ବସି ଅନୁମାନ କଲା, ସେ ଆସିବା ପରେ ଘରେ ଭୋଜି ଚାଲିଛି ଦିବେଳା । ଟଙ୍କା ଆସୁଛି କୁଆଡ଼ୁ ? ବାପାଙ୍କର ପେନସନ ଛଡ଼ା ଆୟର ଅନ୍ୟ ପନ୍ଥା ତ ନାହିଁ । ସେଥିରେ ଶମ୍ଭୁର କଲେଜ ଖରଚ । ବଡ଼ ପୁଅ ସେ, ତାର ଏସବୁ ଦାୟିତ୍ୱ । କିନ୍ତୁ–

 

ଆଗେଇଗଲା ଶଙ୍କର ବୋଉ ପାଖକୁ । ବୋଉ ପିଣ୍ଡାରେ ବସି ଶାଗ ବାଛୁଛନ୍ତି ।

 

‘‘ବୋଉ ?’’

 

‘‘କଣ ବାପା ?’’

 

‘‘ମୋର ସେଇ ମୁଣିଟା ।’’

 

‘‘ସେଟା ଆଲମାରିରେ ଅଛି । ବୁଢ଼ୀ, ଭାଇନାକୁ ଦେଇଯା ମା ।’’

 

ଚାବି ଲେନ୍ଥାଟା ବଢ଼େଇ ଦେଲେ ଝିଅ ହାତକୁ । ଉମା ତାର ଉଆଲେଟଟା ଆଣିଦେଲା-

 

ସେଇଠି ତଳେ ବସି ପଡ଼ିଲା ଶଙ୍କର, ବୋଉ ଆଗରେ । ଉମା ହାତରୁ । ଉଆଲେଟଟା ନେଇ ପଛଆଡ଼ୁ ଜିପ ଖୋଲି ପକେଇଲା ଶଙ୍କର । ଏ ଆଉ ଗୋଟିଏ କୋଠରୀ । ଉମା ଦେଖି ନ ଥିଲା । ଗୋଛାଏ ନୋଟ କାଢ଼ିଲା ସେଥିରୁ । ଉମା ଦେଖିଲା ସବୁଗୁଡ଼ା ଶହେ ଟଙ୍କିଆ । ବୋଉକୁ ଦେଲା ।

 

‘‘କଣ ହବ ଏ ଟଙ୍କା ?’’ ବୋଉ ପଚାରିଲେ ।

 

‘‘ଟଙ୍କା ଯା ହୁଏ । ଖର୍ଚ୍ଚ ।’’ ହସିଲା ଶଙ୍କର ।

 

ହାତକୁ ନେଇ ବୋଉ କହିଲେ, “ଏଗୁଡ଼ା ତ ନମ୍ବରି ନୋଟରେ ବାପା । ବହୁତ ଟଙ୍କା ହବ ।’’ ଉମା ଆଡ଼କୁ ବଢ଼େଇ ଦେଲେ ବୋଉ,– ‘‘ଗଣିଲୁ ବୁଢ଼ୀ ?’’

 

ଉମା ଏକସିକିଟିଭ ଏନଜିନିୟରର ସ୍ତ୍ରୀ । ପ୍ରତିମାସ ତା ସ୍ୱାମୀ ଏମିତି ନୋଟ ଆଣେ । ଚଟପଟ ଗଣି ପକେଇଲା, କୋଡ଼ିଏ ଖଣ୍ଡ । ବସି ପଡ଼ି ଆସ୍ତେ ଆସ୍ତେ କହିଲା, ‘‘ଦି ହଜାର ଟଙ୍କା ବୋଉ ।’’

 

ବୋଉ ପୁଅ ମୁହଁକୁ ଅନେଇଲେ । ଶାଗବଛା ସରିଥିଲା । ପାଛିଆରେ ସେଗୁଡ଼ା ପୁରେଇ, ପୁଅ ଝିଅଙ୍କୁ କହିଲେ, ‘‘ଘର ଭିତରକୁ ଚାଲ । ମୁ ଆସୁଛି ।’’

 

ଉମା ଆଉ ଶଙ୍କର ପଶିଲେ ବାପାଙ୍କ ଶୋଇବା ଘରକୁ । ଉମା ହାତରେ ନୋଟବିଡ଼ା, ଶଙ୍କର ହାତରେ ଉଆଲେଟ ।

 

‘‘ଏତେ ଟଙ୍କା କଣ ହବ ବୁଢ଼ା ?’’ ପଶି ଆସୁ ଆସୁ ନିମ୍ନକଂଠରେ ପଚାରିଲେ ବୋଉ ।

 

‘‘ଘର ଖରଚ ବୋଉ । ମୁ ତ ଆସିଲା ପାଖରୁ ଚର୍ବ୍ୟଚୋଷ୍ୟ ଖାଉଛି, ଅଥଚ ଗୋଟାଏ ପଇସା ଦେଇନି ।’’

 

ଏଥର ବୋଉ ବୁଝିଲେ । ଉମାକୁ ଠାରିଲେ, ଆଲମାରିରେ ରଖି ଦବାକୁ ।

 

ଆଉଥରେ ଉଆଲେଟଟା ଖୋଲିଲା ଶଙ୍କର, ଅନ୍ୟ କୋଠରୀଟା ।

 

ଚାବିଗୁଡ଼ା ଯେଉଁ ପଟେ ଥିଲା । ବାହାର କଲା ଗୋଟାଏ କାଗଜ ।

 

‘‘ସେଟା କଣ ଭାଇନା ?’’

 

‘‘ବେଙ୍କ ଡ୍ରାଫଟ’’ । ଉମାକୁ ଦେଲା ଶଙ୍କର । ବାପାଙ୍କ ନାମ ଲେଖା ହୋଇଛି ସେଥିରେ-। ସଂଖ୍ୟାଟା ପାଞ୍ଚ ହଜାର । ଉମା ବୁଝିଲା ଡଲାର । ଉମା ବୋଉକୁ ଦେଲା ।

 

‘‘ଏ କି ଟଙ୍କାରେ ? ଏ କଣ ଆମ ଦେଶରେ ଚଳିବ ?’’

 

‘‘ଏଟା ଗୋଟାଏ ଚିଠି । ଏକୁ ଦେଖେଇଲେ ଟଙ୍କା ମିଳିବ । ତୁ ରଖିଥା, ବାପାଙ୍କୁ ଦବୁ । ସେ ଜାଣନ୍ତି ।’’

 

‘‘ଆମ ଟଙ୍କାରେ କେତେ ହବ ଭାଇନା ?’’ ଉମାର ପ୍ରଶ୍ନ । ହିସାବଟା ସେ ଜାଣେନି ।

 

‘‘ଗୋଟାଏ ଡଲାର ମୋଟାମୋଟି ପାଞ୍ଚଟଙ୍କା’’ । କହିଲା ଶଙ୍କର, ତାତ୍କାଳୀନ ଡଲାର ଦାମ ।

 

ପଚିଶ ହଜାର ଟଙ୍କା ! ବିସ୍ଫାରିତ ହେଲା ଉମାର ଦୃଷ୍ଟି । ଭାଇନା ଆହୁରି କାଢ଼ୁଛି କଣ-?

 

ଆହୁରି ଚାରିଟା କାଗଜ କାଢ଼ିଲା ଶଙ୍କର, ‘‘ଏଥିରୁ ଗୋଟାଏ ବୋଉର, ଗୋଟାଏ ଉମିର, ଗୋଟାଏ ଚନ୍ଦ୍ରଶେଖରର ଆଉ ଗୋଟାଏ ବଣିର ।’’

 

ବଢ଼େଇ ଦେଲା ସେ ଉମା ହାତକୁ । ଏଗୁଡ଼ା ଟ୍ରେଭେଲାର୍ସ ଚେକ୍ । ପ୍ରତ୍ୟେକଟି ପାଞ୍ଚଶହ ଡଲାରର ।

 

‘‘ଦେ, ମୁ ନାଁ ଲେଖି ଦସ୍କତ କରିଦିଏଁ ।’’ ହଠାତ୍ ଶଙ୍କର ପଚାରିଲା, ‘‘ଉମି ମୋ ଭେଲିସେ କାହିଁ ?’’

 

“ମୁ ରଖିଛି । ଏଇ ଆଲମାରିରେ ।’’

 

‘‘ଆଣ, ଆଣ, ସେଥିରେ ଆହୁରି ଅନେକ ଜିନିଷ ଅଛି ।’’

 

ଉମା ଆଲମାରି ଖୋଲି କାଢ଼ି ଆଣିଲା ଭେଲିସେ ।

 

“ମୁ ଝାଡ଼ିଝୂଡ଼ି ଦେଇଛି ।’’

 

ଭେଲିସେଟା ହାତକୁ ନେଇ ବାହାର ଜିପ ଖୋଲି ଦିଭାଗ କରିଦେଲା ଶଙ୍କର । ମଝିରେ ଗୋଟାଏ ବୋତାମ ଟିପିବାରୁ ଡ୍ରୟାର ଭଳି ବାହାରି ଆସିଲା ଗୋଟାଏ ଲମ୍ବା ଟ୍ରେ । ଗୋଛା ଗୋଛା କଲମ, ପେନସିଲ, ଘଡ଼ି ସେଥିରେ । ରାଜା ଆସି ତା ମା ଦେହକୁ ଲାଗି ଠିଆ ହୋଇଥାଏ । କହି ଉଠିଲା, ‘‘କଲମ’’ ।

 

ଗୋଟାଏ ଚକଚକିଆ ପେନସିଲ ଦେଲା ତାକୁ ଶଙ୍କର । ବାକି କଲମ ପେନସିଲଗୁଡ଼ା ଯୋଡ଼ା ଯୋଡା କରି ବଢ଼େଇ ଦେଲା ଉମା ହାତକୁ, ‘‘ବାପାଙ୍କର, ମାମୁ, ଚନ୍ଦ୍ରଶେଖର, ବଣି, ଏଟା ତୋର ।’’

 

ଉମା ଦେଖିଲା ଗୋଟାଏ ପ୍ରସିଦ୍ଧ କଲମ । ହସି ହସି ଗ୍ରହଣ କଲା । ଗୋଟାଏ କଲମ ରହିଗଲା ।

 

ତାପରେ ଘଡ଼ି । ସମସ୍ତଙ୍କ ପାଇଁ । ତା ପାଇଁ ମଧ୍ୟ । ବଳି ପଡ଼ିଲା ଗୋଟାଏ ଝିଅଙ୍କ ଘଡ଼ି ।

 

“ସେଟା କାର ?’’

 

କଣ କହିବ ଠିକ କରି ପାରିଲାନି ଶଙ୍କର । ଉମା କିନ୍ତୁ ବୁଝିଲା । ଭାଇନା ମୁହଁକୁ ଚାହିଁ ହସିଲା ।

 

ଶଙ୍କର ଏଥର ବାହାର କଲା ଗୋଟାଏ ସୁନା ପଦକ । ସେଟା ସେ ରାଜାର ସାର୍ଟରେ ପିନ୍ କରିଦେଲା । ତାପରେ ବଳକା କଲମ, ଘଡ଼ି, ପେନସିଲ ଓ ଚେକଗୁଡ଼ା ନେଇ ଉଠି ପଡ଼ିଲା । ଗଲାବେଳେ ଉଆଲେଟଟା ଦେଇଗଲା ବୋଉକୁ ।

 

‘‘ତୁ ମୋ ଘରକୁ ଆ ଉମି । ଏଗୁଡ଼ା ଦସ୍କତ କରିଦେବି ।’’

 

ଘରୁ ବାହାରି ଆସୁ ଆସୁ ଶୁଣିଲା, ବୋଉ ଉମାକୁ ପଚାରୁଛି, “ପଚିଶ ହଜାର ଟଙ୍କା ଏଇ ଖଣ୍ଡେ କାଗଜ ଦେଖେଇଲେ ଦବ ?’’ ବୋଉ କଂଠରେ ଚୂଡ଼ାନ୍ତ ବିସ୍ମୟ ।

 

ନିଜ ଘରକୁ ଆସି ସେ ଖଟରେ ବସିଲା । ତା ହାତରେ କଲମ ଏବଂ ଘଡ଼ି, ଯାହାକୁ ଆଣିଛି ସେ ମାନି ପାଇଁ । ଆଜି ସକାଳର ଘଟଣା ତା ମନଟାକୁ ମୁଗ୍‍ଧ କରିଥାଏ । କିନ୍ତୁ ସେ ଦେବ କେମିତି ? ମାନି ତ ଆଉ ଅନୂଢ଼ା କନ୍ୟା ନୁହେଁ । ସେ ବିଧବା । ଠିକ କଥାରେ ବିବରା । କଣ କରିବ ? ଉମାର ସାହାଯ୍ୟ ନବ ? ସେ ଯଦି ନ ନେଲା, ଯଦି ଅପମାନିତ ବୋଧ କଲା ? ଉମା ଆସି ଠିଆହେଲା ।

 

‘‘ସେଗୁଡ଼ା ମାନି ପାଇଁ ଆଣିଛ ଭାଇନା ?’’

“ହଁ ।’’ ଶୁଷ୍କ ହସ ଶଙ୍କରର ।

‘‘ତାକୁ ଦବ ?’’

‘‘ଇଚ୍ଛା ତ । କିନ୍ତୁ ଯଦି ନହେଲା ? କି ଅଧିକାର ବଳରେ ମୁ ଦେବି ?’’

‘‘ଠିକ କଥା ଯେ । ଆଚ୍ଛା ତୁମେ ମୋତେ ଦିଅ ମୁ ରଖିଥାଏଁ । ତାର ମନଟା ବୁଝାଯାଉ-। ତାର ଶାଢ଼ି ସ୍କାର୍ଫ ବି ତ ଅଛି ।’’

‘‘ସୁନା ଭଉଣୀ ।’’ ଖୁସିହୋଇ ବଢ଼େଇ ଦେଲା ଜିନିଷ ଦିଟା ତା ହାତକୁ । ନିଜର କଲମ ଆଣି ଚେକ୍ ଗୁଡ଼ାରେ ନାମଲେଖି, ଦସ୍କତ କରି ଗୋଟି ଗୋଟି କରି ବଢ଼େଇ ଦେଲା ଉମା ହାତକୁ-

‘‘ଜାଣିଛୁ ଉମି’’ ଆରମ୍ଭ କଲା ଶଙ୍କର । “ବହୁତ ଦୁଃଖ କଷ୍ଟ ମୋତେ ସହିବାକୁ ପଡ଼ିଛି ବିଦେଶରେ । କିନ୍ତୁ ସବୁବେଳେ ମୁ ସ୍ୱପ୍ନ ଦେଖୁଥାଏଁ ଗୋଟାଏ ସୁନ୍ଦର ପୃଥିବୀର । ମୁ ଯାହାଙ୍କୁ ସବୁ ଜାଣେ, ସେମାନେ ଭଲରେ ଅଛନ୍ତି, ଏଇ ଆଶା ମୁ ବରାବର କରିଛି ।’’ କିନ୍ତୁ ଦଶସେକେଣ୍ତ ପାଇଁ ଗଳାରେ କୋହ ଅନୁଭବ କଲା ଶଙ୍କର । ତାପରେ ଟିକିଏ ହସି ଠିକହୋଇ ବସି ପଚାରିଲା, ‘‘କେମିତି ହୋଇଛିରେ ଜିନିଷ ଗୁଡ଼ା ?’’

‘‘ଖୁବ୍ ଭଲ । ଆଶାତୀତ । ମୁ ଆଶ୍ଚର୍ଯ୍ୟ ହେଉଛି ଭାଇନା, ତୁମେ କାହାରି କଥା ଭୁଲିନ-। ସମସ୍ତଙ୍କୁ ମନେ ତ ରଖିଛ, କଳ୍ପନାରେ ତୁମେ ଛବି ଆଙ୍କିଛ ଆମ ବିଷୟରେ । ମୋ କଥା ଭାବିଲାବେଳେ, ତାଙ୍କ କଥା ବି ଭାବିଛ ଆଉ ରାଜାକଥା ବି ଭାବିଛ । ଗୋଟାଏ ଅନୁମାନ ତୁମର ଭୁଲ ହୋଇଗଲା ।’’

‘‘ହଁ ଏବଂ ସେଟା ମର୍ମାନ୍ତିକ ହୋଇ ଠିଆ ହୋଇଛି ମୋ ଆଖି ଆଗରେ ।’’

‘‘ସେଦିନର କଥା ଭାଇନା । ଏକା ତିଥିରେ ମୋର ଆଉ ମାନିର ବାହାଘର । ମାନିର ବାହାହବାକୁ ମୋଟେ ଇଚ୍ଛା ନଥିଲା । ତାର ବୋଉଙ୍କର ବି ସେ ବାହାଘରରେ ବିଶେଷ ଉତ୍ସାହ ନଥିଲା । କେବଳ ତା ମା ଜିଦ ଧଇଲେ । ବାରବର୍ଷ ପୁରି ତେରରେ ପଡ଼ିଲା, ଜଲଦି ପାର କରିଦେ-। ସଙ୍ଗାତମଉସା ବ୍ୟତିବ୍ୟସ୍ତ ହୋଇଗଲେ ଝିଅକୁ ବାହା କରିବାକୁ । ମୋର ବାହାଘର ଠିକ ହବାର ଶୁଣି, ବୁଢ଼ୀ ଆହୁରି ଚିଡ଼ିଗଲା । ଶେଷରେ ଗୋଟିଏ ପିଲା ସାଙ୍ଗରେ ନିର୍ବନ୍ଧ ହେଲା । ବାହାଘର ବି ଠିକ ହେଲା । ଶାଶୁଘରକୁ ଯିବନି ବୋଲି ମାନିର ସେ କି କାନ୍ଦ । ଶୁଆରିରେ ମୂର୍ଚ୍ଛା ହୋଇଗଲା-। କାଳିଆମା ପାଣି ଛାଟୁଥାଏ, ପଂଖା କରୁଥାଏ । ଅଷ୍ଟମଙ୍ଗଳା ସାରି ଏକା ସାଙ୍ଗରେ ଫେରିଲୁ । କିନ୍ତୁ, ମାନି ମୁହଁରୁ କିଏ ଯେମିତି ହସ କାଢ଼ି ନେଇଛି । ଏକାବେଳକେ ବଦଳି ଯାଇଛି ଝିଅଟା । ମୋତେ ଦେଖିଲେ ଖାଲି ଲୁହ ଝରାଏ ଆଖିରୁ । ଅଥଚ ଆଶ୍ଚର୍ଯ୍ୟର କଥା, ଯେଉଁଦିନ ଖବର ଆସିଲା ତାର ବର ମହାନଦୀରେ ବୁଡ଼ିଗଲା, ସେଦିନ ତା ଆଖିରେ ଲୁହ କେହି ଦେଖି ନାହାନ୍ତି । ନିଜେ ନିଜେ ସିନ୍ଦୁର ଲିଭେଇ ଦେଲା । ଶଂଖା ଭାଙ୍ଗି ପକାଇଲା ନଈ ତୁଠରେ । ତାପରେ ଆସ୍ତେ ଆସ୍ତେ ସେଇ ପୁରୁଣା ମାନି ହୋଇଗଲା । ହସ, ଖେଳ ସବୁଥିରେ ଯୋଗ ଦେଲା । ଆଶ୍ଚର୍ଯ୍ୟ ।’’

ସ୍ମୃତିର ଅତଳ ଗହ୍ୱରରୁ ବାହାରି ଆସିଲା ଶଙ୍କର–

‘‘ଗୋଟାଏ ଘଟଣା ମୋର ମନେ ଅଛି ଉମି । ପ୍ରିଟେଷ୍ଟ ପରୀକ୍ଷା ଦେଇ ପୂଜାଛୁଟିରେ ମୁ ଗାଁକୁ ଆସିଥାଏ । କୁମାରପୂର୍ଣ୍ଣିମାର ସଂଧ୍ୟା । ମୁ ବାହାର ପିଣ୍ଡାରେ ବସି ପିଲାଙ୍କର ଖେଳ ଦେଖୁଥାଏଁ । ମାନି ଆମ ଘର ଭିତରୁ ଆସି ମୋତେ କହିଲା, ‘ଆମେ ବର କନ୍ୟା ଖୋଜୁଛୁ । ତୁମେ ଯଦି ମୋର ବର ହୁଅ, ମୁ କନ୍ୟା ହୁଅନ୍ତି । କଣ ରାଜି ? ' ମୁ ଲାଜରେ କଣ କରିବି ଠିକ କରି ପାରିଲିନି । କହିଲି, ‘ପଳା, ଏଡ଼େ ଟିକିଏ ପିଲା, କଥା କହୁଛି ଶୁଣ ।’ ମୋ କଥାରେ ସେ ଅପମାନିତ ହେଲା । କହିଲା, ‘ମୁ ପିଲା ? ଦଶ ପୁରି ଏଗାର ହେଲାଣି ଜାଣ ? ସଙ୍ଗାତମାଉସୀ କହୁଥିଲେ ଆଉ ଟିକିଏ ବଡ଼ ହେଲେ ଆମର ବାହାଘର ହେବ ।’ ସେ ଚାଲିଗଲା ସେଠୁ । ମୁ ସ୍ଥାଣୁହୋଇ ବସି ରହିଲି ।’’

ଗୋଟାଏ ସିଗ୍ରେଟ ଲଗେଇଲା ଶଙ୍କର । ମିନିଟିଏ ଖଣ୍ଡେ ଭାଇ ଭଉଣୀ ଚୁପଚାପ ।

‘‘ଭାରି ଦୁଃଖହୁଏ ଭାଇନା ମାନିକୁ ଦେଖିଲେ । କଣ କରିବ ସେ ଜୀବନସାରା ?’’

‘‘ତାକୁ ତା ବାପା ବାହାକରି ଦଉନାହାନ୍ତି କାହିଁକି ? ଆଜିକାଲି ତ ଏମିତି ବାହାଘର ହଉଛି । କଟକରେ ଜଣେ ଭଦ୍ରଲୋକ ଥିଲେ’’–

‘‘ସେ କଥା ଉଠିଥିଲା । ବଡ଼ବାପା ଗର୍ଜନ କଲେ ଶୁଣି । ମାନି ବି ରାଜା ହେଲାନାହିଁ ।

‘‘କାହିଁକି ?’’

‘‘କେଜାଣି ।’’

‘‘ତୁ ଜାଣୁନି ?’’

 

‘‘ନା ଏ କଥା ପଡ଼ିଲେ ସେ ସେଠୁ ଉଠିଯାଏ ।’’

 

ଦୁରୂହ ମନସ୍ତତ୍ୱର କଥା । କିନ୍ତୁ କାରଣଟା ଜାଣି ପାରିଲେ ଭଲ ହୁଅନ୍ତା । ପଶି ଆସିଲା ରାଜା, ‘‘ମା, ମାଉସୀ ପଚାରୁଛି, କଫି ଖାଇବେ ସାହେବମାମୁ ?’’

 

ରାଜାକୁ ଟାଣିନେଲା କୋଡ଼କୁ ଶଙ୍କର, ‘‘ନିଶ୍ଚୟ ଖାଇବେ, ଯଦି ମାଉସୀ ନିଜେ ଆଣି ଦିଅନ୍ତି । କହି ପାରିବ ମାଉସୀକୁ ରାଜା ସାହେବ ?’’

 

‘‘ହୁଁ” । ମାମୁ ହାତରୁ ଖସି ଦଉଡ଼ିଲା ରାଜା । ଶଙ୍କର ଆଉ ଉମା ଶୁଣିଲେ ରାଜା କହୁଛି, ‘ମାଉସୀ ମାମୁ କଫି ଖାଇବେ । ତୁମେ ଦେଇ ଆସିବ ।’’

 

‘‘ତୁ ଠିଆହୋଇ ରହିଲୁ ଯେ ଉମି । ବସ ସେଇ ଚେୟାରଟାରେ ।’’

 

“କିନ୍ତୁ ମାନି କଣ ଆଣିବ ?’’ ଅବିଶ୍ୱାସର ହସ ଉମା ମୁହଁରେ । ସେ ବସିଲା ।

 

‘‘ଦେଖାଯାଉ ।’’

 

କିଛି ସମୟ ପରେ ଦେଖାଗଲା, ଦୁଆର ସେପାଖରୁ ଗୋଟାଏ ହାତ ବଢ଼େଇ ଧରିଛି କଫି କାପ ।

 

‘‘ଭିତରକୁ ଆ ମାନି ।’’ ଡାକିଲା ତାକୁ ଉମା । ‘‘ଆଉ କେହି ନାହିଁ, ଭାଇନା ଆଉ ମୁଁ ।’’ ଗୋଟାଏ ଟୁଲ ରଖିଦେଲା ଉମା ଶଙ୍କର ଆଗରେ ।

 

କିଛି ସମୟ ପରେ ଦେହଟାକୁ ଯଥାସାଧ୍ୟ ଢାଙ୍କି ଆସିଲା ମାନି, ଧୀର ପଦକ୍ଷେପରେ, ସଂକୋଚରେ ଜଡ଼ସଡ଼ ହୋଇ । କଫି କାପ ରଖିଲା ସେଇ ଟୁଲ ଉପରେ । ମୁଣ୍ଡ ଉଠେଇଲା ବେଳେ ଶଙ୍କର ଆଖିରେ ଆଖି ପଡ଼ିଲା ତାର । ଶଙ୍କରର ମନେ ହେଲା, ମାନିର ଚାହାଣି ଯେମିତି କହୁଛି– ତୁମେ ମୋତେ ଏମିତି ଲଜ୍ଜିତ କରୁଛ କାହିଁକି ?

 

ବାହାରି ଯାଉଥିଲା ମାନି । ସ୍ନିଗ୍ଧ କଂଠରେ ଡାକିଲା ଶଙ୍କର– ‘‘ମାନି ।’’

 

ଠିଆ ହୋଇଗଲା ସେ ।

 

‘‘ମୁ ତିନିଦିନ ହେଲା ଗାଁକୁ ଆସିଲିଣି । ଏଇ ତିନିଦିନ ଯାକ ତୁମେ ଆମଘରେ । ସବୁ କାମରେ ତୁମେ ଉମାକୁ ସାହାଯ୍ୟ କରୁଛ । ମୁ କଣ ଖାଇବି ନ ଖାଇବି ସେ ଖବର ନଉଛ । ମୋ ପାଇଁ ତୁମେ ଏତେ କରୁଛ, ମୁ ତାକୁ କେମିତି ସୁଝିବି କୁହ ତ ?’’

 

ମାନି ନିରୁତ୍ତର ।

 

‘‘ଦଶ ବର୍ଷ ମୁ ବିଦେଶରେ ଥିଲି । ଏଇ ଦଶ ବର୍ଷ ଭିତରେ ଦୁନିଆ ଓଲଟ ପାଲଟ ହୋଇଛି । ଗୋଟାଏ ବିରାଟ ଯୁଦ୍ଧ ପୃଥିବୀର ଚେହେରା ବଦଳେଇ ଦେଇଛି । ମୁ ବଦଳିଛି, ଉମା ବଦଳିଛି, ତୁମେ ବଦଳିଛ । ତଥାପି, ଆତ୍ମୀୟତାର, ଅନ୍ତରଙ୍ଗତାର ଗୋଟିଏ ସୁତାଖିଅ ଆମକୁ ବାନ୍ଧି ରଖିଥିବା ଫଳରେ, ଦଶବର୍ଷର ପ୍ରବାସୀ ମୁ ଯେତେବେଳେ ଘରକୁ ଫେରିଲି, ସମସ୍ତେ ମୋତେ ସେଇ ପୁରୁଣା ପରିଚୟରେ ଗ୍ରହଣ କଲେ । କଲନି ଖାଲି ତୁମେ । କୁହ ମାନି, ତୁମ ପାଖରେ ମୁ କିଛି ଅପରାଧ କରିଛି ?’’

 

ଉମା ଚାହିଁ ଦେଲା ମାନି ମୁହଁକୁ । ବିବର୍ଣ୍ଣ ହୋଇ ଯାଇଛି ତା ମୁହଁ । ଯେମିତି ଭୀଷଣ କଷ୍ଟ ହେଉଛି ତାକୁ । ଉମା ଉଠି ପଡ଼ି ତାକୁ ଧରି ପକେଇଲା । ମାନି ମୂର୍ଚ୍ଛା ଯାଇଛି । ଉମା ତାକୁ ଶଙ୍କରର ବିଛଣାରେ ଶୋଇଦେଲା । ଶଙ୍କର କଣ କରିବ ଠିକ୍ କରି ନ ପାରି ଘରୁ ବାହାରି ଆସିଲା-। ଉମା ଦଉଡ଼ି ଯାଇ ପାଣି ଆଣି ମାନି ମୁହଁରେ ଛିଞ୍ଚିଲା । ଶଙ୍କର ତା ବାକ୍ସରୁ ଅଡ଼ିକୋଲନ, ନିଶାଦଳ କାଢ଼ି ଦେଲା । ନିଶାଦଳ ଶୁଙ୍ଘି ଆଖି ଖୋଲିଲା ମାନି । ନିଶ୍ଚିନ୍ତ ହୋଇ ବାହାରିଗଲା ଶଙ୍କର ଦାଣ୍ଡ ପିଣ୍ଡାକୁ । ଏଥର ଆଉ ଭୟ ନାହିଁ ।

 

ଦାଣ୍ଡ ପିଣ୍ଡାରେ ଠିଆ ହୋଇ ସିଗ୍ରେଟ ଟାଣୁଥାଏ ଶଙ୍କର । ଗୋଟାଏ ଗାଁ ପିଲା ଆସି ତାକୁ କହିଲା– “ବାପା ଡାକୁଛନ୍ତି ।’’

 

‘‘ବାପା କଉଁଠି ?’’ ଶଙ୍କର ପଚାରିଲା ।

 

‘‘ଦେଉଳରେ ।’’

 

ବାକ୍ୟବ୍ୟୟ ନ କରି ସେ ପିଲାଟିର ଅନୁସରଣ କଲା ।

 

–ତେର–

 

ଶିବ ମନ୍ଦିର । ଏଇ ମନ୍ଦିରଟି ତାର କିଏ ଜଣେ ପୂର୍ବପୁରୁଷ ତୋଳିଥିଲେ, ଦେବତା ପ୍ରତିଷ୍ଠା କରିଥିଲେ । ମନ୍ଦିର ସଂଲଗ୍ନ ଗୋଟାଏ ଜୋତ– ବେଶ ଗଭୀର । ନଦୀ ସାଙ୍ଗରେ ଜୋତର କେଉଁଠି ସଂଯୋଗ ଅଛି । ଫଳରେ ନଦୀରେ ପାଣି ହେଲେ ଜୋତ ବଢ଼େ ଏବଂ ଶିବଲିଙ୍ଗ ଜଳମଗ୍ନ ହୋଇ ରହନ୍ତି ।

ରାଣୀଶାସନରେ ଶତପଥୀ ମାତ୍ରକେ ଶୈବ । ମିଶ୍ର ଶାକ୍ତ । ଅନ୍ୟ ଯେ ଦି ଚାରି ଘର ବ୍ରାହ୍ମଣ ଅଛନ୍ତି ସେମାନେ ନାରାୟଣୀୟ । ସୁତରାଂ ପାଞ୍ଜିରେ ଯେତେ ପୁନେଇଁ ପର୍ବ ଅଛି, ସବୁ ଏଠି କାହାରିନା କାହାରି ଘରେ ପାଳିତ ହୁଏ ।

ଓଡ଼ିଶାର କେଉଁ ରାଜା ତାଙ୍କ ରାଣୀଙ୍କ ନାଁରେ ଏଇ ଶାସନ ଦାନ କରିଥିଲେ । ଜମିସବୁ ବ୍ରହ୍ମୋତ୍ତର । ବ୍ରାହ୍ମଣମାନେ ଚାଷ କରନ୍ତି ନାହିଁ । ଅନ୍ୟ ଜାତିର ଲୋକେ ଯାହା ସଂଜା ଭାଗ ଦିଅନ୍ତି, ସେତିକିରେ ସନ୍ତୁଷ୍ଟ ରହନ୍ତି । ଏବେ କଣ ସବୁ ଅଦଳ ବଦଳ ହୋଇଛି ଆଇନ୍ କାନୁନରେ । ମନ୍ଦିରରେ ପହଞ୍ଚି ଶଙ୍କର ଦେଖିଲା ମଣ୍ଡପରେ ବସିଛନ୍ତି, ବଡ଼ବାପା, ଦଦେଇ, ବାପା, ଆକୁଳି ମଉସା ଏବଂ ଆଉ ଜଣେ କିଏ । ବାପାଙ୍କ ମୁହଁ ବିଷଣ୍ଣ ।

‘‘ଆ, ବୁଢ଼ା ଆ ।’’ ଡାକିଲେ ବଡ଼ବାପା ହସ ହସ ମୁହଁରେ । ଦାନ୍ତ ଗୋଟିଏ ବୋଲି ନାହିଁ । ପାନରସ ବୋହି ଯାଉଛି କଳରୁ । ତଥାପି ଛେଚୁଛନ୍ତି ପାନ ।

ଆନ୍ଦାଜ କଲା ଶଙ୍କର ପରିସ୍ଥିତିଟା ।

‘‘ମୋତେ ଡାକିଲେ ବାପା ?’’ ବଡ଼ବାପାଙ୍କୁ ସମ୍ପୂର୍ଣ ଉପେକ୍ଷା କରି ସେ ପ୍ରଶ୍ନ କଲା ।

‘‘ମୁ ଡକେଇଛି ତୋତେ । ତୋ ବାପା ନୁହେଁ ।’’ ବଡ଼ବାପା କହିଲେ ।

‘‘କାହିଁକି ?’’

‘‘ତୁ ଯେ ଦଶବର୍ଷ ଇଉରୋପ, ଆମେରିକାରେ ଥିଲୁ, ଏଣୁ ତେଣୁ ଅଖାଦ୍ୟ, କୁଖାଦ୍ୟ ଖାଇନୁ ?’’

“ନା । ମୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲି । ରହୁଥିଲି ହଷ୍ଟେଲରେ । ଅଖାଦ୍ୟ, କୁଖାଦ୍ୟ କାହିଁକି ଖାଇବି ?’’

‘‘ଶୁଣିଲ ତ ଭାଇନା । ପୁଅ ଠିକ କହିଲା ।’’ ଦଦେଇ କହିଲେ ।

‘‘ତୁ ଗୋ ମାଂସ ଖାଇନୁ ?’’ ପ୍ରଶ୍ନ କର୍ତ୍ତା ବଡ଼ବାପା ।

‘‘ସେ ପୁଣି କଣ ? ବିଫ୍ କଥା କହୁଛନ୍ତି ?’’

“ହଁ, ହଁ,’’ ମୁହଁକୁ କୁଟିଳତାରେ କୁଞ୍ଚିତ କଲେ ବଡ଼ବାପା ।

‘‘ଖାଇଥିବି । ସେ ଦେଶର ଖାଦ୍ୟ ବିଫ୍ ।’’

‘‘ତା ହେଲେ । ସେଇ କଥା ତ କହୁଛି ମୁ । ପ୍ରାୟଶ୍ଚିତ୍ତଟାଏ କରିବାକୁ ହବ ।’’

 

‘‘ଏଇ ଆମ ଦେଶର ଅଳ୍ପ କେତେ ଲୋକ ଛଡ଼ା, ପୃଥିବୀର ସର୍ବତ୍ର ଲୋକେ ବିଫ୍ ଖାନ୍ତି-।’’

 

‘‘ତା ହୋଇପାରେ । କିନ୍ତୁ ପ୍ରାୟଶ୍ଚିତ୍ତ କରିବାକୁ ହବ । ଏଟା ସାମାଜିକ ବିଧି । ନା କଣ ହେ ଶିରୋମଣି ?’’

 

‘‘ମୁ ଆପଣଙ୍କର ସମାଜ ବା ତାର ବିଧି କିଛି ମାନେନି କିମ୍ବା ମାନିବି ନାହିଁ । ଆଉ ମୁ ଏକଥା ବି ଜାଣେ ଯେ ବ୍ରିଟିଶ ସରକାର ଅମଳରେ ଯେ ଆଇନ ଚଳୁଥିଲା, ସେ ଗୁଡ଼ା ଆଉ ଚଳୁନି-। ଆପଣମାନେ ମୋର କିଛି କରି ପାରିବେ ନାହିଁ ।’’ ଶଙ୍କର କହିଲା ରାଗରେ ଲାଲ ହୋଇ-

 

‘‘ବୁଢ଼ା ଘରକୁ ଯା ।’’ ବାପା ଉଠି ପଡ଼ିଲେ ମଣ୍ଡପରୁ, ଦଦେଇ, ଆକୁଳି ମଉସା ତା ପରେ ।

 

‘‘ହେଁ ହେଁ ହେଁ– ପିଲାଟା ରାଗିଗଲା ।’’ କହିଲେ ବଡ଼ବାପା, ଦାନ୍ତହୀନ ପାଟିର ରିଢ଼ା ଦିଟା ଘଷି ଘଷି । ଦୁଇ କଳରୁ ବୋହି ଯାଉଥାଏ ଲାଳ ।

 

ସ୍ଵଭାବତ ଶଙ୍କର ଧୀର ସ୍ଥିର ମଣିଷ । ତାର ଅନ୍ତରଟା କାଚ ଭଳି ସ୍ୱଚ୍ଛ । ତାର ବ୍ୟବହାରରେ ଅନ୍ତରଂଗତା ଐକାନ୍ତିକ । ଯାହା ସେ ଭଲ ପାଏନି, ତାକୁ ସେ ଏଡ଼େଇ ଯାଏ । ଜୀବନରେ ସେ ବହୁତ ଦୁଃଖ କଷ୍ଟ ପାଇଛି । ସେ ଦୁଃଖକଷ୍ଟ ତାକୁ ମ୍ରିୟମାଣ ନ କରି ତେଜସ୍ୱୀ କରିଛି । ଜୀବନ ଯୁଦ୍ଧରେ ସେ ଜୟୀ, କିନ୍ତୁ ସେ ଜୟର ଅହଂକାର ତାର ନାହିଁ । ନିଜକୁ ବଉ ବୋଲି ଜାହିର କରିବାର ସାମାନ୍ୟ ପ୍ରୟାସ ମଧ୍ୟ ନାହିଁ ତାର । ସେ ତା ବାପା, ବୋଉ, ଭାଇ, ଭଉଣୀ ପାଖରେ ସେଇ ପୁରୁଣା ଦିନର ଶଙ୍କର । ସାହି ପଡ଼ିଶା ପାଖରେ ବି । ଅଥଚ ଏଇ ଲୋଳଚର୍ମ ବୃଦ୍ଧ ତାର କୃତିତ୍ୱରେ ଈର୍ଷ୍ୟାନ୍ୱିତ ହୋଇ ତାକୁ ଅପମାନ କରିବାକୁ ଚାହୁଁଛନ୍ତି । ଅନ୍ୟମନସ୍କ ହୋଇ ଚାଲିଲା ସେ ଓଲଟା ବାଟରେ । କିଛି ଦୂର ଆସି ବୁଝି ପାରିଲା, ବାଟ ଭୁଲ କରିଛି । ସିଗ୍ରେଟ ଲଗେଇ ଯାଇ ବସିଲା ଗୋଟାଏ ଗଛ ତଳେ । ପିଲାଏ ଗୋରୁ ଛାଡ଼ି ଦେଇ ଖେଳୁଛନ୍ତି । ଘରକୁ ଫେରିବାକୁ ତାର ଇଚ୍ଛା ହେଲାନି । ମାନିଟା ଯେ ଏମିତି ଗୋଟାଏ ପରିସ୍ଥିତି ସୃଷ୍ଟି କରିବ, ସେ କଳ୍ପନା କରି ନ ଥିଲା । କେମିତି ଅଛି କେଜାଣି ? କି ବିବର୍ଣ୍ଣ ହୋଇ ଯାଇଥିଲା ମାନିର ସେଇ ସୁନ୍ଦର ମୁହଁଟା । ଛାତି ଭିତରେ ସେ ବେଦନା ଅନୁଭବ କଲା । ଗୋଟାଏ କିଛି କରିବାକୁ ହବ । କିନ୍ତୁ ସେଟା ଯେ କଣ, ସେ ଠିକ କରି ପାରିଲା ନାହିଁ ! ପଶ୍ଚିମର ଝିଅଙ୍କୁ ସେ ଜାଣେ । ସେମାନଙ୍କର ମନ ଅନ୍ୟ ପ୍ରକାରର । ମୋଟାମୋଟି ହିସାବ ସେମାନଙ୍କର । ସେମାନଙ୍କ ମାପକାଠିରେ ମାନିକୁ ମାପି ହବନି । ଏ ଝିଅଟା ସ୍ୱତନ୍ତ୍ର । ତା ଛଡ଼ା ନିଷ୍କରୁଣ ସମାଜ– ତା ଉପରେ ଲଦିଛି ଗୁଡ଼ାଏ ଅହେତୁକ ବାଧା ନିଷେଧ । ଫଳରେ ଅବଚେତନ ମନରେ ତାର ପୁଞ୍ଜୀଭୂତ ହୋଇ ରହିଛି ଅପୂର୍ଣ୍ଣ ଅଭିଳାଷ ।

 

ତାର ଚିନ୍ତାଧାରା ବ୍ୟାହତ ହେଲା । ଗୋଟିଏ ଗୋପାଳ ବାଳକ ଆସି ଠିଆ ହେଲା । କଳା ଦେହଟା ତାର ଚିକଚିକ କରୁଛି । ଚଉଦ ପନ୍ଦର ବର୍ଷର ପିଲାଟା । ପିନ୍ଧିଛି ଖଣ୍ତିଏ ଖଦି । ହାତରେ ଧରିଛି ବାଡ଼ିଟିଏ ।

 

‘‘କିରେ, କଣ ?’’ ହସି ପଚାରିଲା ଶଙ୍କର ।

 

‘‘ତୁମ ଘର କଉ ଗାଁ ?’’ ପିଲାଟା ପଚାରିଲା ।

 

‘‘ଏଇ ଗାଁ ।’’

 

‘‘ତୁମ ଗାଁକୁ ଗୋଟାଏ ସାହେବ ଆସିଛି କିଏ ?’’

 

‘‘କିଏ କହିଲା ?’’

 

“ହଁ, ମୁ ଦେଖିଛି । ସେଇ ହେଡ଼ମାଷ୍ଟର ଘରକୁ ।’’

 

‘‘କାହିଁ ମୁ ତ ଜାଣେନି ।’’

 

‘‘ହଁ । କାଲି ନଈତୁଠରେ କଥା ହଉଥିଲେ । ସେ କୁଆଡ଼େ ଦରିଆ ସେ ପାରିରେ ଥିଲା-। ଗୋରୁ ମାଉଁସ ଖାଏ, ଘୁଷୁରି ମାଉଁସ ଖାଏ । ସରାପ ପିଏ ।’’

 

ହସିଲା ଶଙ୍କର । କହିଲା– ‘‘ସିଗ୍ରେଟ ଖାଇବୁ ?’’

 

‘‘ଦିଅ ।’’ ଚକଚକ କଲା ତା ଦାନ୍ତ ଖୁସିରେ ।

 

ପକେଟରୁ ସିଗ୍ରେଟ କାଢ଼ି ଦେଲା– ଲଗେଇ ଦେଲା ନିଆଁ । ଖୁବ୍ ଜୋରରେ ଟାଣିଲା ପିଲାଟା । କାଶି ଉଠିଲା ଧୁଆ ଛାଡ଼ୁ ଛାଡ଼ୁ । ସିଗ୍ରେଟଟାକୁ ହାତରେ ଧରି ଦେଖିଲା ।

 

‘‘ତୋ ନାଁ କଣ ?’’ ଶଙ୍କର ପଚାରିଲା ।

 

‘‘ଗନ୍ଧିଆ ।’’

 

‘‘କାହା ଗୋରୁ ତୁ ଚରଉ ?’’

 

‘‘ଷଡଙ୍ଗୀଘର । ଦିଟା ଗାଈ, ଗୋଟାଏ ବାଛୁରି, ଏତିକି ।’’

 

‘‘ମଜୁରୀ କଣ ପାଉ ?’’

 

‘‘ନାଇଁ, ପଇସା ଦିଅନ୍ତିନି । ସକାଳୁ ପଖାଳ ଖାଇ ଗାଈ କାଢ଼ି ଆଣେ । ବେଳବୁଡ଼କୁ ଗାଈ ବାନ୍ଧେ । ଭାତ ଖାଏଁ । ବାପ ଧାନକଟାବେଳେ ଭାଗ ପାଏ ।’’

 

‘‘ତତେ କିଏ ଖାଇବାକୁ ଦି ଏରେ ଗନ୍ଧିଆ ?’’

 

‘‘ବୋଉ ଦିଏ, ନାନୀ ଦିଏ ।’’

 

‘‘କିଏ ଭଲ ଦିଏ ?’’

 

‘‘ନାନୀ, ନାନୀ ବାଢ଼ିଲେ ତିଅଣ ବେଶୀ ଦିଏ ।’’

 

ଶଙ୍କର ଦେଖିଲା କିଏ ଜଣେ ପଥିକ ତରତର ହୋଇ ଏଇ ବାଟେ ଆସୁଛନ୍ତି ।

 

‘‘ଷଡ଼ଙ୍ଗୀ ମାଷ୍ଟର କଟକ ଯାଇଥିଲା– ଫେରିଲା ।’’

 

ଅନେଇ ଦେଖିଲା ଶଙ୍କର । ସଙ୍ଗାତମଉସା ସେମିତି ଅଛନ୍ତି । ବାଳଗୁଡ଼ା ଅଳ୍ପ ପାଚିଛି କପାଳ ଉପରକୁ । ସେଇ ଲମ୍ବା ଲମ୍ବା ଅବିନ୍ୟସ୍ତ ବାଳ । ଆଖିରେ କବି କବି ଭାବ । କାନ୍ଧରେ ଚାଦର, ଗୋଡ଼ରେ ଚପଲ, ହାତରେ ଗୋଟାଏ ଥଳି । ଛାତି ପକେଟରେ ଝରକଲମ । ସେ ପାଖେଇ ଆସିଲାରୁ ସିଗ୍ରେଟଟା ଫିଙ୍ଗିଦେଇ ଠିଆ ହେଲା ଶଙ୍କର । ସାମନାସାମନି ହେଲାରୁ ହାତଯୋଡ଼ି ନମସ୍କାର କଲା ।

 

‘‘ମୋତେ ଚିହ୍ନି ପାରୁଛନ୍ତି ମଉସା ? ମୁ ଶଙ୍କର ।’’

 

ଅ ହୋଇ ଠିଆ ହୋଇଗଲେ ଷଡ଼ଙ୍ଗୀ । ଶଙ୍କର ! କଉଁ ଶଙ୍କର ? ବାମଦେବ ଶତପଥୀଙ୍କ ପୁଅ ଶଙ୍କର ତ ଦଶବର୍ଷ ହେଲା ଫେରାର । ସେ କଣ ବଂଚିଛି ? ବିବ୍ରତ ହୋଇ ଅନେଇଲେ ସେ ଶଙ୍କର ଆଡ଼କୁ । ଶଙ୍କର ବୁଝି ପାରିଲା, ତାର ଗାଁକୁ ଫେରିବା ଖବର ସଙ୍ଗାତ ମଉସା ଜାଣନ୍ତି ନାହିଁ । ତା ଆଗରୁ ସେ କଟକ ଯାଇଥିଲେ ।

 

‘‘ମୁ ଶଙ୍କର ଶତପଥୀ । ହେଡ଼ମାଷ୍ଟର ବାମଦେବ–’’

 

ଆଉ କହିବାକୁ ହେଲାନାହିଁ । କୁଣ୍ଢେଇ ପକେଇଲେ ଷଡ଼ଙ୍ଗୀମଉସା ।

 

‘‘ତୁମେ ଫେରି ଆସିଛ ଶଙ୍କର, କେବେ ?’’

 

‘‘ତିନିଦିନ ହେଲା ।’’

 

“କୁଆଡ଼େ ଥିଲ ଏତେଦିନ ?’’ କଥା କହି କହି ଚାଲିଲେ ଦି ଜଣ ।

 

‘‘ଇଉରୋପରେ ଥିଲି ଛବର୍ଷ । ଏମେରିକାରେ ଚାରିବର୍ଷ ।’’

 

‘‘ସେଇ ଘୋର ଯୁଦ୍ଧ ବେଳେ ।’’

 

‘‘ହଁ, ସେତେବେଳେ ମୁ ସୁଇଡେନରେ ।’’

 

‘‘ସତେ ? କଣ କରୁଥିଲ ?’’

 

‘‘ପଢ଼ୁଥିଲି । ଚାକିରି ବି କରୁଥିଲି ଏମେରିକାରେ । "

 

‘‘କି କଥା ଦେଖ । ତୁମ ବାପା ବୋଉ ତ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ବୋଉ ତୁମର କଣ ଗୋଟାଏ ବ୍ରତ କରୁଛନ୍ତି ତୁମ ପାଇଁ । ତୁମ ବାପା ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ଦିନ ସହସ୍ରକୁମ୍ଭ କରୁଛନ୍ତି । ବାଃ, କି ସୁନ୍ଦର ଚେହେରା ହୋଇଛି ତୁମର । କି ଖୁସି ଲାଗୁଛି ତୁମକୁ ଦେଖି । ଆସିବ ଆମ ଘରକୁ ?’’

 

‘‘ଚେଷ୍ଟା କରିବି ।’’

 

‘‘ନା ନା ଆସିବ । ଆଜି ସଂଧ୍ୟାବେଳେ ଆସ । ତୁମକୁ ଦେଖିଲେ ତୁମ ମାଉସୀ ଖୁସି ହେବେ । ମାନି ଖୁସି ହବ ।’’

 

‘‘ଆସିବି ।’’

 

ଷଡ଼ଙ୍ଗୀ ବାଟ ଭାଙ୍ଗିଗଲେ ତାଙ୍କ ଘର ଆଡ଼କୁ । ଘଡ଼ି ଦେଖିଲା ଶଙ୍କର, ବାରଟା । ଆଗେଇ ଚାଲିଲା ନିଜ ଘର ଆଡ଼କୁ ।

 

ଦୁଆର ମୁହଁରେ ଦେଖା ରାଜା ସାଙ୍ଗରେ । ସେଇ ସୁନା ପଦକ ଝୁଲୁଛି ଛାତିରେ । ମାମୁକୁ ଦେଖି ପାଟି କରି ଉଠିଲା– ‘‘ସାହେବମାମୁ, ମେଁ, ମେଁ ।’’ ହସିଲା ରାଜା । ପାହାଚ ଚଢ଼ୁ ଚଢ଼ୁ ଶଙ୍କର ପଚାରିଲା– ‘‘ମେଁ ମେଁ କଣ ରାଜା ସାହେବ ?’’

 

ରାଜା ଉତ୍ତର ଦେଲା– ‘‘ମିଃ, ମିଃ ।’’

 

ରାଜାକୁ ଧରି ପଶିଲା ଶଙ୍କର ଘରେ । ବାପରେ– ଅଗଣାରେ ଜମା ହୋଇଛି ପରିବା । ଦୁଇଟା ସ୍ତ୍ରୀଲୋକ ବସି ପାଛୁଡ଼ୁଥାନ୍ତି ସୁଗନ୍ଧୀ ଚାଉଳ । କଖାରୁ, ଖୁମ୍ୱଆଳୁ କଦଳୀ କାନ୍ଧି ଡେରା ହୋଇଛି ଠାକୁର ଘର କାନ୍ଥରେ । ଘର ଭିତରେ ଅନେକ ଲୋକର ହଟ୍ଟଗୋଳ । ତାକୁ ଦେଖି ଆଗେଇ ଆସିଲା ଉମା ।

 

‘‘କଥା କଣ ଉମି ? ଏ ଆୟୋଜନ କଣ ପାଇଁ ?’’

 

‘‘ବାହାଘର ।’’ ଉମା ଆଖିରେ ଦୁଷ୍ଟାମି ।

 

‘‘ବାହାଘର ? କାହାର ?’’

 

‘‘ଆଉ କାହାର ? ଘରର ବଡ଼ ପୁଅର ।’’ ହସ ଚିକଚିକ କରୁଛି ଉମା ଆଖିରେ ।

 

‘‘ପୁଅ ବାହାଘର ହବ ଯେ, କନ୍ୟା କାହିଁ ?’’

 

‘‘କନ୍ୟାର ପୁଣି ଅଭାବ । ଏଇଠି ତ ଖୋଜିଲେ ମିଳିବ ।’’

 

‘‘ଥଟ୍ଟା କରୁଛୁ ?’’

 

‘‘ଥଟ୍ଟା ନୁହେଁ । ତୁମର ଅଜ୍ଞାତବାସରୁ ପ୍ରତ୍ୟାବର୍ତ୍ତନ ପାଳନ କରାଯିବ କାଲି । କାଲି ପ୍ରଥମାଷ୍ଟମୀ । ତୁମେ ବଡ଼ଭଣଜା । ମାମୁ ପଠେଇଛନ୍ତି ଏକୁ ସବୁ ।’’

 

ଏଇ ସମୟରେ ପହଞ୍ଚିଲା ଶମ୍ଭୁ । ‘‘ଭାଇନା ଟିକିଏ ଆସ ଏ ପଟେ ।’’ ବାଡ଼ିକୁ ଟାଣି ନେଇଗଲା ସେ । ଗୁହାଳରେ ଦୁଇଟି ଖାସି ବନ୍ଧା ହୋଇଛନ୍ତି ।

 

‘‘ଏ ଦିଓଟି ଜୀବକୁ କଉଠୁ ପାଇଲୁ ?’’

 

‘‘ମାମୁ ପଠେଇଛନ୍ତି ।’’

 

‘‘ମାମୁ କାହାନ୍ତି ?’’

 

‘‘ସେ ସଂଜବେଳକୁ ଆସିବେ, ଗୋଟାଏ ରୋଷେଇଆକୁ ନେଇ ।’’

 

ବାଡ଼ି ପିଣ୍ଡାକୁ ଆଉଜି ଠିଆ ହେଲା ଶଙ୍କର । ଗୋଟାଏ ସିଗ୍ରେଟ କାଢ଼ି ଓଠରେ ଲଗେଇ ଦେଖିଲା ବାଉଁଶଝାଡ଼ କଡ଼ରୁ ତରତର ହୋଇ ଆସୁଛନ୍ତି ସଙ୍ଗାତମାଉସୀ ଓ ମାନି । ମାଉସୀଙ୍କ ହାତରେ ଗୋଟାଏ ଥାଳିଆ । ମାନି ଘରକୁ ଏ ବାଟେ ଯେ ଗୋଟାଏ ପାଖ ରାସ୍ତା ଅଛି ଶଙ୍କର ଜାଣି ନ ଥିଲା ।

 

ସିଗ୍ରେଟ ଧରେଇବ କି ନା ଭାବୁଛି, ଦେଖିଲା ମାନି ତା ଆଡ଼କୁ ଚାହିଁ ନିମ୍ନ କଂଠରେ ତା ବୋଉକୁ କଣ କହିଲା । ଦି ଜଣ ଯାକ ବାଡ଼ି ଦୁଆର ବାଟେ ଘର ଭିତରକୁ ପଶିଲେ ।

 

ଘର ଭିତରୁ ଗୁଞ୍ଜନ ଉଠୁଥାଏ ବହୁ କଂଠରେ । ସେ ସିଗ୍ରେଟ ଲଗେଇ ଟାଣିବାକୁ ଲାଗିଲା ଏବଂ ଧୂଆଁର କୁଣ୍ଡଳୀ ତିଆରି କରିବାକୁ ଲାଗିଲା ।

 

ବଡ଼ବାପା ଆଉ ମାମୁ– କେତେ ତଫାତ । ଜଣେ ତାର ଫେରିବାଟାକୁ ଆନନ୍ଦପ୍ଳାବିତ କରିବାକୁ ସବୁ ରକମ ବ୍ୟବସ୍ଥା କଲାବେଳକୁ, ଆଉ ଜଣେ ତାକୁ ବ୍ୟର୍ଥ କରି ଦବାକୁ ଚାହୁଛନ୍ତି । ରାୟବାହାଦୂର ପଞ୍ଚାନନ ଶତପଥୀ । ବ୍ରିଟିଶ ସରକାରର ପଦଲେହନକାରୀ କର୍ମଚାରୀ । ପୁଅ ଗୁଡ଼ାକ ଅପଦାର୍ଥ । ବଡ଼ଟା ସ୍କୁଲ ପାରେଇ ପାରିଲା ନାହିଁ । ସାନଟା ବି. ଏ. ଫେଲ ହେଲା ପାଇନେଲ ସପ୍ଲିମେଣ୍ଟାରି ମିଶେଇ ଆଠଥର । ଧରାଧରି କରି ସବରେଜିଷ୍ଟ୍ରାର କରି ଦେଇଥିଲେ ତା ବାପା । ଏଇଖିଣି ସବଡେପୁଟି । ପୁଅମାନେ ବାପ ପାଖନ୍ତୁ ଆସନ୍ତି ନାହିଁ । ନିହାତ ଦରକାର ନ ହେଲେ ଚିଠିପତ୍ର ଦିଅନ୍ତି ନାହିଁ ।

 

ସେ ଯେତେବେଳେ କଟକରୁ ପଳେଇଲା– ଏଇ ବଡ଼ବାପା ପ୍ରଚାର କରିଥିଲେ, ଗୋଟାଏ ଝିଅ ସାଙ୍ଗରେ ଅସଦବ୍ୟବହାର ବରିବା ହେତୁ ତାକୁ କଲେଜରୁ ବାହାର କରି ଦିଆଗଲା-। ତାର ପଳାୟନରେ ପିତାମାତା ଯେତେବେଳେ ଚୂଡ଼ାନ୍ତ ମର୍ମାହତ, ସେତେବେଳେ ଏଇ ବଡ଼ବାପା ତା ବିରୁଦ୍ଧରେ ଅବିଶ୍ରାନ୍ତ ଅପପ୍ରଚାର କରିଥିଲେ । ଆଜି ସେ ଜୀବନ ଯୁଦ୍ଧରେ ଜୟୀ ହୋଇ ଫେରିଛି । ତାଙ୍କର ସହ୍ୟ ହବ କେମିତି ?

 

‘‘ବୁଢା ।’’ ଚିନ୍ତାର ଖିଅ ଛିଣ୍ଡିଗଲା । ବୋଉ ଡାକୁଛି । ସିଗ୍ରେଟ ପକେଇ ଦେଇ ଆଗେଇ ଗଲା ।

 

‘‘ସଙ୍ଗାତମାଉସୀ କଣ ଆଣିଛି ତୋ ପାଇଁ । ଆସିବୁ ବାପା ?’’

 

ବୋଉ ପଛେ ପଛେ ଶଙ୍କର ପଶିଲା ବାଡ଼ି ଦୁଆର ବାଟେ । ହାଣ୍ଡିଶାଳ ମେଲାରେ ସଙ୍ଗାତମାଉସୀ ଅପେକ୍ଷା କରୁଥିଲେ । ତାକୁ ଦେଖି ଆଗେଇ ଆସିଲେ । ହାତରେ ଟିକିଏ ପାଣି ନେଇ ତାର ମୁହଁ ଧୋଇଦେଲେ । ତା ପରେ ଜଗନ୍ନାଥଙ୍କ ଭୋଗ ତା ପାଟିରେ ଦେଲେ ।

 

‘‘ଏ କଣ ମାଉସୀ ?’’

 

‘‘ମହାପ୍ରସାଦ । ତୁମ ମଉସା ପୁରୀ ଯାଇଥିଲେ ଯେ–’’

 

ହଠାତ ଶଂଖ ବାଜି ଉଠିଲା କେଉଁଠି । ଶଙ୍କର ଚାହିଁଛି, ମାନି ଦିଗବିଦିଗ ଜ୍ଞାନଶୂନ୍ୟ ହୋଇ ମେଲାରୁ ଦଉଡି ଦଉଡ଼ି ଦାଣ୍ତବାଟେ ପଳେଇଲା । ତା ପରେ ଶୁଭିଲା ଉମାର ହସ ।

 

–ଚଉଦ–

 

ମଧ୍ୟାହ୍ନ ଭୋଜନ ପରେ ସମସ୍ତେ ଟିକିଏ ବିଶ୍ରାମ ନେଲେ । ଏଟା ଗାଁ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖଣ୍ତେ ଓଡ଼ିଆ ମାସିକ ପତ୍ର ନେଇ ବସିଥିଲା ଶଙ୍କର । ଯାହା ପଢ଼ିବାର ପାଞ୍ଚମିନିଟ ଭିତରେ ସରିଗଲା । ପତ୍ରିକାଟାକୁ ଠେଲିଦେଲା ଟେବୁଲ ଉପରକୁ । ବାଁ ହାତରେ ଆଖି ଢାଙ୍କି ଶୋଇ ପଡ଼ିଲା ସେ । ଆଜିକାର ଘଟଣାଗୁଡ଼ାକୁ ସେ ପୁଣି ଥରେ ଗୁନ୍ଥି ବସିଲା । ବୈଜ୍ଞାନିକ ମନ ତାର ଠିକ ଠିକ ସଜେଇଲା ଘଟଣା ସବୁକୁ । ସକାଳେ ମାନିର ବ୍ୟବହାର ସାଙ୍ଗରେ କଫି ଖାଇଲା ବେଳର ମୂର୍ଚ୍ଛାଟାକୁ ଯୋଡ଼ି ଅର୍ଥ କଲା– ଅନୁରାଗଜନିତ ଦୁଃଖ । ଉମାର ଶଂଖ ଶବ୍ଦରେ ପଳାୟନର ଅର୍ଥ ଲଜ୍ଜା । ଉମା ତାର ମନର ଖବର ଜାଣିଲାଣି । ମନ୍ଦ କଣ ? ତାର ସହାୟତା ବିଶେଷ ପ୍ରୟୋଜନ । କିନ୍ତୁ ମାନିର ମନଟା ସେ ନିଜେ ବିଡ଼ିବ । ଏଇ ତାର ଇଚ୍ଛା । ସେମିତି ସୁଯୋଗ ମିଳୁଛି କଉଠି ? ଗୋଟାଏ କଥା କିନ୍ତୁ ତାର ସଂଦେହ ନାହିଁ । ମାନି ତାକୁ ଭଲ ପାଏ, ଅତ୍ୟନ୍ତ ଭଲ ପାଏ । ଏଇ ଦଶବର୍ଷ ସେ ଅପେକ୍ଷା କରିଛି ତାରି ପାଇଁ । ତାର ପ୍ରଥମ ବିବାହର ବାଳକବରର ମୃତ୍ୟୁରେ ଶଂଖାସିନ୍ଦୂର ଲିଭେଇବା ପଛରେ ନିଷ୍କୃତିର ସଂକେତ ସୁସ୍ପଷ୍ଟ ।

 

ତାଛଡ଼ା ମାନିକୁ ତାର ଦରକାର । ସେ ଅନୁଭବ କଲା, ମାନିକୁ ନ ହେଲେ ତାର ଚଳିବନି । ସେଇ କବିତାଟା ଫେର ଜିଭ ଆଗରେ ଆସି ଠିଆ ହେଲା– ‘‘ହେ ମୋର ସଖୀ, ତୁମକୁ ମୁ ଭଲ ପାଏଁ ନିଜ ସ୍ଵାର୍ଥରେ । ତୁମର ଦେହଲତା ମୋର ଦେହ ଯେ ବାରମ୍ବାର କାମନା କରେ– ତାର କାରଣ ତୁମେ ମୋତେ ଲୁବ୍‍ଧ କର’’ ।

 

ମାନି, ମାନିସୀ । ତାର ମାନସପ୍ରୟା । ଶଙ୍କର ମାନିକୁ ଶଯ୍ୟାସଂଗିନୀ ହିସାବରେ କଳ୍ପନା କଲା । ଦେହରେ ତାର ଅନୁଭବ କଲା ଏକ ଅଭୂତପୂର୍ବ ଶିହରଣ । କେତେବେଳେ ଆଖି ଲାଗିଯାଇଛି ତାର ପ୍ରିୟତମାର ସ୍ୱପ୍ନରେ । କଣ ଗୋଟାଏ ଶବ୍ଦରେ ଆଖି ଖୋଲି ଦେଖେ, ରାଜା ।

 

‘‘ସାହେବମାମୁ ?’’

 

‘‘ରାଜା ସାହେବ ।’’

 

‘‘ଏଇଟା ନିଅ । ବାବା କହିଲେ ଏଟା ତୁମର ।’’

 

‘‘କଣ କହିଲେ ବାବା ?’’ ଉଠି ବସିଲା ଶଙ୍କର ବିଛଣାରେ ।

 

“ବାବା କହିଲେ, ମୁ ତୁମର କମ ପାଠ ପଢ଼ିଲେ ଏମିତି ମେଡ଼େଲ ପାଇବି ।’’ ମେଡ଼େଲଟା ସେ ବିଛଣାରେ ରଖିଲା ।

 

‘‘ରାଜା ସାହେବ ?’’

 

‘‘ଉଁ’’

 

‘‘ମା କାହିଁ ?’’

 

‘‘ଡାକି ଦେବି ?’’

 

‘‘ପାରିବ ?’’

 

“ହୁଁ”– ଏକା ଦଉଡ଼ରେ ରାଜା ଅଦୃଶ୍ୟ ।

 

ଶଙ୍କର ଉଠି ତାର ବାକ୍‍ସ ଖୋଲି କାଗଜ ପତ୍ର ଗୁଡ଼ା କାଢ଼ିଲା । ତାର ଯେତେ ଡିଗ୍ରୀ, ଡିପ୍ଲୋମା, ପରିଚୟ ପତ୍ର । ଚାକିରିରେ ନିଯୁକ୍ତିପତ୍ର । ସଜେଇ ରଖିବ । ଖଟ ସାରା ଖେଳେଇଦେଲା କାଗଜଗୁଡ଼ା ।

 

ଉମା ପଶି ଆସିଲା ଘର ଭିତରକୁ ।

 

“କଣ ଭାଇନା ?’’

 

‘‘ବ୍ଳେକ କଫି ।’’ ତା ଆଡକୁ ନ ଅନେଇ କହିଲା ଶଙ୍କର ।

 

‘‘ସେଟା କଣ ?’’

 

‘‘କଫିରେ ଦୁଧ ଦବୁନାହିଁ । କାଗିଜିଲେମ୍ବୁ ଥିଲେ ଚିରୁଳେ ପକେଇ ଦବୁ ବାସନା ପାଇଁ-।’’ ତା ଆଡ଼କୁ ଅନେଇ ହସି ହସି କହିଲା ଶଙ୍କର ।

 

‘‘ମାନେ ୟାଙ୍କି କଫି ?’’

 

‘‘ହେଲା ଏବେ ।’’

 

‘‘ସେ ଗୁଡ଼ା କଣ ଭାଇନା ?’’

 

‘‘ଡିପ୍ଲୋମାଗୁଡ଼ା ସଜେଇ ରଖିଛି ।’’

 

ଗୋଟାଏ ଡିପ୍ଲୋମା ଉଠେଇ ନେଲା ଉମା । ପଢ଼ି ପାରିଲା କେବଳ ତା ଭାଇନାର ନାମଟା । “ଏ କି ଭାଷା ?’’

 

‘‘ଜାରମେନ ।’’

 

ଆଇଓଆର ଡିପ୍ଲୋମାଟା ବଢ଼େଇ ଦେଲା ଭଉଣୀ ହାତକୁ । ଉମା ପଢ଼ିଲା– ଶଙ୍କର ଶତପଥୀଙ୍କ ଗବେଷଣାରେ ସନ୍ତୁଷ୍ଟ ହୋଇ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟର ଅଭ ଫିଲସଫି ଉପାଧିରେ ପ୍ରବେଶାଧିକାର ଦେଲେ । ତାରିଖଟା ୧୯୫୦ ସାଲ । ଆଉ ଗୋଟାଏ କାଗଜ ଉଠେଇ ନେଲା ଉମା । ଗୋଟାଏ କଂପାନୀର ପ୍ରେସିଡେଣ୍ଟ ଶଙ୍କରକୁ ଲେଖିଛି ଯେ କଂପାନୀ ଭାରତର କଲିକତାରେ ଗୋଟିଏ ଶାଖା ଖୋଲୁ ଥିବାରୁ ଶଙ୍କର ଶତପଥୀ ନାମକ ସହକାରୀ କେମିକେଲ ଏନଜିନିୟରଙ୍କୁ ସେଇ ଶାଖାର ପରିଚାଳନା ଦାୟିତ୍ୱ ଦିଆଗଲା । ମାସକୁ ତାଙ୍କୁ ଖରଚ ବରଚ ବାଦେ ଦେଢ଼ ହଜାର ଡଲାର ଦରମା ମିଳିବ ଏବଂ ବର୍ଷକୁ ଶହେ ଡଲାର କରି ବଢ଼ି, ପାଞ୍ଚ ବର୍ଷରେ ସେ ମାସକୁ ଦୁଇହଜାର ଡଲାର ପାଇବେ । ଦେଢ଼ ହଜାର ଡଲାର । ସକାଳୁ ହିସାବ ଶିଖିଛି ଉମା-। ପନ୍ଦର ପଞ୍ଚା ପଞ୍ଚସ୍ତରି । ମାନେ ସାଢ଼େ ସାତହଜାର ଟଂକା ଦରମା ପାଇବ ତାର ଭାଇନା, ମାସକୁ । ଖରଚ ବରଚ ଛଡ଼ା । ତା ମାନେ ? ସବୁ ଗୋଳମାଳ ହୋଇଗଲା ଉମାର-। ତୁଳନା କଲା ଚନ୍ଦ୍ରଶେଖର ସାଙ୍ଗରେ । ସେ ଏ ପର୍ଯ୍ୟନ୍ତ ହଜାରେ ଟଂକା ପାଇ ନାହାନ୍ତି । କଥା କଣ ? ତା ଭାଇନା କଣ ଆଲଉଦିନର ଦୀପ ରଖିଛି ?

 

‘‘କଣ ଭାବୁଛୁରେ ଉମା ?’’ କାଗଜ ଗୋଛଉ ଗୋଛଉ ପଚାରିଲା ଶଙ୍କର ।

 

‘‘ଉଁ– ନା ଭାବିବି କଣ ?’’ ଟିକିଏ ସମୟ ନେଇ କହିଲା, ‘‘ତୁମେ କଣ ସତରେ ମାନିକୁ ବାହାହବ ଭାଇନା ?’’

 

‘‘ତା ମାନେ ?’’ ଶଙ୍କରର କଂଠରେ ଚୂଡ଼ାନ୍ତ ବିସ୍ମୟ ।

 

‘‘କିଛିନା । ଖାଲି ଏମିତି କହୁଥିଲି । ମୁ ଯାଏଁ । ତୁମର କଫି ତିଆରି କରେଁ ।’’ ଶଙ୍କର କିଛି ବୁଝି ନ ପାରି ତା ଆଡ଼କୁ ବଲ ବଲ କରି ଚାହିଁ ରହିଥାଏ । ତାର ଅବସ୍ଥା ଦେଖି ଉମା ହସି ପକେଇଲା ।

 

‘‘ସତରେ ଭାଇନା, ତୁମକୁ ସ୍ୱାମୀ ରୂପରେ ପାଇବାକୁ ଯେ କୌଣସି ଝିଅ ଦଶବର୍ଷ ତପସ୍ୟା କରିବ । ମାନି ସେ ତପସ୍ୟା କରିଛି । ଏ ବର ତାର ପ୍ରାପ୍ୟ ।’’

 

ବାହାରିଗଲା ଉମା ଘର ଭିତରୁ । ପିଣ୍ଡାରେ ଚନ୍ଦ୍ରଶେଖରକୁ ଦେଖିଲା । ତାକୁ କହିଲା– ‘‘ଦେଖିବ ଯାଅ, ଭାଇନା ଡକାଏତି କରି ଟଂକା ଆଣିଛନ୍ତି ନା ନିଜ ଯୋଗ୍ୟତା ବଳରେ ଆଣିଛନ୍ତି ।’’

 

‘‘କୁଆଡ଼େ ଯାଉଛ ?’’ ଚନ୍ଦ୍ରଶେଖରର କଂଠସ୍ଵର ।

 

‘‘କଫି ଖାଇବ ? ପଠେଇ ଦେବି ?’’

 

‘‘ନା, ଚା ।’’

 

‘‘ତୁମେ ଓଡ଼ିଆ, କଫି ଖାଇ ହଜମ କରି ପାରିବନି ।’’

 

‘‘ଜାଣି ନ ଥିଲ କି ?

 

‘‘ଏଇ ବୁଢ଼ୀ’’, ବୋଉଙ୍କ କଂଠସ୍ଵର, ‘‘କଣ କହୁଛୁ ତୁ ?’’

 

ଘର ଭିତରକୁ ପଶି ଆସିଲା ଚନ୍ଦ୍ରଶେଖର ।

 

‘‘ବସ ।’’

 

“ସେ ଗୁଡ଼ା କଣ ?’’ ଚନ୍ଦ୍ରଶେଖର ପଚାରିଲା ।

 

‘‘କାଗଜପତ୍ର ଗୁଡ଼ା ସଜାଡ଼ୁ ଥିଲି । ଗୋଟାଏ କେବ୍‍ଲ କରିବାକୁ ହବ । ତୁମ ଠିକଣା ଦେବି ବୋଲି ଭାବୁଛି ।’’

 

‘‘ସାନନ୍ଦରେ’’ । ଟାଣିନେଲା ଫାଇଲଟା ଚନ୍ଦ୍ରଶେଖର । ‘‘ଦେଖିପାରେ ?’’

 

‘‘ନିଶ୍ଚୟ ।’’

 

ଉପର ଚିଠିଟା ସେଇ ନିୟୋଗ ପତ୍ର । ତା ତଳକୁ ଆଗର ନିୟୋଗ ପତ୍ର । ସେତେବେଳେ ଦରମା ଥିଲା ବାରଶହ ଡଲାର । ଭାରତରେ ତିନିଶ ବଢ଼ିଛି । ତା ଛଡ଼ା ଖର୍ଚ୍ଚ ବାର୍ଚ୍ଚ ।

 

‘‘ଏଟା କଣ ? ଖର୍ଚ୍ଚ ବର୍ଚ୍ଚ ବାଦ ?’’

 

‘‘ଘର, ଗାଡ଼ି ଓ ଆତିଥ୍ୟ ।’’

 

‘‘ଗସ୍ତ ଖର୍ଚ୍ଚା ?’’

 

‘‘ସେ ଅଲଗା ।’’

 

ଆର ଫାଇଲଟା ନେଲା ଚନ୍ଦ୍ରଶେଖର । ମେଟ୍ରିକୁଲେଶନ ପାଖରୁ ଯେତେ ପ୍ରମାଣ ପତ୍ର, ସବୁ ଗୁନ୍ଥା ହୋଇଛି ଏକାଠି । ଦୁଇଟା ଡକ୍ଟରେଟ । ହାଇଡେଲବାର୍ଗ ଆଉ ଆଇଓଆର । ଉଇସମାନ ଓ ବ୍ରାଣ୍ଟଙ୍କ ପରିଚୟପତ୍ର । ଆପସୋଲା ବିଶ୍ୱବିଦ୍ୟାଳୟର ବିଜ୍ଞାନ ଉପାଧି ।

 

‘‘ତୁମର ଉପହାର ଗୁଡ଼ା ଯେ ବିସ୍ମୟକର ଭାବରେ ସୁପ୍ରଚୂର ସେ କଥା କହିବାକୁ ଆସିଥିଲି । କୃତଜ୍ଞତା ଜଣେଇବା ତୁମକୁ ଛୋଟ କରିବା ହବ ।’’

 

ବିଛଣା ଉପରୁ ମେଡ଼େଲଟା ଉଠେଇଲା ଶଙ୍କର ।

 

“ତାହେଲେ ଏଟା ରାଜା ଝୁଲଉ ?’’

 

‘‘ନା, ନା, ସେଟା ଏକାଡେମିକ ଡିସଟିଙ୍କ୍‍ସନ୍–’’

 

‘‘ତାଠୁଁ ବଡ଼ ଡିସଟିଙ୍କ୍‍ସନ୍‍ ମୋତେ ଭାରାକ୍ରାନ୍ତ କରିଛି ହେ ଚନ୍ଦ୍ରଶେଖର । ଏଟା ତୁମେ ନିଜେ ତାର ସାର୍ଟରେ ପିନ କରି ଦିଅ । ସେ ପୁଣି ଖୁସି ହଉ । ମୋର ପ୍ରଥମ ଭଣଜାକୁ ମୋହର ଦେଇ ଦେଖି ପାରୁନି ବୋଲି ମେଡ଼େଲଟା ଦେଇଥିଲି । ମେଡ଼େଲଟା କିନ୍ତୁ ଚବିଶ କେରେଟ ସୁନାର ।’’

 

“ଭଗବାନ, ଏଇ ଅର୍ଥ କଲ ତୁମେ ? ହଉ ।’’

 

କଫି ପହଞ୍ଚିଗଲା । ଚନ୍ଦ୍ରଶେଖରର ଚା । ତା ସାଙ୍ଗରେ ଦୁଇପ୍ଲେଟ ଫୁଲକୋବିର ବଡ଼ା । ବେସନ ଦେଇ ଭାଜିଛି । ସହରିଆ ସଉଖ । ଉମାକୁ ଖୁସି କରିବାକୁ ଗୋଟାଏ ଉଠେଇ ନେଲା ଶଙ୍କର । ପାଟିରେ ଦେଇ କହିଲା, ‘‘ଅପୂର୍ବ । ଏକୁ ଭାଜିଛି କିଏ ?’’

 

‘‘ମାନି ।’’ ଇଚ୍ଛାକରି କହିଲା ଉମା ମାନି ନାଁ ।

 

ଭାଇ ଭଉଣୀର ସଂଗ୍ରାମ ଚାଲିଛି– କଥାରେ ।

 

“ତୁମେ ବିଶ୍ୱାସ କରୁଛ ଏନଜିନିୟର, ଏଭଳି ଏକ ସୁସ୍ୱାଦୁ ଖାଦ୍ୟ ମାନି କରିପାରେ ? କୁହ, ତୁମେ କୁହ, ତୁମଘରେ ହୁଏନି ଏ ବଡ଼ା ?’’

 

ଚନ୍ଦ୍ରଶେଖର କିଛି କହିବା ପୂର୍ବରୁ ଉମା କହିଲା– ‘‘ଏଟା ତ ତାଙ୍କର ସଉଖିନ ଜଳଖିଆ-।’’

 

‘‘ତା ହେଲେ । ମୂଳ ହେଲୁ ତୁ । କଉଁ ଗଡ଼ଜାତର ଲୋକ, ଏ ଖାଦ୍ୟ ଜାଣିବେ କୁଆଡ଼ୁ-?’’ ହସିଲା ଶଙ୍କର । ସେଇ ୟାଙ୍କି ହସ । ଆକାଶ ପରିଷ୍କାର ହୋଇଗଲା ।

 

‘‘ରାଜା କାହିଁ ?’’ ଚନ୍ଦ୍ରଶେଖର ପଚାରିଲା ।

 

‘‘ବୋଉ ପାଖରେ । ଖାଉଛି ।’’

 

‘‘ଖାଇ ସାରିଲେ ପଠେଇ ଦବୁ ।’’ ଶଙ୍କର କହିଲା ।

 

ରାଜା କିନ୍ତୁ ଦୁଆର ମୁହଁରେ । ମାମୁର ହସ ଶୁଣି ଉଠି ଆସିଛି ଆଈ ପାଖରୁ । ସାହେବମାମୁଙ୍କର କାଉଁରିକାଠି ଅଛି, ମାନିମାଉସୀ କହୁଥିଲା ।

 

‘‘ଏଇତ ରାଜା ସାହେବ, ଦ୍ୱାରଦେଶରେ ଦଣ୍ଡାୟମାନ । Come in Sonny Boy”, ଡାକିଲା ତାକୁ ଶଙ୍କର ।

 

‘‘ଆଗେଇ ଆସିଲା ରାଜା । ବାପମାକୁ ପାରେଇ ମାମୁ କୋଡ଼କୁ ଆଉଜି ଠିଆହେଲା ।

 

‘‘ଚନ୍ଦ୍ରଶେଖର, here is your chance ।’’ ମନେ ପକେଇ ଦେଲା ଶଙ୍କର ।

 

ଚନ୍ଦ୍ରଶେଖର ନଇଁପଡ଼ି ସେଇ ମେଡ଼େଲଟାକୁ ଝୁଲେଇ ଦେଲା ରାଜା ଛାତିରେ । ରାଜା ବୁଝି ନ ପାରି ତା ବାପ ମୁହଁକୁ ଚାହିଁଲା, “ଏଟା ପରା ସାହେବମାମୁଙ୍କର ?’’

 

‘‘ନା ବାବା, ଏଟା ତୁମର । ମାମୁ କହିଲେ ଏଟା ସେ ତୁମ ପାଇଁ ଆଣିଛନ୍ତି ।’’

 

ଆଉ ପାଏ କିଏ ରାଜାକୁ । ଦଉଡ଼ିଲା ପାଟି କରି କରି, ‘‘ଆଈ, ମାନିମାଉସୀ, ଏଟା ମୋର । ସାହେବମାମୁ ମୋ ପାଇଁ ଆଣିଥିଲେ ।’’

 

ଉମା ସବୁ ଘଟଣା ଜାଣେ । ତାର ସ୍ଵାମୀକୁ ସେ ମନା କରିଥିଲା, ରାଜା ହାତରେ ମେଡ଼େଲ ଫେରେଇବାକୁ । ଆଖି ତାର ଛଳଛଳ ହୋଇଗଲା, କୃତଜ୍ଞତାରେ ।

Unknown

 

‘‘ଭାଇନା, କଣ ମନ ହଉଛି ଜାଣ ?’’

 

‘‘କଣ ? କହିଲେ ସିନା ଜାଣିବି ?’’

 

‘‘ତୁମେ ଏଡ଼େ ମହତ, ଏଡ଼େ ବଡ଼ ଯେ ତୁମ ଗୋଡ଼ତଳେ ପଡ଼ିଯିବାକୁ ମନ ହଉଛି ।’’

 

‘‘ସେଟା ତ ମୋର ଜନ୍ମଗତ ଅଧିକାର । ମୁ ତୋର ଭାଇନା ।’’ ହସିଲା ଶଙ୍କର ।

 

ଉମା କାନିଟାକୁ ବେକରେ ଗୁଡ଼େଇ ଆଣ୍ଠେଇ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ କଲା ଶଙ୍କରକୁ-

 

ହସି ହସି ଶଙ୍କର ଆଶୀର୍ବାଦ କଲା– “ସାବିତ୍ରୀ ପରି ହ । ନା କଣ ହେ ଚନ୍ଦ୍ରଶେଖର ? ଆରେ ତୁ ତ ଉମା । କଣଟି ସେ ଶ୍ଳୋକଟା କୁମାର ସମ୍ଭବର ?’’ ହସି ଉଠିଲା ଶଙ୍କର । ଉମା ଉଠି ଠିଆ ହୋଇ ଆଖି ପୋଛି, କାହାରି ଆଡ଼କୁ ନ ଅନେଇ ଘରୁ ବାହାରି ଗଲା ।

 

ଚନ୍ଦ୍ରଶେଖର ସାଙ୍ଗରେ ସାକ୍ଷ୍ୟଭ୍ରମଣ ସାରି ଫେରିଲା ବେଳେ, ଶଙ୍କର ବାଟ ଭାଙ୍ଗିଗଲା ସଙ୍ଗାତମଉସାଙ୍କ ଘରକୁ । ମଉସା ତାକୁ ଅପେକ୍ଷା କରିଥିଲେ । ଆଦର କରି ଘର ଭିତରକୁ ନେଇଗଲେ । ଏଇ ଘରଟି ତାଙ୍କର ଶୋଇବା, ବସିବା ଓ ଲେଖାପଢ଼ା କରିବା ଘର । ଅନେକ ଗୁଡ଼ିଏ ବହି ରଖିଛନ୍ତି ମଉସା । ଅଧିକାଂଶ ଓଡ଼ିଆ । ବଂଗଳା ଓ ସଂସ୍କୃତ ବହି ମଧ୍ୟ କିଛି ଅଛି । ପତ୍ରିକା ସବୁ ବନ୍ଧା ହୋଇ ରହିଛି ।

 

‘‘ବସ ବାପା । ତୁମ ମାଉସୀଙ୍କୁ ପଠେଇଛି ମାନିକୁ ଡାକିବାକୁ । ସେତ ଦିନରାତି ତୁମ ଘରେ, ତା ମାଉସୀଙ୍କ ପାଖରେ ।’’

 

ତାଙ୍କର ବ୍ୟବହାର ପାଇଁ ଖଣ୍ଡେ କେନଭାସର ଆରାମଚୌକି ଅଛି । ଶଙ୍କରକୁ ସେଥିରେ ବସିବାକୁ ଦେଇ ନିଜେ ଖଟରେ ବସିଲେ ।

 

‘‘ତା ପରେ । ତୁମ କଥା କୁହ, ଶୁଣିବା ?’’

 

ଯେତେ ସଂକ୍ଷିପ୍ତରେ ସାରିହୁଏ, ଶଙ୍କର କହିଲା ତାଙ୍କୁ ।

 

ସଙ୍ଗାତମାଉସୀ ଆସି ମଉସାକୁ ଡାକିଲେ । ଶଙ୍କରକୁ କହିଲେ, ‘‘ତୁମ ଗାଲରେ ଚୂନ ଲାଗିଗଲା ବାପା ? ଏଥର ବିଡ଼ିଆ ପାନ ଦେବି ।

 

‘‘ଦିଅନ୍ତୁ । ଚୁନ ନ ଲାଗିଲେ ହେଲା । ନ ହେଲେ ମାନି ହାତରନ୍ଧା ତରକାରି ଖାଇ ପାରିବିନି ।’’

 

ଭିତରୁ ଚାପା କଂଠରେ ଶୁଭିଲା, ‘‘ବୋଉ’’ । ବୋଉ ଚାଲିଗଲେ । ଫେରି ଆସିଲେ ଷଡ଼ଙ୍ଗୀ । ଆଖି ତାଙ୍କର ବିସ୍ଫାରିତ ।

 

“ତୁମେ ଏଡ଼େ ବଡ଼ ହୋଇଛ ଶଙ୍କର । ତୁମେ, ତୁମର ପଦଧୂଳି–’’ କୁଣ୍ଠିତ ଶଙ୍କର କହିଲା, “ଆପଣ କଣ ସବୁ ଶୁଣିଛନ୍ତି, ମୁ ଜାଣେନି । ମୁ କିନ୍ତୁ ଶଙ୍କର । ଆଉ ଆପଣ ମୋର ମଉସା ।’’

 

‘‘ସେ କଥା ତୁମ ମୁହଁରେ ସାଜେ ବାପା । ବାଃ, ବାମ ଭାଇନାଙ୍କ କି ଭାଗ୍ୟ !’’

 

ଚା ଆସିଲା ସକାଳ ଭଳି । ସେଇ କାପ, ସେଇ ସ୍ଵାଦ । କମ ଦାମୀ ହେଲେ ବି ଦରଦରେ ସୁମଧୁର ।

 

‘‘ମୋର ପାନ କାହିଁ ସଙ୍ଗାତମାଉସୀ ?’’ ଘର ଭିତରୁ ଡାକଦେଲା ଶଙ୍କର । ବ୍ୟତିବ୍ୟସ୍ତ ହୋଇ ଖଟରୁ ଓହ୍ଲେଇ ପଡ଼ିଲେ ମଉସା ।

 

‘‘ଆପଣ ବସନ୍ତୁ ମଉସା । ଗପ କରିବା । ଆସିଲା ପାଖରୁ ମୁଁ ପ୍ରାୟ ଘରେ ଅଛି । ବଡ଼ବାପାଙ୍କ ପାଖକୁ ଯାଇଥିଲି । ସେ ମୋତେ ଜବ୍ୱ କରିବେ ବୋଲି ଜିଦ ଧରିଛନ୍ତି । କିନ୍ତୁ ସେ ପାରିବେନି । ମୋ କଥା ତ ଶୁଣିଲେ । ଆପଣଙ୍କ କଥା କହନ୍ତୁ ।’’

 

ଦିଟା ପାନ ଆସିଲା । ଚୂନ ନାହିଁ । ରାଗୁଆ ରାଗୁଆ ସ୍ଵାଦ ।

 

‘‘ମୋର ଆଉ କଥା କଣ ? ମାନିର ଦୁର୍ଦ୍ଦଶାଟା ମୋତେ ମାରି ଦେଇଛି ।’’

 

‘‘ମାନିକୁ ବାହାକରି ଦଉନାହାନ୍ତି । ଆଜିକାଲି ତ ଆଉ ଅସୁବିଧା ନାହିଁ । ଏମିତି ବାହାଘର ବହୁତ ହଉଛି ।’’

 

“ହଉଛି ଯେ । ସେ ରାଜି ନୁହେଁ ।’’

 

‘‘ଆପଣ ସତରେ ବିଶ୍ୱାସ କରୁଛନ୍ତି ଯେ ମାନି ବାହାହବାକୁ ନାରାଜ ।’’

 

ବଡ଼ପାଟିରେ କହିଲା ଶଙ୍କର, ‘‘ନା, ଆପଣଙ୍କ ସମାଜଭୟ ସେଥିରେ ଅନ୍ତରାୟ ହଉଛି-?’’

 

‘‘ସେଟା ତ ଅଛି । ମାନେ– ମୁଁ ଠିକ୍ କରିପାରୁନି–’’

 

“ତାହେଲେ ମାନିର ବିବାହରେ ଆପଣଙ୍କର ଆପତ୍ତି ନାହିଁ ?’’

 

‘‘ନା, ମୋଟେ ନା । ସୁପାତ୍ର ପାଇଲେ–’’ ଅଟକିଗଲେ ମଉସା । ଆଖିରେ ତାଙ୍କର ବିହ୍ୱଳଭାବ ।

 

ପ୍ରସଂଗଟା ବଦଳେଇ ଦେଲା ଶଙ୍କର ।

 

“ଆପଣ ତ କବିତା ଲେଖିଥିଲେ । ବହି ଛାପି ନାହାନ୍ତି ?’’

 

‘‘ହଁ ଖଣ୍ଡିଏ । ସେ ବି ଭଲ ହୋଇନି । କବିତାର କଦର ଆମ ଦେଶରେ ନାହିଁ ।’’ ଉଠିଯାଇ ଥାକରୁ ଆଣିଲେ ଖଣ୍ଡିଏ ବହି । ବଢ଼େଇ ଦେଲେ ଶଙ୍କର ହାତକୁ ।

 

‘‘ଅଳକନନ୍ଦା’’ । ଓଲଟେଇଲା ପତ୍ରଗୁଡ଼ା ଶଙ୍କର । ଅତି ମାମୁଲି ଛାପା । କାଗଜ କମ୍ ଦାମୀ । ମୂଲ୍ୟ ଏକଟଂକା ଛାପା ହୋଇଛି । ରବର ଷ୍ଟାମ୍ପ ବସିଛି । ‘‘ଅତିରିକ୍ତ ଆଠଅଣା’’ ।

 

‘‘ମୁଁ ଏ ବହିଟା ପଢ଼ିବାକୁ ନେଇପାରେଁ ?’’

 

‘‘ତୁମେ କବିତା ପଢ଼ ? କଣ କହୁଛ ? ରୁହ ରୁହ ।’’ ଖଟତଳୁ ରାଜ ସଂସ୍କରଣ କାଢ଼ିଲେ ଖଣ୍ଡିଏ । ଗୋଲ ଗୋଲ ଅକ୍ଷରରେ ଲେଖିଲେ–

 

‘‘ଶ୍ରୀମାନ ଶଙ୍କର ଶତପଥୀ, କଲ୍ୟାଣୀୟେଷୁ’’ ।

 

ବହିଟା ନେଇ ବାହାରି ଆସିଲା ଶଙ୍କର । ଆଜି ଏତିକିରେ ଥାଉ ।

 

ଦାଣ୍ଡରେ ଗୁହାଳ ପାଖରେ ଦେଖାହେଲା ମାନି ସାଙ୍ଗରେ ।

 

‘‘ଶୁଣନ୍ତୁ" ଚାପା କଂଠରେ ଡାକିଲା ମାନି । ଠିଆହେଲା ଶଙ୍କର ।

 

‘‘ଆପଣଙ୍କର ଦୟାର ସୀମା ନାହିଁ । ଆପଣଙ୍କର ମହତ୍ତ୍ୱର ଉପମା ନାହିଁ । ଆପଣଙ୍କ ଯୋଗ୍ୟତାର ତୁଳନା ନାହିଁ...’’

 

ହସି ଉଠିଲା ଶଙ୍କର– ‘‘ବାଃ, ଚମତ୍କାର ତୁମର ଭାଷା ମାନି । ତାପରେ, କୁହ ?’’

 

ଚୁପ୍ କରିଗଲା ମାନି ।

 

ପୁଣି ପଚାରିଲା ଶଙ୍କର, “କଣ କହୁଥିଲ କୁହ ?’’

 

“ଆପଣ ମୋ ଉପରେ ଏମିତି ନିଷ୍ଠୁର ହେଉଛନ୍ତି କାହିଁକି ?’’

 

‘‘ନିଷ୍ଠୁର ? ତୁମ ଉପରେ ? ମୁଁ ହେଉଛି ? ଠିକ କହୁଛ ମାନି ?’’

 

ଆଗେଇଗଲା ଶଙ୍କର । ତାର ସାମନା ସାମନି ଠିଆ ହେଲା । ମାନି କାନ୍ଧରେ ଗୋଟାଏ ହାତରଖି, ତା ମୁହଁକୁ ଅନେଇ ପଚାରିଲା, ‘‘ମନେଅଛି ମାନି ? ଥରେ ବରକନ୍ୟା ଖେଳକୁ ମୋତେ ଡାକିଥିଲ ? କଣ କହିଥିଲ ମନେଅଛି ।

 

ଆଶାର ଆନନ୍ଦରେ ଉଚ୍ଛ୍ୱସିତ ହୋଇ ମାନି ବସିପଡ଼ି ଶଙ୍କରର ଆଣ୍ଠୁ ଦିଟାକୁ ଜାବୁଡ଼ିଧରି ରୁଦ୍ଧ କଂଠରେ କହିଲା, ‘‘ଅଛି । ତୁମେ ତାକୁ ମନେରଖିଛ ?’’

 

‘‘ଭାଗ୍ୟର ବିଡ଼ମ୍ବନା ଆମକୁ ତପସ୍ୟାରେ ନିୟୋଜିତ କରିଥିଲା ମାନି । ଦଶବର୍ଷ ଧରି ତୁମେ ତପସ୍ୟା କରିଛ ଏଠି । ମୁଁ କରିଛି ବିଦେଶରେ । ଉଠ, ଛି, କିଏ ଦେଖିବ ।’’

 

ମାନିକୁ ଟାଣି ଠିଆକଲା ଶଙ୍କର । ମାନି ଆଖିରେ ଆନନ୍ଦାଶ୍ରୁର ସୁଅ ।

 

‘‘ଆମ ଘରକୁ ଯିବନି ?’’

 

‘‘ଯିବି ।’’

 

‘‘ମୋ ସାଙ୍ଗରେ ଚାଲ ?’’

 

‘‘ନା,’’ କୁଣ୍ଠିତ ହେଲା ମାନି ।

 

‘‘ଭୟ କଣ ? ତୁମେ ବାଡ଼ିବାଟେ ଯିବ । ମୁଁ ଯିବି ଦାଣ୍ଡବାଟେ । ଆସ ତୁମ ବୋଉଙ୍କୁ କହିବା । ତୁମ ସାଙ୍ଗରେ ମୋର ଅନେକ କଥା ଅଛି ।’’

 

ଆଗପଛ ହୋଇ ଘର ଭିତରକୁ ପଶିଲେ ଶଙ୍କର ଆଉ ମାନି ।

 

‘‘ମାଉସୀ ?’’

 

“କୁହ ବାପା ?’’

 

‘‘ମାନିକୁ ମୁ ନେଇ ଯାଉଛି ଆମ ଘରକୁ ?’’

 

‘‘ନେଇ ଯାଅ । ସେ ତ ଶମ୍ଭୁ ସାଙ୍ଗରେ ରାତିରେ ଫେରେ ।’’

 

ମାଉସୀ ସବୁ ଶୁଣିଛନ୍ତି, ଦେଖିଛନ୍ତି । ହାୟ, ହାୟ, ଝିଅଟା ତ ତାଙ୍କର । କେଉଁ ମା ଲୋଡ଼ିବନି ଝିଅର ଏ ସୌଭାଗ୍ୟ !

 

ଆଗେଇ ଚାଲିଲେ ଦିଜଣ ନିର୍ଜନ ପଥଦେଇ ।

 

‘‘ମାନି ?’’

 

‘‘ଉଁ’’ ପାଖେଇ ଆସିଲା ମାନି ।

 

“ତୁମକୁ ନ ହେଲେ ମୋର ଚଳିବନି ମାନି । ଅନେକ ଦିନ ଆଗେ ତୁମ ବୋଉଙ୍କୁ ମୋ ବୋଉ ଆମ ବିବାହର ଯେଉଁ ଇଙ୍ଗିତ ଦେଇଥିଲା, ଆମ ଜୀବନରେ ସେ ସତ ହୋଇ ଯାଇଛି । ତୁମେ ତ ସେଇଦିନୁ ମୋର ସ୍ତ୍ରୀ ।

 

‘‘ତୁମେ ଏକଥା ବିଶ୍ୱାସ କର ?’’ ଠିଆ ହୋଇଗଲା ମାନି ।

 

‘‘ନ କରି ମୋର ଉପାୟ କଣ ? ସେଇଦିନୁ ମୁ ଅପେକ୍ଷା କରିଛି ଏଇ ସୁଯୋଗର । ମୋ ଜୀବନ ସାଙ୍ଗରେ ଅବିଚ୍ଛେଦ୍ୟ ହୋଇ ରହିଛ ତୁମେ ।’’

 

ଟିକିଏ ସମୟ ନେଲା ଶଙ୍କର–

 

‘‘ନାରୀର ଯେଉଁ କଲ୍ୟାଣୀ ମୂର୍ତ୍ତିଟି ମୋର ପିଲାବେଳେ ଦେଖିଥିଲି ଆମ ଦେଶରେ, ସେଇ ମୂର୍ତ୍ତି ମୁ ଖୋଜିଛି ଇଉରୋପର ନାନା ଦେଶରେ । ଏମେରିକାର ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ । କଉଠି ପାଇନି ମୁ । ଏଇ ଉମା, ତୁମେ, ମୋ ବୋଉ, ସଙ୍ଗାତମାଉସୀ– କାହିଁ ଏମିତି ଛବି ମୁ ଦଶବର୍ଷ ଭିତରେ ଦେଖିନି ତ ! ସେ ଦେଶର ଝିଅମାନେ ଆଜି ଦିଗ୍‍ଭ୍ରଷ୍ଟ । କଣ କରିବେ ବୁଝିପାରୁ ନାହାନ୍ତି । କଉଠି ଅଟକିଲେ ସୁନ୍ଦର ଦିଶିବ ସେ ଜ୍ଞାନ ମଧ୍ୟ ସେମାନେ ହରେଇ ସାରିଲେଣି । ଇଉରୋପର ଅବସ୍ଥା ସାଂଘାତିକ । ଯୁଦ୍ଧ ଯୋଗୁ ସେଠିକା ସମାଜ ଜୀବନ ବିଧ୍ୱସ୍ତ । ଏମେରିକା, ଯାର ଐଶ୍ୱର୍ଯ୍ୟ ପୃଥିବୀର ସବୁ ଦେଶର ଈର୍ଷାର ବସ୍ତୁ, ସେଠି ବି ଆଜି ନାରୀ ତାର ହୃଦୟ ବଦଳରେ ଦେହକୁ ଦେଖଉଛି ପୁରୁଷର ମନ ପାଇବା ପାଇଁ ।’’

 

ଗୋଟାଏ ସିଗ୍ରେଟ ଲଗାଇଲା ଶଙ୍କର ।

 

‘‘ତୁମକୁ ଯେତେବେଳେ ପ୍ରଥମ ଦେଖିଲି, ତୁମ କଥା ଯେତେବେଳେ ଶୁଣିଲି ଉମା ପାଖରୁ, ମୋର ବିଶ୍ୱାସ ଫେରି ଆସିଲା । ଭାବିଲି, ଏଇଠି ତ ସେ– ଯାହାକୁ ଦଶବର୍ଷ ହେଲା ମୁ ଖୋଜି ବୁଲିଛି । କିନ୍ତୁ–’’ ରହିଗଲା ଶଙ୍କର । ‘‘ବେଶ ଶୀତ ପଡ଼ିଛି ନା ? ଦେଖ ତ କି ସ୍ୱାର୍ଥପର ମୁ-। ମୋ କଥା କହିବି ବୋଲି ତୁମକୁ ଏଇ ଥଣ୍ଡାରେ ଠିଆ କରି ରଖିଛି ।’’ ମାନିର ହାତ ଦିଟା ଧରିଲା ଶଙ୍କର । “ମୋର କଥାଗୁଡ଼ା ତୁମେ ବୁଝିଲ କି ନା ଜାଣେ ନି ମାନି । ମୁ କିନ୍ତୁ ଯାହା ଖୋଜୁଥିଲି ଗଲା ଦଶବର୍ଷ ଧରି, ଯେଉଁ ସ୍ୱପ୍ନ ମୁ ଦେଖୁଥିଲି, ତାକୁ ସଫଳ କରିବାକୁ ତୁମେ ମୋ ପାଖରେ ଆସି ଠିଆହବ, ଏଇ ଆଶା ମୁ କରିଛି । ଆମେ ନୂଆ କରି ଜୀବନ ଆରମ୍ଭ କରିବା । କଣ ହୋଇଯାଇଛି, ସେ କଥା ଆଜି ଆମେ ବିଚାର କରିବା ନାହିଁ । କଣ ହେବ, ସେଇ ଆଶାରେ ଆମକୁ ଆଗେଇ ଯିବାକୁ ହବ । ତୁମେ ମୋର ସେଇ ଆଶାକୁ ସଫଳ କରିବନି ?’’

 

ଲାଗି ଆସିଲା ମାନି, ତା ଦେହକୁ । ମୁଣ୍ଡଟା ଶଙ୍କରର ଛାତି ଉପରେ ରଖି, ତା ହାତରେ ସ୍ୱୀକୃତିର ଚାପ ଦେଲା ମାନି ।

 

ଶୁକ୍ଳା ସପ୍ତମୀର ଜହ୍ନ, ଆକାଶରେ ଚନ୍ଦ୍ରିକାର ଜୁଆର ଆଣିଛି । ମାନିର ମୁହଁଟାକୁ ଦୁଇହାତରେ ଟେକି ଧରିଲା ଶଙ୍କର । ତା ପରେ ତାର ମୁଦ୍ରିତ ଆଖିପତାରେ ଆସ୍ତେ ଆସ୍ତେ ଦିଓଟି ଚୁମ୍ୱନର ଚିହ୍ନ ଆଙ୍କିଦେଲା । ମାନିର ଅଶ୍ରୁରେ ଓଦା ହୋଇଗଲା ତାର ଓଠ ।

 

‘‘ଏଥର ତୁମେ ଯାଅ । ମୁ ଦାଣ୍ଡ ବାଟେ ଯାଉଛି ।’’

 

ଦାଣ୍ଡଘରେ ବାପା ଓ ମାମୁ ବସି ଗପ କରୁଛନ୍ତି । ନିଶବ୍ଦ ପଦକ୍ଷେପରେ ସେ ଆସି ଠିଆହେଲା ଭିତର ପିଣ୍ଡାରେ । ଗୋଟାଏ ପେଟ୍ରୋମାକ୍ସ ଜଳୁଛି । ଦି ତିନି ଜଣ ବାହାରର ଲୋକ ଧାନଘର ପିଣ୍ଡାରେ ବସି ପାନ ଭାଙ୍ଗୁଛନ୍ତି । ରାଜା ତାକୁ ଦେଖିଲା ଆଗ । ‘‘ସାହେବମାମୁ ?’’

 

‘‘ରାଜା ସାହେବ ।’’ ଡାକିଲା ଶଙ୍କର ତାକୁ । ଦଉଡ଼ି ଆସିଲା ରାଜା । ଉମା ଆସିଲା ତା ପଛରେ, ହସି ହସି ।

 

‘‘ଆଜି ଡିନର ଡେରି ହବ ଭାଇନା । ବେଶୀ ନା ଘଣ୍ଟାଏ ଖଣ୍ଡେ । ଏଇଖିଣି କଣ ଖାଇବ ?’’

 

“ତୋର ମିଷ୍ଟାର ?’’

 

‘‘ଡଲାରଟା କେତେ ଟଙ୍କା ହିସାବ କରୁଛନ୍ତି ।’’ ହସିଲା ଉମା ।

 

‘‘ଆ ମୋ ସାଙ୍ଗରେ । ରାଜାର ହାତଧରି ପଶିଲା ଉମା ଶୋଇବା ଘରେ । ଖଟ ଉପରେ ଉଠି ବସିଲା ଚନ୍ଦ୍ରଶେଖର । “ଆରେ, ଆସ ।’’

 

ଶଙ୍କର ବସିଲା ଚନ୍ଦ୍ରଶେଖର ପାଖରେ । ରାଜା ବସିଲା ତା ପାଖରେ । ଉମା କବାଟ ଧରି ଠିଆ ହେଲା ।

 

‘‘ପୃଥିବୀରେ ସବୁଠୁ କଠିଣ କାମ କଉଟା କହିଲୁ ?’’ ଶଙ୍କର ପଚାରିଲା । ଉମା ଚୁପ୍‍କରି ଭାବିବାକୁ ଲାଗିଲା ।

 

‘‘ନିଷ୍ପତ୍ତି କରିବା ।’’

 

ବାଃ, ଏଡ଼େ ସହଜ ଉତ୍ତରଟା । ଉମା ଆଶ୍ଚର୍ଯ୍ୟ ହେଲା ।

 

“କଣ ନିଷ୍ପତ୍ତି କଲ ?’’ ଉମାର ପ୍ରଶ୍ନ ।

 

‘‘ଦୁଇ ସଙ୍ଗାତ ଦୁଇ ସମୁଧୁଣୀ ହୁଅନ୍ତୁ ।’’

 

ଟିକିଏ ରହିଗଲା ଉମା । ତା ପରେ ଖୁସି ହୋଇ ତାଳି ମାରିବାକୁ ଉଦ୍ୟତ ହେଲା ।

 

‘‘ହେଇ ସାବଧାନ । ବାପା ବୋଉ । ଅନ୍ୟକେହି ନୁହନ୍ତି । ସ୍ନେହ ଅନ୍ଧ । ଅନ୍ତରରେ ମାନୁ ନଥିଲେ ବି ମୁହଁରେ ହଁ କରିଦେବେ । ସେଥିରେ ମୁ ରାଜି ନୁହେଁ । ମୁ ଚାହେଁ ସେମାନେ ଖୁସି ମନରେ ଏ ପ୍ରସ୍ତାବ ଗ୍ରହଣ କରନ୍ତୁ । ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ହବ । ତୁ ଅନେକ କାମ କରି ପାରିବୁ । ଯାହା ଦରକାର– ସେଟା ହେଲା ଟେକ୍‍ଟ । ତାର ଓଡ଼ିଆ କଣ ମୁ ଜାଣେନି ।’’

 

ଇତି ମଧ୍ୟରେ ରାଜା ତା କୋଟ ପକେଟରେ ବହିର ସନ୍ଧାନ କରି ସାରିଛି ।

 

‘‘ସେଟା କଣ ସାହେବମାମୁ ?’’

 

“ବହିରେ ବାପା ।’’ କାଢ଼ିଲା ପକେଟରୁ ‘ଅଳକନନ୍ଦାର’ ରାଜ ସଂସ୍କରଣ ।

 

‘‘ଉପହାର ଦେଇଛନ୍ତି ଏ ଗାଁର ଏକମାତ୍ର ସାହିତ୍ୟସେବୀ ଲଡ଼ୁକେଶ ଷଡ଼ଙ୍ଗୀ, ଥାଉ, ପଢ଼ିବା ବହିଟା ।’’

 

“କଣ ଖାଇବା ହେ ଏନଜନିୟର ? ଡିନାର ତ ଡେରି ।’’

 

“ମୁ ଆଣୁଛି ।’’ ରାଜାକୁ ନେଇ ଉମା ବାହାରି ଗଲା । ପାଞ୍ଚମିନିଟ ପରେ ଟ୍ରେ ଆସିଲା । ଦିଖଣ୍ଡ କରି ରୋହୀମାଛର ଭଜା । ଶଙ୍କରର କଫି, ଚନ୍ଦ୍ରଶେଖରର ଚା ।

 

ମାଛରୁ ଖଣ୍ଡେ ପାଟିରେ ପକେଇ, ଆଖିବୁଜି ଚାକୁଳେଇଲା ଶଙ୍କର ।

 

‘‘ଏ ସଉଖ କଉଠୁ ଶିଖିଲୁରେ ଉମି ?’’

 

‘‘ଗଡ଼ଜାତିଆଙ୍କ ପାଖରୁ ।’’ ହସି କହିଲା ଉମା ।

 

‘‘ଗଡ଼ଜାତିଆଗୁଡ଼ା କିନ୍ତୁ ଭଲ ଖାନ୍ତି ।’’ ଶଙ୍କର ଉବାଚ ।

 

‘‘ଭାଇନା ?’’

 

‘‘ଉଁ ।’’ ମାଛଭଜା ଖାଉଛି ଶଙ୍କର । ଆଖି ଦିଟା ବନ୍ଦ, ଉପଭୋଗ କରୁଛି ସେ ।

 

‘‘ସଙ୍ଗାତମଉସା ଘରେ ମାନି ସାଙ୍ଗରେ ତୁମର ଦେଖା ହୋଇଥିଲା ଭାଇନା ?’’

 

ଆଖି ଖୋଲିଲା ଶଙ୍କର । ଚାହିଁଲା ଭଉଣୀ ମୁହଁକୁ ।

 

‘‘ଯଦି କହେ ନା ।’’

 

‘‘ତାହେଲେ କହିବି ମିଛ କହୁଛ ।’’

 

‘‘ଯଦି ହଁ କହେଁ ।’’

 

‘‘ସେଇଆ ତ କହିବା କଥା ।’’

 

‘‘ତୁ ଯଦି ବୁଝି ପାରୁଛୁ, ପଚାରିଲୁ କାହିଁକି ?’’

 

‘‘ଆମ ଘରେ, ବର୍ତ୍ତମାନ ଯଉଁ ମାନି ରାନ୍ଧୁଛି, ସେ ମାନିକୁ କିଏ ବଦଳେଇ ଦେଇଛି ଏକାବେଳକେ । ସେ ତ ଆଉ ମାଟିରେ ନାହିଁ ଭାଇନା, ସେ ଆକାଶରେ ଉଡ଼ୁଛି । ତା ଆଖିରେ ଖୁସିର ଜୁଆର ଉଠୁଛି ।’’

 

‘‘ମାନେ ?’’ ଚନ୍ଦ୍ରଶେଖର ପଚାରିଲା । ‘‘କାଉଁରି କାଠିର ସ୍ପର୍ଶ ।’’ ହସିଲା ଶଙ୍କର । ସେଇ ୟାଙ୍କି ହସ । ଘର କମ୍ପମାନ ।

 

–ପନ୍ଦର–

 

ତହିଁଆରଦିନସାରା ଗୋଳମାଳରେ କଟିଲା । ଗାଁ ଯାକ ଲୋକ ନିମନ୍ତ୍ରିତ । ପୁଅର ପ୍ରତ୍ୟାବର୍ତ୍ତନରେ ଖୁସି ହୋଇ ଭୋଜି ଦେଉଛନ୍ତି ବାମଦେବ ଶତପଥୀ । ମାମୁ ସେପଟେ ରନ୍ଧାବଢ଼ା ଦେଖୁଛନ୍ତି । ଆମିଷ ପାଇଁ ଗୁହାଳରେ ଚୁଲି ଖୋଳା ହୋଇଛି । ନିରାମିଶ ଉମା ଜିମା । ଖଳା ଲିପା ହୋଇଛି, ଖିଆପିଆ ସେଠି ହବ । ଅତିଥି ଚର୍ଚ୍ଚାର ଭାର ଶଙ୍କର ଏବଂ ଚନ୍ଦ୍ରଶେଖର ଉପରେ । ଶମ୍ଭୁ ସେମାନଙ୍କୁ ସାହାଯ୍ୟ କରିବ ।

 

ଗୋଟାଏ ଚୌକିରେ ବସିଛି ରାଜା । ପୁରା କାଉବୟ । ସାହିସାରା ପିଲା ରୁଣ୍ଡ ତାଙ୍କ ଦାଣ୍ଡ ଦୁଆରେ । ପିଲାମାନେ ଘେରିଥାନ୍ତି ରାଜାକୁ । ସେ ସେମାନଙ୍କୁ ଦେଖାଉଥାଏ ତାର ବେଶ ପୋଷାକ ।

 

ବଡ଼ବାପାଙ୍କ ପ୍ରଚାର ସତ୍ତ୍ୱେ ଆସ୍ତେ ଆସ୍ତେ ନିମନ୍ତ୍ରିତମାନେ ଆସିଲେ । ସମସ୍ତଙ୍କୁ ନମସ୍କାର କରି ବସେଇବାକୁ ପଡ଼ିଲା । ଆସିଲେନି ତାର ବଡ଼ବାପା ବା ତାଙ୍କ ଘରୁ କେହି ।

 

ସମସ୍ତେ ଆନନ୍ଦରେ ଖାଇଲେ ଏବଂ ଶଙ୍କରକୁ ଆଶୀର୍ବାଦ କଲେ । ବଡ଼ବାପାଙ୍କ ଘରକୁ ବୋଉ ଥାଳି ସଜେଇ ଆମିଷ ନିରାମିଷ ଭୋଜ୍ୟ ପଠେଇ ଦେଲେ । ନେଇ ଯାଇଥିଲେ, ଉମା ଆଉ ମାନି । ମାନିକୁ ଦେଖି ବଡ଼ମା କହିଲେ, “କିଲୋ ମାନି, ତୁ ରାଣ୍ଡଟା, ଦିନରାତି ଆସି ସାନବୋହୂ ଘରେ ପଡ଼ିଛୁ କାହିଁକି ? ମତଲବ କିଛି ଅଛି କିଲୋ ?’’

 

ମଣିଷ ଯେ ଏତେ ନିର୍ମମ ହୋଇପାରେ, ଉମା ଏଇ ପ୍ରଥମ ଦେଖିଲା । ମାନି ଗୋଟିଏ ମୁହୂର୍ତ୍ତପାଇଁ ବିବର୍ଣ୍ଣ ହୋଇଗଲା । ତାପରେ ଠିକ୍ ହୋଇଗଲା । ବାକ୍ୟବ୍ୟୟ ନ କରି ଦୁଇ ସଖୀ ଘରକୁ ଫେରିଲେ । ଖିଆଦିଆ ସରୁ ସରୁ ଦ୍ୱିପ୍ରହର ପାରେଇ ଗଲା । ଘରଦ୍ୱାର ସଫାସୁତୁରା କରୁ କରୁ ବେଳ ବୁଡ଼ିଗଲା । ସଙ୍ଗାତମାଉସୀ ସଂଧ୍ୟା ଆଗରୁ ଫେରିଲେ । ମାନିକୁ ସାଙ୍ଗରେ ନେଇଗଲେ-

 

ଦିନସାରାର ପରିଶ୍ରମ ପରେ ଉମା ବସିଥିଲା ବାଡ଼ି ପିଣ୍ଡାରେ । ଆଜି ରାତିରେ କାମଦାମ ବେଶୀ ନାହିଁ । ବାପା ଘରେ ନାହାନ୍ତି, ଦଦେଇଙ୍କ ଘରେ ପଶାଖେଳ ହେଉଛି, ସେଠିକି ଯାଇଛନ୍ତି । ଚନ୍ଦ୍ରଶେଖର ମାମୁକୁ ନେଇ ଯାଇଛି ତାଙ୍କ ଗାଁକୁ । ଶମ୍ଭୁ ଏବଂ ରାଜା ଯାଇଛନ୍ତି ଗାଡ଼ିରେ-। ଘରେ ଏକା ଭାଇନା ।

 

ମାନି ଘରକୁ ଯାଇଥିଲା ଫେରିଲା । ଉମା ଡାକିଲା ତାକୁ– ‘‘ଆ, ବସ ।’’ ମାନି ବସିଲା ଆସି ଉମା ପାଖରେ । ଦୁଇଜଣ ଚୁପଚାପ ।

 

‘‘କିଲୋ, କଣ ଭାବୁଛୁ । ଭାଇନା କଥା ?’’ ଥଟ୍ଟା କଲା ଉମା ।

 

‘‘ଯାଃ ।’’ ମାନି ତଳକୁ ମୁହଁ କଲା ।

 

‘‘କାହିଁକି, ମିଛ କହିଲି ? ଭାଇନା ତ ସବୁବେଳେ ତନ୍ମୟ ତୋରି ଚିନ୍ତାରେ । ଜାଣୁ, ଆଜି କଣ କହୁଥିଲେ ?’’

 

ମାନି ମୁହଁ ଟେକି ଅନେଇଲା ଉମାକୁ ।

 

‘‘ମୋତେ କଲିକତା ନେଇଯିବେ କିଛିଦିନ ପାଇଁ । ପ୍ରଥମ ପ୍ରଥମ ତୁ ସବୁ ଠିକ୍ ପାରିବୁ ନ ପାରିବୁ ।’’

 

“କେବେ ଯାଉଛ ତାହେଲେ ?’’ ମାନି ମୁଚକି ହସି ପଚାରିଲା ।

 

‘‘କିଏ ମୁ ?’’

 

‘‘ହଁ ।’’

 

‘‘ଆଗ ବାହାଘର ସରୁ ।’’

 

ବାଡ଼ି ପିଣ୍ଡାରୁ ଘର ଭିତରକୁ ଉଠିଗଲେ ଉମା ଆଉ ମାନି । ଅଗଣାରେ ପେଟ୍ରୋମାକ୍ସ ଜଳୁଛି । ଏମାନେ ଦେଖିଲେ ଏକ ବିଚିତ୍ର ଦୃଶ୍ୟ । ବୋଉ ଶୋଇଛନ୍ତି ପିଣ୍ଡା ଖଟରେ । ଶଙ୍କର ତାଙ୍କ ଗୋଡ଼ ମୋଡ଼ି ଦଉଛି । ଏମାନେ ଚୁପଚାପ ହାଣ୍ଡିଶାଳ ମେଲାକୁ ଚାଲିଗଲେ ।

 

‘‘ବୁଝିଲୁନା ବୋଉ...’’ ଆରମ୍ଭ କଲା ଶଙ୍କର ।

 

‘‘କଉ କଥା ବାପା ?’’

 

‘‘ଏଇମ, ଆମ ଗାଁ କଥା । ସମସ୍ତେ ଏଠି ଭଲ, କେବଳ ସେଇ ବଡ଼ ବାପାଙ୍କ ଛଡ଼ା ।’’

 

‘‘କହ ନାଇଁ ବାପା ତାଙ୍କ କଥା ।’’

 

‘‘ସେଇ ସୁନାନାନୀଟାର ଅବସ୍ଥା କଣ ହୋଇଛି ?’’

 

‘‘ଆଉ କଣ ହବ । ଯେମିତି ଗୁଣ ? ଶଶୁର ଘରେ ଦିଅରଙ୍କ ସାଙ୍ଗରେ ପଡ଼ିଲା ନାହିଁ । ପଳେଇ ଆସି ବାପଘରେ ପଶିଛି । ବାପ ତ ଶିଳପୁତା ଚିପୁଡ଼ା । ଗଣ୍ଡେ ଖାଏ, ଖଣ୍ଡେ ପିନ୍ଧେ । ଘର କାମ କରେ ।’’

 

‘‘ଆଚ୍ଛା ବୋଉ । ଏମିତି ସବୁ ଅନ୍ୟାୟ ଆମ ସମାଜରେ ଅଛି । ମୋତେ ଭାରି ଖରାପ ଲାଗେ ।’’

 

‘‘ତୁ ଯେ ବହୁତ ପଢ଼ିଛୁ, ବହୁତ ଦେଖିଛୁ ବାପା । ତୋ ପରି ବିଦ୍ୱାନ ଏ ଖଣ୍ଡମଣ୍ଡଳରେ କିଏ ଅଛି ? "

 

‘‘ଏଇ ଦେଖନା ଗୋଟାଏ କଥା । ଉମା ଆଉ ସଙ୍ଗାତମାଉସୀଙ୍କ ଝିଅ ମାନି, ଦୁହେଁ ଏକା ବୟସୀ, ନୁହେଁ ବୋଉ ?’’

 

“ହଁ, ମାନିଠୁ ଉମା ଦିମାସର ବଡ଼ ।’’

 

ଉମା ଆଉ ମାନି ଉତ୍କର୍ଣ୍ଣ ହୋଇ ଶୁଣୁଥାନ୍ତି ।

 

‘‘ଉମା ପାଖରେ ମାନିକୁ ଦେଖିଲେ ମୋତେ ଭାରି ଖରାପ ଲାଗେ । ମୁ ବୁଝିପାରୁନି, କାହିଁକି ମାନିକୁ ଗହଣା, ଶାଢ଼ି ପିନ୍ଧିବାକୁ ଦିଆଯାଉନି । ତାକୁ କାହିଁକି ଜୋର ଜବରଦସ୍ତି ଏମିତି–’’

 

‘‘ତାର ଅଦୃଷ୍ଟ ।’’

 

‘‘ଏଟା କଣ ଠିକ କଥା ହେଲା ବୋଉ । କିଏ ଗୋଟାଏ ପିଲା । ଯାହାକୁ ସେ ଜାଣିନି, ଶୁଣିନି– ତାକୁ ଦିନେ ଆଣି ମାନି ସାଙ୍ଗରେ ବାହା କରିଦେଲେ । ସେ ବାହାଘରର ଦାମ ବି କଣ ? ପନ୍ଦର ଷୋଳ ବର୍ଷ ପିଲା ସାଙ୍ଗରେ ବାର ତେର ବର୍ଷର ଝିଅ ।’’

 

‘‘ଆମ ଦେଶରେ ସେଇ ନିୟମ ଥିଲାରେ । ଏବକାଳକୁ ବଦଳୁଛି ।’’

 

‘‘ସେଥିଲାଗି ତ କହୁଛି । ତାପରେ ଦିନେ ସେ ପିଲାଟା କୁଆଡ଼େ ଭାସିଗଲା ମହାନଦୀରେ । ମାନି ହାତରୁ କାଢ଼ି ନିଆଗଲା ଚୁଡ଼ିବଳା । କି ଅନ୍ୟାୟ । ସେ ବିଚାରୀର ଦୋଷ କଣ ? ସେ ପିଲାଟା ଯେ କିଏ ତାକୁ ଏ ପର୍ଯ୍ୟନ୍ତ ସେ ଜାଣେନି ।’’

 

‘‘ସବୁ ବୁଝିଲି ଯେ । କିନ୍ତୁ ନିୟମ ପାଳିବାକୁ ତ ହବ ।’’

 

‘‘ତୁ ଏ କଥା କହିଲେ ହବନି ବୋଉ । ନିୟମ ମାନିଥିଲେ ମୋତେ ପ୍ରାୟଶ୍ଚିତ କରିବାକୁ ହୋଇଥାନ୍ତା । କିନ୍ତୁ ମୁ ତ କିଛି ପାପ କରିନି ।’’

 

‘‘କଣ କହୁଛୁ ତୁ ?’’ ଉଠି ବସିଲେ ବୋଉ । ‘‘ଥାଉ ବାପା ମୋ ଗୋଡ଼ ତୁ କାହିଁକି ମୋଡ଼ିବୁ । ଆ ମୋ ପାଖକୁ ଆ ।”

 

ଶଙ୍କର ଘୁଞ୍ଚି ଆସି ବୋଉ କୋଡ଼ରେ ମୁଣ୍ଡ ରଖି ଶୋଇପଡ଼ିଲା । ବୋଉ ତା ମୁଣ୍ଡରେ ହାତ ବୁଲେଇ ଦବାକୁ ଲାଗିଲେ ।

 

‘‘ମୁ କଣ କହୁଥିଲି କି ?’’ ପୁଣି ଆରମ୍ଭ କଲା ଶଙ୍କର । ‘‘ଏମିତି ସବୁ ଝିଅମାନଙ୍କୁ ଆଜିକାଲି ବାହାକରି ଦଉଛନ୍ତି । କଟକରେ ଜଣେ ଭଦ୍ରଲୋକ ଥିଲେ । ସେ ଏମିତି ଅନେକ ଝିଅଙ୍କୁ ବାହାକରି ଦେଇଛନ୍ତି । ଏମାନଙ୍କୁ ସେ କହୁଥିଲେ– ବିବରା ।’’

 

‘‘ତା ବାପ ମାନିକୁ ବାହା କରିଦବ ବୋଲି ମନ କରିଥିଲା ତ ? ଝିଅଟା ରାଜି ହେଲାନି-।’’

 

‘‘କାହିଁକି ବୋଉ ?’’

 

‘‘ମୁ କେମିତି ଜାଣିବି ବାପା ?’’

 

‘‘ବଡ଼ବାପାଙ୍କ କାରସାଦି କିଛି ଥିବ ସେଥିରେ ?’’

 

‘‘ହଁ । ସେ ତ ଶୁଣି ଗର୍ଜନ କରି ଉଠିଲେ ।’’

 

‘‘ତାହେଲେ ! କିନ୍ତୁ ତୁ ଯାହା କହ ବୋଉ, ତାକୁ ଉମା ପାଖରେ ଦେଖିଲେ ଭାରି ଖରାପ ଲାଗେ ।’’

 

‘‘ସେ କଥା ତୁ ମତେ କଣ କହିବୁ ବୁଢ଼ା । ତାକୁ ଦେଖିଲେ ମୋ ଛାତିରୁ ହଲକ ଶୁଖିଯାଏ । ହତଭାଗୀ ଝିଅଟାର କି ବଢ଼ିଆଳ ଚେହେରା । ତା ବୋଉ ତ ଖିଆପିଆ ଛାଡ଼ିଛି ତା ପାଇଁ ।’’

 

ଉମା ଚିମୁଟିଲା ମାନିକୁ । ଚମକି ପଡ଼ିଲା ମାନି । ତା ପରେ ତଳକୁ ମୁହଁ କରି ନଖରେ ମାଟି ଉପରେ ଗାର ଟାଣିବାକୁ ଲାଗିଲା ।

 

‘‘ଆଚ୍ଛା ବୋଉ । ମାନି ତ ମାଛ ଖାଉ ନ ଥିବ ?’’

 

‘‘କେମିତି ଖାଇବ ?’’

 

‘‘ସେ ଏକାଦଶୀ କରେ ?’’

 

‘‘କେଜାଣି କରୁଥିବ । ତୁ ତା କଥା କହନି ବାପା ।’’ ବୋଉ ଆଖି ପୋଛିଲେ ।

 

‘‘ବୋଉ ।’’

 

‘‘କଣରେ ବୁଢ଼ା ।’’

 

‘‘ଏ ଅନ୍ୟାୟକୁ ତୁ ପ୍ରଶ୍ରୟ ଦବୁ ?’’

 

‘‘କଉ କଥା କହୁଛୁ ବାପା ?’’

 

‘‘ଏଇ ମାନିକୁ ଜବରଦସ୍ତି ମାଛ ଖାଇବାକୁ ନ ଦେବା, ଏକାଦଶୀ କରେଇବା ।’’

 

“ମୁ କଣ କରିବି କହ ।’’

 

ବୋଉର ହାତଟା ଆଣି ନିଜ ଗାଲ ଉପରେ ରଖିଲା ଶଙ୍କର ।

 

‘‘ବଦଳେଇବାକୁ ହବ ବୋଉ, ଏଇ ସମାଜକୁ । ତୁ ତ ବୁଝୁଛୁ, ମାନି ପ୍ରତି ଏଗୁଡ଼ା ଅତ୍ୟାଚାର । ତା ହେଲେ କାହିଁକି ପ୍ରତିକାର କରିବୁନି ?’’

 

‘‘ମୁ କିଏରେ ବୁଢ଼ା ? ମୁ କଣ କରି ପାରିବି ?’’

 

‘‘ତୁ ଅନେକ କିଛି କରି ପାରିବୁ । ତୁ ମୋତେ କହନା, ମାନିର ଚୁଡ଼ିଗହଣା ପିନ୍ଧିବା ଉଚିତ କି ନା ?’’

 

ହସିଲେ ବୋଉ । କହିଲେ– ‘‘ହେଲା ଏବେ !”

 

‘‘ସେ ମାଛ ଖାଇବ ଏବଂ ଏକାଦଶୀ କରିବନି ।’’

 

‘‘ହଉ ।’’

 

“ତା ହେଲେ ବୁଝୁଛୁ ଏଗୁଡ଼ା ଅନ୍ୟାୟ । ଗୋଟିଏ ନିରୀହ ଝିଅ ଉପରେ ଅତ୍ୟାଚାର । ସତରେ କହ ବୋଉ, ମୋ ଦେହ ଛୁଇଁ ।’’

 

‘‘ପାଗଳା ।’’ ତା ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ । “ହେଲା, ତୋ କଥାରେ ମୁ ରାଜି ।’’

 

‘‘ତାହେଲେ ତାକୁ ଶାଢ଼ି ଚୁଡ଼ି ପିନ୍ଧା ।’’

 

“ମୁ ବି ଭାବୁଥିଲିରେ ବୁଢ଼ା । ତା ମୁହଁକୁ ଚାହିଁଲେ କୋହ ଉଠେ । ବଡ଼ ଭଲ ଝିଅଟା । ଏଇଠି, ମୋରି ପାଖରେ ତ ଥାଏ । ତୁ ଆସିଲାଦିନୁ କେବଳ ଶୋଇବାବେଳ ଛଡ଼ା ସବୁବେଳେ ତ ଏଠି । ଉମାକୁ ରନ୍ଧା ବଢ଼ାରେ ସାହାଯ୍ୟ କରୁଛି । କି ବଳ ତା ଦେହରେ । ଦଶସେର ଚାଉଳର ଭାତହଣ୍ଡା ଆଜି ଓହ୍ଲେଇ ଆଣିଲା ସେ । ଉମା ପାଖରେ ତାକୁ ଦେଖିଲେ ମନ କଣ ହୋଇଯାଏ । ମୋ ସଙ୍ଗାତଙ୍କ ଝିଅ । ଭାବୁଥିଲି ଭଲ ଦିନ ଦେଖି ତାକୁ ଶାଢ଼ି ଚୁଡ଼ି ପିନ୍ଧେଇ ଦେବି । ଯେ ଯା କହିବ କହୁଥାଉ । ତା ବୋଉକୁ ବି ରାଜି କରେଇଛି ।’’

 

‘‘ଆଜି ତାକୁ ପିନ୍ଧିଉନୁ ବୋଉ । ଆଜି ତ ପ୍ରଥମାଷ୍ଟମୀ । ଭଲଦିନ । ମୁ ଯେତେବେଳେ ନୂଆଲୁଗା ପିନ୍ଧି ଠାକୁରଘରେ ବସିଥାଏଁ, ସେ ବିଚାରି ମୁହଁ ଶୁଖେଇ ଠିଆହୋଇ ଅନେଇଥାଏ ।’’

 

କଥାଟା ଯେ ସମ୍ପୂର୍ଣ୍ଣ କପୋଳକଳ୍ପିତ, ଏକଥା କହିବା ନିଷ୍ପ୍ରୟୋଜନ । ଉମା ଓ ମାନି ମୁହଁ ଚାହାଁଚାହିଁ ହେଲେ ।

 

“କାହିଁକି ତା ବୋଉ, ତା ପାଇଁ ନୂଆଲୁଗା କରିନି ?’’

 

‘‘ମୁ ଜାଣିବି କିମିତି ?’’’’ବୁଢ଼ୀ, ବୁଢ଼ୀ ଅଛୁ କିଲୋ ?’’ ଡାକିଲେ ବୋଉ ।

 

ହାଣ୍ଡିଶାଳରୁ ଜବାବ ଦେଲା ଉମା– ‘‘ଯାଉଛି ବୋଉ’’ । ଆସି ଠିଆହେଲା ସେ ।

 

‘‘ମାନି ଅଛିନା ଗଲାଣି ?’’

 

‘‘ଅଛି ।’’

 

‘‘ଡାକିଲୁ ତାକୁ ।’’

 

‘‘ମାନି ଆସି ଠିଆହେଲା ଉମା ପଛରେ ।

 

‘‘ଏଠିକି ଅଇଲୁ ମା, ମୋ ପାଖକୁ ?’’ ମାନି ଠିଆହେଲା ବୋଉଙ୍କ ପାଖରେ । ବୋଉ ଦେଖିଲେ ତାର ପିନ୍ଧିଥିବା ଲୁଗାଟା । ‘‘ଦେଖିଲ ସଙ୍ଗାତର ଅକ୍‍କଲ । ଆଜି ପଢ଼ୁଆଁଅଷ୍ଟମୀ । ଏଡ଼େବଡ଼ ଦିନଟାରେ ଗୋଟିଏ ବୋଲି ଝିଅ, ତାକୁ ଲୁଗାଖଣ୍ଡେ ବି ଦେଲାନି । ବୁଢ଼ୀ, ଗଲୁ ସେ ଶାଢ଼ିଟା ଆଣିଲୁ ।’’

 

‘‘କଉ ଶାଢ଼ିଟା ବୋଉ ?’’

 

‘‘ସେଇଟା ମ । ତୋ ଭାଇନା ଆଣିନି ମାନି ପାଇଁ । ଆଉ ଶୁଣ, ସେଇ ଆଲମାରି ତଳ ଥାକରେ ଗୋଟାଏ କାଗଜ ବାକ୍‍ସରେ ଗୁଡ଼ାଏ କାଚ ଚୁଡ଼ି ଅଛି, ଆଣିବୁ ।’’

 

ଶାଢ଼ି ଚୁଡ଼ି ଆସିଲା । ମାନିକୁ ନିର୍ଦ୍ଦେଶ ଦେଲେ ବୋଉ, ‘‘ଯା ମା, ବୁଢ଼ୀ ତୋତେ ପିନ୍ଧେଇ ଦବ । ଖାଲିହାତ କରି ତୁ ମୋ ଆଗକୁ ଆସିବୁ ନାହିଁ, ଯା ?’’

 

ଉମା ଶାଢ଼ି ଆଉ କାଚଧରି ମାନିକୁ ଡାକି ନେଇଗଲା ହାଣ୍ଡିଶାଳକୁ । ଶଙ୍କର ବସି ବସି ଦେଖୁଥାଏ ସବୁ । କିଛିକ୍ଷଣ ପରେ ଉମା ମାନିକୁ ନେଇ ଫେରିଲା । ମାନି ପିନ୍ଧିଛି ସେଇ ସିଲ୍‍କର ଛିଟଟା । ଘୋଡ଼େଇ ହୋଇଛି ସ୍କାର୍ଫ । ଦୁଇ ହାତରେ ଗୋଛାଏ ଲେଖା କାଚଚୁଡ଼ି ପିନ୍ଧେଇଛି ତାକୁ ଉମା । ମାନି ଆସି ସାଷ୍ଟାଙ୍ଗ ପ୍ରଣାମ କଲା ତା ବୋଉଙ୍କୁ । ଶଙ୍କର ସେଇ ଉଜ୍ଜ୍ୱଳ ଆଲୁଅରେ ଦେଖିଲା ମାନି ଆଖିରେ କୃତଜ୍ଞତାର ଅଶ୍ରୁ । ଉମା ଭାଇନାକୁ ଚାହିଁ ହସୁଥାଏ । ତାପରେ ଦୁହେଁ ଫେରିଲେ ହାଣ୍ଡିଶାଳକୁ ।

 

ପୁଣି ଆରମ୍ଭ କଲା ଶଙ୍କର ।

 

‘‘ବୋଉ ।’’

 

‘‘କଣ ?’’

 

‘‘ମାନିକୁ ବାହାକରି ଦବାକୁ ହବ । ମୁ ସେଇ କଟକର ଭଦ୍ରଲୋକଙ୍କୁ ଚିଠି ଲେଖିବି, ତାପାଇଁ ଗୋଟିଏ ବର ଠିକ କରିଦେବେ ।’’

 

‘‘ଲେଖ । ହେଲେ ତ ଭଲକଥା । ଏଇ ଜୁଆନ ଝିଅକୁ ଘରେ ରଖି, ତା ବାପମାଙ୍କ ଆଖିରେ ତ ନିଦ ନାହିଁ ।’’

 

‘‘କିନ୍ତୁ ସେମାନେ କିଛି କରି ପାରିବେନି ବୋଉ । ତୁ ଯଦି ଭରସା ଦଉ, ସବୁ ହବ ।’’

 

‘‘ମୁ କଣ ମନା କରୁଛି । ଶୁଣ କଥା ପୁଅର । କିରେ ଝିଅଟା ସୁଖରେ ରହୁ ଏକଥା ମୁ କଣ ଚାହୁଁନି ।’’

 

“ତାହେଲେ ତୁ ରାଜି ?’’

 

‘‘କଉଥିରେ ?’’

 

‘‘ମାନିର ବାହାଘର କରିଦବା ।’’

 

‘‘ହଉ ।’’ ବୋଉ ହସିଲେ ।

 

“ସତ କହୁଛୁ ବୋଉ ?’’ ଶଙ୍କର ଆଖିରେ ସନ୍ଦେହ ।

 

“ହଁରେ ବୁଢ଼ା, ତୁ ବର ଠିକ କର ।’’

 

‘‘ସେ ଭାର ମୁ ନେଲି । ଆଚ୍ଛା, ବାପା ରାଜିହେବେ ତ ?’’

 

‘‘କାହିଁକି ହେବେନି ? ସେ ତ ଆଉ ତୋ ବଡ଼ବାପା ନୁହନ୍ତି ।’’

 

‘‘ତୁ ତାଙ୍କୁ ବୁଝେଇ ସୁଝେଇ ରାଜି କରେଇବୁ ।’’

 

‘‘ହଉ ହେଲା ।’’

 

“ଆଚ୍ଛା, ଧର ବର ଠିକ ହେଲା । ବାହାଘର ହବ କେମିତି ?’’

 

‘‘କାହିଁକି ଅସୁବିଧା କଣ ?’’

 

“ଟଙ୍କା । ସଙ୍ଗାତମଉସା ତ ଭାରି ଗରିବ । ସେ କଣ ଖର୍ଚ୍ଚ କରି ପାରିବେ ?’’

 

‘‘ମୁ ଟଙ୍କା ଦେବି । ତୁ ତ ମୋର ଅଛୁ, ଭାବନା କଅଣ ?’’ ତା ଆଡ଼କୁ ଅନେଇ ହସିଲେ ବୋଉ ।

 

କୁଣ୍ଢେଇ ପକେଇଲା ଶଙ୍କର ବୋଉଙ୍କ ଗୋଡ଼ଦିଟା । ‘‘ମୋର ସବୁଠୁଁ ଗର୍ବର କଥା କଣ ଜାଣୁ ବୋଉ, ମୁ ତୋର ପୁଅ ।’’

 

‘‘ପାଗଳା ।’’ ହସି ହସି କହିଲେ ବୋଉ ।

 

ଠିଆହୋଇ ପଡ଼ିଲା ଶଙ୍କର । ତାର କାମ ସରିଗଲା । ପାଟିକରି ଡାକିଲା ।

 

‘‘ଉମି’’ ।

 

‘‘ଇୟେସ ସାର ।’’

 

‘‘Black coffee with lemon’’

 

ନିଜ ଘରକୁ ଆସି ବିଛଣାରେ ଚିତ ହୋଇ ଶୋଇ ପଡ଼ିଲା ଶଙ୍କର । ଗୁଣଗୁଣ କରି ଗାଇଲା,....

 

‘‘ତୁମ ଅଧରର ମଧୁ ମୋ ମନକୁ ମଦିର କରିଛି ସଖୀ, ତୁମ ବକ୍ଷର ପରଶ ମୋର ସ୍ନାୟୁକୁ ଅସାଡ଼ କରିଛି । ତୁମର ପ୍ରେମ ଅଫିମପରି– ରକ୍ତ ସଂଚାଳନର ଗତିକୁ ସ୍ତିମିତ କରେ ।’’

 

ଉମା ପଶି ଆସିଲା କଫି ନେଇ । କାପରେ ଓଠ ଲଗେଇଲା ଶଙ୍କର । ଦେଖିଲା ଉମା ତା ଆଡ଼କୁ ଅନେଇ ମୁଚକି ମୁଚକି ହସୁଛି । ତାକୁ ପଚାରିଲା– ‘‘ହସୁଛୁ ଯେ ଭାରି ।’’

 

‘‘ମାନି ରାଜାକୁ କହିଥିଲା, ତୁମ ସାହେବମାମୁଙ୍କର କାଉଁରିକାଠି ଅଛି । କଥାଟା ଅତି । ମାନି ତୁମକୁ ମୋଠୁଁ ବେଶୀ ଚିହ୍ନେ ।’’

 

‘‘ଯାଃ ।’’

 

‘‘ହଁ ଭାଇନା । ତୁମେ ମେଜିକ ଜାଣ ।’’

 

‘‘ମେଜିକ ଦରକାରରେ ଉମି । ବଂଚିରହିବାରେ ବହୁତ ମେଜିକ ଅଛି ।’’

 

‘‘ମାନିକୁ ନୂଆବୋହୂ ବୋଲି ଡାକିବି ତ ?’’

 

‘‘ଖବରଦାର । ଘୁଣାକ୍ଷରରେ ବାପା ବୋଉ ଜାଣିବେନି । ତାହେଲେ ସରିଗଲା ।’’

 

‘‘କଣ କେମିତି ହବ ତାହେଲେ ?’’

 

“ଗୋଟାଏ ରାତି ମୋତେ ଭାବିବାକୁ ଦେ ।’’

 

–ଷୋହଳ–

 

ଆଗଦିନରୁ ପ୍ରୋଗ୍ରାମ ହୋଇଛି, ପୁଅ, ଝିଅ, ଜୋଇଁ, ମାମୁ ଘରକୁ ଯିବେ । ମାମୁଙ୍କ ଗାଁଟା ପାଖରେ-ତିନିମାଇଲ ବ୍ୟବଧାନ ମାତ୍ର । ପ୍ରାତରାଶ ପରେ, ଜୋଇଁଙ୍କ ଗାଡ଼ିରେ ସେଠିକି ଯିବେ ସମସ୍ତେ । ସେମାନଙ୍କୁ ସେଠି ଛାଡ଼ି ଜୋଇଁ ଯିବେ କଟକ । ଅଫିସ କାମସାରି ଫେରିବେ ସେଇ ମାମୁ ଘରକୁ । ସେଠି ମଧ୍ୟାହ୍ନ ଭୋଜନ । ତାପରେ ଉପରବେଳା ସମସ୍ତେ ଗାଁକୁ ଫେରିବେ ।

 

ସକାଳୁ ଉଠି ଚନ୍ଦ୍ରଶେଖର ଗଲା ଗାଡ଼ିର ତଦାରଖରେ । ଗାଡ଼ିରେ କଣ ଟିକିଏ ଗୋଳମାଳ ହୋଇଛି । କାଲି ରାତିରେ ମାମୁକୁ ଛାଡ଼ି ଫେରୁଥିବା ବେଳେ ସେ ଜାଣିଲା । ସୁତରାଂ ଗାଡ଼ିଟାକୁ ଠିକ୍ କରିବା ଦରକାର । ରାଜା ଗଲା ତା ସାଙ୍ଗରେ । ଶମ୍ଭୁକୁ ବୋଉ ପଠେଇଛନ୍ତି ସଙ୍ଗାତମାଉସୀକୁ ଡାକିବାକୁ ।

 

ଉମା ହାଣ୍ଡିଶାଳରେ ପ୍ରାତରାଶ ତିଆରି କରିବାରେ ବ୍ୟସ୍ତ । ମାନି ଆଜି ଏପର୍ଯ୍ୟନ୍ତ ଆସିନି । ତାକୁ ଡାକି ପଠେଇବ କି ନା ଭାବୁଛି ସଙ୍ଗାତମାଉସୀ ଓ ତାଙ୍କ ପଛେ ପଛେ ମାନି ଆସି ପହଞ୍ଚିଲେ । ମାନିକୁ ଅନେଇଲା ଉମା–ସାଳଙ୍କୃତା ହୋଇ ଆସିଛି ସେ । କାଲି ରାତିର ଶାଢ଼ିଟା ଅବଶ୍ୟ ପିନ୍ଧିନି । ପିନ୍ଧିଛି ଖଣ୍ଡେ ସମ୍ବଲପୁର ଶାଢ଼ି । ସ୍କାର୍ଫଟାକୁ ଘୋଡ଼େଇ ହୋଇଛି ମୁଣ୍ଡ ପର୍ଯ୍ୟନ୍ତ । ଟିକିଏ ଲାଜ ଲାଜ ହୋଇ ଆସି ଉମା ହାତରୁ କାମ ଛଡ଼େଇ ନେଲା । ସଙ୍ଗାତମାଉସୀ ଗଲେ ବୋଉ ପାଖକୁ । ଉମା ଅନେଇ ରହିଲା ମାନି ମୁହଁକୁ । ଏ ଚେହେରା ତାର ସେ ଦେଖି ନଥିଲା ।

 

କି ଆଶ୍ଚର୍ଯ୍ୟ ସୁନ୍ଦର ଏ ଝିଅଟା । ଅଥଚ ଅନ୍ୟାୟ ବୈଧବ୍ୟର କଠୋର ନିୟମ ତାକୁ କୁତ୍ସିତ କରି ରଖିଥିଲା । କାମ କରୁ କରୁ ମାନି ଚାହିଁଲା ଉମାକୁ । ଦେଖିଲା ସେ ତା ମୁହଁକୁ ଅନେଇ ବସିଛି । ଲାଜରେ ତଳକୁ ମୁହଁ କରି ସ୍କାର୍ଫଟାକୁ ଟାଣି ଆଣିଲା ମୁହଁ ଉପରକୁ ।

 

‘‘ସେ କଣ ?’’

 

‘‘ଯାଃ ।’’

 

‘‘ସତରେ ମ ମାନି । ତୁ କେତେ ସୁନ୍ଦର ତୁ ଜାଣୁନି । ଏ ଗାଁ ତ ଗାଁ କଟକରେ ତୋ ରକମ ଝିଅ ମୁ ଦେଖିନି । ଭାଇନାଙ୍କ ଭଳି ଲୋକ, ଲକ୍ଷ ଲକ୍ଷ ଝିଅ ଦେଖିଛନ୍ତି ସେ ଇଉରୋପରେ, ଆମେରିକାରେ– ସେ ଆସି ଧରା ଦେଲେ ତୋରି ପାଖରେ । ଆଉ ତୁ ସେ ସୁନ୍ଦର ମୁହଁଟା ଲୁଚଉଛୁ ।’’

 

ଜୋର କରି ଖୋଲିଦେଲା ଉମା ମାନି ମୁହଁ ଉପରୁ ସବୁ ଆବରଣ । ଲାଜରେ ମାନିର ଆଖି ବୁଜିଗଲା । ସେ ଆଖି ଖୋଲି ଦେଖେ, ଉମା ମୁଚକି ମୁଚକି ହସୁଛି ତାରି ଆଗରେ ବସି ଆଉ ଉମା ପଛରେ, ଅଳ୍ପ ଦୂରରେ ଠିଆ ହୋଇଛି ଶଙ୍କର । ମୁହଁ ତାର ଅନୁରାଗରେ ଲାଲ । ଦାଢ଼ି କାଟି ସାରି ଗାଧୋଇବାକୁ ଯାଉଛି ସେ । କାନ୍ଧରେ ତାର ତଉଲିଆ, କାନରେ ସାବୁନ ଫେଣ ।

 

ଲାଜରେ ମାଟିରେ ମିଶିଗଲା ମାନି । କିରକିର ହୋଇ ହସି ଉଠିଲା ଉମା । ନିମ୍ନ କଂଠରେ କହିଲା– “ଦେଖିଲ ଭାଇନା ? ମନ ମାନିଲା ? ଏମିତି ଝିଅ ଦେଖିଥିଲ ଆଗରୁ ?’’

 

କିଛି ଉତ୍ତର ନ ଦେଇ ଶଙ୍କର ଗାଧୁଆ ଘରକୁ ଚାଲିଗଲା ।

 

ଗାଧୋଇ ସାରି ଫେରିବା ବାଟରେ ବାପାଙ୍କ ଶୋଇବା ଘରୁ ଶୁଣିଲା ସେ । ବୋଉ କହୁଛି– ‘‘ମୁ ସବୁ ଜାଣେ ସଙ୍ଗାତ । ମୋତେ କିଛି ଅଜଣା ନାହିଁ ଯେ । ହେଲେ, ଏ ଜୁଆନ ଝିଅକୁ ସମ୍ଭାଳି ରଖି ପାରିବ ତ ? ଯଦି ସେ ଘରୁ ବାହାରିଗଲା । କୁଳରେ କାଳି ଦେଲା । ସେତେବେଳେ କଣ କରିବ ?’’

 

‘‘ମୁ କଣ କରିବି କୁହ ?’’ ଅଶ୍ରୁସିକ୍ତ କଂଠ ସଙ୍ଗାତମାଉସୀଙ୍କର ।

 

‘‘ବାହା କରିଦିଅ । ଭଲ ପାତ୍ରଟିଏ ଦେଖି ଦେଇଦିଅ ଶୀଘ୍ର ।’’ ବାପା କହିଲେ ।

 

‘‘ଷଡ଼ଙ୍ଗୀ ତ କହୁଥିଲେ, କଟକରେ କିଏ ଅଛନ୍ତି । ସେ ବର ଠିକ୍ କରି ଦେବେ ।’’ ବୋଉ କହିଲା ।

 

‘‘ହଁ ବୈରାରୀ ମିଶ୍ରେ । ଲଡ଼ୁ ଯାଉ ବୁଝା ବୁଝି କରୁ ।’’ ବାପାଙ୍କ ଉକ୍ତି ।

 

‘‘ହିଁ ଆଉ ଶୁଣ । ମାନିର ବାହାଘର ଖର୍ଚ୍ଚ ମୁ ଦେବି । ସେ ଯେମିତି ପଛେଇ ନ ଯାନ୍ତି ।’’ ବୋଉର ଶେଷ ନିଷ୍ପତ୍ତି ।

 

ଚୁପ୍‍ଚାପ୍‍ ସେ ସ୍ଥାନ ତ୍ୟାଗ କଲା ଶଙ୍କର । ବୋଉ ତାର କଥା ରଖିଛି ।

 

ଖୁସି ହୋଇ ପାଟି କଲା– ‘‘ଉଉଉ ମିଇଇ’’ ।

 

‘‘ଆସୁଛି ଭାଇନା’’– ଜବାବ ଦେଲା ଉମା ହାଣ୍ଡି ଶାଳରୁ ।

 

ଶଙ୍କର ଦେଖିଲା ଆଖି ପୋଛି ପୋଛି ସଙ୍ଗାତମାଉସୀ ବାପାଙ୍କ ଶୋଇବା ଘରୁ ବାହାରି ଆସିଲେ । ହାଣ୍ଡିଶାଳ ମେଲାରେ ଟିକିଏ ଠିଆ ହେଲେ । ତା ପରେ ଧୀରେ ଧୀରେ ବାଡ଼ି ଦୁଆର ଦେଇ ନିଷ୍କ୍ରାନ୍ତ ହେଲେ ।

 

ପୋଷାକ ପିନ୍ଧୁଥାଏ ଶଙ୍କର । ଖଟରେ ବସି ପେଣ୍ଟଟା ଗଳଉଥାଏ ଗୋଡ଼ରେ । ତା ଘରକୁ ପଶି ଆସିଲା ଉମା । ହାତରେ ପ୍ରାତରାଶ । ତା ପଛରେ ଆଉ ଗୋଟାଏ ଟ୍ରେ ହାତରେ ମାନି । କଥା କଣ । ଖୁସି ହୋଇ ଶଙ୍କର ଚାହିଁଲା ଉମା ମୁହଁକୁ । ଟୁଲଟାକୁ ଗୋଡ଼ରେ ଠେଲି ଶଙ୍କର ଆଗକୁ ରଖି ଉମା କହିଲା– “ରଖ ଏଠି ।’’ ଶଙ୍କରର ନିର୍ବାକ ପ୍ରଶ୍ନର ଉତ୍ତର ଦେଲା,

 

‘‘ମୁ ତାଙ୍କୁ ଦେଇ ଆସେ । ଗାଡ଼ିର କଣ ଖୋଲିଛନ୍ତି ଯେ ଦାଣ୍ଡ ଘରେ ବସି ମରାମତ କରୁଛନ୍ତି । ସେଠି ଦେଇ ଆସିବି ।’’

 

ବାହାରି ଯାଉଁ ଯାଉଁ ମାନିକୁ କହିଲା, “ଚାଲିଯିବୁନି । ମୁ ଆସିଲେ ଦିଜଣ ଯିବା ।’’

 

ଧୀରେ ଧୀରେ ନଇଁ ପଡ଼ି ଟ୍ରେଟା ଟୁଲ ଉପରେ ରଖିଲା ମାନି । ଉଠିଲା ବେଳକୁ ଦେଖିଲା ଶଙ୍କର ଚାହିଁଛି ତାକୁ–ମୁହଁରେ ଗୋଟାଏ ମିଠା ହସର ରେଖା । ପଛେଇ ଯିବ ବୋଲି ବାହାରିଛି, ଧରି ପକେଇଲା ଶଙ୍କର ତା ହାତ ।

 

‘‘ଉଁହୁଁ । ଠିଆ ହୁଅ ।’’

 

ଠିଆ ହେଲା ମାନି । ଚାରିଆଡ଼କୁ ଅନେଇଲା ।

 

ଶଙ୍କର ପଚାରିଲା– “ଡର ମାଡ଼ୁଛି ? କେହି ନାହିଁ ମୋ ଛଡ଼ା ।’’

 

ଟ୍ରେକୁ ଅନେଇଲା ଶଙ୍କର ଟାଇଟା ବାନ୍ଧୁ ବାନ୍ଧୁ । ପରିଜ, ଟୋଷ୍ଟ, ଅଣ୍ଡାର ଫ୍ରାଇ, ବିସ୍କୁଟ, କଦଳୀ । ବଡ଼ ଚାମୁଚରେ ପରିଜ ଉଠେଇ ମାନିର ପାଟି ପାଖକୁ ନେଇଗଲା । ମୁହଁ ବୁଲେଇ ନେଲା ମାନି ଲାଜରେ ।

 

‘‘ତୁମେ ନ ଖାଇଲେ, ମୁ ବି ଖାଇବିନି ।’’ ଠିଆ ହେଲା ଶଙ୍କର ।

 

ଡରିଯାଇ ମାନି ସ୍ଥିର ହୋଇ ଠିଆ ହେଲା । ପରିଜର ଚାମୁଚଟା ପୁଣି ଉଠେଇଲା ଶଙ୍କର,– ‘‘ଆଁ କର ?’’

 

ମାନି ଆଁ କଲା । ଚାମଚର ଖାଦ୍ୟ ଢାଳି ଦେଲା ମାନି ପାଟିରେ । ପକେଟରୁ ରୁମାଲ କାଢ଼ି ପୋଛି ଦେଲା ମାନିର ପାଟି । ତା ପରେ ବସିପଡ଼ି, ପ୍ଲେଟରୁ ପରିଜ ନେଇ ଖାଇବାକୁ ଗଲାରୁ ମାନି ଧରି ପକେଇଲା ତା ହାତ । ରୁଦ୍ଧ କଂଠରେ କହିଲା, “ଅଇଁଠା ଚାମୁଚଟା ।’’

 

ହସିଲା ଶଙ୍କର । ବାଁ ହାତରେ ମାନିର କଟିଦେଶ ଧରି ଟାଣି ତାକୁ ବସେଇଲା ପାଖରେ ଓ କ୍ଷିପ୍ର ହସ୍ତଚାଳନାରେ ପରିଜ ପ୍ଲେଟଟା ସାରି ଦେଲା ।

 

ଉମାର ପଦଶବ୍ଦ ପାଇ ଠିଆ ହୋଇପଡ଼ି ଘୁଞ୍ଚିଗଲା ମାନି । ଉମା ପଶିଲା ।

 

‘‘ଉମି ।’’

 

‘‘କଣ ଭାଇନା ?’’

 

‘‘ତୁ ତ ଜଳଖିଆ ଖାଇ ନଥିବୁ । ଆ ଖାଇବା । ଚେୟାରଟା ଟାଣିଆଣ ?’’

 

‘‘ନା ନା ତୁମେ ଖାଅ । ମୁ କଣ ଏକୁ ଖାଏଁ ।’’

 

‘‘କାହିଁକି, ଏଗୁଡ଼ା କଣ ଅଖାଦ୍ୟ ?’’

 

‘‘ସେକଥା ନୁହେଁ । ଏକୁ କଣ ଖାଇ ପାରିବା ଆମେ ?’’

 

‘‘ହଉ ଆଜି ଦିନଟା ଖା ।’’

 

ଉଠିପଡ଼ି ଚେୟାରଟା ଟାଣି ଆଣି ବସେଇଲା ଉମାକୁ । ମାନିର ଅବସ୍ଥାକୁ ଲକ୍ଷ୍ୟ କରୁଥାଏ ଉମା । ଭାଇନାର କଣ ମତଲବ ? ଟୁଲ ଉପରୁ ଭେଲିସେଟା ଉଠେଇ ସେଥିରେ ଶଙ୍କର ବସିଲା ନିଜେ ।

 

‘‘ତୁମେ ପଲଙ୍କରେ ବସ ଭାଇନା ।’’ ଉମା କୁଣ୍ଠିତ ହେଲା ।

 

‘‘ଆମେ ତ ଘରଲୋକ । ପଲଙ୍କଟା ସମ୍ମାନିତ ଅତିଥି ପାଇଁ ।’’ ମାନି ଆଡ଼କୁ ଚାହିଁ ହସିଲା ଶଙ୍କର । ବାଧ୍ୟହୋଇ, ସସଂକୋଚରେ ବସିଲା ମାନି, ପଲଙ୍କରେ ।

 

ଅଣ୍ଡାର ଫ୍ରାଇଟାକୁ ଛୁରିରେ କାଟି ତିନିଖଣ୍ଡ କଲା ଶଙ୍କର । କଣ୍ଟାରେ ଉଠେଇ ଉମାକୁ କହିଲା ‘‘ଆଁ କର ?’’ ତା ପାଟିରେ ଦେଲା ଖଣ୍ଡେ । ଦ୍ୱିତୀୟ ଖଣ୍ଡକୁ କଣ୍ଟାରେ ଧରିଲାବେଳକୁ, ଠିଆହୋଇ ପଡ଼ିଲା ମାନି । ବାଁ ହାତରେ ତାର ହାତଟାକୁ ଧରି ଏମିତି ଚାପଦେଲା ସେ ମାନି ବସିପଡ଼ିଲା । ଶଙ୍କର କଣ୍ଟାଟାକୁ ନେଇଗଲା ମାନି ପାଖକୁ । ମାନି ଆଖି ବୁଜିଦେଲା । ‘‘ଆଁ କର-?’’ ଆଦେଶ ଅବହେଳିତ ହେଲା ।

 

‘‘କେମିତି ଜିଦଖୋର ଦେଖୁଛୁ । ଉପାସ କରି କରି ଏମିତି ହେଇଛି । ଆଁ କର ମାନି ?’’ କହିଲା ଶଙ୍କର ଆଉଥରେ । ମାନି ଅଳ୍ପଟିକିଏ ଆଁ କଲା । ଅଣ୍ଡାକୁ କଣ୍ଟାରୁ କାଢ଼ି ତା ପାଟିରେ ପୁରେଇ ଦେଲା ଶଙ୍କର । ତାପରେ ନିର୍ବିକାର ଚିତ୍ତରେ ଖାଇବାକୁ ଲାଗିଲା ।

 

‘‘କଫି ଖାଇବୁ ଉମି ?’’

 

‘‘ମୋତେ ଭଲ ଲାଗେନି ।’’

 

‘‘ତୁ କଫିଖାଇ ଜାଣିନୁ । ଆଉ ଦିଟା ପାତ୍ର ଆଣ । ମୁଁ କଫିକରି ଦଉଛି, ଖା । ତାପରେ କହିବୁ ।’’

 

ଉମା ଉଠିଲା କାପ ଆଣିବାକୁ । ମାନି ବି ଉଠିଲା ।

 

‘‘ଦିଜଣ ଯିବା ଦରକାର ପଡ଼ିବ, କାପ ଆଣିବାକୁ ?’’

 

‘‘ନା, ମୁ ଯାଉଛି ନେଇ ଆସିବି । ମାନି ଥାଉ ।’’ ଉମା ବାହାରି ଗଲା ।

 

“ତୁମେ କଣ କରୁଛ”, ମାନି ଆଖିରେ ମୀନତି ।’’ଉମା କଣ ଭାବିବ ?’’

 

ପାଉଁରୁଟିରେ ଲହୁଣି ଲଗେଇ ଖଣ୍ଡେ କାମୁଡ଼ିନେଇ ଚୋବେଇଲା ଶଙ୍କର ।

 

‘‘କିଛି ଭାବିବ ନାହିଁ । ଆଉ ଯଦି କିଛି ଭାବେ– ଯାହା ସ୍ୱାଭାବିକ ସେଇଆ ଭାବିବ ।’’ ତଳକୁ ମୁହଁକରି ବସିଲା ମାନି । ଆଙ୍ଗୁଳିରେ ତା ଚିବୁକ ଟେକିଧରି ପଚାରିଲା ଶଙ୍କର– ‘‘ମୋ ଆଡ଼କୁ ଅନେଇବାକୁ ଖରାପ ଲାଗୁଛି ?’’

 

ହସିଲା ମାନି । ତା କାନ୍ଧରେ ମୁହଁ ଲୁଚେଇଲା ।

 

‘‘ଅନେଇଲ ମୋ ଆଡ଼କୁ ?’’

 

ଏଥର ଅନେଇଲା ମାନି ଶଙ୍କରର ମୁହଁକୁ । ପୂର୍ଣ୍ଣ ଦୃଷ୍ଟିରେ । ସେମିତି ହସୁଥାଏ ।

 

ଶଙ୍କର ମୁହଁର ଖୁବ ପାଖରେ ମାନିର ସେଇ ସୁନ୍ଦର ମୁହଁଟା । ବହୁକଷ୍ଟରେ ଶଙ୍କର ନିଜକୁ ସଂଯତ କଲା ।

 

ଉମା ଆସିଲା । ତିନିକାପ କଫି କଲା । ଶଙ୍କର ସେମାନଙ୍କ କାପରେ ପ୍ରଚୁର ଦୁଧ ଓ ଚିନିଦେଇ ଭଲକରି ଗୋଳେଇ ଦେଲା । ବିସ୍କୁଟ ଦେଲା ସେମାନଙ୍କୁ ।

 

‘‘ଖାଅ’’, ଶଙ୍କର କହିଲା, “ମାନି ଯେ ପୁଣି ଆମ ଭିତରକୁ ଫେରି ଆସିଲା ସେଇଟା ପାଳନ କରାଗଲା ଆଜି । ନା କଣରେ ଉମି ?’’

 

କଫି ଖାଇସାରି ଉଠିଲା ଉମା । ମାନିକୁ କହିଲା, “ମୁ ଟ୍ରେଟା ସେଘରୁ ନେଇ ଆସେଁ, ଯିବା’’ । ବାହାରିଗଲା ସେ ।

 

ଶଙ୍କର ଗୋଟାଏ ସିଗ୍ରେଟ ଲଗେଇଲା । ମାନି ଟ୍ରେ ଏବଂ ଟୁଲକୁ ନେଇ କଣରେ ରଖିଲା । ଘୁରି ଦେଖିଲା ଶଙ୍କର ତାର ଖୁବ ପାଖରେ ଠିଆ ହୋଇଛି । ତାର ହାତଦିଟାକୁ ଧରିଲା ଶଙ୍କର । ଅନେଇ ଦେଖିଲା ଆଙ୍ଗୁଳିଗୁଡ଼ା କି ସୁନ୍ଦର ମାନିର । ନଖ ଖଣ୍ଡିଆ ହୋଇ ଯାଇଛି ବାସନ ମାଜି, ମସଲା ବାଟି । ଶଙ୍କର ତାର ଆଙ୍ଗୁଳିରେ ଆସ୍ତେ ଆସ୍ତେ ଚାପଦେଲା । ମାନି ଥରି ଉଠୁଥାଏ– ମୁହଁଟା ତାର ଫଣଫଣ କରୁଛି । ହସିଲା ତା ଆଡ଼କୁ ଅନେଇ ଶଙ୍କର । ତାପରେ ନିଜ ଆଙ୍ଗୁଳିରୁ ମୁଦିଟା କାଢ଼ି ତା ଆଙ୍ଗୁଳିରେ ପିନ୍ଧେଇ ଦେଲା ।

 

ବାହାରେ ଉମାର ପଦଶବ୍ଦ । ମାନି ଏ ଘରର ଟ୍ରେଟା ଉଠେଇଲା ବେଳକୁ ଉମା ଦୁଆର ମୁହଁରେ । ଦୁଇ ସଖୀ ଚାଲିଗଲେ ।

 

–ସତର–

 

ମାମୁଙ୍କ ଗାଁ ବକଳା । ଠିକ ନଟାବେଳକୁ ଗାଡ଼ି ଲଗେଇଲା ଚନ୍ଦ୍ରଶେଖର ମାମୁଙ୍କ ଡାକ୍ତରଖାନା ଆଗରେ । ଉଠି ଆସିଲେ ମାମୁ । ‘‘ଚାଲ ସବୁ ଭିତରକୁ ।’’ ଫାଟକ ଖୋଲି ଆଗେଇ ଗଲେ ସେ–ଏମାନେ ପଛରେ । ଗାଁ ମୁଣ୍ଡରେ ମାମୁଙ୍କ ଘର । ନୂଆ କରିଛନ୍ତି । ଛବିଭଳି ବଙ୍ଗଳାଟିଏ । ଘରର ଅଳ୍ପଦୂରରେ ଡାକ୍ତରଖାନା । ତା ପାଇଁ ସ୍ଵତନ୍ତ୍ର ଘର । ରୋଗୀ ରହିବାର ବିଛଣା ଅଛି ପାଞ୍ଚଟା । ଲେବରେଟରି, ଅପାରେଶନ ଥିଏଟର ସବୁ ଅଛି । ଛୋଟ ରଂଜନରଶ୍ମିର ସେଟ୍‍ଟିଏ–ଦେଖିଲା ଶଙ୍କର ଜାଇସର ।

 

ମାମୁ ଅନନ୍ତ ଆଚାର୍ଯ୍ୟ ଲାଇସେନସିୟେଟ ଡାକ୍ତର ଥିଲେ । ଯୁଦ୍ଧପରେ କନଡ଼େନସଡ୍ କୋର୍ସରେ ଏମ୍:ବି:ବି: ଏସ: ହୋଇ ଆସିଛନ୍ତି କଟକରୁ । ବିପତ୍ନୀକ । ଦୁଇଟି ପୁଅ । ବଡ଼ଟି ସୈନ୍ୟବିଭାଗର ଡାକ୍ତର– ବାଙ୍ଗାଲୋରରେ ଥାଏ । ତାର ସ୍ତ୍ରୀ ଇଂରେଜ । ବିଲାତରେ ସେ ବାହା ହୋଇଥିଲା ଜେନକୁ । ସାନ ପୁଅ ଜାପାନରୁ ଲେଦାର ଟେକୋନୋଲଜି ଶିଖି ଆସି କାମ କରେ କାନପୁରରେ । ତାର ସ୍ତ୍ରୀ ଓଡ଼ିଆ ଝିଅ । ବୋହୂ ବି କାମକରେ ସେଠି ଗୋଟାଏ ବଂଧୁକ କାରଖାନାରେ । ପୁଅମାନେ ବର୍ଷକୁ ଥରେ ଆସନ୍ତି ପିଲାପିଲି ନେଇ । ମାସେ ଖଣ୍ଡେ ରହନ୍ତି । ବଡ଼ ପୁଅ ମଝିରେ ମଝିରେ ଅପରେଶନ କରେ ତାଙ୍କ ଡାକ୍ତରଖାନାରେ । ତା ବୋହୂ ସେତେବେଳେ ହୁଏ ସହକାରୀ । ଜେନ୍‍ର, ନାର୍ସିଂରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଅଛି ।

 

ଘର ଭିତରକୁ ପଶିଲେ ସମସ୍ତେ । ଡ୍ରଇଂ ରୁମ । ବିଲାତି ଢଂଗରେ ସଜା ହୋଇଛି କାଉଚ, ସୋଫା, ଡିଭାନ ସବୁ । ଫାୟରପ୍ଲେସଟିଏ । ତା ଉପରେ ସଜା ହୋଇଛି ନାନା ଆକାରର ତିନି ଚାରୋଟି ପ୍ଲେନ । ମନେ ହେଉଛି ଏଇ ଉଡ଼ିଯିବ । ତା ପଛକୁ ଡାଇନିଂ । ଫ୍ରିଜ ବି ଅଛି । ଦୁଇପଟେ ଦୁଇଟାକରି ଶୋଇବା ଘର । ମାମୁଙ୍କ ଶୋଇବା ଘର ପାଖରେ ଛୋଟ ଲାଇବ୍ରେରୀଟିଏ-

 

“କଣ ଖାଇବ ପିଲେ ?’’ ମାମୁ ପଚାରିଲେ ।

 

ଘଡ଼ି ଦେଖିଲା ଚନ୍ଦ୍ରଶେଖର । ତାକୁ କଟକ ଯିବାକୁ ହବ ।

 

‘‘ଟିକିଏ କିଛି ଖାଇଦେଇ ଯିବ ।’’ ମାମୁ ଚାଲିଗଲେ ।

 

ମୁଗ୍‍ଧ ବିସ୍ମୟ ଶଙ୍କର ଆଖିରେ । ଧୋତି ସାର୍ଟ ପିନ୍ଧା ଏଇ ମାମୁଟି ଯେ କି ବିରାଟ ସାହେବ, ଶଙ୍କର ଆଜି ବୁଝିଲା ।

 

ଖାଇବା ଘରକୁ ପଶିଲା ବେଳକୁ ଖାନ୍‍ସମା ଟେବୁଲରେ ଆଇସକ୍ରିମ ସଜଉଥିଲା ।

 

ଉମା କହିଲା– “ଏଇ ଶୀତରେ ଆଇସକ୍ରିମ ?’’

 

‘‘ଆଇସକ୍ରିମ ଯେ କେବଳ ଗରମରେ ଖିଆଯାଏ, ତୋତେ କିଏ କହିଲାରେ ଉମି ?’’

 

ଚେୟାର ଟାଣିନେଇ ଆଗ ବସିଲା ଶଙ୍କର । ରାଜାକୁ ଟେକିନେଇ ବସେଇଲା ପାଖ ଚେୟାରରେ ।

 

‘‘ରାଜା ସାହେବ ଚାଲୁ ?’’ ଚାମୁଚରେ ଟିକିଏ କ୍ରିମ ନେଇ ରାଜା ପାଟିରେ ଦେଲା । ଥଣ୍ଡାରେ ସୁ ସୁ କଲା ରାଜା ।

‘‘କେମିତି ମଜା ? ଆଉ ଦେବି ?’’

ମୁଣ୍ତ ଟୁଙ୍ଗାରିଲା ରାଜା । କାପଟାସାରା ଆଇସକ୍ରିମ ଶଙ୍କର ଖୁଏଇଲା ରାଜାକୁ ।

‘‘ଆଉ ?’’

ଏଥର ମୁଣ୍ଡ ହଲାଇ ଅସମ୍ମତି ଜଣେଇଲା ରାଜା ।

ଏମାନେ ଖାଇ ବସିଲେ ।

‘‘ଉମାଟାକୁ ସୁପାତ୍ରରେ ଦେଇ ନାହାନ୍ତି ମାମୁ ।’’ ଅନୁଯୋଗ କଲା ଶଙ୍କର, ହସି ହସି । ‘‘କେମିତି ମଫସଲି ମଫସଲି ରହି ଯାଇଛି ସେ । ତାକୁ ମୁ ନେଇଯିବି କଲିକତା । She needs urbanisation."

‘‘ତୁମେ ମୋତେ ଦୋଷ ଦଉଛ । କୁଆଡ଼େ ନେବି କହିଲ ?’’ କୈଫିୟତ ଦେଲା ଚନ୍ଦ୍ରଶେଖର । ‘‘ସାତ ବର୍ଷ ଭିତରେ ଏକାଠି ସାତଦିନ ଛୁଟି ମିଳିନି ମୋତେ । ନେଇଯାଅ ତାକୁ । କିଛିଦିନ କଲିକତାରେ ରହିଆସୁ । ମୋର ବି ବେଳେ ବେଳେ ଅସୁବିଧା ହୁଏ ।’’

“କଣ ହେଲା ? ଅସୁବିଧା ହୁଏ !” ଉମାର ହୁଂକାର ।

ଚୈକି ଛାଡ଼ି ଠିଆ ହେଲା ଚନ୍ଦ୍ରଶେଖର । ସିଗାର ବାକସ ବଢ଼େଇ ଦେଲା ଖାନ୍‍ସମା । ଶଙ୍କର ଦେଖିଲା ଏକାବେଳକେ ଜାତିଆ ଚିଜ । ହାଭାନାର । ଗୋଟାଏ ଉଠେଇ ନେଇ ଦାନ୍ତରେ ଛିଣ୍ତେଇଲା । ମାମୁ ବୋହେମିଆନ । ତାଙ୍କ ଆଗରେ ଧୂମ୍ରପାନ ଚଳିବ ।

ଖିଆଦିଆ ପରେ ଶଙ୍କର, ଉମା ଓ ଚନ୍ଦ୍ରଶେଖର ମାମୁଙ୍କୁ ନେଇ ବସିଲେ ଗୋଟାଏ ଘରେ । ଶଙ୍କର କଥାଟା ଉଠେଇଲା, ‘‘ମାନି ନାମକ ଗୋଟିଏ ବାଳିକା ଅଛି ।’’

‘‘ଆରେ ସେ ତ ଆମ ଗାଁର କେଳୁ ପତିର ନାତୁଣୀ । ମୁ ତାକୁ ଜାଣେ । ବଡ଼ ଅଭାଗୀ ଝିଅଟା । ବାହାହବାର ଅଳ୍ପଦିନ ପରେ ବିଧବା ହୋଇଗଲା ।’’

‘‘ହଁ । ତାରି ବାହାଘର କରିବାକୁ ହବ ।’’ ଶଙ୍କର କହିଲା । ବର ଠିକ୍ ହୋଇଛି । ବାହାଘର ପାଇଁ ତା ବାପା ବୋଉ ରାଜି । କିନ୍ତୁ ଡରୁଛନ୍ତି । ବଡ଼ବାପାଙ୍କୁ । ବାପା ତାଙ୍କୁ ଭରସା ଦେଇଛନ୍ତି । ବାହାଘର ପାଇଁ ଯାହା ଟଙ୍କା ଦରକାର, ତାର ବି ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ପ୍ରଶ୍ନ ହେଉଛି ବାହାଘରଟା କରିବ କିଏ ? ବାହାଘର ଗାଁରେ ଲଡ଼ୁକେଶ ଷଡ଼ଙ୍ଗୀଙ୍କ ଘରେ ହବ । ମାମୁ ଯଦି ଭରସା ଦିଅନ୍ତେ, ଭାରି ଭଲ ହୁଅନ୍ତା ।

‘‘ଓ ଏଇ କଥା । କଣ କରିବାକୁ ହବ ?’’

‘‘ଧରନ୍ତୁ । ବାହାଘରର ସଜବାଜ । ବରଯାତ୍ରୀ ଆସିବେ କଟକରୁ । ସେମାନଙ୍କ ଖିଆ ଦିଆର ବ୍ୟବସ୍ଥା । ଟଙ୍କା ବୋଉ ଦବ କହିଛି । କିନ୍ତୁ ଗାଁରେ ଖୋଲାଖୋଲି ଭାବରେ କେହି ସାହାଯ୍ୟ କରିବାକୁ ବାହାରିବା ସମ୍ଭବ ନୁହେଁ ।’’

 

‘‘ମୁଁ ନଉଛି ଦାୟିତ୍ୱ । ଏଇ ଗାଁରୁ ଦଶବାରଟା ଟୋକା ଧରିନେଇ ଯିବି । ସବୁ କାମ ସେମାନେ ତୁଲେଇ ଦେବେ ।’’

‘‘ତାହେଲେ ଆପଣ ଭରସା ଦେଲେ ?’’ ଶଙ୍କର କହିଲା ହସି ହସି ।

‘‘ଦେଲି ଯେ, ବାହାଘର କେବେ ?’’

‘‘ସେ କଣ କିଛି ଠିକ ହେଲାଣି ।’’ ଶଙ୍କର କହିଲା, ‘‘ବାହାଘରର ଦୁଇଦିନ ଆଗରୁ ଆପଣ ଖବର ପାଇବେ । ଟଙ୍କାର ଭାବନା ନାହିଁ । ଗୋଟାଏ କଥା– ସବୁ ଯେମିତି ସୁରୁଖୁରୁରେ ହୋଇଯାଏ ।’’

‘‘ତୁ ନିଶ୍ଚିନ୍ତ ଥା, ସବୁ ଠିକ୍ ହବ ।’’

ମାମୁଙ୍କ କଥାରେ ଶଙ୍କର ନିଶ୍ଚିନ୍ତ ହେଲା । ଚା ଖାଇ ସେମାନେ ଗାଁକୁ ଫେରିଲେ ସଂଧ୍ୟା ଆଗରୁ ।

ଘରେ ପହଞ୍ଚି ଦେଖିଲେ ତାଙ୍କ ଗୁହାଳଟା ପୋଡ଼ିଯାଇଛି । ଆଶ୍ଚର୍ଯ୍ୟ ହେଲା ଶଙ୍କର । ଦିନବେଳେ କେମିତି ପୋଡ଼ିଗଲା । ଘରଭିତରକୁ ପଶୁ ପଶୁ ସିଂଗ ସାଙ୍ଗରେ ଦେଖାହେଲା । କଳା ହୋଇଯାଇଛି ସେ । ତା ଦେହରୁ ପୋଡ଼ା କୁଟାର ଗନ୍ଧ ବାହାରୁଛି ।

‘‘ଗୁହାଳ କେମିତି ପୋଡ଼ିଲା ? ଉମା ପଚାରିଲା ।

‘‘କିଏ ନିଆଁ ନଗେଇଦେଲା ।’’

‘‘ଏଇ ଦିନବେଳେ ?’’

‘‘ହଁ–ଏଇ ଘଡ଼ିଏ ଆଗରୁ । ତୁମେ ସବୁ ତ ନ ଥିଲ । ଘର ଖାଲି । କିଏ ଓର ଉଣ୍ଡିଥେଲା-। ମୁ ଭାତ ଖାଇ ବସିଛି । ଧୂଆଁ ଦିଶିଲା । ଦିଉଡ଼ିଯାଇ ଦେଖିଲାବେଳକୁ ତିନି ଯେଗାରେ ନିଆଁ ଉଠୁଛି । କେଡ଼େ ଚାଳଟା ଯେ । ଅଧଘଣ୍ଟାକରେ ପୋଡ଼ିଗଲା । କାପାଳ କୁହ–ଗାଈ ବଳଦ ନ ଥିଲେ ।’’

“ତାହେଲେ, ଗାଈ ବଳଦ ପୁଣି ରହିବେ କେମିତି ?’’

‘‘ଗୋଟାଏ ରାତି । ଚାଞ୍ଚ କାଟି ସାଇଲିଣି । ଛାମୁଡ଼ିଆ ମାରିଦବା । ନଡ଼ା ବିଛେଇ ଦବା ତା ଉପରେ । ହେମାଳ ପଡ଼ିବ ନାଇଁ । କାଲି ସକାଳୁ ଦି ଘଣ୍ଟା ନାଚିଲେ ଯଉ ଗୁହାଳକୁ ସେଇ ଗୁହାଳ ।’’ ସେ ବାହାରିଗଲା ।

ଘରଭିତରକୁ ଗଲାରୁ ଦେଖାଗଲା ବାପା ବସିଛନ୍ତ ପିଣ୍ଡା ଖଟରେ, ଗମ୍ଭୀର ହୋଇ । ବୋଉ ତଳେ ଖମ୍ବକୁ ଆଉଜି ବସିଛି । ରାଜା ଯାଇ ଆଈ କୋଡ଼ରେ ବସିଲା । ଉମା ପଚାରିଲା, ‘‘ନିଆଁ କେମିତି ଲାଗିଲା ବୋଉ ?’’

‘‘ମୁ ଜାଣିଛି ? ତୋ ବାପା ଖାଇସାରି ଶୋଇବାକୁ ଗଲେ । ସେଇ ଥାଳିରେ ମୁ ବସିଯାଇଛି । ମାନି ମୋତେ ବାଢ଼ି ଦଉଛି । ନିଆଁ ଉଠିଲା । ଖାଇବି କଣ ? ବାଡ଼ି ଦୁଆରକୁ ଗଲାବେଳକୁ ମଥାନ ଜଳୁଛି ।’’

 

‘‘ଛାଡ଼ ।’’ ବାପା କହିଲେ ‘‘ଇଡ଼ିଗଲା ଦୁଧପାଇଁ ଅବଶୋଷ କରି ଲାଭ ନାହିଁ ।’’

 

ଶଙ୍କର କହିଲା– ‘‘ଗୋଟାଏ ଅଦୃଶ୍ୟ ହାତ ଅଛି ବୋଧହୁଏ ?’’ ବାପା କିଛି କହିଲେନି-। ହସିଲେ ଟିକିଏ ।

 

‘‘ମାନି କାହିଁକି ବୋଉ’’ ଉମା ପଚାରିଲା ।

 

‘‘କହନି ସେ କଥା । ଝିଅଟା ଅଖିଆ, ଅପିଆ ଘରକୁ ଗଲା । ଖାଇବ ବି କେମିତି ସେ-? ଯାହା ହବାର ହେଲାଣି । ତୁମେ ସବୁ ଲୁଗାପଟା ଛାଡ଼ି ସୁସ୍ଥ ହୁଅ ।’’

 

ଶଙ୍କର ଓ ଚନ୍ଦ୍ରଶେଖର ଫେରିଲେ ନିଜ ନିଜ ଘରକୁ । ଶଙ୍କର ସିଧା ଯାଇ ଶୋଇପଡ଼ିଲା ଖଟରେ ।

 

–ଅଠର–

 

ସନ୍ଧ୍ୟା ହେବା ସାଙ୍ଗେ ସାଙ୍ଗେ ଶଙ୍କର ବାହାରିଗଲା ଘରୁ । ମାମୁଘରେ ଭୋଜନଟା ଭାରି ହୋଇଛି । ହଜମ କରିବାକୁ ହବ । ଅନେକ ସମୟ ଧରି ବୁଲିଲା ଥଣ୍ଡାରେ । ଚାଲିଗଲା ବଡ଼ ସଡ଼କଯାକେ, ଜହ୍ନ ଆଲୁଅରେ । ଫେରିଲା ବେଳକୁ ରାତି ବେଶ୍ ହେଲାଣି । ଇସ୍କୁଲଟା ବଡ଼ଦିନ ପାଇଁ ବନ୍ଦ । ଜନମାନବ ଶୂନ୍ୟ ଜାଗାଟା । ଏଠି ସେଠି ଆମ୍ବଗଛଗୁଡ଼ା– ନିବାତ, ନିଷ୍କମ୍ପ । ଆଗେଇ ଚାଲିଲା ସେ ତାର ସ୍ଵାଭାବିକ ଗତିରେ । ଗାଁରେ ପହଞ୍ଚିଲାଣି ସେ । ଏଇତ ସଙ୍ଗାତମାଉସୀଙ୍କ ଘରେ ଆଲୁଅ । ମାନି କଣ କରୁଥିବ କେଜାଣି ? ଅଜାଣତରେ ତାର ଗୋଡ଼ ଚାଲିଗଲା ତାଙ୍କ ଘରଆଡ଼କୁ । ମାନି ଘର ସାମନାରେ ଗୋଟାଏ ଆମ୍ବଗଛର ଛାଇ ତଳେ ସେ ହଠାତ ଅନୁଭବ କଲା ଗୋଟାଏ ପ୍ରଚଣ୍ଡ ଆଘାତ ତା ମୁଣ୍ଡରେ ।

 

‘‘କିଏରେ ?’’ ପାଟିକରି ଉଠିଲା ଶଙ୍କର । ଗୋଟାଏ ଲୋକ ଦଉଡ଼ି ପଳେଇଗଲା ।

 

ଶଙ୍କରର ମୁହଁରେ କଣଗୁଡ଼ାଏ ତରଳ ଧାରା । ହାତରେ ନେଇ ଦେଖିଲା ରକ୍ତ । ବସି ପଡ଼ିଲା ସେ । ତାପରେ ଆଉ କିଛି ଜାଣେନି ।

 

ଲଡ଼ୁକେଶ ଷଡ଼ଙ୍ଗୀ ଦୋକାନରୁ ଫେରୁଥିଲେ । ଦୂରରୁ ଦେଖିଲେ କିଏ ଜଣେ ଦଉଡ଼ି ପଳେଇଲା ତାଙ୍କ ଘର ଆଗରୁ । ଦ୍ରୁତ ପଦରେ ପାଖକୁ ଆସି ଦେଖନ୍ତି ତାଙ୍କ ବାଡ଼କୁ ଆଉଜି ବସିଛି ଶଙ୍କର । ତାର ମୁହଁ ଦେହ ରକ୍ତାକ୍ତ ।

 

‘‘ମାନିବୋଉ, ଦଉଡ଼ି ଆ, ଆଲୁଅ ଆଣିବୁ ।’’ ଚିତ୍କାର କରି ଉଠିଲେ ଷଡ଼ଙ୍ଗୀ । ଶଙ୍କରର ନାକ ପାଖରେ ଆଙ୍ଗୁଳି ଦେଇ ପରଖ କଲେ । ବେଶ୍ ଯୋରେ ଯୋରେ ନିଶ୍ୱାସ ପଡ଼ୁଛି । କଣ ହୋଇଛି ବୋଲି ସଙ୍ଗାତମାଉସୀ ଆଲୁଅ ଆଣି ଯାହା ଦେଖିଲେ– ତାଙ୍କର ବୁଦ୍ଧି ହଜିଗଲା । କାନ୍ଦି ଉଠିଲେ ସେ– ‘‘କିଏ କଲା ଏ କାମ ?’’

 

ତାଙ୍କର ଆର୍ତ୍ତ ଚିତ୍କାର ଶୁଣି ଦଉଡ଼ି ଆସିଲା ମାନି । ସେ ଉମାଘରକୁ ଯିବ ବୋଲି ଲୁଗା ପିନ୍ଧୁଥିଲା ।

 

ଧରାଧରି କରି ଶଙ୍କରକୁ ନେଇଗଲେ ଘରକୁ । ପିଣ୍ଡାରେ ଗୋଟାଏ ବିଛଣା କରି ତାକୁ ଶୁଏଇ ଦେଇ ଲଡ଼ୁକେଶ ଦଉଡ଼ିଲେ ଖବର ଦବାକୁ । ମାନି ବାୟାଣୀ ପରି ହେଉଥାଏ । ଲୁଗା କାନିରେ ପୋଛି ପକଉଥାଏ ରକ୍ତକୁ । ଦୁଇ ଆଖିରେ ଅଶ୍ରୁର ବନ୍ୟା । ଥଣ୍ଡା ପାଣିରେ ମା ଝିଅ ମିଶି ପୋଛୁଛନ୍ତି ରକ୍ତ । ମୁଣ୍ଡର ଆଘାତ । ରକ୍ତସ୍ରାବର ଜାଗାଟା ବୁଝା ପଡ଼ୁନି । ମାନିର ମନେପଡ଼ିଗଲା– ଚିନି । ପାଟିକରି ଉଠିଲା ସେ– ‘‘ବୋଉ ଚିନି ଆଣ ଜଲଦି । ବହୁତ ରକ୍ତ ଗଲାଣି । ଆଉ କଣ ବଞ୍ଚିବେ ? ମେଞ୍ଚା ମେଞ୍ଚା ଚିନି ବୋଳିଦେଲା ମାନି, ଶଙ୍କର ମୁଣ୍ଡରେ । ଚିନିଗୁଡ଼ା ରକ୍ତରେ ଲାଲ ହୋଇ ଯାଉଥାଏ । ରକ୍ତ ବନ୍ଦ ହେଲା । ଲୁଗାକାନି ଚିରୁଥିଲା ମାନି । ତା ବୋଉ କନା ବଢ଼େଇ ଦେଲେ । ମୁଣ୍ଡରେ ପଟି ବାନ୍ଧିଦେଲା ମାନି । ଶଙ୍କରର ମୁଣ୍ଡ ତା କୋଡ଼ରେ । ତାର ଲୁଗା, ହାତ, ସବୁ ରକ୍ତାକ୍ତ ।

 

ଏ କାମ ସରିଛି କି ନାହଁ ଗାଡ଼ି ଆସି ଠିଆ ହେଲା ଦାଣ୍ଡରେ ।

 

ଦଉଡ଼ି ଆସିଲେ ସଙ୍ଗାତମାଉସୀ ଅସଂବୃତ୍ତ ବେଶରେ । ତାଙ୍କ ପଛରେ ଉମା, ରାଜା, ଶମ୍ଭୁ, ଚନ୍ଦ୍ରଶେଖର ଏବଂ ଶେଷରେ ବାମଦେବ । ଘେରିଗଲେ ଶଙ୍କରକୁ ସେମାନେ । ମାନିର ମୁଣ୍ଡର ଲୁଗାଟା ଠିକ୍ କରିଦେଲା ଉମା ।

 

‘‘କିଏ ଏ ସର୍ବନାଶ କଲା ?’’ ବସି ପଡ଼ିଲେ ଶଙ୍କରର ବୋଉ ଶାୟିତ ପୁତ୍ରର ଶଯ୍ୟା ପାଖରେ । ଶଙ୍କର ଅଚେତନ । ସେ ଯେମିତି ଶୋଇଛି । ରକ୍ତର ଦାଗ ତାର ଲୁଗା କୁର୍ତ୍ତାରେ । ଚନ୍ଦ୍ରଶେଖର ନଇଁପଡ଼ି ତାର ସାର୍ଟର ବୋତାମ ଖୋଲିଦେଲା । ତାର ନାଡ଼ି ଦେଖିଲା । ଉମା ବୋକାଙ୍କ ପରି ଦେଖୁଥାଏ ଆହତ, ରକ୍ତାକ୍ତ, ଶଙ୍କରର ମଥା କୋଡ଼ରେ ଧରି ବସିଛି ମାନି । ସେ ବି ରକ୍ତାକ୍ତ । ତାର ମୁଖମଣ୍ଡଳ ଅଶ୍ରୁ ପ୍ଲାବିତ । ଚନ୍ଦ୍ରଶେଖର କହିଲା– ‘‘ମୁ ମାମୁଙ୍କୁ ନେଇ ଅସେ ।’’ ସେ ବାହାରି ଗଲା ।

 

ସ୍ଥାଣୁପରି ବସିଛନ୍ତି ଶଙ୍କରର ବୋଉ । ଦୁଇଧାର ଲୁହ ବୋହି ଯାଉଛି । ଏଇ ପୁଅ ତାଙ୍କର ପ୍ରଥମ ସନ୍ତାନ । ଆଠବର୍ଷ ଶିବ ପୂଜା କରି ଏଇ ଶଙ୍କରକୁ ଗର୍ଭରେ ଧରିଥିଲେ । ସେଇ ପୁଅ ପୁଣି ଛାଡ଼ି ପଳେଇଥିଲା ତାଙ୍କୁ । ଦଶବର୍ଷ ଅଜ୍ଞାତବାସ ପରେ ଘରକୁ ଫେରିଲା । କେତେ ଖୁସିରେ ସେ ଆନନ୍ଦମୁଖର କରିଥିଲେ ଏ ଦିନ ଗୁଡ଼ାକୁ । ପୁଅ ପରି ପୁଅ । ଯୋଗ୍ୟତାରେ ତାର ସମକକ୍ଷ କାହିଁ କିଏ ଅଛି ଏ ଦେଶରେ । କାହାର କଣ କ୍ଷତି କରିଛି ସେ ଯେ ତାକୁ ଚୋର ଡକେଇତଙ୍କ ପରି ମାଡ଼ ଦେଇ ମୁଣ୍ଡ ଫଟେଇ ଦିଆ ଯାଉଛି ।

 

ବାହାରେ କଥାବାର୍ତ୍ତା ଶୁଭିଲା । ଷଡ଼ଙ୍ଗୀ ବାହାରିଗଲେ ଓ ଫେରିଲେ ଶିବ ଦଦେଇଙ୍କୁ ନେଇ । ଶଙ୍କରର ବୋଉ ମୁଣ୍ଡରେ ଲୁଗା ଟାଣିଦେଲେ । ଦୁଇ ତିନିମିନିଟ ଦେଖିଲେ ଶିବ ଶତପଥୀ-। ପୁରୁଣା ଝାନୁ ପୁଲିସ କର୍ମଚାରୀ । ବୁଝି ପାରିଲେ ଅବସ୍ଥାଟା । ବାମଦେବଙ୍କ ଆଡ଼କୁ ଚାହିଁ କହିଲେ– ‘‘ଭୟ ନାହିଁ, ମୁଣ୍ଡରେ ଆଘାତ ଲାଗିଛି । ଶୋଇ ରହିବା ଶ୍ରେୟ । ମୁ ଦେଖେ ଆତତାୟୀ କିଏ ?’’ ବାହାରି ଗଲେ ସେ । ବାମଦେବ ସେଇ ଯେ ଖୁଣ୍ଟ ଆଉଜି ଠିଆ ହୋଇଛନ୍ତି ତ ହୋଇଛନ୍ତି-

 

ଶଙ୍କର ହଲଚଲ ହେଲା । ଆଖି ଖୋଲିଲା ଆସ୍ତେ ଆସ୍ତେ । ପ୍ରଥମେ ନଜର ପଡ଼ିଲା ବୋଉ ଉପରେ ।

 

‘‘ବୋଉ ମୁ କଉଠି ?’’

 

ତା ଆଡ଼କୁ ନଇଁ ପଡ଼ିଲେ ବୋଉ, ‘‘ଏଇଠି ବାପା, ସଙ୍ଗାତମାଉସୀ ଘରେ ।’’

 

ଶଙ୍କର ଆଖି ବୁଜିଲା । ‘‘ଉଃ’’ । ଜିଭକାଢ଼ି ଶୁଖିଲା ଓଠଟାକୁ ଓଦା କରିବାକୁ ଚେଷ୍ଟାକଲା । ପାଖରେ ଗିଲାସରେ ପାଣି ଥିଲା । ଗିଲାସଟା ବଢ଼େଇ ଦେଲା ମାନି ସଙ୍ଗାତମାଉସୀଙ୍କୁ । ଖଣ୍ଡେ ସଫାକନାକୁ ଓଦାକରି ଶଙ୍କରର ଓଠକୁ ଓଦାକଲେ ତା ବୋଉ ।

 

ପୁଣି ଆଖି ଖୋଲିଲା । ଚାହିଁଲା ଉପରକୁ । କ୍ରନ୍ଦନରତା ମାନିକୁ ଦେଖିଲା । ‘‘ମାନି, କଣ ହୋଇଛି ମୋର ?’’

 

ତା ପରେ ଚାରିଆଡ଼କୁ ଚାହିଁଲା– ‘‘ଆଃ ଉମି ।’’

 

ପୁଣି ଆଖି ବୁଜିଲା ସେ ।

 

‘‘କେତେବେଳୁ ବସିଛୁ ମା । ଅଣ୍ଟା ଲାଗିଯିବଣି ।’’ ମାନିକୁ କହିଲେ ଶଙ୍କରର ମାତା । ମୁଣ୍ଡ ହଲେଇ ମନାକଲା ମାନି ।

 

‘‘ବାଁ ହାତଟା ଆସ୍ତେ ଆସ୍ତେ ଉଠେଇଲା ଶଙ୍କର । ବିଡ଼ ବିଡ଼ କରି କଣ କହିଲା ।

 

କଣ କହୁଚି ପୁଅ ? ପୁଣି ନଇଁ ପଡ଼ିଲେ ବୋଉ ତା ଆଡ଼କୁ । ଆଖି ଖୋଲିଲା ଶଙ୍କର । ଚାହିଁଲା– ‘‘ଉମା କାହିଁ ଉମି ?’’

 

‘‘ଏଇ ଯେ ଭାଇନା ମୁ ଏଠି । ମାନି ଦେହକୁ ଲାଗି ବସି ପଡ଼ିଲା ଉମା । ଶଙ୍କରର ବାଁ ହାତଟା ନିଜମୁଠାରେ ନେଇ ତାର ଆଙ୍ଗୁଳିଗୁଡ଼ା ଆସ୍ତେ ଆସ୍ତେ ଚିପି ଦେଲା । ନଜର କଲା ମୁଦିଟା ନାହିଁ । କୁଆଡ଼େ ଗଲା ସେଇ ମୁଦିଟା, ଶଙ୍କର କହୁଥିଲା, ଉଆଶିଂଟନରେ କିଣିଥିଲା । ହୀରକ ଖଚିତ ଶୁଭ୍ରସୁବର୍ଣ୍ଣର ମୁଦ୍ରିକା ।

 

‘‘I have been hit on the head from behind. ସାମ୍ନାରେ ପାଇଥିଲେ ସେ ଲୋକଟା ଆଜି ଜୀବନ ନେଇ ଫେରି ନଥାନ୍ତା । ଜାଣୁ ଉମା ?’’ ହସର ରେଖା ଫୁଟିଲା ତା ମୁହଁରେ । ତାପରେ ପଚାରିଲା ‘‘ଏଟା ସଙ୍ଗାତମାଉସୀଙ୍କ ଘର ନା ?’’

 

‘‘ହଁ” ତା ବୋଉ କହିଲେ ।

 

‘‘ମୋତେ ଏଠିକି କିଏ ଆଣିଲା ?’’

 

‘‘ତୋ ମଉସା, ମାଉସୀ, ମାନି ।’’

 

‘‘ମାନି, yes, ମୁ ଚେତନା ହରେଇବା ଆଗରୁ ତାର କାନ୍ଦଣା ଶୁଣିଛି । But why ? I am not dead. I am only hurt." ପୁଣି ହସିଲା ଶଙ୍କର । ଆଖି ବୁଜିଲା ସେ ।

 

‘‘ଜାଣୁ ଉମି, ମାନି କାଲି ମୋତେ ଚା କରି ଦେଇଥିଲା । ଭାରି ସୁନ୍ଦର ଚା ।’’

 

କାନ୍ଦରେ ଥରି ଉଠୁଥାଏ ମାନିର ସର୍ବାଙ୍ଗ ।

 

ବୋଉ ପଚାରିଲେ– ‘‘ଚା ଖାଇବୁ ?’’

 

‘‘କିଏ ଦବ ?’’ ଆଖି ଖୋଲିଲା ଶଙ୍କର । “କିରେ ଉମି ପାରିବୁ ଚା କରି ?’’

 

‘‘ଏଇ ଯେ ଆଣୁଛି ଭାଇନା ।’’

 

ଶଙ୍କର ଆଖିବୁଜିଲା ପୁଣି ।

 

ପାଞ୍ଚ ମିନିଟରେ ଚା ହୋଇଗଲା । କାପ ଏବଂ ଚାମୁଚ ଧରି ଆସିଲା ଉମା ।

 

‘‘ଭାଇନା ?’’

 

‘‘ଇୟାଃ”

 

‘‘ଚା ଖାଅ ।’’

 

‘‘ଦେ । କିନ୍ତୁ ଖାଇବି କେମିତି ?’’ ଉପରକୁ ଚାହିଁଲା ସେ ।

 

‘‘ଏଇ ତ ମାନି । ସେତିକିବେଳୁ ତୁମ କୋଡ଼ରେ ମୁ ଶୋଇଛି ?’’

 

“କଣ ହେଲା ସେଠୁ ?’’ ଉମା କହିଲା । ‘‘ତୁମେ ସେମିତି ଶୋଇଥାଅ, ମୁ ଚାମୁଚରେ ଖୋଇ ଦଉଛି ।’’

 

ଆଖି ବୁଜିଲା ଶଙ୍କର । ଉମା ତାକୁ ଚା ଖୋଇଦେଲା । ଅଧକାପେ ଚା ଖାଇବା ସେ ।

 

‘‘ଆଃ, ଥେଙ୍କ ଇଉ । As good as Mani. Uma and Mani Mani and Uma, I need them both.’’

 

ବାପା ଉଠିଗଲେ ବାହାରକୁ । ମଉସା ମଧ୍ୟ ।

 

‘‘ଗୋଟାଏ ସିଗ୍ରେଟ ଦବୁରେ ଉମି ?’’ ଡାହାଣ ପକେଟରୁ ସିଗ୍ରେଟ ପେଡ଼ି କାଢ଼ିଲା ଶଙ୍କର । ଉମା ସିଗ୍ରେଟ ଲଗେଇ ଦେଲା ତା ଓଠରେ । ଦିଆସିଲି କାଢ଼ି ଜାଳି ଧରେଇ ଦେଲା ।

 

“Swell । Thanks ।’’

 

ଶଙ୍କର ଆଖି ବୁଜି ଧୀରେ ଧୀରେ ସିଗ୍ରେଟ ଟାଣିଲା ! ତା ପରେ ସେଟାକୁ ଲିଭେଇ ଉମାକୁ ଧରେଇ ଦେଇ କହିଲା– ‘‘ଫିଙ୍ଗି ଦେ ।’’

 

ବାହାରେ ଗାଡ଼ି ଠିଆହେଲା । ମାମୁ, ଚନ୍ଦ୍ରଶେଖର ଆଗେଇ ଆସିଲେ । ଟର୍ଚ୍ଚ ପକେଇ ଆଗ ଭଣଜାର ମୁହଟା ଦେଖିଲେ ମାମୁ । ଶଙ୍କର ବିକୃତ କଲା ମୁହଁକୁ । ତାପରେ ଉମାକୁ ଉଠେଇ ଦେଇ ଶଙ୍କରକୁ ପରୀକ୍ଷା କଲେ ।

 

‘‘ଜ୍ଞାନ ଫେରିଛି ?’’

 

‘‘ହଁ ।’’ ଶଙ୍କରର ବୋଉ କହିଲେ । ‘‘କଥାବାର୍ତ୍ତା କରୁଥିଲା । ଚା ଖାଇଛି ।’’

 

ଆଖି ଖୋଲିଲା ଶଙ୍କର, ‘‘I am allright uncle. But my head is aweful. I have been hit from behind ।’’

 

ମାନି କୋଡ଼ରୁ ଶଙ୍କରର ମୁଣ୍ତଟା ଉଠେଇ ନେଲେ ଡାକ୍ତର । “ତୁମେ ଉଠିଯାଅ ମା, ଲୁଗା ପାଲଟିବ । କି ଅବସ୍ଥା ହୋଇଛି ତୁମର ? ହାୟ, ହାୟ ।’’

 

ଧୀରେ ଧୀରେ ପଟି ଖୋଲିଲେ ଡାକ୍ତର । ମୁଣ୍ଡ ଯାକ ଚିନି ।

 

‘‘ପଟି କିଏ ବାନ୍ଧିଥିଲା ?’’

 

‘‘ମାନି ।’’ ତା ବୋଉ କହିଲେ ।

 

‘‘ଗୁଡ୍ ଉଆର୍କ ।’’

 

ମେଞ୍ଚାଏ ତୁଳା ସ୍ପିରିଟରେ ଭିଜେଇ ଆସ୍ତେ ଆସ୍ତେ ପୋଛି ଦେଲେ ଶଙ୍କରର ମୁହଁ–ବେକ–ମୁଣ୍ଡ । ଚିନିଗୁଡ଼ା ବାହାର କରି ଦେଲେ ।

 

ଟିକିଏ ଉକ୍ତ ଝରିଲା । ଟର୍ଚ୍ଚ ଆଲୁଅରେ ଦେଖିଲେ କ୍ଷତ ବେଶୀ ନୁହେଁ । ବାକ୍‍ସରୁ କଇଁଚି କାଢ଼ି ସେ ଜାଗାର ବାଳଗୁଡ଼ା କାଟି ଦେଲେ । ଷ୍ଟିଚ କରିବାକୁ ହବ ।

 

ଫୁଟାପାଣିରେ ଛୁଞ୍ଚି ଏବଂ ଗାଟକୁ ସିଝେଇ ନେଇ ତିନିଟା ଷ୍ଟିଚ କଲେ ମାମୁ । ବେଣ୍ଡେଜ ବାନ୍ଧିସାରି ଗୋଟାଏ ଛୋଟ ଶିଶି କାଢ଼ି ଔଷଧଟା ଢାଳିଦେଲେ ଶଙ୍କର ପାଟିରେ । ଶଙ୍କରର ମୁହଁ ବିକୃତ ହେଲା ।

 

"He is allright now ।’’ ଠିଆ ହେଲେ ମାମୁଁ । ‘‘ତାକୁ ବେଶୀ ହଲଚଲ କରିବା ଠିକ ହବନି । ଗାଡ଼ିରେ ନେଇଯିବା ।’’

 

‘‘I think, I can walk the distance’’ ହାତ ଟେକିଲା ଶଙ୍କର । ଚନ୍ଦ୍ରଶେଖର ଓ ମାମୁଁଙ୍କ ସାହାଯ୍ୟରେ ସେ ଯାଇ ଗାଡ଼ିରେ ବସିଲା । ତା ଦୁଇପାଖରେ ବସିଲେ ବୋଉ ଏବଂ ଉମା । ରାଜା ଆଉ ମାମୁଁ ଆଗରେ ବସିଲେ । ଅନ୍ୟମାନେ ଚାଲିଲେ । ଧୀରେ ଧୀରେ ଗାଡ଼ି ଯେତେବେଳେ ଗାଁ ଦାଣ୍ଡରେ ଯାଉଛି, ସବୁଘରୁ ଲୋକ ବାହାରି ଏ ପ୍ରସେଶନ ଦେଖିଲେ । କେବଳ ବଡ଼ବାପାଙ୍କ ଦାଣ୍ଡ ଦୁଆର ବନ୍ଦ ଥିଲା ।

 

–ଉଣେଇଶ–

 

ଲୁଗାପଟା ବଦଳେଇ ଶଙ୍କରକୁ ଶୋଇ ଦିଆଗଲା ତା ବିଛଣାରେ ।

 

ଭାଇନାମ ଗେଲିସିଆର କାମ ସେତେବେଳକୁ ଆରମ୍ଭ ହେଲାଣି ଶଙ୍କରର ମଗଜରେ ।

 

ସେ ଆରାମ କରି ଶୋଇବା ପରେ, ମାମୁ ପଚାରିଲେ– ‘‘ବଥା ଲାଗୁଛି ?’’

 

‘‘ନା’’ । ଶଙ୍କର ମନା କଲା । “ମୁଣ୍ଡଟା ଯାହା ଭାରି ଲାଗୁଛି ।’’ ଆଖି ବୁଜି ଶୋଇଥାଏ ଶଙ୍କର । ଉମା ତା ଛାତି ଉପରଯାକେ କମ୍ବଳଟା ଢାଙ୍କି ଦେଲା ।

 

‘‘ଏଥର ସେ ବିଶ୍ରାମ କରୁ । ଆମେ ବାହାରକୁ ଯିବା ।’’ ଘରୁ ଆସ୍ତେ ଆସ୍ତେ ବାହାରି ଆସିଲେ ସମସ୍ତେ । ଉମା ସମସ୍ତଙ୍କ ପଛରେ ।

 

‘‘ଉମି’’ ।

 

ଫେରିଗଲା ଉମା ବିଛଣା ପାଖକୁ ।

 

‘‘ମାନି କାହିଁରେ ?’’

 

‘‘ତାଙ୍କ ଘରେ ।’’

 

‘‘ଆସିବନି ?’’

 

‘‘ଆସିବ ହୁଏତ ।’’

 

‘‘କେତେବେଳେ ଆସିବ ?’’

 

“ଆଚ୍ଛା, ମୁ ତାକୁ ଡାକି ଆଣୁଛି ।’’

 

‘‘ଶୀଘ୍ର ଆସିବୁ ?’’

 

ଚୁପ୍‍ଚାପ ଶୋଇ ଅନୁଶୀଳନ କଲା ସେ ଘଟଣା । ସେ ଫେରୁଥିଲା ବୁଲି ସାରି । ମାନି ଘର ଆଗରେ ପହଞ୍ଚିଛି– କିଏ ଗୋଟାଏ ଲୋକ, ଗଛ ତଳର ଅନ୍ଧାରରେ ତାକୁ ଆଘାତ କଲା ଠେଙ୍ଗାରେ । ସେ ବସି ପଡ଼ିଲା । ତାପରେ ସେ ଦେଖିଲା, ଶୋଇଛି ମାନି କୋଡ଼ରେ । ମାନିର ସେଇ ଚାହାଣି, ଲୁହରେ ଧୌତ, ବେଦନାରେ ଆପ୍ଳୁତ । ମୁଣ୍ଡର ବ୍ୟଥା ସତ୍ତ୍ୱେ ସେ ତା ଛାତି ଭିତରେ ଅନୁଭବ କଲା ଏକ ଶିହରଣ । ମାନି ଆଉ ଉମା, ଦୁଇ ସଖୀ । ଜଣେ ତାର ଭଗ୍ନୀ–ଆର ଜଣକ ପ୍ରିୟା । ଏମାନେ ତାର ଏଇ କେତୋଟି ଦିନର ଜୀବନକୁ ପରିପୂର୍ଣ୍ଣ କରି ରଖିଛନ୍ତି । ଦୁହେଁ ଅନନ୍ୟା । ଦୁହିଁଙ୍କର ସେବା ସେ ଦୁଇ ହାତରେ ନେଇଛି । ସେଥିଲାଗି ସେମାନଙ୍କ ପାଖରେ ସେ କୃତଜ୍ଞ ।

 

ବୋଉ ପଶି ଆସିଲେ । ହାତରେ ଦୁଧଗିନା । ଚାହିଁଲା ଶଙ୍କର ।

 

‘‘କଣ ବୋଉ ?’’

 

‘‘ଗରମ ଦୁଧ ଟିକିଏ ଖାଇବୁ ବାପା ?’’

 

‘‘ଦେ ।’’

 

ପାଞ୍ଚ ସାତ ଚାମଚ ଦୁଧ ଖାଇଲା ସେ ।

 

ଲୁଗା କାନିରେ ତାର ମୁହଁ ପୋଛିଦେଲେ ବୋଉ ।

 

“ତୋ ମାମୁଁ କହିଲା, ଆଜି ତୁ ତରଳ ଖାଦ୍ୟ ଖାଇବୁ ?’’

 

‘‘ଉମା ଆସୁ, ସେ ବ୍ୟବସ୍ଥା କରିବନି । ତୁ କାହିଁକି ବ୍ୟସ୍ତ ହଉଛୁ ?’’

 

‘‘ବ୍ୟସ୍ତ କଣ ଖୁସିରେ ହଉଛି ? ସୁନାଚାନ୍ଦ ପରି ପୁଅକୁ ମୋର ଗୁଣ୍ଡା ଲଗେଇ ମାଡ଼ ଦଉଛନ୍ତି । ହଉ ଠାକୁରେ ବୁଝିବେ ।’’

 

ଉମା ଆସି ଠିଆ ହେଲା । ତା ପଛରେ ମାନି । ପିନ୍ଧିଛି କାଲିକାର ଶାଢ଼ି ଓ ସ୍କାର୍ଫ ।

 

‘‘ଠାକୁରେ କଣ ବୁଝିବେ ବୋଉ ?’’

 

“ଏଇ ବୁଢ଼ାକୁ ମାଇଲେ ଯିଏ...’’

 

‘‘ତାଙ୍କର ଜୟ ହଉ । ତୋ ହାତରେ କଣ ?’’

 

‘‘ଦୁଧ, ଗରମ କରି ଆଣିଥିଲି । ବୁଢ଼ା ଅଳ୍ପ ଖାଇଲା ।’’

 

‘‘ସଙ୍ଗୀତମାଉସୀ ଆସିଛନ୍ତି । କ’ଣ ରନ୍ଧା ହବ ବରାତ କର । ମାନି ଆଉ ମୁ, ଆମର ଡିଉଟି ଏଠି । ପାଳିକରି ଜଗିବାକୁ ହବ ଭାଇନାଙ୍କୁ ରାତିସାରା । ବାପା, ମାମୁ, ଜୋଇଁ, ପୁଅ, ନାତି ଏବଂ ଆମେ କେହି ଯେମିତି ଓପାସ ନରହୁଁ ।’’

 

“ନାଲୋ । ଓପାସ କାହିଁକି ରହିବ ? ମୁଁ ଯାଉଛି । ସଂଗାତ ଆଉ ମୁ ଦିଜଣ ବସିଲେ ଘଣ୍ଟାକରେ ରୋଷେଇ ଶେଷ ।’’

 

‘‘ଗୋଟାଏ ଚୁଲି ଖାଲି ରଖିଥିବୁ ବୋଉ । ଦରକାର ହବ ।’’

 

‘‘ହଉ ।’’

 

ବୋଉ ବାହାରିଗଲେ । ଶଙ୍କର ପାଖକୁ ଆଗେଇ ଗଲେ ଏମାନେ ।

 

‘‘ଭାଇନା’’ ଉମା ଡାକିଲା ।

 

‘‘ଉଁ’’, ଆଖି ବୁଜି ଶୋଇଛି ଶଙ୍କର ।

 

‘‘ଭଲ ଲାଗୁଛି ?’’

 

‘‘ହୁଁ ଉଁ ଉଁ ।’’

 

‘‘ସିଗ୍ରେଟ ଦେବି ?

 

‘‘ଦେ ।’’

 

‘‘ନିଦ ମାଡ଼ୁଛି କି ?’’

 

‘‘ନା’’

 

‘‘କି ଦୁର୍ଯୋଗ କୁହ ତ । ବୁଲି ଯାଇଥିଲ ଶରୀରକୁ ସୁସ୍ଥ କରିବାକୁ । ଫେରିଲ ମୁଣ୍ଡ ଫଟେଇ ।’’

 

‘‘ଜାଣୁରେ ଉମି ?’’ ସେମିତି ଆଖି ବୁଜି ଶୋଇ କହିଲା ଶଙ୍କର, ‘‘ଖରାପ ଆଉ ଭଲ ଗୋଟାଏ ଜିନିଷର ଦୁଇ ପାଖ । ତୁ କ୍ଷତିଟା ଦେଖୁଛୁ । ମୁଁ ଦେଖୁଛି ଲାଭଟା ।’’

 

‘‘ଏଥିରେ ଲାଭ କଣ ଅଛି ଭାଇନା ?’’

 

‘‘ଅଛିରେ । ମାନି କୋଡ଼ରେ ମୁଣ୍ଡ ରଖି ଶୋଇଛି । ଅନେଇ ଦେଖଁ ମାନିର ସେଇ ବେଦନାର୍ତ ମୁହଁ । କି ଅପୂର୍ବ, କି ସ୍ୱର୍ଗୀୟ । ତାର ଏ ଚେହେରେଟା ମୁଁ ଦେଖି ନଥିଲି ।’’

 

ହସି ଉଠିଲା ଉମା । ‘‘ମାନି ଏଇଠି ଠିଆ ହୋଇଛି ଭାଇନା ?’’

 

ଆଖି ଖୋଲିଲା ଶଙ୍କର । ଅନେଇଲା ଉମା ଆଉ ମାନିକୁ । ହସିଲା ।

 

‘‘କାହିଁ ସିଗ୍ରେଟ ଦେ ?’’

 

ସିଗ୍ରେଟ ଦେଲା ଉମା । ଲାଇଟାର ଜାଳି ଧରେଇ ଦେଲା । ସିଗ୍ରେଟ କେଶକୁ ତକିଆ ପାଖରେ ରଖି ଉମା ପଚାରିଲା– “କଣ ଖାଇବ ଭାଇନା ?’’

 

‘‘ମାମୁଁ ଯାହା କହିବେ ? ମୁଁ ବର୍ତ୍ତମାନ ପେସେଣ୍ଟ ।’’

 

‘‘ସେ ତ କହିଲେ ଲିକୁଇଡ଼ । ସୁପ କରି ଦେବି ? ସୁରୁଆ ?’’

 

‘‘ତୋର ଖୁସି ।’’

 

‘‘ମାନି ତୁ ଥା । ମୁ ବ୍ୟବସ୍ଥା କରିଦେଇ ଆସେଁ ।’’

 

ମାନି କିଛି କହିବା ପୂର୍ବରୁ ସେ ଚାଲିଗଲା ।

 

କିଛିକ୍ଷଣ ନିସ୍ତବ୍‍ଧ ଘରଟା । ମାନି ସେମିତି ଠିଆହୋଇ ଅନେଇ ଥାଏ ଶଙ୍କରକୁ ।

 

‘‘ମାନି’’

 

‘‘ଉଁ’’

 

‘‘ପାଖକୁ ଆସି ବସ ମୋ ପାଖରେ ।’’

 

ମାନି ଯାଇ ତା ପାଦତଳେ ବସିଲା । ଶଙ୍କର ବୁଝିଲା, ମାନି ତା ଗୋଡ଼ରେ ହାତ ବୁଲଉଛି ।

 

‘‘ମାନି ?’’

 

‘‘କୁହ ।’’

 

‘‘କିଛି ପଚାରିଲନି ମୋତେ ? କେମିତି ଅଛି ମୁ ।’’

 

ମାନି ନିରୁତ୍ତର । ଶଙ୍କର ଚାହିଁ ଦେଖିଲା । ସେ କାନ୍ଦୁଛି ।

 

‘‘ଛି କାନ୍ଦନି । ଶ୍ରେୟ ପାଇବାକୁ ହେଲେ ବହୁତ ବାଧାବିଘ୍ନ ପାରେଇବାକୁ ହବ । କାନ୍ଦିଲେ ହାରିଯିବ । ଆହୁରି ଟାଣ ହବାକୁ ହେବ । ଯୁଦ୍ଧ ସରିନି ।’’

 

‘‘କଣ କରିବି କୁହ ?’’ ଆଖି ପୋଛି ସେ ପଚାରିଲା ।

 

‘’କିଛି ନା । ତୁମେ ଆଜି ରାତିଟା ମୋ ପାଖରେ ରହିଲେ ମୁ କାଲିକି ଭଲ ହୋଇଯିବି-।’’

 

‘‘ରହିବି ।’’

 

‘‘ଉମା ବି ରହିବ ।’’ ଶଙ୍କର ଆଶ୍ୱାସନା ଦେଲା ତାକୁ ।

 

ବାଁ ହାତଟା ବଢ଼େଇ ଦେଲା ଶଙ୍କର କମ୍ବଳ ଭିତରୁ ବାହାର କରି । ଇଚ୍ଛା ଆଙ୍ଗୁଳିଗୁଡ଼ାକୁ ଟିପିଦଉ ମାନି । ମାନି ଆଗେଇ ବସିଲା, ମୁଣ୍ଡର ଲୁଗାଟାକୁ କପାଳ ଉପରକୁ ଟାଣିଦେଇ । ଆସ୍ତେ ଆସ୍ତେ ଶଙ୍କରର ହାତ ଟିପିଦେଲା କହୁଣି ପର୍ଯ୍ୟନ୍ତ ।

 

ଉମା ଆସିଲା ।

 

‘‘ବାଃ ବେଶ ଜମିଛି ତ ?’’ ହସର ଝରଣା ଝରେଇଲା ସେ ।

 

ମାନି ହାତଟା ଛାଡ଼ି ଦବ କି ନା ଭାବୁଛି, ଶଙ୍କର ତାର ଦିଟା ହାତକୁ ବାଁ ହାତରେ ଧରି ରଖିଲା ।

 

‘‘ମୁ ରୋଗୀ । ମୋର ସାତଖୁଣ ମାଫ ।’’

 

‘‘ସାତ କାହିଁକି ସତୁରି ଖୁଣ ବି ମାଫ ?’’ ଉମା କହିଲା ହସ ଭିତରେ ।

 

ମାନି ହାତ ଟିପୁଛି । ଉମା ଦେଖିଲା ଭାଇନାର ସେଇ ହୀରା ମୁଦିଟା ମାନିର ଡାହାଣହାତ ମଝି ଆଙ୍ଗୁଳିରେ । ଚେୟାରଟାକୁ ଟାଣି ଆଣି ବସିଲା ଉମା ଶଙ୍କରର ମୁଣ୍ଡ ଆଡ଼କୁ ।

 

‘‘ଭାଇନା, ତୁମ ମୁଦି କାହିଁ ?’’

 

ଅଟକି ଗଲା ମାନିର ହାତ ।

 

‘‘ସେଇ ଲୋକଟା ନେଇଗଲା ।’’ ଶଙ୍କର ହସିଲା ।

 

‘‘କିଏ ?’’

 

‘‘ଯେ ମୁଣ୍ଡ ଫଟେଇଛି ।’’

 

‘‘ତୁମେ ଭାରି ମିଛୁଆ ।’’

 

‘‘ମୁ ମିଛୁଆ ? ମାନିକୁ ପଚାରିଲୁ, ସେ କଣ କହୁଛି ?’’

 

ମାନି ନିଜ ଆଙ୍ଗୁଳିରୁ ଖୋଲୁଛି ମୁଦି । ଗର୍ଜି ଉଠିଲା ଉମା, ‘‘ମୁଦି କାଢ଼ୁଛୁ ଯେ ? ବେଶୀ ଅହଂକାର । ବହୁତ ପାଉଛୁ ନା ? ମୁ ପଚାରିଲି ଠାକୁର ଘରେ କିଏ ? ନା, ମାନି କହୁଛି ମୁ କଦଳୀ ଖାଇନି ।’’

 

ଯୋରେ ହସିବାକୁ ଯାଇ କଷ୍ଟରେ ରହିଗଲା ଶଙ୍କର । ଉମା ଡରିଗଲା, ମାନି ବି ।

 

‘‘କଷ୍ଟ ହଉଛି ଭାଇନା ?’’

 

‘‘ନାଁରେ । ମୁଣ୍ଡଟା ଭାରି ଲାଗୁଛି, ଏଇ ଯା ।’’

 

‘‘ତୁମେ ଶୁଅ ତ ।’’ ଉମା କଂଠରେ ଆଶଂକା ।

 

"ମୁ ଶୋଇଲେ, ତୁମେ ସବୁ ଚାଲିଯିବ, ଏଇ ମତଲବ ?’’ ହସିଲା ସେ ।

 

‘‘ନା ସତରେ, ତୁମର ବିଶ୍ରାମ ଦରକାର । ତୁମେ ଶୁଅ ।’’ ଉମା କହିଲା । ମାନି ଉଠି ଠିଆହେଲା ।

 

‘‘ତୁମେ.ଚାଲିଗଲେ ମୁ ଷ୍ଟିଚ ଖୋଲିଦେବି । ରକ୍ତ ସବୁ ବୋହିଯିବ । ଆସିକି ଦେଖିବ, ମୁ ମରି ଯାଇଛି ।’’ ଶଙ୍କର ଧମକେଇଲା ହସି ହସି ।

 

‘‘ନିଷ୍ଠୁର ! ତୁମେ ପୁରୁଷଗୁଡ଼ାକ ଭାରି ସ୍ଵାର୍ଥପର । ଖାଲି ଆଦାୟ କରି ଜାଣ ।’’ ଉମାର ଅଭିଯୋଗ ।

 

‘‘ତାର କାରଣ ତୁମେ ଦିଅ । ଯେ ଦେଇ ଜାଣେନି, ସେ ପାଇବାର ମଜା ଜାଣେନି ।’’ ଶଙ୍କରର ପ୍ରତ୍ୟୁତ୍ତର ।

 

ଉମା ଆଉ ମାନି କାବା ହେଲେ । କଣ କହୁଛି ଶଙ୍କର ?

 

ବସି ପଡ଼ିଲା ମାନି ତା ଜାଗାରେ । ହାତଟା ପୁଣି ଟେକିନେଲା । ଧୀରେ ଧୀରେ ଚାପିଲା ଶଙ୍କରର ଆଙ୍ଗୁଳିକୁ ନିଜ ଆଙ୍ଗୁଳିରେ ଗୁନ୍ଥି । କି ନରମ ମାନିର ଆଙ୍ଗୁଳି ଗୁଡ଼ା । ଶଙ୍କରର ଆଖି ବୁଜିଗଲା ।

 

‘‘ଉମି ।’’

 

“କଣ ଭାଇନା ?’’

 

‘‘ରାଜା ଶୋଇଲାଣି ?’’

 

‘‘ହଁ ତାକୁ ତା ବାବାଙ୍କ ପାଖରେ ଶୋଇ ଦେଇ ଆସିଛି ।’’

 

‘‘ସେ ବିଚାରି ଡରିଯାଇଥିବ ?’’

 

‘‘ନା, ରାଗିଛି ସେ । କାଲି ପିସ୍ତଲ ଆଉ ଛୋରା ନେଇ ସେଇ ଲୋକଟାକୁ ମାରି ଦବ କହିଛି ।’’

 

‘‘ଗୁଡ଼ । ବଣି ଅଛି ନା ?’’

 

‘‘ସେ ମାମୁଙ୍କୁ ଛାଡ଼ିବାକୁ ଯାଇଛି ।’’

 

‘‘ବାପା କଣ କରୁଛନ୍ତି ?

 

‘‘ଶୋଇଛନ୍ତି । ମାମୁ କହିଲେ ରକ୍ତଚାପ ବଢ଼ିଛି ।’’

 

ଶଙ୍କର ଚୁପ କରିଗଲା । ବାପାଙ୍କ ଦେହ ଏଠି ଭଲ ରହୁନି ସେ ଜାଣେ । ତାଙ୍କୁ କଲିକତା ନେଇ ଭଲ ଡାକ୍ତରଦ୍ୱାରା ପରୀକ୍ଷା କରେଇବାକୁ ହବ । ସେ ଆଗେ ବସା ବାନ୍ଧୁ କଲିକତାରେ ।

 

‘‘ଏଇଖିଣି ଖାଇବ ଭାଇନା ?’’

 

‘‘ନା, ପରେ । ତୁମେ ଜଣେ ଜଣେ ଖାଇବାକୁ ଯିବ । ତୁ ଖାଇ ଆସିଲା ବେଳକୁ ସୁପ ନେଇ ଆସିବୁ ?’’

 

‘‘ତା ମାନେ ? କିଏ ଆଗେ ଯିବ ? ମୁ ନା ମାନି ?’’ ହସି ପଚାରିଲା ଉମା ।

 

‘‘ମୁ କିଛି ଖାଇବିନି ଉମା ।’’ ମାନିର ମୀନତି ।

 

‘‘ବହୁତ ରକ୍ତ ବୋହିଛି ଆଜି । ଉଃ ।’’ ଶିହରି ଉଠିଲା ଉମା ।

 

‘‘ମୋର ବି ଖାଇବାକୁ ଇଚ୍ଛା ନାହିଁ ।’’

 

ମାନି ଆଡ଼କୁ ଅନେଇ କହିଲା– ‘‘ଶୁଣ, ଏଠି ଗୋଟାଏ ବିଛଣା କରିବା । ପାଳିକରି ଶୋଇବା ।’’

 

‘‘ତୁମେ ଶୁଅ । ମୁ ଏଠି ବସିଛି ।’’

 

‘‘ଓ ଭାରି ଦରଦ ଯେ । ନା ସେ କଥା ହବନି । ଦେହ ଖରାପ ହବ । କାଲି ପୁଣି...’’

 

‘‘କାଲିକି ଦରକାର ହବନିରେ ଉମି । ମୁ ଜବାବ ଦେଇଛି, ସେ ଆଜି ମୋ ପାଖରେ ରହିଲେ, କାଲିକି ମୁ ଭଲ ହୋଇଯିବି ।’’

 

“ଓ, ଏତେ କଥା ୟା ଭିତରେ । ହଉ । ମୁ କିନ୍ତୁ ବାବା ଟିକିଏ ଶୋଇବି । କାଲି ବହୁତ କାମ । ୟେ ବାହାଲେଣି ଯିବେ ବୋଲି । ଦେଖାଯାଉ କଣ ହଉଛି । ମୁ ବିଛଣା ଆଣେ ।’’ ସେ ଚାଲିଗଲା ।

 

‘‘ମାନି ?’’

 

‘‘ଉଁ ।’’

 

‘‘ସେ ମୁଦି ଖୋଲିବାର ଅଧିକାର ତ ମୁ ତୁମକୁ ଦେଇନି ।’’

 

‘‘ମୋର ଅପରାଧ ହୋଇଛି । ମତେ କ୍ଷମା କର ।’’

 

‘‘ଆମ୍ଭେ ତୁମ୍ଭକୁ କ୍ଷମା କଲୁଁ ।’’ ହସିଲା ଶଙ୍କର । ମାନିର ଗୋଟାଏ ହାତକୁ ଧରି କହିଲା– ‘‘ମୁ କିଛିଦିନ ପାଇଁ କଟକ ଯିବି ।’’

 

ମାନି ନୀରବ ।

 

‘‘ଉମା ବି ଏଠି ରହିବନି ।’’

 

ତଥାପି ମାନି ନୀରବ ।

 

‘‘ତୁମର କିଛି ଅସୁବିଧା ହବନି ତ ?’’

 

‘‘ନା ।’’

 

ଶଙ୍କରର ମନେହେଲା ଏ ଝିଅଟାକୁ ଅନୁଗ୍ରହ ଦେଖେଇଲେ ସେ ଗ୍ରହଣ କରେ । ଯେମିତି ସେଟା ତାର ପ୍ରାପ୍ୟ । ନ ଦେଖେଇଲେ କିଛି କହେନି । ଭାବେ ସେଥିରେ ତାର ଅଧିକାର ନାହିଁ । ଉମା କିନ୍ତୁ ମାନି ନୁହେଁ । ସେ ତାର ଭାଗ ଆଦାୟ କରିନବ । ମାନିର ବିଶେଷତ୍ୱ ତାର ତ୍ୟାଗରେ ।

 

ଆଖିବୁଜି ପଛକୁ ଚାଲିଗଲା ଶଙ୍କର । ଏଇ ମାନିପରି ଗୋଟିଏ ଝିଅ ସେ ଦେଖିଥିଲା ହାଇଡେଲବାର୍ଗରେ । କେଥେରିନ ଗୁସବାର୍ଗ । ଭାରି ନିରୀହ, ଅଥଚ ନିଜ ବିଷୟରେ ସଚେତନ । ସେଇ ଝିଅଟା ଦିନେ ତାକୁ କେଣ୍ଟିନରେ କହିଥିଲା, ତୁମର ସାବିତ୍ରୀ ପରି ଚରିତ୍ର ପୃଥିବୀର କୌଣସି ସାହିତ୍ୟରେ ନାହିଁ । ଭାରତୀୟ ବ୍ରାହ୍ମଣମାନଙ୍କୁ ଭାରି ଶ୍ରଦ୍ଧା କରୁଥିଲା । ଦିନେ ଗପ କରୁ କରୁ କହିଲା, ମୋତେ ଯଦି କେହି ବ୍ରାହ୍ମଣ କରି ଦିଅନ୍ତା, ମୁ ହୋଇଯାନ୍ତି । ଶଙ୍କର କହିଥିଲା, ବ୍ରାହ୍ମଣ ହୋଇ ଜନ୍ମ ନ ହେଲେ ହେବା ସମ୍ଭବ ନୁହେଁ, ଆଜିକାଲି । ସେ ଉତ୍ତର ଦେଇଥିଲା, ସର୍ବସ୍ୱ ତ୍ୟାଗ ଯେ କରିପାରେ, ସେହି କେବଳ ବ୍ରାହ୍ମଣ ପଦବାଚ୍ୟ । ପୃଥିବୀରେ ବର୍ତ୍ତମାନ ବ୍ରାହ୍ମଣ ଅଛନ୍ତି କି ନା ସନ୍ଦେହ ।

 

ହାଇଡେଲବାର୍ଗ ଛାଡ଼ିବା ପୂର୍ବରୁ ସେ ତାକୁ ଚା ଖାଇବାକୁ ଡାକିଥିଲା । ପେଟେ ଖୁଏଇଲା ତାକୁ । ବିଦାୟ ନେଲା ବେଳକୁ କଂଠଲଗ୍ନା ହୋଇ ପଚାରିଲା– ତୁମେ ମୋତେ ଗୋଟାଏ ଚୁମା ଦବନାହିଁ ? ତା ପରେ ତାକୁ ଏତେ ଜୋରରେ ଜାକି ଧରିଲା ଯେ ଶଙ୍କର ପ୍ରାୟ ଦୁଇ ମିନିଟ ତାର ବାହୁ ବଂଧନରେ କଟେଇଥିଲା । ଓଠଟା ଉଠେଇ ନେଇ ତା ଆଡ଼କୁ ଅନେଇ ଦେଖେ, ସେ ଚାହିଁଛି ଶଙ୍କର ମୁହଁକୁ, ଆଖିରେ ତାର ଅତୃପ୍ତୀ ।

 

ଉମାର କଂଠସ୍ଵର ।

 

‘‘ଭାଇନା ଶୋଇଲେ କି ?’’ ଆସ୍ତେ ଆସ୍ତେ ପଚାରୁଛି ଉମା ।

 

ଚାହିଁଲା ଶଙ୍କର । ଉମା ବିଛଣାଟା ଗଦେଇ ଦେଲା ତଳେ, ଶଙ୍କରର ଗୋଡ଼ ଆଡ଼କୁ ।

 

‘‘ଆମେ ଏଠି ଶୋଇବା ଭାଇନା ।’’

 

‘‘ବହୁବଚନରେ କହୁଛୁ ଯେ ? ଶଙ୍କର ହସିଲା । ଉମା ମଧ୍ୟ ।

 

‘‘ତାକୁ ଟିକିଏ ଛାଡ଼ିବନି ?’’

 

‘‘ମୁ ତ କାହାରିକି ଅଟକେଇନି ।’’

 

‘‘ତୁମେ କଣ ଅଟକେଇଛ । ଅଟକେଇଛି ତାର ନିୟତି । ସେ ବି ଶୋଇବ କି ଭରସାରେ । ଯେ ଧମକ ଦେଇଛ ?’’

 

‘‘ଧମକ କଣ ଦେଲିରେ ?’’

 

‘‘ଷ୍ଟିଚ ଖୋଲିବାର ।’’

 

ଏଥର ଯୋରେ ହସି ଉଠିଲା ଶଙ୍କର ।

 

‘‘ଗୋଟାଏ ଝିଅ କଥା ଭାବୁଥିଲି ।’’

 

‘‘କିଏ ସେ ?’’ ବିଛଣା କରୁ କରୁ ପଚାରିଲା ଉମା ।

 

“ତା ନା, ଧର କେଥେରିନ । ମୋ ସାଙ୍ଗରେ ପଢ଼ୁଥିଲା ।’’

 

‘‘ବୟସ କେତେ ?’’

 

‘‘ଏଇ ମୋରି ବୟସୀ । ବର୍ଷେ ଦିବର୍ଷ ଏପାଖ ସେପାଖ ହୋଇପାରେ । ଦିନେ ମୋତେ କଣ କହିଲା ଜାଣୁ ?’’

 

‘‘କଣ ?’’

 

‘‘କହିଲା, ମୋତେ ଯଦି କେହି ବ୍ରାହ୍ମଣ କରି ଦିଅନ୍ତା ?’’

 

“ତାହେଲେ ତୁମକୁ ବରଣମାଳା ଦିଅନ୍ତା ।’’

 

ହସି ଉଠିଲା ମାନି ।

 

“ସେ ଗୁଡ଼ା ଭାରି ବଜ୍ଜାତ ଝିଅ । ମୁ ଜାଣେ ସେମାନଙ୍କ କଥା । ସେ ଦେଶର ଝିଅମାନେ ସ୍ୱାମୀ ଶିକାର କରନ୍ତି । ୟେ ତ କହୁଥିଲେ, ସେଠି ସବୁ ସ୍କୁଲ ଅଛି, ଏ ବିଷୟରେ ଶିକ୍ଷା ଦିଆଯାଏ ।’’

 

ହସିଲା ଶଙ୍କର ଉମା କଥାରେ ।

 

‘‘ତୁ ଜାଣୁନି ବୋଲି ତ ମୁ କହିନି । ମୋ କଥାଟା ଶୁଣି ସାର ଆଗେ ?’’

 

“କୁହ ।’’

 

ଅନେଇଲା ଶଙ୍କର ମାନି ଆଡ଼କୁ । ହସିଲା ଟିକିଏ ।

 

“ସେଇ କେଥେରିନର ଭାରତ ଆସିବାର ଇଚ୍ଛା ନ ଥିଲା । ସମ୍ବଳ ବି ନଥିଲା । କିନ୍ତୁ ଭାରି ଭଲ ଝିଅଟା । ମୋର ଅନେକ ଛିଣ୍ଡାମୋଜାକୁ ମରାମତ କରିଛି । ଖାଇବାକୁ ଡାକେ ଯେବେ ତେବେ । ଥରେ ଜରରେ ପଡ଼ିଲି ମୁଁ– ‘‘ଫ୍ଲୁ'' । ଭାରି ଡରନ୍ତି ଏ ରୋଗକୁ ସେଠି । କେହି ମୋ ଦୁଆର ମାଡ଼ିଲେ ନାହିଁ । ସେଇ କେଥେରିନ କେବଳ ଆସିଲା ଏବଂ ସାତଦିନ କାଳ ମୋତେ ସେବାକରି ସୁସ୍ଥକଲା । ଜର ଦେଖେ, ଔଷଧ ଦିଏ, ପଥ୍ୟ ରାନ୍ଧେ, ଡାକ୍ତର ଡାକେ, ସଫା କରେ । ବହୁତ କରିଛି ମୋର ସେ ।’’

 

‘‘ତାପରେ ?’’ ଉମା ପଚାରିଲା, “ବ୍ରାହ୍ମଣ ହେଲା ?’’

 

‘‘ନା’’ ହସି ଉତ୍ତର ଦେଲା ଶଙ୍କର ।

 

ହଠାତ ଉମା ପଚାରିଲା– ‘‘ମାନି କି ଜାତିର ଝିଅ ଭାଇନା ?’’

 

‘‘ଉମା କି ଦୁଷ୍ଟ ଦେଖୁଛ ମାନି ?’’ ମାନି ଲାଜରେ ତଳକୁ ମୁହଁ କଲା ।

 

‘‘ଉତ୍ତର ତୁମେ ନ ଦିଅ । ସେ କଣ ମୁ ଜାଣେ ।’’

 

‘‘କଣ ସେ ?’’

 

‘‘ତୁମକୁ କାହିଁକି କହିବି ?’’

 

‘‘ନ କହ ।’’

 

ମୁଁ ଦେଖେ ସୁପ ହେଲା ନା ନାହିଁ ।’’ ଚାଲିଗଲା ଉମା ।

 

‘‘ମାନି ।’’

 

‘‘ଗୋଡ଼ ମୋଡ଼ିଦେବି ?’’

 

‘‘ନା ।’’

 

‘‘ଭଲ ଲାଗୁନି ?’’

 

‘‘ତୁମେ ମୋ ପାଖରେ ବସିଛ । ଏଇ ଉପଲବ୍‍ଧିଟା ମଧୁର । ଆଲୁଅଟା କମେଇ ଦେବ ।’’

 

ଆଲୁଅଟା କମେଇ ଦେଇ ମାନି ଯାଇ ବସିଲା ଖଟରେ ।

 

‘‘ତୁମେ ଟିକିଏ ଛିକି ଖାଇଆସ ମାନି ?’’

 

‘‘ମୁ ଖାଇବିନି କିଛି ।’’

 

‘‘ଦେହ ଭଲ ଲାଗୁନି !’’

 

“ନା ମନ ହଉନି ।’’

 

‘‘ଖୁବ କଷ୍ଟଦେଲି ତୁମକୁ ।’’

 

“ତୁମ କଷ୍ଟ ତୁଳନାରେ ସେ କିଛି ନୁହେଁ ।’’

 

ବାଃ, ମାନି ତ ବେଶ କଥା କହିପାରେ । ଆଖି ବୁଜିଲା ଶଙ୍କର । ଶୋଇ ପଡ଼ିଲା ସେ ।

 

ଉମା ପଶିଲା ଟ୍ରେ ଧରି । ଗୋଟାଏ ପଥୁରିବାଟିରେ ଆଣିଛି ଗରମ ଗରମ ସୁରୁଆ, ଗୁଆଘିଅରେ ବଘାରି । ବାସନାରେ ଘରସାରା ମହକି ଉଠିଲା । ଟ୍ରେଟା ଟେବୁଲ ଉପରେ ରଖିଲା-। ମାନିକୁ ପଚାରିଲା ‘‘ଶୋଇଛନ୍ତି ?’’ ମାନି ମୁଣ୍ଡ ହଲେଇ ହଁ କଲା ।

 

ନିଦ ଭାଙ୍ଗିଗଲା ଶଙ୍କରର । ଚାହିଁଲା ସେ । ସେଇ ସ୍ୱଳ୍ପାଲୋକରେ ସେ ଉମାକୁ ଦେଖିପାରିଲା । ସୁରୁଆର ବାସ୍ନା ତାର କ୍ଷୁଧା ଉଦ୍ରେକ କଲା ।

 

‘‘ଉମି, ସୁପ ଆଣିଛୁ ?’’

 

“ହଁ ଭାଇନା । ଫୁଟୁଛି । ଟିକିଏ ଥଣ୍ଡା ହଉ ଖାଇବ । ଆଲୁଅଟା ତେଜି ଦେବି ?’’

 

‘‘ଦେ ।’’

 

ଆଲୋକିତ ହେଲା ଘରଟା । ବୋଉ ଆସିଲେ । ଚନ୍ଦ୍ରଶେଖର ତାଙ୍କ ପଛେ ପଛେ । ମାନି ଯାଇ ଆଲମାରି କୋଣରେ ଆତ୍ମଗୋପନ କଲା । ବୋଉ ଝୁଙ୍କି ପଡ଼ିଲେ ଶଙ୍କରର ମୁଣ୍ଡ ପାଖରେ । ତାର ଗାଲରେ, ଛାତିରେ ହାତ ବୁଲେଇଲେ । ପଚାରିଲେ, “ଦେହ କିମିତି ଅଛି ବାପା-?’’

 

‘‘ଭଲ ବୋଉ ।’’

 

ଚନ୍ଦ୍ରଶେଖର କହିଲା– ‘‘ମାମୁ ଗୋଟାଏ ଶୋଇବା ଔଷଧ ଦେଇ ଯାଇଛନ୍ତି । ଦରକାର ହେଲେ ଖାଇବ ।’’ ସେ ଓଷଧଟା ରଖିଲା ଟେବୁଲ ଉପରେ ।

 

‘‘ଦରକାର ହବନି ।’’

 

“ତାହେଲେ, ଏଇ ଝୋଳ ଟିକକ ଖାଇ ଶୋଇପଡ଼ ।’’ ବୋଉଙ୍କ ନିର୍ଦ୍ଦେଶ ।

 

‘‘ବୁଢ଼ୀ ଆଉ ମାନି ତ ରହିଲେ ଏଠି । ବୁଢ଼ୀ ପିଇବା ପାଣି ଆଣି ରଖିବୁ ।’’ ପୁଣିଥରେ ସବୁ ଦେଖି ବାହାରିଗଲେ ବୋଉ । ଚନ୍ଦ୍ରଶେଖର ଯିବା ଆଗରୁ କହିଗଲା– ‘‘ଶୋଇପଡ଼ ଚୁପଚାପ, Tomorrow is a new day । ‘‘ଆଇ ନୋ ।’’

 

ଚନ୍ଦ୍ରଶେଖର ହସି ହସି ବାହାରିଗଲା । ଉମା ଦେଖିଲା ସୁପବାଟିରୁ ବାମ୍ପ ବାହାରିବା କମିଗଲାଣି । ବାଟିଟାକୁ ସ୍ପର୍ଶକଲା । ଥଣ୍ଡାହୋଇ ଆସୁଛି । ଟୁଲ ଆଣି ଥୋଇଲା । ଟ୍ରେଟାରଖି ଡାକିଲା ମାନିକୁ ।

 

ଆଗେଇ ଆସିଲା ମାନି ।

 

‘‘ନେ, ଏଇଠି ବସ । ଚାମୁଚରେ ଖୋଇଦେ ଭାଇନାକୁ ।’’ ଆଲଣାରୁ ଗୋଟିଏ ନରମ ତଉଲିଆ ଆଣି, ଶଙ୍କର ବେକ ପାଖରେ ସୁନ୍ଦର କରି ଗୁଞ୍ଜି ଦେଲା ଉମା । ପଡ଼ିରେ ସେଇ ତଉଲିଆରେ ପଡ଼ିବ । ‘‘ପାରିବୁ ତ ଖୋଇ ?’’

 

ମାନି ମୁଣ୍ଡ ହଲେଇ ସମ୍ମତ ଦେଲା ।

 

‘‘ବସ ତାହେଲେ ଏଠି ।’’

 

ମାନି ଖଟରେ ବସିଲା, ଶଙ୍କରର ଛାତି ପାଖକୁ । ଲୁଗାକାନିରେ ଗୋଟାଏ କୁଣ୍ଡଳି କରି ତା ଉପରେ ବାଟିଟାକୁ ରଖିଲା ନିଜ କୋଡ଼ରେ । ଚାମୁଚରେ ଝୋଳ ଉଠେଇ ନେଇ ଶଙ୍କରର ପାଟିରେ ଢାଳିଦେଲା । ଶଙ୍କର ଶାନ୍ତ ପିଲାଟିପରି ଖାଇଲା ।

 

‘‘ଅପୂର୍ବ ହୋଇଛିରେ ଉମି ।’’ ହସି ତାରିଫ କଲା ଶଙ୍କର ।

 

‘‘ଆଉ ସେବାଟା ? ମାନିର କଣ କମ, ସେଇ ଜାରମାନ ଝିଅଟା ତୁଳନାରେ ?’’

 

ହସିଲା ଶଙ୍କର ।

 

‘‘ଖାଇଦିଅ । ମୁଁ ବି ଖାଇଆସେ । ପିଇବା ପାଣି ଆଣିବାକୁ ହେବ ।’’

 

ସେ ଚାଲିଗଲା ।

 

ଆସ୍ତେ ଆସ୍ତେ ବାଟିକଯାକ ଝୋଳ ମାନି ଖୁଏଇଲା । ଶଙ୍କରକୁ । ତାପରେ ସାବଧାନରେ ତଉଲିଆଟା ଉଠେଇ ନେଇ ଶଙ୍କରର ଓଠ ପୋଛିଦେଲା ।

 

‘‘ସିଗ୍ରେଟ ଦେବି ?’’ ପଚାରିଲା ମାନି ।

 

‘‘ଦିଅ ।’’

 

‘‘ସିଗ୍ରେଟ ଲଗେଇ ଦେଲା ମାନି । ପଚାରିଲା, ‘‘ମୁଁ ଏଗୁଡ଼ା ରଖିଦେଇ ଆସେଁ । ଏଇଖିଣି ଫେରି ଆସିବି । ଯିବି ?’’

 

‘‘ଯାଅ ।’’ ଶଙ୍କର ମୁହଁରେ ତୃପ୍ତି ।

 

ମାନି ଟ୍ରେଟାଧରି ବାହାରିଗଲା ।

 

ଆସିଲା ଉମା ଗୋଟାଏ କାଚ ପାତ୍ରରେ ପାଣି ଓ ଗିଲାସ ଧରି । ପାତ୍ରଟାକୁ ଟେବୁଲରେ ରଖି କହିଲା–‘‘ମାନି ଆସୁଛି ଭାଇନା ?’’

 

‘‘ତୁ ଖାଇଲୁ ତ ?’’

 

“ହଁ, ଖାଇନେଲି ଅଳ୍ପ ଟିକିଏ ।’’

 

‘‘ସେ କଣ ଖାଇଲାରେ ଉମି ?’’

 

‘‘କିଛି ନା । ଭାରି ଜିଦଖୋର ଝିଅଟା । ତୁମକୁ ଭାରି ଜଳେଇବ । ରହିଥା ।’’

 

‘‘ତୁ ତା ଉପରେ ଚିଡ଼ିଲାପରି ମନେ ହେଉଛି ।’’ ଶଙ୍କର ପଚାରିଲା ହସି ହସି ।

 

‘‘ଦେଖନା ? ବୋଉ କହୁଛି, ମୁ ଡାକୁଛି । ଆ, ଖଣ୍ଡେ ପୁରି ଟିକିଏ ତରକାରି ଖା । ମନାକଲା । ନଖାଉ କାହାର କଣ ଯିବ ?’’

 

‘‘ସେ କାହିଁ ?’’

 

‘‘ଆସୁଛି । ସେଇ ବାଟିଟା ମାଜିଲା । ତଉଲିଆଟାକୁ ଧୋଇ ଶୁଖେଇ ଆସିବ ।’’

 

ଶଙ୍କର ନୀରବରେ ମାନିକୁ ଅପେକ୍ଷା କଲା ।

 

ସେଇ ରାତିର ଶେଷ ଆଡ଼କୁ । ଶଙ୍କରର ନିଦ ଭାଙ୍ଗିଗଲା । ସେ ଆଖି ଖୋଲି ଦେଖିଲା, ମାନି ସେମିତି ବସିଛି ତା ମୁହଁକୁ ଚାହିଁ । ମୁଣ୍ଡର ବାଳଗୁଡ଼ା ଅବିନ୍ୟସ୍ତ ହୋଇ କପାଳ ଓ ଗାଲରେ ପଡ଼ିଛି । ମୁଣ୍ଡରେ ଲୁଗା ନାହିଁ । ଉମା ନିଘୋଡ଼ ନିଦରେ ଶୋଇଛି କମ୍ବଳ ଘୋଡ଼ିହୋଇ-। ‘‘ମାନି ?’’ ଧୀରେ ଡାକିଲା ଶଙ୍କର । ଚମକି ସିଧାହୋଇ ବସିଲା ମାନି । ମୁଣ୍ଡର ଲୁଗାଟାକୁ ସଜାଡ଼ିବାକୁ ଯାଉଥିଲା । ଶଙ୍କର ତା ହାତଟାକୁ ଧରି ପକେଇଲା । ‘‘ଥାଉ ।’’ ଦିହାତରେ ମାନିର ମୁଖମଣ୍ଡଳରେ ଆଙ୍ଗୁଳି ସ୍ପର୍ଶକଲା ଶଙ୍କର । ମାନିର ନିଦ୍ରାକାତର ଆଖିପତାଗୁଡ଼ା ବୁଜିଗଲା-। ଧୀରେ ଧୀରେ ମୁଣ୍ତଟା ତାର ଶଙ୍କରର ଛାତି ଉପରକୁ ନଇଁ ଆସି, ସେଠି ରହିଲା । ଶଙ୍କର ତା ମୁଣ୍ଡରେ ହାତ ବୁଲେଇ ଦଉଥାଏ ଆଙ୍ଗୁଳି ଚାଳନା କରୁଥାଏ ତାର କେଶଗୁଚ୍ଛରେ । ମାନିର ଆନନରେ ପରିପୂର୍ଣ୍ଣ ତୃପ୍ତି । ଆଖିଦିଟା ନିମିଳିତ । ସେ ଶୋଇ ପଡ଼ିଲା ସେମିତି-। କଡ଼ ଲେଉଟେଇଲା ଉମା । ଚଟକରି ମୁଣ୍ଡଟାକୁ ଉଠେଇ ଆଣିଲା ମାନି ଶଙ୍କରର ଛାତି ଉପରୁ-। ସିଧାହୋଇ ବସିଲା ।

 

‘‘କେତେଟା ବାଜିଲା ?’’ ଶଙ୍କର ପଚାରିଲା ।

 

ଟେବୁଲ ଉପରୁ ଘଡ଼ିଟା ଆଣିଦେଲା ମାନି ।

 

‘‘ଝରକାଟା ଖୋଲି ପାରିବ ?’’

 

ମାନି ଉଠିଯାଇ ଝରକାଟା ଖୋଲିଦେଲା । ଝଲକାଏ ଥଣ୍ଡା ପବନ ଆସି ମାନିର ମୁହଁ ଦେହ ସ୍ପର୍ଶ କରିଗଲା ।

 

ଧଡ଼ପଡ଼ ହୋଇ ଉଠି ବସିଲା ଉମା । ଲୁଗାପଟା ସଜାଡ଼ିନେଇ ଉଠି ଠିଆ ହେଲା ।

 

‘‘ଦେଖିଲ, ସକାଳ ହେଲାଣି ।’’

 

ବିଛଣାଟା ଗୁଡ଼େଇ ନେଇ ସେ ବାହାରି ଗଲା ।

 

–କୋଡ଼ିଏ–

 

ସେଦିନ ରବିବାର । ଚନ୍ଦ୍ରଶେଖରର ଅଫିସ ଯିବା ଦରକାର ନାହିଁ । ସେ ଆସି ତଦାରଖ କରିଗଲା । ମାମୁ ଆସିଲେ ସାତଟା ବେଳକୁ । ବେଣ୍ଡେଜ ଖୋଲି କ୍ଷତଟାକୁ ପରୀକ୍ଷା କଲେ ଆଉଥରେ । ବିଶେଷ କିଛି ନୁହେଁ, ସୁପରଫିସିଏଲ ଉଣ୍ଡ । ବେଣ୍ଡେଜ କରିବା ଦରକାର ନାହିଁ-। ମଲମ ଲଗେଇ, ପ୍ଲାଷ୍ଟର ଟେପଦେଇ ଡ୍ରେସିଂ କରିଦେଲେ । ଗୋଟାଏ ଏଣ୍ଟିଟିଟେନାସ ସିରମ ଫୋଡ଼ିଦେଲେ । ତାପରେ ଖୁସି ଖୁସି ଗଳାରେ କହିଲେ, “ଆଉ କିଛି ଭାବିବାର ନାହିଁ-। ଆ, ପଦାକୁ ଯିବା ।’’

 

ପିଣ୍ଡାକୁ ଆସିଲେ ମାମୁ ଭାଣଜା । କାଲି ଯେ ଏଡ଼େବଡ଼ ଆଘାତଟା ତାକୁ ସହ୍ୟ କରିବାକୁ ହୋଇଥିଲା, ଆଜି ସକାଳୁ ଶଙ୍କରକୁ ଦେଖି କେହି ବିଶ୍ୱାସ କରିବ ନାହିଁ । ମୁହଁରେ ସେହି ହସ । ମାମୁ ଡାକିଲେ ତା ବୋଉକୁ, ‘‘ଦେଖିଲୁ ନାନୀ, ତୋ ପୁଅ ଠିକ୍ ଅଛି ତ ?’’ କୃତଜ୍ଞତାର ଅଶ୍ରୁ ପୋଛିଲେ ନାନୀ, କହିଲେ, ‘‘ଭାଗ୍ୟ ଜୋଇଁଥିଲେ ବୋଲି, ତତେ ନେଇ ଆସିଲେ ସାଙ୍ଗେ ସାଙ୍ଗେ । ଯଉଁ ରକ୍ତ, ବାବାରେ ବାବା । ଆଉ ସେଇ ଝିଅଟା, ମାନି । ଧନ୍ୟ ଛାତି ତାର ।’’

 

“ହଁ । ସେଇ ତ ଚିନିଦେଇ ରକ୍ତ ବନ୍ଦକରି ଦେଇଥିଲା । ନ ହେଲେ ବହୁତ ରକ୍ତ ଯାଇଥାନ୍ତା । ବୁଢ଼ା ଦୁର୍ବଳ ହୋଇ ଯାଇଥାନ୍ତା । ଖୁବ ବାହାଦୂର ଝିଅ । ଯେମିତି ସାହସୀ, ସେମିତି ବୁଦ୍ଧିମତୀ ।’’ ମାମୁ କହିଲେ ।

 

‘‘ଆଉ କହିବାକୁ ଅଛି । କାଲି ରାତିସାରା ବୁଢ଼ା ବିଛଣା ପାଖରେ ବସିଛି । ମୁ ତିନିଥର ଯାଇଛି, ଦେଖେଁ ସେ ସେଇ ଗୋଟିଏ ଜାଗାରେ ବସିଛି । କେତେବେଳେ ଗୋଡ଼ ଚିପୁଛି ତ କେତେବେଳେ ହାତ ଟିପୁଛି ।’’

 

ଶଙ୍କରର ମୁହଁକୁ ଚାହିଁଲା ଉମା, ମୁଚକି ହସି ।

 

ମାମୁ ତରତର ହୋଇ ବାହାରିଲେ ।

 

‘‘ସେଇ ଝିଅଟିର ବାହାଘର କଣ ଠିକ କରିଛି ପରା, କେବେ ?’’

 

‘‘ବର କଣ ଠିକ ହେଲାଣି ।’’ ବୋଉ କହିଲେ ।

 

‘‘ମୋତେ ତାହେଲେ ଖବର ଦବ ।’’ ବାହାରି ଗଲେ ମାମୁ ।

 

ହଠାତ୍ ବାହାରେ ଗୋଳମାଳ ଶୁଣାଗଲା । ଶଙ୍କର, ଚନ୍ଦ୍ରଶେଖର ଆଉ ଉମା ଦାଣ୍ତକୁ ଆସି ଦେଖିଲେ କିଏ ଗୋଟାଏ ଲୋକ ବାପାଙ୍କ ଗୋଡ଼ତଳେ ଲମ୍ବତମ୍ବ ହୋଇ ପଡ଼ିଛି । ଦଦେଇ ପାଟି କରୁଛନ୍ତି, “ଏଇ ବଦମାସ ରାମା, ଛଟଙ୍କା ନେଇ ଏଇ କାମ କରିଛି ।’’

 

‘‘ଟଙ୍କା କିଏ ଦେଲା ତାକୁ ?’’ ଉମା ପଚାରିଲା ।

 

ସେ ଲୋକଟା କଣ କହିଲା, ଶୁଭିଲା ନାହିଁ । ବାପା କହିଲେ– ‘‘ଯା ପଳା, ଉଠିଯା ।’’

 

ଠିଆ ହେଲା ଲୋକଟା । ମାମୁ ଚିହ୍ନିଲେ । ଆରେ ଏଟା ତ ରାମ ତରେଇ । ଏଇ ମାରିଛି କାଲି ବୁଢ଼ାକୁ ।

 

‘‘କିରେ ତୋ ପୁଅ କେମିତି ଅଛି ?’’

 

‘‘ମରିଗଲା ।’’

 

‘‘ମରିଗଲା ? ତାକୁ କଟକ ନେଇଥିଲୁ ?’’

 

‘‘ନା, ଏଇଠି ।’’

 

‘‘ତୁ ତାକୁ କଟକ ନେଲୁନି ?’’

 

ଦଦେଇ କହିଲେ, ‘‘ତୁମେ ତାକୁ ଯଉଁ ଟଙ୍କା ଦେଇଥିଲ, ସେଥିରେ ସେ ତାଡ଼ି ଖାଇଛି । ହତଭାଗା, ବଦମାସ, ଗୁଣ୍ଡା, ନିକଲ ହିଁଆସେ ।’’

 

ଚୋରଙ୍କ ପରି ପଳେଇଲା ଲୋକଟା ।

 

ମାନି ବସିଛି ପଖାଳ ଖାଇବାକୁ । ଗାଧୋଇ ଆସିଛି ସେ । ଗାଧୋଇଲାବେଳେ ଦେଖିଲା ତା ହାତରେ ରକ୍ତ ଲାଗିଛି, ଶଙ୍କରର ରକ୍ତ । ଶିହରି ଉଠିଲେ ସେ । ପରିଷ୍କାର କରି ନଈରେ ବୁଡ଼ି ଗାଧୋଇଲା । ମୁଣ୍ଡ ଧୋଇଲା । ଆଖିଗୁଡ଼ା ତାର ବୁଜି ଯାଉଥାଏ ନିଦରେ । ରାତିସାରା ସେ ଶଙ୍କରକୁ ଜଗିଛି । ଶୋଇଲେ ଶଙ୍କରର ମୁହଁଟା କେଡ଼େ ଶାନ୍ତ, କେଡ଼େ କମନୀୟ ଦିଶେ । ତା ପ୍ରତି ସ୍ନେହ ଉଦବେଳ ହୋଇ ଉଠିଲା ତା ଛାତିରେ । କେଡ଼େ ବିଦ୍ୱାନ ସେ । ସାଢ଼େ ସାତ ହଜାର ଟଙ୍କା ଦରମା ପାଇବେ ମାସକୁ । ସାଢ଼େ ସାତ ହଜାର । ସେ ଯେ କେତେ ଟଙ୍କା କଳନା କରି ପାରିଲାନି ମାନି । କଞ୍ଚା ଲଙ୍କାଟାକୁ ଆମ୍ବୁଲ ପାଣିରେ ଚକଟି ଦେଲା ସେ । ତା ବୋଉ ଦେଖିଲେ ମାନି ଗୋଟାଏ ମୁଦି ପିନ୍ଧିଛି । ପଥର ବସା ରୂପା ମୁଦିଟାଏ ।

 

‘‘ସେଟା କି ମୁଦି କିଲୋ ?’’ ପଚାରିଲେ ବୋଉ ।

 

ମାନି ସାବଧାନ ହେଲା । ‘‘ଉମାର ମୁଦିଟା ବୋଉ ।’’

 

‘‘ଏଇ ରୂପା ମୁଦିଟା ଉମାର ? ସେ କଣ ଏଟା ନାଏ ?’’

 

ଆସି ଠିଆ ହେଲା ଉମା । ମାନି ତାକୁ ଆଗ ଦେଖିଲା । ହସି ଡାକିଲା, ‘‘ଆସ” ।

 

ବୋଉ ମୁହ ବୁଲେଇ ଦେଖିଲେ ଉମା ଠିଆ ହୋଇଛି । ସେ ଆଗେଇଗଲେ ।

 

‘‘ଆସ ମା, ତୁମ ଭାଇନା ଭଲ ଅଛନ୍ତି ତ ?’’

 

“ହଁ, ସକାଳୁ ମାମୁ ଦେଖିଗଲେ । ଘା ଶୁଖି ଆସୁଛି । ସେ ଆସି ବସିଛନ୍ତି ମେଲାରେ । ଖିଅର ହଉଛନ୍ତି । ଆଜି ଆମେ ଯାଉଛୁ ମାଉସୀ ।’’

 

‘‘କୁଆଡ଼େ ?’’

 

‘‘କଟକ ଫେରିଯିବା । ଭାଇନା ବି ଯିବେ ଆମ ସାଙ୍ଗରେ ।’’

 

ଉମା ଦେଖିଲା, ମାନି କେତେବେଳୁ ଖାଇବା ବନ୍ଦ କରି ଏମାନଙ୍କ କଥା ଶୁଣୁଛି । ଶେଷ କଥାଟା ଶୁଣି ତା ମୁହଁ ଶୁଖିଗଲା । ସେ ପଖାଳବେଲାଟା ନେଇ ଗୋରୁହାଣ୍ଡିରେ ଢାଳି ଦେଲା ।

 

‘‘କିଲୋ, କିଛି ତ ଖାଇଲୁ ନାହିଁ ।’’ ତା ବୋଉ ଅନୁଯୋଗ କଲେ ।

 

‘‘ଭୋକ ନାହିଁ ବୋଉ ।’’

 

‘‘ପଖାଳ ରୁଚୁ ନାହିଁ ଝିଅକୁ । ସଙ୍ଗାତମାଉସୀ ଘରେ ଦୁଧ ଘିଅ ଭାସୁଛି ।’’ ହସିଲେ ମାନିବୋଉ ।

 

‘‘କାଲି ରାତିରେ ମାନି କିଛି ଖାଇନି ମାଉସୀ ।’’

 

‘‘ସେଇ କଥା ତ କହୁଛି । ଏ ଘର ଭାତ ତାକୁ ରୁଚୁନି ।’’

 

‘‘କଣ କହୁଛୁ ମ ବୋଉ ?’’ ରାଗି ଉଠିଲା ମାନି । ତା ବୋଉ ଚୁପ କରିଗଲେ ।

 

‘‘ମାନିକୁ ମୁ ନେଇ ଯାଉଛି ମାଉସୀ ।’’

 

‘‘ଯାଉ । ମୁ କଣ ମନା କରୁଛି । ମୁ ବି ଯିବି । ୟେ ଆସନ୍ତୁ ।’’

 

ମାନି ଆଉ ଉମା ଘର ଭିତରକୁ ପଶିଲେ । ମାନି ଗୋଟାଏ ପେଟରା ଖୋଲିଲା । ଶାଢ଼ି ବ୍ଳାଉସ କାଢ଼ିଲା । ଫିକା ନୀଳରଙ୍ଗର ମାମୁଲି ଶାଢ଼ି । ସାଗୁଆ କନାର ବ୍ଳାଉସ । ସେ ବି ମାମୁଲି । ବ୍ଳାଉସଟା ପାଉ ନ ଥାଏ ତା ଛାତିକୁ । ତାର ଉଦ୍ଧତ ସ୍ତନ ଗୁଡ଼ାକୁ ଢାଙ୍କିବାକୁ ଶକ୍ତିନାହିଁ ବିଚାରିର । ଟାଣିବାକୁ ଯାଇ ଛିଣ୍ଡିଗଲା । କାନ୍ଦି ପକାଇଲା ମାନି ଝର ଝର କରି ।

 

‘‘କଣ ପିନ୍ଧିବି ?’’

 

‘‘ଆଉ ବ୍ଲାଉସ ନାହିଁ ତୋର ?’’

 

‘‘ନା, ଗୋଟାଏ ଥିଲା, ତାକୁ ଧୋଇଛି ।’’

 

ଉମା କହିଲା,’’ ତୁ ଥା ମୁଁ ଆସୁଛି । ଦଉଡ଼ିଲା ସେ ଘରକୁ । ତା ଲୁଗା ଟ୍ରାଙ୍କ ଖୋଲି କାଢ଼ିଲା ଦିଟା ଶାଢ଼ି, ଦିଟା ବ୍ଳାଉସ, ଦିଟା ସାୟା । ବ୍ରେସିଆର ବିନେଲା । ଖବରକାଗଜରେ ଗୁଡ଼େଇ କାନିଭିତରେ ଲୁଚେଇ ପଳେଇ ଆସିଲା ବାଡ଼ିବାଟେ ମାନି ଘରକୁ । ମାନି ସେମିତି ଖଟ ଉପରେ ବସିଛି । ତା ଆଖିରେ ଲୁହ ବୋହିଯାଉଛି । ଛିଣ୍ଡା ବ୍ଳାଉସଟା ପଡ଼ିଛି ଖଟ ତଳେ ।

 

ଉମା ଘର ଭିତରକୁ ପଶି କବାଟଟା ଆଉଜେଇ ଦେଲା । ତାପରେ ଗୋଟି ଗୋଟି କରି ପିନ୍ଧେଇଲା ମାନିକୁ ଲୁଗାପଟା । ଆଜି ସେ ଦେଖିଲା ମାନିକୁ ଭଲକରି । ଅପୂର୍ବ ସ୍ଵାସ୍ଥ୍ୟ ଏ ଝିଅଟାର । ପ୍ରତ୍ୟେକଟି ଅଂଗ ଯେମିତି କୁନ୍ଦା ହୋଇଛି । ତାର ସ୍ତନଗୁଡ଼ା କି ଟାଣ । ଅଣ୍ଟାଟା ସରୁ । ନିତମ୍ବଟା ମାଂସଳ ଅଥଚ କି ସୁନ୍ଦର ଭାବରେ ଗୋଲ । ଗୋଡ଼ଦିଟା ସିଧା ସିଧା । ପେଟଟା ଚେପ୍‍ଟା । ପାଦର ଆଙ୍ଗୁଳିଗୁଡ଼ା ଯେମିତି ଚମ୍ପା କଢ଼ି । କିଏ ସଜେଇ ଦେଇଛି ।

 

ଶାଢ଼ିଟା ପିନ୍ଧେଇ ସାରି ଠିଆ ହେଲା ଉମା । ଖୁସିରେ ତାକୁ କୁଣ୍ଢେଇ ପକେଇ ତା ଗାଲରେ ଚୁମା ଖାଇଲା ।

 

‘‘ତୁ କଣ ଲୋ ମାନି ? ତୁ ମଣିଷ ନା କିନ୍ନରୀ ? ତୁଯେ ଏତେ ସୁନ୍ଦର, ମୁ ଜାଣି ନଥିଲି-। ଭାଇନାଟା ସତରେ କପାଳିଆ ।’’

 

ଲାଜରେ ଲାଲ ହୋଇ ଉଠିଲା ମାନି ।

 

ବସିଲେ ଦିଜଣ ଖଟରେ । ମାନି ପାନବଟା କାଢ଼ିଲା ଖଟ ତଳୁ ।

 

ଦିଖଣ୍ଡ ପାନ ଭାଙ୍ଗିଲା । ଦିଜଣ ଖାଇଲେ ।

 

‘‘ଭାରି ନିଦ ମାଡ଼ୁଛି ।’’ ମାନି କହିଲା ।

 

‘‘ମାଡ଼ିବ ତ ! ମୁଁ ସେଥିଲାଗି ତ କହୁଥିଲି, ଆ ଶୋଇବୁ ।’’

 

‘‘ସେ କଣ ଛାଡ଼ିଥାନ୍ତେ !’’ ତଳକୁ ମୁହଁକଲା ମାନି । ‘‘ରାତିସାରା ଗୋଟାଏ ହାତରେ ମୋର ଗୋଟାଏ ହାତ ଧରି ଶୋଇଛନ୍ତି । ମୁ ହାତ ଘୁଞ୍ଚେଇ ନେଲେ ଉଠି ପଡ଼ନ୍ତି ।’’

 

‘‘ସତେ ?’’ ଉତଫୁଲ୍ଲ ହୋଇ ଉଠିଲା ଉମା । “ତୁ କି ଭାଗ୍ୟବତୀ ଲୋ ମାନି, ସେ କଥା ଆଜି ବୁଝିପାରିବୁନି ।’’

 

‘‘ଆଚ୍ଛା ଉମା ?’’

 

‘‘କଣ ।’’

 

‘‘ଏ ମୁଦିଟା କଣ ରୂପାର ?’’

 

‘‘କିଏ କହିଲା ?’’

 

‘‘ବୋଉ ।’’

 

‘‘ନାଇଁଲୋ । ସେଟା ଧଳାସୁନାର । ପ୍ଳେଟିନମ ବୋଲି ଗୋଟାଏ ସୁନା ଅଛି ।’’

 

ତାର ଦାମ ସୁନା ଦାମର ଦିଗୁଣ । ସେଥିରେ ହୀରା ବସିଛି । ସେ ମୁଦିଟା. ବହୁତ ଦାମ– ପାଞ୍ଚ ଛ’ଶ ଟଙ୍କା ହେବ ।’’

 

‘‘ଏତେ ଟଙ୍କା ଏଇ ମୁଦିଟାର ଦାମ ?’’ ମାନି ଆଖିରେ ବିସ୍ମୟ ।

 

ହସିଲା ଉମା । ‘‘ଭାଇନାଟା ମୋର କଣ ସାନ ମଣିଷଟିଏ ?’’

 

ନୀରବ ପ୍ରଶଂସାମାନ ଦୃଷ୍ଟିରେ ଉମା ଆଡ଼କୁ ଚାହିଁଲା ମାନି ।

 

‘‘ତୁ ଏଠି ବସି ଗପ କରିବୁ ନା ଯିବୁ । ଭାଇନା ଜଳଖିଆ ଖାଇ ନାହାନ୍ତି । ଉଠ ।’’

 

ଦିଜଣ ଉଠି ବାହାରିଗଲେ । ମାନିବୋଉ ଦେଖିଲେ ଝିଅର ନୂଆ ବେଶ । କାବା ହେଲେ ।

 

ପ୍ରାତରାଶ ଖାଉଁ ଖାଉଁ ଠିକହେଲା, ସେମାନେ ଆଜି ସନ୍ଧ୍ୟାବେଳକୁ କଟକ ଯିବେ । କାଲି ସକାଳୁ ଚନ୍ଦ୍ରଶେଖରର କଣ କନଫାରେନ୍‍ସ ଅଛି, ଆଠଟା ବେଳକୁ । ଶଙ୍କରର ଲୁଗାପଟା ସଜାଡ଼ିବା ଦରକାର । ଉମା ଉପରେ ପଡ଼ିଲା ସେ କାମର ଭାର ।

 

–ଏକୁଇଶ–

 

ଚନ୍ଦ୍ରଶେଖର ବାହାରି ଗଲା ଗୋଟାଏ ଘାଇ ଦେଖିବାକୁ । ଶଙ୍କରକୁ ପରିଶ୍ରମ କରିବା ମନା । ସେ ଯାଇ ତା ଖଟରେ ଶୋଇଲା । ଚିନ୍ତା ତାର ଚାଲିଗଲା ଆଇଓଆକୁ ।

 

ପିକନିକ କରିବାକୁ ଯାଇଛନ୍ତି ଗ୍ରାଣ୍ଡ କେନିୟନକୁ । ଦଳେ ପୁଅ ପିଲା, ଝିଅ ପିଲା । ସାଙ୍ଗରେ ଯାଇଛନ୍ତି ଅଧ୍ୟାପକ ହାଉଜାରମାନ । ଭାରି ଫୁର୍ତ୍ତିବାଜ୍ ଲୋକ । ନାନା ପ୍ରକାର ବାଦ୍ୟଯନ୍ତ୍ର ବଜେଇ ଜାଣନ୍ତି । ପିଆନୋରେ ବିଟୋଫେନଙ୍କ ନାଇନଥ ସିମ୍ପନି ଶୁଣି ଆଖିରୁ ଲୁହ ଝରିଥିଲା ଶଙ୍କରର । ବେହେଲାରେ ତ ସେ ମେଜିକ କରନ୍ତି । ଅଧ୍ୟାପକ ଅବିବାହିତ । ନିଶା ସ୍ପର୍ଶ କରନ୍ତି ନାହିଁ । ଝିଅ ଗୁଡ଼ାଙ୍କୁ ଚିଡ଼େଇ ଚିଡ଼େଇ ଅତିଷ୍ଠ କରନ୍ତି । ଅସାଧାରଣ ଭ୍ରେଣ୍ଟ୍ରିଲୋକୁଇଷ୍ଟ । ଯେ କୌଣସି ଶବ୍ଦକୁ ସାଙ୍ଗେ ସାଙ୍ଗେ ନକଲ କରିଦେବେ ।

 

ହଠାତ ଏମାନେ ଶୁଣିଲେ ଲାଉଡ଼ସ୍ପିକରରେ ପ୍ରେସିଡେଣ୍ଟ ଆଇଜେନହାଓଆରଙ୍କ କଂଠସ୍ୱର । ପ୍ରେସିଡେଣ୍ଟ କହୁଛନ୍ତି, “ପିଲାମାନେ, ତୁମେ ସବୁ ଏଠି ପିକନିକ କରୁଛ ଦେଖି ଭାରି ଖୁସି ହେଲି । ହୁଏତ ଲାଞ୍ଚବେଳକୁ ମୁ ବି ଯାଇ ତୁମ ପାଖରେ ଗୋଟାଏ ଗଛ ମୂଳରେ ବସି ସେଥିରେ ଭାଗ ନେବି । କିନ୍ତୁ ମୋ ପାଇଁ ଅପେକ୍ଷା କରିବ ନାହିଁ । ଆଉ ଗୋଟାଏ କଥା । ଆଜି ପିକନିକରେ ଟୁଇଷ୍ଟ ନାଚରେ ସେ ସବୁଠୁ ଭଲ ନାଚିବ– ତାର ପୁରସ୍କାର ଏକଶତ ଡଲାର । ଧନ୍ୟବାଦ ।’’ କହିବା ବାହୁଲ୍ୟ, ଏ କାମ ହାଉଜାରମାନଙ୍କର ।

 

ଧସ୍ତାଧସ୍ତି ଲାଗିଗଲା । ସମସ୍ତେ ଉଠିଲେ ନାଚିବାକୁ, ପୁଅ ଝିଅ ନିର୍ବିଶେଷରେ । ଶଙ୍କର ଏ ନାଚ ଜାଣେନି । ସେଇ ଏକା ଗଛତଳେ ଗୋଟାଏ କୁଶନରେ ମୁଣ୍ଡ ଦେଇ ଶୋଇ ଶୋଇ ପତ୍ରିକା ଓଲଟଉଥିଲା । ହଠାତ୍ ଦେଖିଲା, ତାର ହାତଟା ଧରି ଟାଣୁଛି ତାର ସଂଗିନୀ ଛାତ୍ରୀ, ଡରୋଥି । ଏଇ ଡରୋଥି କର୍ଡର ବାପ କୋଟିପତି । ତେଲ ଖଣି ଓ ଲୁହା କାରଖାନାର ମାଲିକ । ଦୁଇଲକ୍ଷ କର୍ମଚାରୀ ତାଙ୍କ ଅଧୀନରେ କାମ କରନ୍ତି । ଡରୋଥି କିନ୍ତୁ ଭାରି ଭଲ ଝିଅ । ରାମକୃଷ୍ଣ ମିଶନକୁ ଯାଏ । ଗୀତା ପଢ଼ିଛି ସେ । ଆସନ ଜାଣେ କେତେ ଗୁଡ଼ା ।

 

ତା ହାତଟା ଧରି ଟାଣି ଉଠେଇଲା, ‘‘ଉଠ । Get up you Hindu boy, let us dance I"

 

“ମୁ ଯେ ସେ ରସରେ ବଂଚିତ ସଖୀ’’– ନିବେଦନ କଲା ଶଙ୍କର ।

 

"I will teach you I Get up, will you ? "

 

ଉଠିଲା ଶଙ୍କର । କଣ ବା ଅଛି ଟୁଇଷ୍ଟ ନାଚରେ । ଦେହକୁ ଦୋହଲେଇ, ଦୋହଲେଇ ନାଚିବା କଥା । ତାକୁ ଶିଖେଇ ଦେଲା ଡରୋଥି । ନାଚୁ ନାଚୁ ଟାଣି ନେଇଗଲା ଦଳ ଭିତରକୁ ।

 

ଉନ୍ମତ୍ତ ନୃତ୍ୟ ଏଇ ଟୁଇଷ୍ଟ । ଟେପ ରେକାରର୍ଡ଼ାର ଯୋଗାଉଛି ସଙ୍ଗୀତ, ଏମାନେ ନାଚୁଛନ୍ତି । ନାଚୁ ନାଚୁ କାହାର ବ୍ଳାଉଜ ଖୋଲି ଗଲାଣି ତ କାହାର ବୋତାମ ଛିଣ୍ଡି ଅଣ୍ଟାରୁ ପେଣ୍ଟ ଖସିଗଲାଣି । ନାଚ କିନ୍ତୁ ବନ୍ଦ ହେଉନି । ଶଙ୍କରର ନାଚ ଦେଖି ଡରୋଥିର ଖୁସିର ସୀମା ନାହିଁ ।

 

ସଙ୍ଗୀତ ବନ୍ଦ ହେଲା– ନାଚ ସରିଲା । ଗଳଦଘର୍ମ ନର୍ତକ ନର୍ତକୀ ଶୋଇ ପଡ଼ିଲେ ଲମ୍ବା ଲମ୍ବା । ଡରୋଥି ଆସି ଶଙ୍କରରଗାଲରେ ଗୋଟାଏ ପ୍ରଚଣ୍ଡ ଚୁମ୍ବନ ଦେଲା । ପାଞ୍ଚମିନିଟ ପରେ ପୁଣି ଘୋଷଣା, ସେଇ ପ୍ରେସିଡେଣ୍ଟଙ୍କ କଂଠସ୍ୱର । ‘‘ମୋର ପ୍ରିୟ ବନ୍ଧୁଗଣ । ଆଜିକାର ନୃତ୍ୟରେ ଯେଉଁ ଦୁଇଜଣ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସେମାନେ ହେଲେ, ଡରୋଥି କର୍ଡ ଏବଂ ଶ୍ୟାକାଂର ଶାଟପାଟି ।’’ ହୋ ହୋ କରି ଉଠିଲେ ସମସ୍ତେ । ଡରୋଥି ଓ ଶଙ୍କରକୁ ଟେକିନେଲେ ଦୁଇଜଣ କାନ୍ଧ ଉପରକୁ । ଆଉ ପ୍ରସ୍ତେ ନାଚ ହେଲା ।

 

ଅଧ୍ୟାପକ କେଉଁଠି ଥିଲେ ଆସି ପହଞ୍ଚିଲେ । ଏ ଦୁଇଜଣଙ୍କୁ ଅଭିନନ୍ଦିତ କରି ପୁରସ୍କାର ଦେଲେ, ଶହେଡଲାର କରି । ଶଙ୍କର ବିଲ୍‍ଟା ବଢ଼େଇ ଦେଲା ଡରୋଥିକୁ । ‘‘ଏ ପ୍ରାପ୍ୟ ତୁମର । ତୁମେ ମୋ ଗୁରୁ । ଦକ୍ଷିଣା ଏଟା ।’’ ହସି ଉଠିଲେ ସମସ୍ତେ । ଫେରିଲାବେଳେ ସେଇ ଦୁଇଶ ଡଲାର ଖର୍ଚ୍ଚହେଲା ଗୋଟାଏ ‘‘ଇନ”ରେ ।

 

ଏଇ ଡରୋଥି ତାକୁ ଧରିନେଇ ଯାଇଥିଲା ତାଙ୍କ ରେଞ୍ଚକୁ । ବଡ଼ଦିନଟା ସେଇଠି କଟେଇବ ଏଇ ଉଦ୍ଦେଶ୍ୟରେ । ରେଞ୍ଚରେ ପହଞ୍ଚି ଶଙ୍କର କଳନା କଲା କି ଐଶ୍ୱର୍ଯ୍ୟ ଡରୋଥିର ବାପା, ରୋନାଲଡ୍ କର୍ଡଙ୍କର । ବାହାର ପର୍ଚରେ ବସିଥାନ୍ତି ରୋନାଲଡ କର୍ଡ । ମୁଣ୍ଡର ବାଳ, ନିଶ ସବୁ ଧଳା । ବିରାଟ ଚେହେରା । ତାଙ୍କ ଚେୟାର ପାଖରେ ଦିଟା ବିରାଟ ବିରାଟ ଗ୍ରେଟ ଡେନ୍ ଜିଭକାଢ଼ି ଧକଉଥାନ୍ତି । ଡରୋଥି ନେଇଗଲା ତାକୁ ପରିଚୟ କରିଦବାକୁ । ଏଇ ପତଳା ଅଳ୍ପବୟସ୍କ ହିନ୍ଦୁ ପିଲାଟା କେମେଷ୍ଟ୍ରିରେ ଡକ୍ଟରେଟ କରୁଛି ଶୁଣି ସେ ବିସ୍ମିତ ହେଲେ । ହାତ ବଢ଼େଇ ତାର ହାତଟା ଧରି ଅଭିନନ୍ଦିତ କରି କହିଲେ ‘‘ଭାରି ଖୁସିହେଲି । ବଡ଼ଦିନଟା ଏଠି ପାଳିବ ତ ? ଯାଅ ଫୁର୍ତ୍ତିକର ।’’

 

ଖ୍ରୀସମାସଇଭ ବଲ । ଡିନାର ଡରୋଥି ଟାଣି ନେଇଗଲା ତାକୁ ନାଚକୁ । ପ୍ରକାଣ୍ଡ ହଲ-। ସେଣ୍ତେଲିଆରରୁ ଆଲୁଅ ରଶ୍ମି ବିଚ୍ଛୁରିତ ହୋଇ ପଡ଼ୁଛି ଚାରିଆଡ଼େ । ଅନେକ ପୁରୁଷ, ଅନେକ ନାରୀ । କେତେଜଣଙ୍କ ସାଙ୍ଗରେ ପରିଚୟ କରେଇ ଦେଲା ଡରୋଥି । ସେମ୍ପେନର ସୁଅ ଛୁଟିଛି-। ସେ ବସି ବସି ଦେଖିଥିଲା ଏ ଉତ୍ସବ । ଡରୋଥି ଆସି ଟାଣିଲା ତାକୁ, ସେ ତା ସାଙ୍ଗରେ ନାଚିବ-। ନାଚିଲା ଶଙ୍କର କିଛି ସମୟ । ଫେରି ଆସି ବସିଲା । ଏଇ ମାର୍କିନ ସମାଜ । ଏଇ ନରନାରୀର ଜୀବନ । କୌଣସି ତୁଳନା ହୁଏନି ଏମାନଙ୍କର ଅନ୍ୟମାନଙ୍କ ସାଙ୍ଗରେ । ଯୁଦ୍ଧୋତ୍ତର ଇଉରୋପର ଦାରିଦ୍ର୍ୟ ତାକୁ ବ୍ୟଥିତ କରିଥିଲା । ଏମେରିକାର ଐଶ୍ୱର୍ଯ୍ୟ ତାକୁ ବିହ୍ୱଳ କରିଛି । ଜୀବନଟାକୁ ଏମାନେ ବଞ୍ଚି ଜାଣନ୍ତି । ଅଭାବକୁ ଏମାନେ ଭୀଷଣ ଘୃଣା କରନ୍ତି ।

 

ନାଚ ସରିଲା । ଶଙ୍କର ଘଡ଼ି ଦେଖିଲା ରାତି ବାରଟା । କେଉଁ ଗୋଟାଏ ଗୀର୍ଜାରୁ ଘଣ୍ଟା ବାଜିଲା– ଢଂ ଢଂ ଢଂ, ଢଂ ଢଂ ଢଂ । ଡରୋଥି ଆସିଲା ତା ପାଖକୁ । ଚେୟାର ଛାଡ଼ି ସେ ଉଠି ଠିଆହେଲା । ଡରୋଥି ହସିଲା, କହିଲା, “ବହୁତ ନାଚିଲିଣି । କ୍ଳାନ୍ତ ଲାଗୁଛି । ମୋତେ ନେଇଚାଲ ଶୋଇବା ଘରକୁ ।’’ ଡରୋଥିର ଗୋଟାଏ ବାହୁକୁ ଟାଣିନେଲା ଶଙ୍କର ନିଜ ବାହୁ ଭିତରକୁ । ଆଗେଇ ଚାଲିଲେ ଦିଜଣ । ପ୍ରଚୁର ସେମ୍ପେନ ପିଇଛି ଡରୋଥି । ଚାହାଣିଟା ତାର ମଦିର, ଗୋଡ଼ର ଷ୍ଟେପ କିନ୍ତୁ ଠିକ୍ ଅଛି । ତାର ଶୋଇବା ଘର ଦୁଆରମୁହରେ ତା ହାତ ଛାଡ଼ିଦେଇ ଠିଆ ହେଲା ଶଙ୍କର ତା ସାମନାରେ ।

 

‘‘ତୁମେ ମୋତେ ବିଦାୟଚୁମ୍ବନ ଦବନି ଶଙ୍କର ?’’ ଶଙ୍କର କାନ୍ଧରେ ହାତ ରଖିଲା ଡରୋଥି । ଶଙ୍କର ଅନେଇଲା ଡରୋଥିକୁ । ନାଚ ପୋଷାକରେ ସଜ୍ଜିତ ଏଇ ଶ୍ୱେତାଙ୍ଗନା । ତାର ବକ୍ଷଦେଶର ଉପରାର୍ଦ୍ଧ ଉନ୍ମୁକ୍ତ । ଗୋଟାଏ ମୁକ୍ତାର ହାର ତାର ଗଳାରୁ ଲମ୍ବିଆସି ସ୍ତନସନ୍ଧିରେ ଅଟକି ଯାଇଛି । ଟାଣିନେଲା ଡରୋଥିକୁ ଶଙ୍କର । ତାର ଓଷ୍ଠକୁ ନିଷ୍ପେଷଣ କଲା ।

 

"Oh I adore you darling" । ଡରୋଥିର ସ୍ୱୀକାରୋକ୍ତି ।

 

"I love you dear. Good night" I ପଳେଇ ଆସିଲା ଶଙ୍କର ନିଜ ଘରକୁ ।

 

ରାତ୍ରୀବାସ ପିନ୍ଧି କମ୍ବଳଟାକୁ ଘୋଡ଼େଇ ହୋଇ ଶୋଇ ପଡ଼ିଲା ଶଙ୍କର । ଛାଇନିଦ ଲାଗିଯାଇଛି । ଅନୁଭବ କଲା କିଏ ଜଣେ ତା ବିଛଣାରେ ବସି କମ୍ବଳ ଭିତରେ ହାତ ପୁରେଇ ତାକୁ ଛୁଇଁଲା । ଆଖି ଖୋଲି ଦେଖିଲା, ଡରୋଥି ତା ଆଡ଼କୁ ଚାହିଁ ହସୁଛି । ଦେହରେ ତାର ନେଗ୍ଳିଜି । ନଇଁ ପଡ଼ିଲା ଡରୋଥି ତା ଉପରକୁ । ନେଗ୍ଳିଜିଟା ଖସି ପଡ଼ିଲା ତା କାନ୍ଧରୁ । ତାପରେ କମ୍ବଳଟାକୁ ଟେକି ତାରି ପାଖରେ ଶୋଇପଡ଼ି ଟାଣି ଆଣିଲା ଶଙ୍କରକୁ ତା ଆଡ଼କୁ ।

 

ଉମା କେତେବେଳେ ଯେ ଆସିଛି ଶଙ୍କର ଜାଣେନି । ଆଖି ଖୋଲି ଦେଖିଲା ସେ ବସି ପଡ଼ିଛି ତଳେ । ତାରି ଲୁଗାଗୁଡ଼ା ଭାଙ୍ଗ କରୁଛି ।

 

‘‘କିରେ ଉମି କଣ ଖବର ?’’

 

ହସିଲା ଉମା । କହିଲା– ‘‘ସଜାଡ଼ୁଛି ଲୁଗାପଟା । କଉଁ ସୁଟକେଶଟା ନବ ଭାଇନା ?’’

 

‘‘ଯଉଁଟା ହେଲେ ହେଲା ।’’

 

ଟାଣି ଆଣିଲା ଉମା ସାଗୁଆଟା ।

 

“ମୁ ଏକା ପାରିଉଠୁନି । ମାନିଟା ଯଦି ତୁମ ଲୁଗାପଟା ଗୁଡ଼ା ସଜାଡ଼ି ଦିଅନ୍ତା । ? ରାଜାର ଲୁଗାପଟା ଏଣେ ତେଣେ ପଡ଼ିଛି । ତାକୁ ଗୋଟେଇବାକୁ ହବ ।’’ ବାକ୍‍ସଟା ଝାଡ଼ୁ ଝାଡ଼ୁ କହିଲା ଉମା ।

 

‘‘ତାକୁ ଡାକୁନୁ ?’’

 

“ସେ ତ ଯଉଠି ବସୁଛି ଢୋଳଉଛି । ରାତିସାରା ତାକୁ ଶୋଇବାକୁ ଦେଇନ ତୁମେ । ଆହା ବିଚାରିର ମୁହଁଟା ଶୁଖି ଯାଇଛି ।’’

 

ରାଜା ପହଞ୍ଚିଲା କେଉଁଠୁ । ତା ମା ତାକୁ କହିଲା, ‘‘ଗଲୁ ମାନି ମାଉସୀକୁ ଡାକି ଆଣିବୁ-।’’

 

ସାଙ୍ଗେ ସାଙ୍ଗେ ଦଉଡ଼ିଲା ରାଜା । ଅଳ୍ପକ୍ଷଣ ପରେ ଦୁଆର ମୁହଁରେ ଠିଆ ହେଲା ମାନି । ଶଙ୍କର ବିସ୍ଫାରିତ ଦୃଷ୍ଟିରେ ଅନେଇଲା ତାକୁ । ସତରେ ମୁହଁଟା ଶୁଖି ଯାଇଛି, କିନ୍ତୁ କି ସୁନ୍ଦର ଦିଶୁଛି ତାକୁ-। ମାନି ଶଙ୍କରର ଚାହାଣି ଦେଖି ତଳକୁ ମୁହଁ କଲା ।

 

ଉମା ଡାକିଲା ତାକୁ– ‘‘ଏଇ, ଏଠିକି ଆ । ଏତେବଡ଼ ଲୋକର ଘର କରିବାକୁ ଯାଉଛୁ, ସଜା ତାଙ୍କ ଲୁଗାପଟା । କଣ ସେ ନେବେ କଣ ରହିବ । ଯଉଁଗୁଡ଼ା ଯିବ ତାକୁ ରଖିବୁ ଏଇଟାରେ । ଯଉଁଗୁଡ଼ା ରହିବ ତାକୁ ରଖିବୁ ସେଇଟାରେ । ବୁଝିଲୁ ।’’

 

ମାନି ମୁଣ୍ତ ଟୁଙ୍ଗାରି ହଁ କଲା ।

 

‘‘ଆ ଏଠି ବସ । ସଜେଇଲୁ ଦେଖିବା । ହଁ, ସବାତଳେ ଗୋଟାଏ ତଉଲିଆ ରଖ । ତାପରେ ପେଣ୍ଟ, କୋଟ, ସୁଏଟାର, ସାର୍ଟ, ଗୋଟି ଗୋଟି କରି । ଭାଙ୍ଗି ନଷ୍ଟ କରିବୁନି । ମୁ ଯାଏଁ, ମୋର ଲୁଗାପଟା କିଛି ସଜଡ଼ା ହୋଇନି ।’’ ଚାଲିଗଲା ଉମା ।

 

ଶୋଇ ଶୋଇ ଗୋଟାଏ ସିଗ୍ରେଟ ଲଗେଇଲା ଶଙ୍କର । କିଛି ସମୟ ଟାଣିଲେ । ତାପରେ ଅନେଇ ଦେଖିଲା, ମାନି ଚୁପ୍‍ଚାପ ବସିଛି ।

 

‘‘ମାନି ।’’

 

ମୁହଁ ବୁଲେଇଲା ମାନି ତା ଆଡ଼କୁ ।

 

“ଭାରି ନିଦ ମାଡ଼ୁଛି ନା ?’’

 

ମୁଣ୍ଡ ହଲେଇ ମନା କଲା ।

 

“ତାହେଲେ ?’’

 

‘‘ଉମା କଣ କହିଲେ, ମୁଁ ବୁଝି ପାରିଲିନି । "

 

ଉଠି ବସିଲା ଶଙ୍କର ବିଛଣା ଉପରେ । ଯେଉଁ ବାକ୍‍ସଟା ଯିବ, ଟାଣିନେଲା ସେଟାକୁ ତା ପାଖକୁ । ତା ପରେ ମାନିକୁ କହିଲା, ଏଟା ଦିଅ, ସେଟା ଦିଅ । ବାସ, ପାଞ୍ଚମିନିଟ ଭିତରେ ସଜଡ଼ା ହୋଇଗଲା । ତାପରେ ତାର ଭେଲିସେଟାକୁ ଆଣିବାକୁ କହିଲା । ସେଥିରେ ଜିନିଷଗୁଡ଼ା ସେ ନିଜେ ସଜେଇ ନେଲା । ବାକି ଲୁଗାପଟାକୁ ଆର ବାକ୍‍ସରେ ରଖିବାକୁ ଦେଲା । ମାନି ରଖି ସାରିଲାରୁ ତାକୁ ଶିଖେଇ ଦେଲା କେମିତି ବନ୍ଦ କରିବାକୁ ହୁଏ । ପନ୍ଦର ମିନିଟ ଭିତରେ କାମସାରି ମାନି ଠିଆହେଲା ।

 

ଶଙ୍କର ଉଠି ଆସିଲା ଖଟକୁ । ମାନିର ସାମନା ସାମନି ଠିଆହୋଇ କହିଲା, “ମୁ ଆଜି କଟକ ଯାଉଛି । ଫେରିବାକୁ ଡେରି ହୋଇପାରେ । ପାଞ୍ଚ ସାତଦିନ, ଦଶଦିନ । ମୁ ନ ଆସିବା ଯାକେ କୁଆଡ଼େ ଯିବନି ମାନି । ମୋ ପାଇଁ ଅପେକ୍ଷା କରିବ ତ ?’’

 

‘‘ହଁ ।’’

 

‘‘ନିଶ୍ଚୟ ?’’

 

‘‘ନିଶ୍ଚୟ ।’’

 

‘‘ବିପଦ ଆସିପାରେ । ମୁ ଜାଣେନି । ତଥାପି ସାବଧାନ କରି ଦଉଛି ।

 

ତୁମେ କାହାରି କଥା ଶୁଣିବନି । ମୋ ପାଇଁ ଅପେକ୍ଷା କରିବ ?’’

 

‘‘ହଁ ।

 

‘‘ଠିକ ?’’

 

‘‘ଠିକ ।’’

 

‘‘ଥେଙ୍କ ଇଉ । ମୁ ନିଶ୍ଚିନ୍ତ ହୋଇଯାଉଛି ମାନସୀ ।’’

 

“ତୁମ ଦେହର ଯତ୍ନ ନବ ।’’

 

‘‘ନେବି ।’’

 

‘‘ଯେତେ ଶୀଘ୍ର ହୁଏ ଫେରି ଆସିବ ?

 

‘‘ଆସିବି ।’’

 

ଚୁପ୍‍କରି ଗଲା ମାନି । ଆଉ କି କଥା ଅଛି ତାର ?

 

‘‘ଆମେ ସଂଧ୍ୟା ଆଗରୁ ଯିବା । ଅନେକ ସମୟ ଅଛି । ଆଉ କିଛି କହିବ ?

 

‘‘ନା ।’’

 

‘‘ତମପାଇଁ କିଛି ଆଣିବି ?’’

 

“ମୋ ପାଇଁ ?’’ ହାତର ମୁଦିଟାକୁ ଦେଖିଲା ମାନି,’’ନା ।’’

 

‘‘ଗୋଟାଏ ଦିନ ସୁଦ୍ଧା ତୁମକୁ ଛାଡ଼ିଯିବାକୁ ମୋର କଷ୍ଟ ହେଉଛି ମାନସୀ । କିନ୍ତୁ ମୋତେ ଯିବାକୁ ହବ । ଆହୁରି ଅନେକ କାମ ବାକି ।’’

 

ମାନି ଚାହିଁଲା ତା ମୁହଁକୁ । ଶଙ୍କର ଦେଖିଲା ଆଖୁଗୁଡ଼ା ତାର ଲୁହରେ ଢଳ ଢଳ କରୁଛି-। ଦିଗ୍‍ବିଦଗ୍ ଜ୍ଞାନଶୂନ୍ୟ ହୋଇଗଲା ଶଙ୍କର । ଗୋଡ଼ରେ କବାଟକୁ ଆଉଜେଇ, ଦୁଇ ହାତରେ ଭିଡ଼ି ଆଣିଲା ମାନିକୁ ନିଜ ପାଖକୁ । ତାପରେ ଛାଡ଼ି ଦେଲା । “ଯାଅ, ମୁ ନିଶ୍ଚିନ୍ତ ।’’

 

ଦେହସାରା ନିଆଁ ଲାଗିଗଲା ମାନିର । ଧୀରେ ଧୀରେ ସେ ବାହାରିଗଲା ଘରୁ । ଗୋଡ଼ ଯେମିତି ତଳେ ଲାଗୁନି ତାର । ଅନିଦ୍ରାର କ୍ଳାନ୍ତି ଯେମିତି ଆଉ ନାହିଁ । ତାକୁ ଅନେଇ ଦେଇ ଉମା ବୁଝି ପାରିଲା । କଣ ଗୋଟାଏ କରିଛି ଭାଇନା ।

 

“କିଲୋ ? ଗର୍ବରେ ତ ଗୋଡ଼ ତଳେ ଲାଗୁନି ।’’ ଉମା କହିଲା, “କଣ ସଜେଇ ଦେଲୁ ଲୁଗାପଟା ?’’

 

ମାନି କିଛି ଉତ୍ତର ନଦେଇ ଚୁପ କରି ଠିଆହେଲା ।

 

ଉମା ତାର ଖୁବ ପାଖକୁ ଲାଗି ଆସିଲା । ତା ନାକରେ ବାଜିଲା ଭାଇନାର ସିଗ୍ରେଟର ଗନ୍ଧ । ଆଙ୍ଗୁଳି ଦେଇ ଉଠେଇ ଦେଲା ଉମା, ମାନିର ମୁହଁକୁ । ଓଠଦିଟା ଆଶ୍ଚର୍ଯ୍ୟ ରକମର ଲାଲ । କିଏ ଯେମିତି ରଙ୍ଗ କରି ଦେଇଛି । କୁଣ୍ଢେଇ ପକେଇଲା ସେ ମାନିକୁ । ସେଇ ସିଗ୍ରେଟର ଗନ୍ଧ ଫେର ନାକରେ ବାଜିଲା । ବୁଝି ପାରିଲା ସେ ।

 

“ଚାଲ, ଶୋଇ ପଡ଼ିବୁ । ଖାଇବାକୁ ଡେରି ଅଛି ।’’

 

‘‘କଉଠି ?’’

 

“ମୋ ଖଟରେ ।

 

‘‘ସେ ଘରେ ?’’ ମାନି ଆଖିରେ ଆତଙ୍କ । ‘‘ତୁମର ସିଏ ?’’

 

‘‘ନାହାନ୍ତି । ଖାଇବା ଆଗରୁ ଆସୁନାହାନ୍ତି ।’’

 

ମାନିକୁ ତା ବିଛଣାରେ ଶୋଇଦେଲା ଉମା । ଦେଖିଲା ମାନିର ଲୁଗାପଟା ଠିକ ଅଛି, ହସିଲା ସେ । ତା ରେଜେଇଟା ଢାଙ୍କିଦେଲା । କବାଟଟା ଉମା ଆଉଜେଇଛି କି ନାହିଁ ମାନିର ଆଖି ଲାଗିଗଲା । ଦେହଟା ତାର ଏତେ ହାଲୁକା ଲାଗୁଛି । ଏମିତି ସୁଖ ସେ କେବେ ଅନୁଭବ କରିନଥିଲା ନିଦର ଅତଳ ଗର୍ଭରେ ତାର ଚେତନା ବୁଡ଼ିଗଲା ।

 

–ବାଇଶ–

 

ଶଙ୍କରହେରିକା ଗଲେ ରବିବାର ସଂଧ୍ୟାରେ । ମଙ୍ଗଳବାର ଦିନ ଗୋଟାଏ ଏକସପ୍ରେସ ଚିଠି ପାଇଲେ ଲଡ଼ୁକେଶ ଷଢ଼ଙ୍ଗୀ । ତାଙ୍କ ଝିଅ ପାଇଁ ବର ଠିକ କରି ଚିଠି ଲେଖିଛନ୍ତି ସେଇ ବିବରାବିବାହର ପ୍ରବର୍ତ୍ତକ । ପିଲାଟି କଲେଜ ଶିକ୍ଷକ । ସେ ଯେମିତି ଶୀଘ୍ର ଯାଇ ତାଙ୍କ ସାଙ୍ଗରେ ଦେଖା କରିବେ ।

 

ଚିଠିନେଇ ଲଡ଼ୁକେଶ ବାମଦେବଙ୍କ ପାଖକୁ ଗଲେ । ବାମଦେବ ସବୁ ଶୁଣିଲେ, ଚିଠି ପଢ଼ିଲେ । ସେଦିନ ସନ୍ଧ୍ୟାରେ କଟକ ଆସିଲେ ଲଡ଼ୁକେଶ । ବରର ନାମ ଗୋପାଳ ମିଶ୍ର, ଗୋତ୍ର କୌଶିକ । ପିଲାଟିକୁ ଦେଖିଲେ ସେ । ସୁନ୍ଦର ପିଲାଟିଏ । ଶ୍ୟାମଳ ବର୍ଣ୍ଣ । ବୟସ ପଚିଶ ଛବିଶ ହବ । ମାସକୁ ତିନିଶ ଟଙ୍କା ଦରମା ପାଏ । ଘରେ କେବଳ ତାର ବିଧବା ମାତା । ରାଜି ହୋଇଗଲେ ଷଢ଼ଙ୍ଗୀ | ଏ ବର ମିଳେ କଉଚୁ ?

 

ଗୋଟିଏ କଥା । ବିବାହ ଶୀଘ୍ର ଦବାକୁ ହବ । ଆଦର୍ଶ ବିବାହ । ଯୌତୁକର ପ୍ରଶ୍ନ ନାହିଁ-। ଏକବସ୍ତ୍ରରେ କନ୍ୟାକୁ ବିଦା କରିବାକୁ ହବ । ଜୋଇଁ ପାଇଁ କିଛି ଦରକାର ନାହିଁ । ବରଣବେଳେ କୁଶମୁଦ୍ରିକା ବ୍ୟବହୃତ ହେବ । କିନ୍ତୁ ଏଇ ମାସ ଭିତରେ ବାହାଘର ହବା ଆବଶ୍ୟକ-। ଆଉ ଆଠଦିନ ପରେ ପୁଷମାସ ପଡ଼ିବ । ଗୋଟିଏ ମାତ୍ର ତିଥି ଅଛି ରବିବାର ଦିନ । ସନ୍ଧ୍ୟାରେ ଲଗ୍ନ-। ଅତଏବ– ଶୁଭସ୍ୟ ଶୀଘ୍ରଂ ।

 

ଷଢ଼ଙ୍ଗୀ ଜୋଇଁ ଦେଖି ଫେରୁଥାନ୍ତି । ଦେଖା ହୋଇଗଲା ଶଙ୍କର ସାଙ୍ଗରେ, କଲେଜ ଛକରେ । ସେ ମାନିର ବାହାଘର କଥା ଶୁଣି ଖୁସି ହେଲା । କହିଲା, ବାହାଘରକୁ ନିଶ୍ଚୟ ଯିବ । ଆହୁରି କହିଲା, ମାନି ବାହାଘର ପାଇଁ ଖର୍ଚ୍ଚ ତା ବୋଉ ଦବ କହିଛି । ମାମୁଙ୍କୁ କହିଲେ ସେ ସବୁ ବ୍ୟବସ୍ଥା କରିଦେବେ ।

 

ଲଡ଼ୁକେଶ ଗାଁକୁ ଫେରିଲେ । ବାମଦେବଙ୍କୁ ସବୁକଥା କହିଲେ । ଗାଁ ସାରା ରାଷ୍ଟ୍ର ହେଲା । ମାନି ପୁଣି ବାହା ହେଉଛି । କଁଉ କଲେଜ ମାଷ୍ଟରକୁ । ରବିବାରଦିନ ସଞ୍ଜବେଳେ ବାହାଘର ।

 

ମାମୁଙ୍କୁ ଖବର ଦିଆଗଲା । ଶଙ୍କରର ବୋଉ ତାଙ୍କୁ ଟଙ୍କା ଦେଲେ ଖିଆପିଆର ବ୍ୟବସ୍ଥା କରିବାକୁ । ବରତରଫରୁ ଦିଆନିଆର କୌଣସି ପ୍ରଶ୍ନ ନାହଁ । ଲଡ଼ୁକେଶ ମଧ୍ୟ ଖୁସି ।

 

ତହିଁ ଆରଦିନ ମାମୁ ଗୋଟାଏ ଚିଠି ପାଇଲେ ଚନ୍ଦ୍ରଶେଖରଠୁ । ମାନିର ବାହାଘରକୁ ବରଯାତ୍ରୀ ପଚାଶଜଣ ଖଣ୍ଡେ ଯିବାର ସମ୍ଭାବନା । ତା ଛଡ଼ା ବେଣ୍ତପାର୍ଟି ଅଛି । ଖିଆପିଆ ଯେମିତି ଭଲ ହୁଏ ।

 

ଶନିବାର ଦିନ ଗୋଟାଏ ଜିପ୍ ଆସିଲା ବାମଦେବଙ୍କ ଘରକୁ । ଶଙ୍କର ଚିଠି ଦେଇଛି ବୋଉକୁ । ସେ ରବିବାର ଦିନ ଗାଁକୁ ଫେରିବ । ଜିପ୍‍ରୁ ଗୋଟାଏ ନୂଆ ସୁଟକେଶ ଆସିଲା । ଉମା ମାନି ପାଇଁ ଉପହାର ପଠେଇଛି । ଶାଢ଼ି, ବ୍ଲାଉସ, ସାୟା–ଅଳତା ସିନ୍ଦୂର । ଆହୁରି କେତେ କଣ । ସୁଟକେଶଟାକୁ ମାନି ଘରକୁ ପଠେଇ ଦେଇ ତା ବୋଉ ପୁଅ ଚିଠିଟା ସ୍ଵାମୀଙ୍କୁ ଦେଲେ । ଶଙ୍କର ଲେଖିଛି–

 

ଶ୍ରୀଚରଣକମଳେଷୁ, ବୋଉ,

 

ତୋର ଏ ଅଧମ ପୁତ୍ର ତୋତେ ଅନେକ ଦୁଃଖ ଦେଇଛି, ଆହୁରି ଗୋଟାଏ ଦୁଃଖ ହୁଏତ ଦବ । ଆଗ ଦୋଷଗୁଡ଼ା ଯେମିତି କ୍ଷମା କରିଛୁ, ଏଥର ମଧ୍ୟ କ୍ଷମା କରିବୁ ବୋଲି ମୋର ଆଶା ଓ ବିଶ୍ୱାସ ।

 

ମୁ ଭଲ ଅଛି । ମୁଣ୍ଡ ଘା ଶୁଖିଗଲାଣି । ମୁ ରବିବାର ଦିନ ଗାଁକୁ ଫେରିବି । ଆଶାକରେଁ ମାନିର ବାହାଘର ଆୟୋଜନର ତ୍ରୁଟି ହେବନାହିଁ ।

 

ବାପାଙ୍କୁ ମୋର ପ୍ରଣାମ ଦେବୁ ଓ ତୁ ନବୁ ।

 

ତୋର ସ୍ନେହାକାଂକ୍ଷୀ, ବୁଢ଼ା ।

 

ବାପା ଚିଠିଟା ପଢ଼ିସାରି ବୋଉଙ୍କୁ ଫେରେଇ ଦେଲେ । ଆଉ କଣ ଦୁଃଖ ଦବ ? ହଉ ଦେଖାଯାଉ ।

 

ଏପଟେ ମାନିର ଅବସ୍ଥା କହିଲେ ନ ସରେ । ସେ ବୁଝିପାରୁନି କଣ କଥା । ଗଲାବେଳେ ଶଙ୍କର ତାକୁ କହିଯାଇଛି, ଅପେକ୍ଷା କରିବାକୁ । ସେତେ ବିପଦ ଆସିଲେ ମଧ୍ୟ ସେ ତା ପାଇଁ ଅପେକ୍ଷା କରିବ । ଇଆଡ଼େ ବାପା ତାର ବାହାଘର ଠିକ କରୁଛନ୍ତି କିଏ ଗୋପାଳ ମିଶ୍ର ସାଙ୍ଗରେ । ଶଙ୍କର ସାଙ୍ଗରେ ଦେଖା ହେଲାରୁ ସେ ପରା କହିଛନ୍ତି, ବାହାଘର ଦିନ ସେ ଆସିବେ । ବାହାଘର ଯେମିତି ଭଲରେ ହୁଏ । ଉମା ତାକୁ ଲୁଗାପଟା ପଠେଇ ଯେଉଁ ଚିଠି ଦେଇଛି ସେଥିରେ ସେ ଲେଖିଛି, ଗୋପାଳ ମିଶ୍ର ପିଲାଟି ଭାରି ଭଲ । ତାକୁ ସେ ଦେଖିଛି ଏବଂ ତାର ମନ ମାନିଛି । ଉମା ଲେଖିଛି, ମାନି ବାହାଘରକୁ ସେ ଆସିବ, ଭାଇନା ସାଙ୍ଗରେ ।

 

ନୀରବରେ କାନ୍ଦିବାକୁ ଲାଗିଲା ମାନି । କଣ କରିବ ସେ । ଶଙ୍କର କଣ ମିଛ ଆଶା ଦେଇଗଲା । ତାର ଅସହାୟତାର ସୁଯୋଗ ନେଲା ? ନା । ବିଶ୍ୱାସ କଲାନି ମାନି । ୟେ କଣ ସମ୍ଭବ । ଏତେ ପାଠ ପଢ଼ିଛନ୍ତି ସେ, ଏଡ଼େ ବଡ଼ଲୋକ । ସେ ତାକୁ ଠକିବେ । ହେଇତ ତାଙ୍କର ସେଇ ହୀରାମୁଦି ତା ହାତରେ । ତାହେଲେ ? ସବୁ ଗୋଳମାଳ ହୋଇଯାଉଛି । ସେ କିଛି ବୁଝିପାରୁନି । ତାଙ୍କ ଗାଁର ଜାଗ୍ରତ ଦେବତା ଲଡ଼ୁକେଶ ମହାହେବ । ତାଙ୍କୁ ମନେ ମନେ ସହସ୍ର ପ୍ରଣାମ କଲା ସେ । ‘‘ହେ ଦେବତା, ମୋତେ କୁହ । କଣ ମୁ କରିବି ?’’

 

ଝିଅର ଯେ ଏ ବାହାଘରରେ ମନ ନାହଁ, ତା ବୋଉ ଏ କଥା ଜାଣନ୍ତି । ମାନିର ମନ ଯେ କେଉଁଠି ବନ୍ଧା ପଡ଼ିଛି ସେ କଥା ତ ତାଙ୍କୁ ଅଜଣା ନାହିଁ । ସେଥିଲାଗି ସେ ଯାଇ ଶେଷରେ ସ୍ୱାମୀଙ୍କୁ ପଚାରିଲେ, ‘‘ହଇହୋ, ତୁମେ ଠିକ୍ କହୁଚ ତ, ସେ ପିଲାଟି ନାଁ ଗୋପାଳ ?’’

 

‘‘ମଲା ।’’ ଷଢ଼ଙ୍ଗୀ କହିଲେ । “ମୁ ପରା ଦେଖିଛି ସେ ପିଲାକୁ । କଥାବାର୍ତ୍ତା କରିଛି ତା ସାଙ୍ଗରେ । ଗନ୍ତାୟତ ବୋଲି ଜଣେ ବଡ଼ ପ୍ରଫେସର ଅଛନ୍ତି । ତାଙ୍କରି ଘରେ ସବୁ କଥାବାର୍ତ୍ତା ହେଲା । ସେମାନେ କୌଶିକ ଗୋତ୍ର । ବାମଭାଇନାଙ୍କ ଜୋଇଁ ଚନ୍ଦ୍ରଶେଖର ସେଠି ଥିଲେ । ମୁ କଣ ମିଛ କହୁଛି ।’’

 

ମାନିବୋଉ ଆଖି ଆଗରେ ଝିଅକୁ ରଖିଥାନ୍ତି । କିନ୍ତୁ ସେ କଣ କରିବେ । କାଲି ବାହାଘର । ବେଦୀ ତିଆରି ସରିଲାଣି । ସଜାସଜି ହଉଛି । ଶଙ୍କରର ମାମୁ ଲୋକ ଲଗେଇଛନ୍ତି । ତାଙ୍କ ସ୍ଵାମୀ ଗାଁ ସାରା ନିମନ୍ତ୍ରଣ କରିସାରିଲେଣି । ସେ ନିଜେ ମଙ୍ଗଳହାଣ୍ଡି ବସେଇ ସାରିଲେଣି ।

 

ଶନିବାର ଦିନ ଉପରଓଳି ମାନି ପଳେଇ ଆସିଲା ସଙ୍ଗାତମାଉସୀଙ୍କ ଘରକୁ । ତା ଚେହେରା ଦେଖି ଡରିଗଲେ ମାଉସୀ । ‘‘କଣ ହୋଇଛି ମା ? ଏମିତି ଶୁଖିଯାଇଛୁ କାହିଁକି ? କାଲି ତୋ ବାହାଘର । ଆ ତୋ ମୁଣ୍ଡ କୁଣ୍ଡେଇ ଦିଏଁ ।’’

 

ତା ମୁଣ୍ଡ କୁଣ୍ଡଉ କୁଣ୍ଡଉ କହିଲେ, ‘‘ବୁଢ଼ା ଚିଠି ଦେଇଛି । ସେ ବାହାଘରକୁ ଆସୁଛି । କାଲିକି ଆସିବ ।’’

 

‘‘କେତେବେଳେ ?’’

 

‘‘ସେ କଥା ଳେଖିନି । ଦେଖିବୁ ତା ଚିଠି ?’’

 

ଠଣାରୁ ଚିଠି ଆଣିଦେଲେ । ମାନି ତିନି ଚାରିଥର ପଢ଼ିଲା ଚିଠିଟା । କିଛି ବୁଝି ପାରିଲାନାହିଁ । ଏତିକି ଭରସା ତାର, କାଲି ଶଙ୍କର ଆସୁଛି । ଆସିଲେ ସେ ପଚାରିବ– ତାକୁ ଏମିତି କଲବଲ କରି ମାରି କି ଲାଭ ପାଇଲେ ସେ । ତାଙ୍କୁଇ ତ ସେ ଉତ୍ସର୍ଗ କରିଛି ତାର ଦେହ ମନ ସବୁ । ଅନ୍ୟକୁ ସେଗୁଡ଼ା ସେ ଦବ କେମିତି ? କୋହରେ ତାର ଛାତି ଭରିଗଲା ।

 

ତା ବୋଉ ଆସିଲେ । ସଙ୍ଗାତକୁ ଡାକିବାକୁ ଆସିଛନ୍ତି । କାଲି ମାନିର ବାହାଘର । ସେ ଯେମିତି ଟିକିଏ ସହଳ ସହଳ ଯାନ୍ତି । ବୋଉ ସାଙ୍ଗରେ ଘରକୁ ଫେରିଲା ସେ ।

 

ରାଣୀଶାସନରେ ବିଧବାବିବାହ । ଏଡ଼େ ଅନାଚାର ପଞ୍ଚାନନ ସହିବେ ? ଶିରୋମଣିଙ୍କୁ ଡକାଗଲା । ଗାଁରେ କିନ୍ତୁ କାହାରିଠୁଁ ସମର୍ଥନ ପାଇଲେ ନାହିଁ ପଞ୍ଚାନନ । ଶଙ୍କରର ମୁଣ୍ତଫଟା ଖବର ଶୁଣିବା ପରେ, ଗାଁବାଲା ବୁଝିଲେ ପଞ୍ଚାନନ କି ବଜ୍ଜାତ ଲୋକ । ତାଛଡ଼ା ମାନିଟାର ଗୋଟାଏ ଉପାୟ ହେଲା । ଏଡ଼େବଡ଼ ଝିଅଟା ବୁଲୁଥିଲା ଗାଁରେ । ବୁଢ଼ାମାନେ ତ ପ୍ରମାଦ ଗଣୁଥିଲେ । କେତେବେଳେ କଣ ଯେ ହୋଇଯାଇପାରେ । ସୁବିଧା ହେଲା ନାହିଁ । ଶିରୋମଣି ହତାଶ ହେଲେ ।

 

ରବିବାର ସକାଳୁ ଖବର ଆସିଲା– ବରଯାତ୍ରୀ ସିଧା କଟକରୁ ଆସିବେ । ବର ପହଞ୍ଚିବା ମାତ୍ରେ ବାହାଘର ଆରମ୍ଭ ହେବ । ବାହାଘର ସରିଲେ, ଖିଆଦିଆ ସାରି ବରକନ୍ୟାକୁ ନେଇ ବରଯାତ୍ରୀ ଚାଲିଯିବେ । ଜଳଖିଆର ଆବଶ୍ୟକତା ନାହିଁ । ଥରେ ଖାଇବେ ସେମାନେ । ମାମୁ ସେଇ ଅନୁସାରେ ବ୍ୟବସ୍ଥା କଲେ ।

 

ଦିନ ଦଶଟା ବେଳକୁ ଚନ୍ଦ୍ରଶେଖରର ଗାଡ଼ିଟା ଆସିଲା । ଉମା ଏକା ଆସିଛି । ସାଙ୍ଗରେ ଗୋଟାଏ ଲୁହାଟ୍ରାଙ୍କ । ଡ୍ରାଇଭାର ସେଟା ଘରେ ରଖିଦେଇ ଗାଡ଼ି ନେଇ ଚାଲିଗଲା । ଉମାକୁ ଏକା ଦେଖି ତା ବୋଉ ଅବାକ ।

 

‘‘କିଲୋ ତୁ କଣ ଏକା ଆସିଛୁ ? ବୁଢ଼ା କାହିଁ ?’’

 

‘‘ଆସିବେ । ବାପା କାହାନ୍ତି ବୋଉ ?’’

 

‘‘ଘରେ, ଖବରକାଗଜ ପଢ଼ୁଛନ୍ତି ।’’

 

ମା ଝିଅ ପଶିଗଲେ ସେ ଘରକୁ ।

 

‘‘ବାପା’’

 

ଖବରକାଗଜ ରଖି ଉଠି ବସିଲେ ବାମଦେବ ।

 

‘’ତୁ ଏକା ଆସିଛୁ ମା ?’’

 

‘‘ହଁ ।’’

 

‘‘ଆଉ ରାଜା, ଚନ୍ଦ୍ରଶେଖର ?’’

 

‘‘ରାଜା ତ ମାର୍କଣ୍ଡ । ସେମାନେ ବରଯାତ୍ରୀ । ସଞ୍ଜବେଳକୁ ପହଞ୍ଚିବେ ।

 

‘‘ଓ । ଆଉ ବୁଢ଼ା ?’’

 

‘‘ସେ ତ ବର ।’’

 

‘‘ବୁଢ଼ା ବର ?’’ ବାପା ବୋଉ ଏକା ସାଙ୍ଗରେ ପାଟିକରି ଉଠିଲେ ।

 

‘‘ହଁ ।’’ ଉମା କହିଲା । ‘‘ଭାଇନା ତ ବାହା ହଉଛନ୍ତି ମାନିକୁ । କାହିଁକି, ବୋଉ ତ ଜାଣେ-।’’

 

‘‘ମୁ କଣ ଜାଣେ ଲୋ ବୁଢ଼ୀ ?’’

 

‘‘ବାଃ, ତୁ ତ ଭାଇନାଙ୍କୁ ଜବାବ ଦେଲୁ ମାନି ବାହାଘର ପାଇଁ ସଙ୍ଗାତମାଉସୀଙ୍କୁ କହିବୁ ବୋଲି । ବାହାଘର ଖର୍ଚ୍ଚ ଦବୁ ବୋଲି କହିଲୁ ।’’

 

ବୋଉ ଚୁପ ।

 

ଏତେବେଳେ ବୁଝାଗଲା ବୁଢ଼ାଚିଠିର ଅର୍ଥ । ବାମଦେବଙ୍କ ମନେ ପଡ଼ିଲା ଶଙ୍କରର କଥା– ମୁଣ୍ଡଫାଟିଥାଏ ଯେଉଁଦିନ । ଲଡ଼ୁକେଶ ଘର ପିଣ୍ଡାରେ ଶୋଇଥିବାବେଳେ ସେ କହିଥିଲା, ‘‘ଉମା ଆଉ ମାନି, ଦିଜଣଙ୍କୁ ମୋର ଦରକାର ।’’

 

‘‘ତା ହେଲେ ଗୋପାଳ ମିଶ୍ର କିଏ ?’’ ବାପା ପଚାରିଲେ ।

 

‘‘ସେଟା ଛଦ୍ମନାମ । କୌଶିକ ଗୌତ୍ରରୁ ବୁଝି ପାରିଲ ନାହିଁ ।’’

 

କାବା ହୋଇ ଠିଆ ହୋଇ ରହିଲେ ବାମଦେବ ।

 

‘‘ବୁଢ଼ାଟା ସତରେ ଅଦଭୂତ । ସବୁ କାମ ତାର ଅସାଧାରଣ । ବାଃ’’ ହୋ ହୋ କରି ହସିଲେ ବାମଦେବ ଖୁସିରେ ।

 

ତାଙ୍କ ମୁହଁରେ ଏମିତି ହସ, ଉମା ଆଉ ତା ବୋଉ ଅନେକ ଦିନ ପରେ ଦେଖିଲେ ।

 

ଶମ୍ଭୁ ମାନି ଘରେ ଥିଲା । ମାମୁଙ୍କୁ ସାହାଯ୍ୟ କରୁଥିଲା । ନାନୀ ଆସିବା ଖବର ଶୁଣି ଦଉଡ଼ିଲା ଘରକୁ । ତାକୁ ଦେଖି ତା ବୋଉ କହି ଉଠିଲେ– ‘‘ବୁଢ଼ାର ମୋର ବାହାଘର । ଜାଇ ରଗଡ଼ା ହୋଇନି, ମଂଗଳହାଣ୍ଡି ବସିନି । ଗଲୁ ତୋ ଜେଠେଇକୁ, ଖୁଡ଼ୀକୁ, ମାଇଁକୁ ଡାକି ଆଣିବୁ ।’’

 

ଘଣ୍ଟାକ ଭିତରେ ସବୁ ଆୟୋଜନ ହୋଇଗଲା । ମଂଗଳହାଣ୍ଡି ବସିଲା । ଶଂଖ ହୁଳହୁଳିରେ ପ୍ରକମ୍ପିତ ହେଲା ରାଣୀଶାସନ । ବୁଢ଼ା କେଉଠି ବାହା ହଉଛି, ବା ବାହାଘର କେବେ, ସେ କଥା ତା ବୋଉ ପାଖରୁ କେହି କାତ ପାରିଲେ ନାହିଁ । ଗୋଟିଏ କଥାରେ ତାଙ୍କ ଉତ୍ତର– ‘‘ସମୟ ହେଲେ ଜାଣିବ । ପୁଅ ଆସୁ । "

 

‘‘ପୁଅ କେବେ ଆସିବ ?’’

 

‘‘ଆଜି ।’’

 

‘‘କିଲୋ ଉମା କଥା କଣ ?’’

 

“କଉ କଥା ଖୁଡ଼ୀ ?’’

 

‘‘ଏଇ ବୁଢ଼ା ବାହାଘର କଥା ।’’

 

‘‘ଶୁଣିଲ ତ । ଭାଇନା ନିଜେ ଠିକ କରିଛନ୍ତି । ସେ ଆସନ୍ତୁ ଜାଣିବ ।’’

 

ଶମ୍ଭୁକୁ ମନାକରି ଦେଲା ଉମା । ‘‘ଖବରଦାର କୁଆଡ଼େ ଯିବୁନି । କାହାରିକି କିଛି କହିବୁନି । କେହି ଯେମିତି ନ ଜାଣନ୍ତି । ସାବଧାନ ।’’

 

ପୁରୋହିତ ଆସିଲାରୁ କନକାଞ୍ଜଳୀ ବାନ୍ଧିଲେ ତା ବୋଉ, ଉମା ଆଣିଥିବା ପାଟଶାଢ଼ି ପିନ୍ଧି । ବାପା ପାଟ ପିନ୍ଧିଲେ । ରନ୍ଧାଭାତ ପଡ଼ି ରହିଲା । ବାପମାଙ୍କୁ ଉପବାସ କରିବାକୁ ପଡ଼ିବ । ଶୁଭକର୍ମ ।

 

ସେଇ ଟ୍ରାଙ୍କ ଖୋଲିଲା ଉମା । ଦେଖେଇଲା ବାପା ବୋଉଙ୍କୁ । କନ୍ୟା ପାଇଁ ଗହଣା ଆଣିଛି । ବାକ୍‍ସ ପରେ ବାକ୍‍ସ । ଝଲମଲ କରୁଛି ।

 

‘‘ଏ ଗହଣା କିଣିଲା କିଏ ?" ବୋଉ ପଚାରିଲେ ।

 

‘‘ଆମେ ।’’

 

‘‘ବୁଢ଼ା ଦେଖିନି ?’’

 

‘‘ସେ କହିଲେ, ସେ ଏ ସବୁ କିଛି ବୁଝନ୍ତିନି ।’’

 

ତାପରେ କାଢ଼ିଲା ଲୁଗା । ଗୋଟାଏ ଦାମୀ ଅଉରଙ୍ଗାବାଦୀ ପାଟ ଶାଢ଼ି ଆଣିଛି । ତାରି ଯୋଡ଼ି ବ୍ଲାଉସ । ଆଖି ଝଲସି ଯିବ ।

 

‘‘କେତେ ଦାମ ନେଲାରେ ବୁଢ଼ୀ ?’’

 

‘‘ତିନିଶ ପଚାଶ ଟଙ୍କା ।’’

 

ଆହୁରି ଅନେକ ଲୁଗାପଟା କାଢ଼ିଲା ଉମା ।

 

‘‘ଟଙ୍କା କିଏ ଦେଲା ?’’ ବୋଉଙ୍କ ପ୍ରଶ୍ନ ।

 

‘‘ଭାଇନା ।’’ ହସିଲା ଉମା । ‘‘ତାଙ୍କର ସେ ଥଳିରେ ଆହୁରି ଅନେକ ଟଙ୍କା ଅଛି ବୋଉ-। ସେ ଆସନ୍ତୁ ତୁ ଦେଖିବୁ ।’’

 

ବାପା ଆଉ ପୁରୋହିତ ଦାଣ୍ଡଘରେ । ଶମ୍ଭୁ ଚଙ୍ଗଚଙ୍ଗ ହେଉଥାଏ ଘରେ । ନାନୀକୁ ପଚାରିଲା– ‘‘ଭାଇନା କେତେବେଳକୁ ଆସିବେ ?’’

 

‘‘ଠିକ ସଂଧ୍ୟା ବେଳକୁ ବରଯାତ୍ରୀ ଏଠି ପହଞ୍ଚିବେ ।’’

 

ଗାଁରୁ କେତୋଟି ସ୍ତ୍ରୀ ଲୋକଙ୍କୁ ଡାକି ଆଣିଲା ସିଂଗ । ଶଂଖ ବଜେଇବେ, ହୁଳହୁଳି ଦେବେ– ବର ବାହାରିଲା ବେଳେ ।

 

ଠିକ ସଂଧ୍ୟାବେଳକୁ ଗୋଟାଏ ବିରାଟ ଗାଡ଼ି ଆସି ଠିଆ ହେଲା ବାମଦେବଙ୍କ ଘର ଆଗରେ । ଫୁଲ ହାରରେ ସଜା ହୋଇଛି ଗାଡ଼ିଟା । ଡ୍ରାଇଭାର ପିନ୍ଧିଛି ପୋଷାକ । ବାପା, ପୁରୋହିତ ଆଉ ଶମ୍ଭୁ ପଶିଗଲେ ଗାଡ଼ିରେ । ଶଙ୍କର ଆଉ ରାଜା ବସିଛନ୍ତି । ତା ପଛକୁ ପଛକୁ ଆସିଲା ଗାଡ଼ି ଉପରେ ଗାଡ଼ି, ପନ୍ଦର କୋଡ଼ିଏଟା । ଚନ୍ଦ୍ରଶେଖରର ଗାଡ଼ିରେ । ଚଢ଼ିଲେ ଉମା ଆଉ ତା ବୋଉ । ସେଇ ଟ୍ରାଙ୍କଟା ରଖାଗଲା ଗାଡ଼ିରେ । ବେଣ୍ଡ ବାଜିଲା । ପ୍ରଶେସନ ଆରମ୍ଭ ହେଲା ସେଇଠୁ ।

 

କିଏ ଏ ଗୋପାଳ ମିଶ୍ର ? ଏତେ ଗାଡ଼ି କଉଠୁ ପାଇଲା ସେ ? ବାମଦେବ ଶତପଥୀଙ୍କ ଘରୁ ପ୍ରଶେସନ ଆରମ୍ଭ ହେଲା କାହିଁକି ? ଗାଁ ସାରା ଲୋକ ଉଦଗ୍ରୀବ ହୋଇ ଚାହିଁଥାନ୍ତି ପ୍ରଶେସନକୁ । ଶେଷରେ କନ୍ୟାଘରେ ଗାଡ଼ି ରହିଲା । ବାଟବରଣ କରିବାକୁ ଆସି ଲଡ଼ୁକେଶ ଦେଖିଲେ, ବର ଆଉ କେହି ନୁହେଁ, ଶଙ୍କର ନିଜେ । ଗାଡ଼ିରୁ ଓହ୍ଲଉଛନ୍ତି ବାମଦେବ, ରାଜା, ଶମ୍ଭୁ ଏବଂ ପୁରୋହିତ ।

 

ବିଜୁଳି ଗତିରେ ରାଷ୍ଟ୍ର ହୋଇଗଲା କଥାଟା । ଗାଁଯାକ ମରଦ ମାଇପେ ଆସି ଜମା ହୋଇଗଲେ ଲଡ଼ୁକେଶ ଷଢ଼ଙ୍ଗୀଙ୍କ ଘରେ । ମାନି ନିର୍ଜୀବ ପରି ଶୋଇ ଶୋଇ କାନ୍ଦୁଥିଲା ଘର ଭିତରେ । ଝଡ଼ ବେଗରେ ପଶି ଆସିଲେ ତା ବୋଉ ।

 

‘‘ମାନି, ଉଠ, ଦେଖ କିଏ ଆସିଛନ୍ତି ?’’

 

ସେଇ ଅବିନ୍ୟସ୍ତ ଚେହେରା ନେଇ ଉଠିଲା ସେ । ଚମକି ପଡ଼ିଲା । ସଙ୍ଗାତମାଉସୀ କହୁଛନ୍ତି, ‘‘ଉଠ ମା, ବୁଢ଼ା ମୋର ବେଦୀକି ଗଲାଣି । ତୁ ସଜ ହୋଇନୁ ?’’

 

ବିଶ୍ୱାସ କଲାନି ମାନି । ବଲ ବଲ କରି ଚାହିଁଲା ଉମାକୁ । ଦୁଇ ଆଖିରୁ ବୋହି ଯାଉଥାଏ ଲୁହ, ଅଜସ୍ରଧାରାରେ । କେତେ ଲୁହ ଅଛି ଏ ଝିଅଟାର, ଆଶ୍ଚର୍ଯ୍ୟ ହେଲେ ସଙ୍ଗାତମାଉସୀ ।

 

“ଉଠ । ଆଉ କାନ୍ଦନ୍ତିନି ମା । ଲଗ୍ନ ଆଉ ଅଳ୍ପ ସମୟ ରହିଲା । ବୁଢ଼ୀ ତୁ ତାକୁ ଲୁଗାପଟା ପିନ୍ଧା । ସଜ କରିଦେ । ସେମାନେ ଥାନ୍ତୁ । ଆଉ ସମସ୍ତେ ବାହାରି ଆସ ଘରୁ ।’’ କବାଟ ଆଉଜେଇ ନେଇ ଗଲେ ମାଉସୀ ।

 

ଉମାକୁ ଜାକି ଧରିଲା ମାନି ତା ଛାତିରେ, ‘‘ତୁମେ, ତୁମେ ଏତେ ନିଷ୍ଠୁର । ଉମା ।’’

 

ସେମିତି ଭିଡ଼ି ଧରି ତା ମୁହଁରେ ଅଜସ୍ର ଚୁମ୍ବନ ଦେଲା ମାନି ।

 

‘‘ବସ ନୂଆବୋହୁ ।’’ ଉମା କହିଲା ‘‘ମୁ ସଜେଇ ଦିଏଁ ।’’ ଆଉ ମାନି ନୁହେଁ କି ତୁ ନୁହେଁ-

 

ଦ୍ୱିତୀୟ ବରଣ ପରେ ଗୋଟି ଗୋଟି କରି ସବୁ ଗହଣା ପିନ୍ଧେଇଲା ଉମା । ମୁଣ୍ଡରେ ଚନ୍ଦନ ଦେଇ ସଜେଇ ଦେଲେ ଉମା ଆଉ ଗାଁର ଗୋଟିଏ ଝିଅ । ତା ପରେ ଲୁଗା ପିନ୍ଧେଇ ସାଇଲା ବେଳକୁ, କବାଟ ଖୋଲି, ପଶି ଆସିଲେ ଦୁଇଜଣ ଭଦ୍ର ମହିଳା । ଏମାନେ ବରଯାତ୍ରୀଙ୍କ ସାଙ୍ଗରେ ଆସିଛନ୍ତି । ବଡ଼ ଆଲୁଅଟା ଆସି ପଡ଼ିଲା ଘର ଭିତରେ ।

 

ଉମା ନିଜେ ଚମକି ପଡ଼ିଲା– ଏଇ କଣ ତାର ସେଇ ସାଙ୍ଗ ମାନି ?

 

‘‘ବାଃ, ଶଙ୍କରବାବୁଙ୍କର ପସନ୍ଦ ଅଛି, ‘‘କହିଲେ ଶ୍ରୀମତୀ ରଥ ।

 

‘‘ଆଉ କହିବାକୁ ଅଛି ।’’ ଯୋଡ଼ିଲେ ଶ୍ରୀମତୀ ଗନ୍ତାୟତ ।

 

ଗୋଟିଏ ଉଜ୍ଜ୍ୱଳ ଆଲୁଅ କିଏ ଆଣିଦେଲା ଏ ଘରକୁ । ସମସ୍ତେ ଦେଖିଲେ ଏଇ ଲଜ୍ଜାବତୀ ଗ୍ରାମ ବାଳିକାଟିକୁ, ଏଇ ଅପରୂପ ବେଶରେ । ତାରିଫ କଲେ ଶଙ୍କରର । ସେ ଜହୁରୀ । ସହରରୁ ବାହା ନ ହୋଇ ଶଙ୍କର ଭଳିଆ ଉଚ୍ଚଶିକ୍ଷିତ ଓ ବଡ଼ଦରର ଚାକିରିଆ, ଗାଁ ଝିଅକୁ କାହିଁକି ବାହାହେଲା । ଫେରିଗଲେ ବରଯାତ୍ରୀ ଯେଝା ଜାଗାକୁ ।

 

ତା ବୋଉ ଆସିଲେ ମାନିକି ବେଦୀକୁ ନେବାକୁ । ଉମା ମଧ୍ୟ ସେମାନଙ୍କ ସାଙ୍ଗରେ ବାହାରକୁ ଆସିଲା । ଘର ସାରା ଲୋକ । ତିଳଧାରଣର ଜାଗା ନାହିଁ । ଶଂଖ ହୁଳହୁଳିରେ କମ୍ପୁଛି ଗାଁ । ଉମା ଲକ୍ଷ୍ୟ କଲା, ଜେଠେଇ, ଖୁଡ଼ୀ, ମାଇଁ ସମସ୍ତେ ଆସିଛନ୍ତି । ବୋଉକୁ ଘେରି ଗପ କରୁଛନ୍ତି ସେମାନେ । ହସାହସି ହେଉଛନ୍ତି । ପୁରୁଷଙ୍କ ଭିତରେ ଉମା ନଜର କଲା ଦଦେଇଙ୍କୁ । ଡି: ଆଇ: ଜି: ଦାସ ସାହେବଙ୍କ ସାଙ୍ଗରେ ଗପ କରୁଛନ୍ତି ସେ । ଦଦେଇ ସିଗ୍ରେଟ ଖାଉଛନ୍ତି । ଆଉ ଆଉ ମୁରବିମାନେ ଚୁପ୍‍ଚାପ ବସି ଦେଖୁଛନ୍ତି ।

 

ଏପଟେ ବରକର୍ତ୍ତା ବାମଦେବ । ସେ ପଟେ କନ୍ୟାକର୍ତ୍ତା ମାମୁ । ଲଡ଼ୁକେଶ, ବେଦୀ କଡ଼ରେ ଚୁପ୍‍ଚାପ ବସିଛନ୍ତି । ଦଶଟା ଆଗରୁ ହୋମ ସରିଗଲା । ବରଯାତ୍ରୀଙ୍କୁ ଖାଇବାକୁ ବସେଇ ଦେଲେ ମାମୁ, ସ୍କୁଲଘରେ । ଟେବୁଲ ଚେୟାରଗୁଡ଼ା କାମରେ ଲାଗିଲା । ଭୁରିଭୋଜନର ବ୍ୟବସ୍ଥା ମାମୁଙ୍କର । ଏଡ଼େ ଏଡ଼େ ସାହେବ ତାରିଫ କଲେ ରନ୍ଧାବଢ଼ାର । କହିଗଲେ, ଚତୁର୍ଥୀ ଦିନ ପୁଣି ଆସିବେ ।

 

‘‘ନିଶ୍ଚୟ ଆସିବେ । କି କଥା ଏ ? ମୋ ଭଣଜା ସାରା କଟକ ସହରକୁ ଖାଇବାକୁ ଦେବାର ତାକତ ରଖେ ।’’ ମାମୁ ଆଜି ଉତ୍ତେଜିତ । ବିବାହଟା ଯେ ବୁଢ଼ାର ଏ କଥା ଜାଣିବା ପରେ, ତାଙ୍କ ମେଜାଜ ଏକାବେଳକେ ବଦଳି ଯାଇଛି ।

 

ବେଦୀରୁ ବରକନ୍ୟାକୁ ଉଠେଇ ନେଲେ ଶଙ୍କରର ବୋଉ । ହସି ସଙ୍ଗାତକୁ କହିଲେ, ‘‘ସମୁଦୁଣୀ, ସେଇଠି ଆମଘରେ ଏକାଠି କଉଡ଼ି ଖେଳ, ଶୀତଳତୁଣ୍ଡି । ଏଠି ଜାଗାନାହିଁ ।’’ ପୁଅ ବୋହୂଙ୍କୁ ନେଇ ଗାଡ଼ିରେ ବସିଲେ ଶଙ୍କରର ମାତା । ଆଗରେ ବସିଲେ ବାମଦେବ ଏବଂ ରାଜା ।

 

ରାଜା କହିଲା– ‘‘କହିଲ ଅଜା, ଏ ଗାଡ଼ିଟା କାହାର ?’’

 

ନାତିକୁ କୋଡ଼କୁ ଟାଣି କହିଲେ, “ମୁ କେମିତି ଜାଣିବି ।’’

 

‘‘ସାହେବମାମୁଙ୍କର’’ । ହସିଲା ରାଜା ।’’ ଏମିତି ଗାଡ଼ି କଟକରେ କାହାରି ନାହିଁ ଅଜା । ଏତେବଡ଼ ଗାଡ଼ି ।’’

 

‘‘ସତେ ?’’ ଅଜା ଖୁସିରେ କହିଲେ ।

 

‘‘ଖୋକାବାବୁ ଠିକ ବଲେଛେନ ସାର । ଅରିଜିନାଲ ବୁଇକ । ଏ ଗାଡ଼ି ଆର ଆସେନା ଏ ଦେଶେ । ସାହେବ ଏଟା ଏମେରିକା ଥେକେ ଏନେଛେନ ।’’

 

ପୁଣି ବେଣ୍ତ ବାଜିଲା ରାଣୀଶାସନକୁ କମ୍ପମାନ କରି । ପ୍ରଶେସନ ଫେରିଲା ବରଘରକୁ-। ଚନ୍ଦ୍ରଶେଖର ରହିଲା ବରଯାତ୍ରୀଙ୍କୁ ବିଦାୟ ଦବାକୁ ।

 

ବେଣ୍ଡ ବାଦ୍ୟ ଓ ଶଙ୍ଖ ହୁଳହୁଳି ଭିତରେ ବରକନ୍ୟା ଗୃହ ପ୍ରବେଶ କଲେ ।

 

–ତେଇଶ–

 

ସୋମବାର ଦିନ ସକାଳ ନଟା । ଗାଧୋଇଆସି ଶଙ୍କର ଦେଖିଲା ପିନ୍ଧିବାକୁ କିଛି ନାହିଁ-। ପାଟିକରି ଡାକିଲା, ‘‘ଉମି ।’’

 

ଦଉଡ଼ି ଆସିଲା ଉମା ।

 

‘‘କିରେ ପିନ୍ଧିବି କଣ ?

 

ସତରେ ତ, ଭାଇନା ପିନ୍ଧିବେ କଣ ? ଶାନ୍ତିପୁରୀ ଯୋଡ଼ କିଣା ହୋଇଛି । ଗଲା କୁଆଡ଼େ ସେ ଲୁଗା । ବୋଉକୁ ପଚାରିଲା । ସେ କହିଲେ, ‘‘କେଜାଣି ମା, ଦେଖିଲୁ ମୋ ଖଟତଳେ ଦିଟା ପେଟରା ଆଣି କିଏ ରଖି ଦେଇ ଯାଇଛି ।’’

 

ଉମା ଦେଖି ଚିହ୍ନିଲା, ଚାବି ବି ତାରି ପାଖରେ । ଚଟପଟ ଲୁଗା କାଢ଼ି, ବାକ୍‍ସ ବନ୍ଦ କରି ଆସି ଭାଇନାକୁ ଲୁଗା ଦେଲା । ବାଁ ହାତରେ ତାର ହଳଦି ଗୁଣ୍ଡ ।

 

‘‘ଆଜି ବ୍ରେକଫାଷ୍ଟ ନୁହେଁ ଭାଇନା । ଏଇ ଚାରିଦିନ ଓଡ଼ିଆ ଖାନା । ରାଜି ?’’

 

‘‘କଫି ଦବୁ ତ ?’’

 

‘‘ହଁ । କିନ୍ତୁ କଳାକଫି ଖାଇ ପାରିବନି ।’’ ଭାଇନାର ଲୁଗାକାନିରେ ହଳଦି ଲଗଉ ଲଗଉ କହିଲା ।

 

‘‘ସେଗୁଡ଼ା କ’ଣ ଲଗଉଛୁ ?’’

 

‘‘ହଳଦୀ । ଶୁଭ । ତୁମେ ପରା ବର । ବର ମାନେ କଣ ଜାଣ ?’’

 

‘‘ନା । ବରଗଛ ଦେଖିଛି, ବରକୋଳି ବି ଖାଇଛି ।’’

 

ହସି ଉଠିଲା ଉମା ‘‘ତୁମକୁ ପାରିବ କିଏ ? ଦେଖାଯାଉ ନୂଆବୋହୂ ଯଦି ପାରେ ? ବରମାନେ ଶ୍ରେଷ୍ଠ । ବୁଝିଲ ? ସୁତରାଂ ତୁମକୁ ଏ କେତେଦିନ ଆମ ହୁକୁମରେ ଚାଲବୁଲ କରିବାକୁ ହବ ।’’

 

‘‘ଏଇପରା ଶ୍ରେଷ୍ଠତ୍ତ୍ୱର ପରିଚୟ ?’’ ପଞ୍ଜାବୀଟା ପିନ୍ଧୁ ପିନ୍ଧୁ କହିଲା ଶଙ୍କର ।

 

‘‘ହଁ ।’’ ହସିଲା ଉମା ।

 

‘‘କଫି ନ ହଉ, ଚା ପଠେଇ ପାରିବୁ । ଆଉ ମୋ ସିଗ୍ରେଟ କେଶ, ଲାଇଟାର । ସେ ଘରେ ସବୁ ଠିକ ଥିଲା । ଏଠି କିଛି ପାଉନି । ଚନ୍ଦ୍ରଶେଖର ଖୁରରେ ଖିଅର ହେଲି ।’’

 

‘‘ଗୃହିଣୀଟିକୁ ଡାକ । ସବୁ ଠିକ କରିଦବ ।’’ ହସି କହିଲା ଉମା ।

 

‘‘ଡାକିଦେଇ ପାରିବୁ ତାକୁ ?’’

 

“ହଁ । କଣ କରୁଛି କି ସେ । ବୋଉ ପାଖରେ ବସି ଗୁଆ କାଟୁଛି । ମୁ ଡାକି ଆଣୁଛି ।’’ ଚାଲିଗଲା ସେ ।

 

ଏଇ ଘରଟା ବେଶ ବଡ଼ ଘର । ଏ ପାଖର ଶେଷ ଘର ଏଟା । ତାପରେ ଧାନ ଘର ଓ ଠାକୁରଘର । ଅନ୍ୟ ଧାଡ଼ିରେ । ଦିଟା ବଡ଼ ବଡ଼ ଝରକା, ଗୋଟାଏ ଦୁଆର । ଆଗରୁ ଏ ଘରଟାରେ ଜିନିଷପତ୍ର ରହୁଥିଲା । କାଲି ସିଂଗ ଏକୁ ସଫାସୁତରା କରିଛି ଶଙ୍କରର ବ୍ୟବହାର ପାଇଁ । ଗୋଟାଏ ପୁରୁଣା କାଳିଆ ପଲଙ୍କ ପଡ଼ିଛି ଘରର ଅଧେ ମାଡ଼ିବସି । ତା ଉପରେ ବିଛଣା ହୋଇଛି । ତକିଆ ପଡ଼ିଛି ଦିଟା । ଏଇ ଘରଟା ଆଜିଠୁଁ ତାର । ଜିନିଷପତ୍ର ସବୁ ଏଠିକି ଅଣା ହୋଇଛି । ସବୁ କିନ୍ତୁ ଅବିନ୍ୟସ୍ତ । ତାକୁ ସଜାଡ଼ିବା ଦରକାର ।

 

‘‘ଏଇ ନୂଆବୋହୁ, ଉଠିଆସ ।’’ ମାନିକୁ ଟାଣି ଠିଆ କଲା ଉମା । ‘‘ଆସ ମୋ ସାଙ୍ଗରେ ।’’ ନେଇଗଲା ତାକୁ ସେଇ ଘରକୁ । ଶଙ୍କର ବୋକାଙ୍କ ଭଳି ପଲଙ୍କ ଉପରେ ବସିଛି । ତାର ସିଗ୍ରେଟ ନାହିଁ ।

 

‘‘ଏଇ ନିଅ ଭାଇନା । କୁହ କଣ କରିବାକୁ ହବ । ମୁ ଯାଏ ଚା କରେଁ ।’’ ବାହାରିଗଲା ସେ ।

 

ମାନି ଠିଆ ହୋଇଛି ତଳକୁ ମୁହଁ କରି । ଓଢ଼ଣା ଟାଣିଛି ଆଖି ପର୍ଯ୍ୟନ୍ତ । ‘‘ଦେଖିଲ ମୋ ସିଗ୍ରେଟ କଉଁଠି ଅଛି ?’’

 

ମାନି ଭେଲସେଟା, ଖୋଲି ସିଗ୍ରେଟ ଆଉ ଲାଇଟାର କାଢ଼ିଦେଲା ।

 

‘‘ଆରେ ତୁମେ ଏଠି ରଖିଥିଲ ?’’

 

ମାନି ଚୁପ କରି ଠିଆ ହେଲା । ଗୋଟାଏ ସିଗ୍ରେଟ ଲଗେଇ ଧୂଆଁ ଛାଡ଼ିଲା ଶଙ୍କର ।

 

“ଏଇ ଘରଟା କେମିତି କେମିତି ଲାଗୁଛି ମୋତେ । ଜିନିଷଗୁଡ଼ା ଠିକ୍ ରଖା ହୋଇନି । ଟିକିଏ ସଜେଇ ଦିଅନ୍ତ କି ?’’

 

ମାନି ଲାଗି ପଡ଼ିଲା କାମରେ । ତାର ସ୍ୱାମୀର କଣ କଣ ଦରକାର କାଢ଼ି ସଜେଇ ରଖିଲା ।

 

ତକିଆ ତଳୁ ଉଆଲେଟଟା କାଢ଼ିଲା ଶଙ୍କର । ‘‘ଏଟା ରଖ ।’’ ମାନିକୁ ଦେଲା ।

 

ମାନି ଧରି ଠିଆହୋଇ ରହିଲା ।

 

‘‘ଟଙ୍କା, ସେଥିରେ ଟଙ୍କା ଅଛି ।’’ ହସିଲା ଶଙ୍କର । ‘‘ତୁମେ ରଖ ।’’

 

ବାପଘରୁ ଯେଉଁ ଟ୍ରାଙ୍କଟି ଆଣିଛି, ତାରି ଚାବି ତା ପାଖରେ ଥିଲା । ସେଟା ଖୋଲି ସେଥିରେ ରଖିଲା ମାନି ଉଆଲେଟଟା । ଉଠି ଆସି ଠିଆ ହେଲା ଶଙ୍କର ପାଖରେ । ହାତରେ ତାର ଘଡ଼ି ଓ କଲମ ।

 

‘‘ଉମା ଦେଇଛନ୍ତି ।’’

 

‘‘ସେଗୁଡ଼ା ତୁମର । ତୁମ ପାଇଁ ମୁଁ ଆଣିଥିଲି ସେଗୁଡ଼ା ଏମେରିକାରୁ ।’’ ଘଡ଼ିଟା ନେଇ ଦମଦେଲା । ତା ଘଡ଼ି ସାଙ୍ଗରେ ମିଳେଇ ଦେଲା । ତାପରେ ସ୍ତ୍ରୀର ବାଁ ହାତଟା ଉଠେଇ ଧଇଲା ।

 

‘‘ଥାଉ ।’’ ମୃଦୁ କଣ୍ଠରେ ମନାକଲା ମାନି ।

 

‘‘ହଉ ଥାଉ ।’’ ହସି ଫେରେଇ ଦେଲା ଶଙ୍କର । ତାର ସେଇ ବାକ୍‍ସରେ ରଖିଦେଲା ମାନି । ଆସି ପଲଙ୍କ ବାଡ଼ା ଧରି ଠିଆହେଲା ।

 

‘‘ମାନସୀ ?’’

 

‘‘ଉଁ ।’’

 

‘‘କାଲି ମୋତେ ବେଦୀରେ ଦେଖି ଖୁବ ଆଶ୍ଚର୍ଯ୍ୟ ହେଇଥିଲ ନା ?’’ ପଚାରିଲା ଶଙ୍କର-

 

‘‘ନା ।’’

 

‘‘ନା ?’’

 

‘‘ନା । ମୁ ଜାଣିଥିଲି ତୁମେ ଆସିବ । ମୋର ଦେହମନସର୍ବସ୍ୱ ଦେଇ ମୁ ତୁମକୁ ଡାକିଥିଲି ।’’

 

‘‘ଗୋପାଳ ମିଶ୍ରର ଗପଟା ବିଶ୍ୱାସ କରି ନଥିଲ ?’’ ଶଙ୍କର ଆଖିରେ ବିସ୍ମୟ । ଜବାବ ଦେଲାନି ମାନି । ଆଖିରୁ ତାର ଲୁହ ଝରିଲା ।

 

‘‘ଛି, କାନ୍ଦନ୍ତିନି ଆଉ । ମୋର ଉପାୟ ନଥିଲା ମାନି । ବାଧ୍ୟହୋଇ ଏମିତି ଗୋଟାଏ ଗପ ତିଆର କରିବାକୁ ହୋଇଥିଲା ।’’

 

‘‘ଜାଣେ ।’’

 

‘‘କେହି ଜାଣି ନଥିଲେ ପ୍ରକୃତ କଥା । ବାପା, ବୋଉ, ତୁମ ବାପା, ସଙ୍ଗାତମାଉସୀ, ମାମୁଁ, କେହିନା । ସେ କେତେଦିନ ଖୁବ ଦୁଃଖରେ କଟିଛି ନା ?’’

 

ମୁଣ୍ଡ ହଲେଇ ହଁ କଲା ମାନି ।

 

‘‘ମୁ ବି ଖୁବ କଷ୍ଟ ପାଇଛି । ଯା ହବାର ହେଲାଣି । ସବୁ ଭଲ ଯଦି ଶେଷଟା ଭଲ ହୁଏ-।’’

 

ମାନିର ହାତଟାକୁ ନିଜ ହାତରେ ନେଲା ଶଙ୍କର । ମାନି ଏଥର ସାହସ କରି ଚାହିଁଲା ତା ମୁହଁକୁ । ପଚାରିଲା– ‘‘ତୁମ ମୁଣ୍ଡ ବଥା ?’’

 

‘‘ନାହିଁ, ଦେଖୁନ ।’’ ନୁଏଇଁ ଦେଲା ମୁଣ୍ଡ ଶଙ୍କର । ଦେଖିଲା ମାନି । ଘା ଶୁଖି ଯାଇଛି । ବାଳ ଉଠୁଛି । ଦୁଇ ହାତରେ ସ୍ଵାମୀର ମୁଣ୍ଡଟାକୁ ଟେକି ଧଇଲା ସେ । ତା କାନରେ ଆସ୍ତେ ଆସ୍ତେ କହିଲା । “ତୁମକୁ ଆଉ ମୁ ଛାଡ଼ିବିନି । କୁହ ତୁମେ ମୋତେ ଛାଡ଼ି କୁଆଡ଼େ ଯିବନି । ଓଃ କି କଷ୍ଟରେ କଟିଛି ସେ ସାତ ଦିନ । କିଛି ବୁଝି ପାରୁନଥାଏ । ତୁମେ କହି ଯାଇଥାଅ ଅପେକ୍ଷା କରିବାକୁ । ୟାଡ଼େ ସବୁ ଓଲଟା କଥା । ଶେଷରେ ଠିକ କଲି, ଯଦି ବାପା ମୋତେ ସେଇ ଗୋପାଳ ମିଶ୍ର ସାଙ୍ଗରେ ବାହାକରି ଦିଅନ୍ତି ତାହେଲେ କାଳିମୁହିଁ ଗଣ୍ଡ ଅଛି ।

 

ଚମକି ପଡ଼ିଲା ଶଙ୍କର । ‘‘ଚୁପ । ଆଜି ଆଉ ସେ କଥା କହନ୍ତିନି ।’’ ଆସ୍ତେ କରି ମାନିର ଓଠରେ ଗୋଟାଏ ଚୁମା ଦେଲା ଶଙ୍କର । ମାନି ଅଲଗା ହୋଇଗଲା ସ୍ୱାମୀ ପାଖରୁ ।

 

ଉମା ପଶି ଆସିଲା ଚା କପ ଧରି ।

 

‘‘ବେଶ । ନୂଆବୋହୂ ଏଠି ଖୁସିଗପ କରିବ ଆଉ ମୁ କାମ କରି କରି ହଇରାଣ । ନା ସେ ହବନି । ନଣନ୍ଦ ପେଡ଼ିଟାଏ ବି ମିଳିଲାନି ।’’

 

‘‘ତୁ କଣ ନଣନ୍ଦ ?’’ ଚା କାପଟା ନେଲା ଶଙ୍କର ତା ହାତରୁ ।

 

‘‘ଆଉ ?’’

 

‘‘ତୁ ହେଲୁ କର୍ତ୍ତ୍ରୀ । ତୁ ନ ଥିଲେ ଏ ବାହାଘର ସମ୍ଭବ ହୋଇଥାନ୍ତା । ବସ ଏଠି ।’’

 

‘‘କାମ ପଡ଼ିଛି ଯେ ?’’ ହସିଲା ଉମା ।

 

“ପଡ଼ିଥାଉ, ଢେର ଲୋକ ଅଛନ୍ତି କରିବାକୁ ।’’

 

ଉମା ହଠାତ କାନିରୁ ଚାବିଲେନ୍ଥାଟା ଖୋଲି କହିଲା– ‘‘ନେଲ ଏ ଚାବି, ଆମେ ଶତପଥୀ ନୋହୁ– ହୋତା ।’’ ଗୋଛାଏ ଚାବି କାଢ଼ି ମାନି ରିଂଗରେ ଗଳେଇ ଦେଲା । ‘‘ତୁମ ସୁଟକେଶ ଚାବି କାହିଁ ?’’

 

‘‘ଉଆଲେଟରେ ।’’

 

‘‘କାହିଁ ସେଟା’’

 

‘‘ପଚାର ତାକୁ ?’’

 

ଉମା ମାଗିଲା, ମାନି ଉଆଲେଟଟା କାଢ଼ିଦେଲା ବାକ୍‍ସରୁ । ହାତକୁ ନେଇ କହିଲା ଉମା, ‘‘ଏଃ, ହାଲୁକା ହୋଇଯାଇଛି ।’’

 

ଶଙ୍କର ହସିଲା ।

 

ଭାଇନା ହାତକୁ ବଢ଼େଇ ଦେଲା ସେଟା । ‘‘ଖୋଲ, ନୂଆବୋହୂକୁ ଚାବିଗୁଡ଼ା ଦିଅ ।’’

 

‘‘ତୁ ଦେ ।’’

 

ମାନି ଚାବି କାଢ଼ିବାକୁ ଯାଇ ଦେଖିଲା, ଭିତରେ ସୁନାଲି କାଳିରେ ଲେଖା ହୋଇଛି ତିନୋଟି ଅକ୍ଷର– ‘‘ମା ନ ସୀ ।’’ ମାନି ବି ଦେଖିଲା ତା ନାଁଟା । ଉମା ଥରେ ଭାଇନା ଓ ଥରେ ନୂଆବୋହୂ ମୁହଁକୁ ଚାହିଁଲା । ମୁଚକି ହସିଲା । ଚାବିଗୁଡ଼ା ରିଙ୍ଗରେ ଗଳେଇ, ମାନିର କାନିରେ ବାନ୍ଧି, ତା ଦେହକୁ ଲାଗି ପଲଙ୍କ ଉପରେ ବସି ପଡ଼ିଲା ।

 

‘‘ଅଃ । ବାବାରେ ବାବା । ଗଲା କେତେଦିନ ହେଲା କଣ ସେ ହେଲାଣି । ତୁମେ ତ ଶଙ୍କର– ଭୋଳାନାଥ । ବାପାଙ୍କ ତାର ପାଇ ସେଇ ଯେ ଆମେ ଗୋଡ଼େଇଛୁଁ ବର ଆଶାରେ, ଶେଷରେ ଆସି ଏଇଠି ପହଞ୍ଚିଛୁ । ଚତୁର୍ଥୀ ସରିଲେ ଛୁଟି ।’’

 

‘‘ଛୁଟି କାହିଁରେ ଉମି ? ଚତୁର୍ଥୀ ସରିଲେ ପଞ୍ଚମୀ ଅଛି ।’’

 

‘‘ତା ମାନେ ?’’ ଉମା ପଚାରିଲା ବୁଝି ନପାରି ।

 

‘‘ମାନେ, କଲିକତା ଯିବାକୁ ହବ । ଆମକୁ ଥଇଥାନ କରି ସାରିଲେ ତୁ ଛୁଟି ପାଇବୁ ।’’

 

ବୋଉ ଡାକିଲେ, “ବୁଢ଼ୀ, ବୋହୂକୁ ନେଇଆ ।’’

 

ମାନିକୁ ନେଇଗଲା ଉମା । ଗୋଟାଏ କଣ ଉତ୍ସବ । ବେଦୀ ଉପରେ ବସିଲା ମାନି । ଦଳେ ସ୍ତ୍ରୀଲୋକ ଶଙ୍ଖ ହୁଳହୁଳି ଦେଇ ମାନି ମୁଣ୍ଡରେ ଅରୁଆ ଚାଉଳ ପକଉଥାନ୍ତି । ଘର ଭିତରୁ ଦେଖିଲା ଶଙ୍କର ।

 

–ଚବିଶ–

 

ଚତୁର୍ଥୀ ଦିନର ସଂଧ୍ୟା ।

 

ଶୋଇବା ଘରେ ଗହଣା ଶାଢ଼ି ପିନ୍ଧେଇ ବୋହୂକୁ ବସାଗଲା । ଏଇ ଗାଁ ମାଇପେ ଚିହ୍ନି ପାରିଲେନି ଯେ ଏଇ ବୋହୂଟି ଷଢ଼ଙ୍ଗୀଘର ମାନି । ତା ବୋଉ ଆସି କନ୍ୟାର ସୌଭାଗ୍ୟରେ ଆନନ୍ଦାଶ୍ରୁ ଗଡ଼େଇ ଗଲେ । କଟକରୁ ଏଥର ଅନେକ ସ୍ତ୍ରୀଲୋକ ଆସିଛନ୍ତି । ଉମା ସେମାନଙ୍କୁ ନେଇ ବ୍ୟସ୍ତ । ଅନେକଗୁଡ଼ାଏ ଅବିବାହିତା ଝିଅ ଅଛନ୍ତି । ସେମାନେ ଦଳ କରି ଆସି ପଶିଲେ ସେ ଘରେ । ତିନିଶ ବତିର ଆଲୁଅ ଜଳୁଥାଏ । ଝଲମଲ କରୁଥାଏ ମାନିର ଶାଢ଼ିଗହଣା । ସାରା ପରିବେଶଟାକୁ ମାନି ଯେମିତି ‘‘ଉଦ୍‍ଭାସିତ କରୁଛି । ଗୋଟିଏ ଝିଅ କହିଲା, A real beauty-!’’ ଆଉ କଣ ଭାବି ଥିଲ କି ? Dr. Satpathy did not fall for a common village girl. See, how lovely she is’’ ମାନି ମୁହଁଟାକୁ ଟେକିଦେଲା ସେ-। ଆଉ ଜଣେ କହିଲା, ‘କି ସୁନ୍ଦର ତୁମ ଆଖିଗୁଡ଼ା ଭଉଣୀ । ତୁମକୁ ଦେଖିଲେ ଭଲ ପାଇବାକୁ ମନ ହବ-।’ ସେ ନଇଁପଡ଼ି ମାନି ଗାଲରେ ଗୋଟାଏ ଚୁମା ଦେଲା । ତାପରେ ଝିଅଙ୍କ ଭିତରେ ଧସ୍ତାଧସ୍ତି-। ସମସ୍ତେ ତା ଗାଲରେ ଚୁମା ଦେଲେ । ଲିପଷ୍ଟିକର ଦାଗରେ ତା ଗାଲଦିଟା ଚିତା କୁଟିଲା ଭଳି ଦିଶିଲା ।

 

କଣ କରିବ ଭାବି ନପାରି, ଜଣଙ୍କ ଅଣ୍ଟାରୁ ରୁମାଲ ଟାଣିଆଣି ଉମା ମାନିର ଗାଲ ପୋଛି ପକେଇଲା । ମାନି ମୁହଁ ଲାଜରେ ଲାଲ ।

 

ବାହାରେ ଶୁଭିଲା, ‘‘We will see you and your bride together, come along ।’’ ଦିଜଣ ଭଦ୍ରମହିଳା ଶଙ୍କରର ଦୁଇଟା ହାତଧରି ଟାଣି ଟାଣି ଆଣୁଥାନ୍ତି । ଶଙ୍କର ହସୁଥାଏ । "Hey girls, get away’’ ତାଙ୍କ ଭିତରୁ ଜଣେ ପାଟିକରି ଉଠିଲେ । ଝିଅଗୁଡ଼ାକ ତରତର ହୋଇ ବାହାରି ଆସିଲେ ପିଣ୍ଡାକୁ । ଏମାନଙ୍କ ଭିତରୁ ଜଣେ ପ୍ରସିଦ୍ଧ ଡାକ୍ତର ଅନ୍ୟ ଜଣକ ଶିକ୍ଷା ବିଭାଗର ବଡ଼ ହାକିମ । ଦୁହେଁ ସାରା ବିଲାତ ଫେରନ୍ତା ।

ଉମାକୁ କହିଲେ, “କନ୍ୟାକୁ ଠିଆ କରାଅ ।’’ ମାନି ଠିଆ ହେଲାରୁ ଶଙ୍କରକୁ ନେଇ ତା ପାଖରେ ଠିଆ କରେଇ, ଦୁଇଜଣ ସାରା ହୁଳହୁଳି ଦବାକୁ ଲାଗିଲେ । କିଏ ଗୋଟାଏ ଶଙ୍ଖ ବଜେଇଲା । ଉପହାର ଆଣିଥିଲେ, କନ୍ୟା ହାତରେ ଦେଲେ । ଶଙ୍କରକୁ ଚାହିଁ ଜଣେ କହିଲେ, ‘‘You are a lucky guy’’ । ଆର ଜଣକ ପ୍ରତିଧ୍ୱନୀ କଲେ, ‘‘A very lucky guy’’ ଶଙ୍କର ଏମାନଙ୍କ ସାଙ୍ଗରେ ବାହାରି ଆସିଲା ।

କଟକବାଲାଙ୍କୁ ନଟା ଭିତରେ ଖୋଇପେଇ ବିଦାକଲେ ଆଉ ଚାକରବାକର ଖାଇସାରି ଉଠୁ ଉଠୁ ସାଢ଼େ ଦଶଟା । ଚନ୍ଦ୍ରଶେଖର ଘରେ ବସି ସିଗ୍ରେଟ ଟାଣୁଥିଲା ଶଙ୍କର । ଉମା ଆସି କହିଲା । ‘‘ରାତି ହେଲାଣି, ତୁମେ ଶୋଇବ ଯାଅ ଭାଇନା ।’’

ଶଙ୍କର ଆସିଲା ତା ଘରକୁ । ଏ କଣ ? ଘରର ଚେହେରା ଏକାବେଳକେ ବଦଳି ଯାଇଛି । ବିଛଣା ଯାକ ଫୁଲ । ପଲଙ୍କରୁ ଲମ୍ବି ଆସିଛି ଫୁଲହାର । ମଶୁରିବାଡ଼ାରେ ଝୁଲୁଛି ଫୁଲ । ଏତେ ଫୁଲ ଆସିଲା କଉଁଠୁ ? ଉମାର କାମ । ଅନେଇଲା ଶଙ୍କର । ଘର କାନ୍ଥରେ ଗୋଟାଏ ଲେମ୍ପ ଜଳୁଛି । ନୀଳ ଚିମନିରୁ ତାର ବିଚ୍ଛୁରିତ ହେଉଛି ମୋଲାଏମ ଆଲୁଅ । ମାନି ଠିଆ ହୋଇଛି ଘରର ସେ ପାଖରେ । ତଳକୁ ମୁହଁ କରି ।

ମାନିକୁ ସଜେଇଛି ଉମା । ସେ ପିନ୍ଧିଛି ଅରଗେଣ୍ଡିର ଶାଢ଼ି ବ୍ଲାଉସ । ଓଢ଼ଣା ଭିତରୁ ଦିଶୁଛି, ଟିକିଲିରେ ଫୁଲ, ହାତରେ, ଫୁଲ ବାହୁରେ ଫୁଲ । ବକ୍ଷଦେଶରେ ଏକ ଫୁଲର ହାର । କାନରୁ ଝୁଲୁଛି ଚମ୍ପାକଳି । କପାଳରେ, ଓଠ ତଳେ, ଚନ୍ଦନର ଚିତା । ଓଠଗୁଡ଼ା ରଞ୍ଜିତ । ଚକ୍ଷୁରେ କଜ୍ଜ୍ୱଳ । ସୀମନ୍ତରେ ସିନ୍ଦୁରରେଖା । ଘରସାରା ଆମୋଦିତ କରୁଛି ପୁଷ୍ପସାର ।

ନିଶ୍ଚଳହୋଇ ତଳକୁ ମୁହଁକରି ଠିଆ ହୋଇଛି ମାନି । ତା'ର ଅବସ୍ଥାଟା ମିନିଟିଏ ଖଣ୍ଡେ ଉପଭୋଗ କଲା ଶଙ୍କର । ତାପରେ ହସି ଡାକିଲା, ‘‘ଆସ’’ । ଅଧୀର ପଦକ୍ଷେପରେ ଆଗେଇ ଆସିଲା ମାନି । ଠିଆ ହେଲା ତା ସାମନାରେ । ମାନିର ହାତଦିଟା ଧଇଲା ଶଙ୍କର । ବୁଝିଲା, ମାନିର ଦେହଟା ଥର ଥର କମ୍ପୁଛି । ଆଉଜେଇ ଆଣିଲା ତାକୁ ନିଜ ଆଡ଼କୁ । ମୁହଁଟା ଟେକିଲା– ମାନି ଆଖି ବୁଜିଛି । ‘‘ଆଖି ଖୋଲ ମାନସୀ’’ ଆସ୍ତେ ଆସ୍ତେ କହିଲା ଶଙ୍କର । ଧୀରେ ଧୀରେ ଆଖି ଖୋଲି ଚାହିଁଲା ମାନି ।

‘‘ଡର ମାଡ଼ୁଛି ?’’ ହସି ପଚାରିଲା ଶଙ୍କର । ମାନି ମୁଣ୍ଡ ହଲେଇ ମନା କଲା । ଏଥର ଶଙ୍କର ତାର କପାଳରେ ଭ୍ରୁରେ, ଆଖିରେ, ଗାଲରେ, ଓଠରେ ଦେଲା ଅସଂଖ୍ୟ ଚୁମ୍ୱନ । ମାନି ତାର ଅଣ୍ଟାକୁ ଦୁଇହାତରେ ଭିଡ଼ି ଧରିଥାଏ । ଦୁଇ ହାତରେ ମାନିର ଦେହଟାକୁ ଟେକିନେଲା ଶଙ୍କର ତାର ଛାତି ପାଖକୁ । ଶଙ୍କରର ବେକରେ ମାନିର ଭୁଜବନ୍ଧନ । ଶଙ୍କର ତାକୁ ନେଇଗଲା ବିଛଣାକୁ-। ଶୋଇଦେଲା । ମାନି ସେମିତି କଣ୍ଠଲଗ୍ନା । ଆହୁରି ଜୋର୍ ରେ ସେ ଭିଡ଼ିନେଲା ସ୍ଵାମୀକୁ ତା ଆଡ଼କୁ ।

ପୌଷ ରାତ୍ରିର ନିଃଶବ୍ଦ ପ୍ରହରଗୁଡ଼ିକ କଟିଗଲା ଦୁଇଟି ଉନ୍ମୁଖ ଶରୀରର ମିଳନରେ ।

 

ମଙ୍ଗଳବାର

୧୫ । ୮ । ୬୭

କଟକ

Image